STORYMIRROR

Binaya Bhusan Panigrahi

Others

3  

Binaya Bhusan Panigrahi

Others

ଝଡ଼ ଦରକାର

ଝଡ଼ ଦରକାର

2 mins
336

ଦୁନିଆ ର ମଣିଷ ମାନେ

ଯେତିକି ସବଳ ଲାଗନ୍ତି

ବାସ୍ତବରେ ପରଖିଲେ

ସେମାନେ କଣ ସେତିକି ସବଳ?

ବହୁତ ବେଶି ଠିକ ହେବ

ବିଲକୁଲ ଉପକ୍ରମ ନ'କରି

ସିଧାସିଧା କହିବି ଯଦି ମୁଁ,

ମଣିଷହିଁ ସବୁଠୁ ଦୁର୍ବଳ ଜୀବ

ପ୍ରାଣୀ ଜଗତର।


ମଣିଷର ଟାଣପଣ;

ସମ୍ପୂର୍ଣ୍ଣ ଯଦିଓ ନୁହେଁ,

କହିହେବ, ପ୍ରାୟତଃ

କଇଁଛ ଖୋଳପା ପରି

ଉପରକୁ ଖୁଉବ ଶକ୍ତ

ମାତ୍ର,ଭିତରେ ଭିତରେ, 

ବିଲକୁଲ ମହମ ପରିକା

ତରଳି ଯିବାରେ ମାହିର।


ସୁଖବେଳେ ସମସ୍ତେ ତ ଏକାପରି

ସେତେବେଳେ କେମିତି ଜାଣିବ 

କିଏ ପର କିଏ ଆପଣାର,

କିଏ ଅପାରଗ 

କିଏ ପୁଣି ପାରିଲାପଣର !


ଝଡ଼ ଭାରି ଦରକାରୀ ମୋ'ଜାଣିବାରେ

ପ୍ରମାଣିତ କରିବାକୁ

କେଉଁ ବୃକ୍ଷ କେତେ ଗଭୀରକୁ

ମାଟିତଳେ ବଢେଇଛି ଚେର,

କେତେ ମାଟି ମୁଠେଇ ଧରିଛି,

ପୁଣି,ତା'ମୁଠାରେ ଥିବା ମାଟି

ବିଶ୍ୱସ୍ତ ନା ବିବଶ-ନାଚାର।


ଦୁଃଖ,ଝଡଝଞ୍ଜା,ବିପଦ ଆପଦ,

ପ୍ରତିକୂଳ ପରିସ୍ଥିତି ଇତ୍ୟାଦି ଇତ୍ୟାଦି

କାହାପାଇଁ ନ ଆସେ ସେମିତି ନୁହେଁ

କେବଳ ଏମିତି ହୁଏ,

କିଏ କରେ ଦୃଢ଼ ମୁକାବିଲା 

କିଏ ପୁଣି ଭାଙ୍ଗିଯାଏ 

ସାମ୍ନା ନକରି।


ହଁ,ଝଡ଼ ଦରକାର

ପିନ୍ଧେଇ ଦେବା ପାଇଁ

ବିଜେତାକୁ ବିଜୟ ତିଳକ

ଛଡେଇ ନେବାପାଇଁ

କାପୁରୁଷ ମାନଙ୍କ ମୁଠାରୁ

ବଞ୍ଚିବାର ବୃଥା ଅଧିକାର।।



Rate this content
Log in