ଜଗନ୍ନାଥ ସ୍ଵାମୀ
ଜଗନ୍ନାଥ ସ୍ଵାମୀ
ଜଗନ୍ନାଥ ସ୍ଵାମୀ ତୁମେ ଅନ୍ତର୍ଯ୍ୟାମୀ
ପରଂବ୍ରହ୍ମ ମହାପ୍ରଭୁ
ଶ୍ରୀଚରଣେ ତୁମ କରୁଛି ପ୍ରଣାମ
କୃପାକର ଆହେ ବିଭୁ।
ବିଶ୍ୱ ବ୍ରହ୍ମାଣ୍ଡର ହେ ବଡ଼ଠାକୁର
ତୁମେ ଶ୍ରୀକ୍ଷେତ୍ର ବିହାରୀ
ଶ୍ରୀମନ୍ଦିରେ ବସି ଶ୍ରୀମୁଖରେ ହସି
ଭାବ ରଖ ହେ ଦୈତାରୀ।
ଭାବ ବିନୋଦିଆ ତୁମେ ତ କାଳିଆ
ଭାବେ ବାନ୍ଧିଅଛ ଡୋରି
ଭାବରେ ନିଜର ଅଭାବରେ ପର
ହୁଅନା କେବେ କାହାରି।
ପକ୍ଷପାତ ନୀତି ନୁହେଁ ତୁମ ରୀତି
ସମଦୃଷ୍ଟି ଥାଅ ରଖି
ତୁମେ ଚକ୍ରଧର ହେ ମୁରଲୀଧର
ଚକାଡୋଳା ଚକାଆଖି।
ପତିତପାବନ ଜଗତ ଜୀବନ
ସକଳ ପ୍ରାଣୀର ସାହା
ଉଡେ ଫରଫର ନେତ ହେ ତୁମର
ଦେଖାଇ ସଭିଁଙ୍କୁ ରାହା।
ବାଙ୍କ ଚାହାଣୀରେ ଏକ ନିମିଷରେ
ଦେଖ ଚଉଦ ଭୁବନ
ଇଚ୍ଛାମୟ ତୁମେ ହୋଇ ଧରାଧାମେ
ଦିଅ ସବୁ ବରଦାନ।
କରମକୁ ନେଇ ଫଳ ସବୁ ପାଇ
ପ୍ରାଣୀ ଭୋଗେ ସୁଖ ଦୁଃଖ
ନ ବୁଝି ଅଜ୍ଞାନ କରେ ଅଭିମାନ
ସଂସାରେ ହୋଇ ବିମୁଖ।
ଜୀବନ ସହିତ କରିବାକୁ ହିତ
ଦେଇଛ ବୁଦ୍ଧି ବିବେକ
ତଥାପି ମାନବେ ଅଭାବେ ସ୍ବଭାବେ
ମାଗନ୍ତି ତୁମକୁ ଭିକ।
ନିଷ୍ଠୁର ନ ହୋଇ ଦିଅ ତ ବଢାଇ
ପୂର୍ଣ୍ଣ କରି ତାଙ୍କ ଥାଳି
ମନବାଞ୍ଛା ରୋଧି ଆହେ ବାଞ୍ଛାନିଧି
ଟାଳ ନାହିଁ କାହା ଅଳି।
ଆହେ କୃପାସିନ୍ଧୁ ତୁମେ ଦୀନବନ୍ଧୁ
ଅଗତିର ପରା ଗତି
ଏ ସୃଷ୍ଟିକୁ ଧରି ରଖିଛ ଉଦ୍ଧାରି
ଘେନ ମୋ ଭକ୍ତି ପ୍ରଣତି।