STORYMIRROR

Binaya Bhusan Panigrahi

Others

3  

Binaya Bhusan Panigrahi

Others

ଜୁଇଜଳେ, ଜୀବନ ସରେନା

ଜୁଇଜଳେ, ଜୀବନ ସରେନା

1 min
8.2K


-◆ଜୁଇଜଳେ,

ଜୀବନ ସରେନା◆-

===========

ଛ'ଖଣ୍ଡ କାଠ,ଦି'ସେର ଗୁଆଘିଅ ,

ଜଳୁଥିବା ସଳିତାଟେ ଆଉ

କଞ୍ଚା ବାଉଁଶ ଠେଙ୍ଗାଟେ ହେଲେ

କଞ୍ଚା ଦେହଟା ସିନା

ହେଇଯାଏ ମୁଠାଏ ଅଙ୍ଗାର

ଘଡ଼ି-ଦିଘଡିରେ।

ଲୋକେ କୁହନ୍ତି,

"ମରିଗଲା -ତରିଗଲା

ଜୀବ ଗଲା-ଜଞ୍ଜାଳ ସରିଲା।"

ପଞ୍ଜରା ଥରେଇ ଦେଇ ଦୀର୍ଘଶ୍ଵାସ ଟିଏ

ପଦାକୁ ଆସୁଆସୁ ପ୍ରଶ୍ନଟିଏ କରେ,

"ସତରେ କଣ ସବୁ ସରିଯାଏ ?

ମୃତ୍ୟୁ କଣ ସମାଧାନ ସବୁ ସମସ୍ୟାର??


ମୃତ୍ୟୁ ପ୍ରକୃତରେ କରେ କଣ,

ନାଶ ନା ପୁନର୍ବିନ୍ୟାସ ?

ମୃତ୍ୟୁ ଅର୍ଥହୀନ ମଧ୍ୟାନ୍ତରଟିଏ।

ଅନ୍ୟଥା, ଥରୁଟିଏ ଜଳିଗଲାପରେ

ସ୍ମୃତି, ପ୍ରତିଶ୍ରୁତି, ପ୍ରେମ,ପ୍ରତାରଣା,

ସବୁକିଛି ନିଃଶେଷ ହେଇଯାଉଥିଲେ

କାହିଁକି ବୃଥାରେ ମଣିଷ

କର୍ମକୁ ନିନ୍ଦି ବାହୁନନ୍ତା,

କାହିଁକି ବା ଶ୍ରେୟ ନ'ମଣନ୍ତା

ଥରେ,ବାସ ଥରେମାତ୍ର ଜଳିଯାଇ

ଜାଳିଦେବା ପାଇଁ ସବୁଦିନ ପାଇଁ

ଜୀବନର ସବୁ ଦୁଃଖ, ଅବସୋଷ,

ଅପ୍ରାପ୍ତିର କ୍ଷୋଭ

ଯାହାସବୁ ପ୍ରତ୍ୟହ-ପ୍ରତି ମୁହୁର୍ତ୍ତରେ

ଭିତରେ ଭିତରେ ଜାଳି ଚାଲିଥାଏ?


ଦେହ ସିନା ଜଳିଯାଏ,ସମ୍ପର୍କ ଜଳେନା,

ଖିଅ ଧରି ଜାଳି ଦେଉଥାଏ।

ଦାହ ସରେ,ଦହନ ସରେନା,

ନିଶ୍ଚେ କେହି ଜଣେ

ଅହର୍ନିଶ ଦହି ହେଉଥାଏ।


ଜୁଇ ଜଳି ଲିଭିଗଲାପରେ

ନଶ୍ୱର ଏ ଦେହଟାକୁ ଛାଡି

ବାକିସବୁ ସେଇମିତି ଥାଏ

ଯଦିଓ ଆଖିକୁ ଦିଶେନା,

ଜୀବନ ଜମାରୁ ସରେନା।

====©====

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ନୀଳାଦ୍ରି ବିହାର, ଭୁବନେଶ୍ୱର

୯୯୩୭୫୪୮୪୩୧

୯୪୩୮୬୭୦୧୨୦

==============

ହରସିଂହ ପୁର,ପିରହାଟ ବଜାର,

ଭଦ୍ରକ-୭୫୬୧୩୧


Rate this content
Log in