ଜୀବନର ସଞ୍ଜବେଳା
ଜୀବନର ସଞ୍ଜବେଳା
ସ୍ନାନଅନ୍ତେ ହୋଇ ଉଭା କଟୀ ପୂର୍ଣ୍ଣ ଜଳେ
ଆଞ୍ଜୁଳା ଆଞ୍ଜୁଳା ଜଳ ତର୍ପଣ କରେ
ସାକ୍ଷାତ ସୂର୍ଯ୍ୟ ଦେବତାଙ୍କୁ
ଶୁଦ୍ଧମନେ ସ୍ମରି ଗୁଣୁଗୁଣୁ
ପଦାର୍ପଣ ପ୍ରାୟ ଯେହ୍ନେ ଶେଷ ସୋପାନରେ
ଆଧ୍ୟାତ୍ମ୍ୟ ବାନ୍ଧିଛି ବସା ହୃଦୟ ରନ୍ଧ୍ରରେ
- - - - - - - -
ତା ନିସ୍ତବ୍ଧ କୋଠରୀରେ ଅବା . . .
ସ୍ବରୋପୀତ ଧାଡି ଧାଡି ଆମ୍ବ ବଗିଚାରେ ପାଦ ମାପି ମାପି ଆଲ୍ହାଦର ହାପିଉଥିବା ବେଳେ
କାହୁଁ କେଜାଣି ଅସୁମାରୀ ସ୍ମୃତିସବୁ ବିଜୁଳୀପ୍ରାୟ ଆବେଗରେ ଆସି ଚିତମାରନ୍ତି
ପୁଣି ଝଟକିନା ଉଭାନ ହୁଅନ୍ତି ସ୍ମୃତିପଟଳରୁ . . .
ଚେନାଏ ଲହରୀ ଖେଳିଦେଇ
ହଁ . . .
ସେଇ ଦିନ . . .
ରବିବାର, ୯ ତାରିଖ, . . . . ମସିହା
ଏକ ଅଭୁଲା ସ୍ମୃତି
ଜଣକର ହାତକୁ ତା ହାତରେ ସମାଜର ଡୋରୀରେ ଛନ୍ଦୀଦେବାପରେ
ଆସ୍ୱସ୍ତି ବୋଧ ହୋଇଥିଲା ସତ
ଆଉ ଜମ୍ମେଦାରୀର ଷ୍ଟାମ୍ପ ଲାଗିଥିଲା . . .
ସେଇଟା ବି ସତ
ଆହୁରି ସତ . . .
ତା କୁଟୁମ୍ବ ତାପାଇଁ ସବୁକିଛି
ଅଜା ଆଈ, ବାପା ମା ଙ୍କ ଠୁ ଭାଇଭଉଣୀ ସଭିଏଯାକ
ତା'ର ଏବଂ ଜୀବନ ସଙ୍ଗିନୀର ବୃତ୍ତାନ୍ତ
ଏକ ବନ୍ଧନୀ ଭିତରେ . . .
ନିକିତି ତଉଲ ଯଥା . . .
ଅବିରାମ ଗତିରେ
ଝଡଝଞ୍ଜାର ଦରୀଆରେ ଜୀବନରୁପି ଡ଼ଙ୍ଗାକୁ ବାହୀନେଉନେଉ
ସଂସାର ସାରଣୀର ଶେଷେ ସିଢିରେ ଏଇତ ପାଦଦେଇଛି
ଏବେ ତା'ର ହେବା ନହେବାରେ ସେମିତିକିଛି ଫରକ ପଡୁନି
- - - - -
ବିଗତ ସମୟ ସହ ଆଜିକୁ ଆକଳନ କଲେ
କି ଚମତ୍କାର ପରିବର୍ତନ . . .
ଆସିଝା ପଣସ . . .
ଉଦରସ୍ଥ କରିବାକୁ ମନ,
ହେଲେ ଖାଇଲେ ହଜମହେଉନି
ବିଶାଳ ଛାତିରେ କୋହ ସବୁ ଖେଂଚିପେଂଚି ହୋଇ ଜମାଟ ବାନ୍ଧିଛି
ସାଥୀହରା . . . ରସ ନାହିଁ ବଞ୍ଚିବାରେ
ଫିକା ଫିକା ଅସରନ୍ତି ସମୟ
ଗାଡି ଅଛି, ଘୋଡା ଅଛି . . .
ନାମ ଅଛି, ଶୌର୍ଯ୍ୟ ଓ ସାମର୍ଥ୍ୟ ବି
ଲୋଭ ନାହିଁ ବଞ୍ଚିବାର, ଅପେକ୍ଷା ପରବର୍ତୀ ଯାତ୍ରାପାଇଁ
ସବୁତ ସାରିଛି . . . ସଙ୍ଗିନୀ ସଙ୍ଗତେ
ଗଙ୍ଗା ଗୟା ଜଗନ୍ନାଥ ପୁରୀ
ସେପାରୀରେ ଦେଖାହେଲେ ପ୍ରାଣପ୍ରିୟା ଠେଇଁ
ବଖାଣିବ . . . ଗୋଟି ଗୋଟି କରି
"ତମେ ପାଇଲ" . . . ଦ୍ୱାହୀ ଦେଇ ଚାଲିଗଲା ଅଜଣା ରାଇଜକୁ
ଉଜୁଡା ସଂସାର ଠେଉଁ ଅଶାର ମିନାର ଗଢିବା ଯାଏ
କ'ଣ ପାଇଛି ସିଏ ଜଳାଞ୍ଜଳିର ପ୍ରତିବଦଳରେ
ହେଲେ ସାମ୍ନା ସାମ୍ନୀ
ହେବ ହିସାବ ନିକାସ
ସୁନିଶ୍ଚିତ ।