ହଜିଛି ଅତୀତ ହସୁଚି ଗାଆଁ
ହଜିଛି ଅତୀତ ହସୁଚି ଗାଆଁ
ଗାଁର ଅତୀତ ଯାଇଚି ହଜି
ଯେତେ ଚେଷ୍ଟା କଲେ ପାଉନି ଖୋଜି l
ଚାଳ ଘର ସବୁ ହୋଇଲା ଛାତ
ଲୋପ ହୋଇଗଲା ମୂଷାଙ୍କ ଗାତ l
ଗାଁ ଦାଣ୍ଡ ଏବେ କାଦୁଅ ନାହିଁ
କଙ୍କ୍ରିଟ୍ ଦାଣ୍ଡରେ ଗାଁ ହସଇ l
ତମ୍ପଡା ଶୁଖୁଆ ଆସୁନି ବିକା
କୁମ୍ଭାର ନ ଆଣେ କଳସୀ ଠେକା l
ମୁଗ, ବିରି, ଚଣା, ହେଉନି ମଳା
ଖଳାରେ ନ ପଡେ ଧାନ ବେଙ୍ଗଳା l
ଜମିରେ ନ ବୁଲେ ହଳ ଲଙ୍ଗଳ
ଚାଷ କରିଲେଣି ଟୀଲାର କଳ l
ଝାଡ଼ା ହେଉନାହିଁ ଖଳାରେ ପାଳ
ବସୁ ନାହିଁ ଆଖୁ କେଲୁଅ ଶାଳ l
ଅଛୁଆଁ ନ ଯାଏ ଖବର ଦେଇ
ଦ୍ୱିଜେ ନ ଯାଆନ୍ତି ପାଳୁଅ ଖାଇ l
ଏକ ହେଲେ ଜାତି ଅଜାତି କୂଳ
ଭଣ୍ଡାରି କାଟୁନି ସାଆନ୍ତ ବାଳ l
ଧୋବା କଚୁ ନାହିଁ ମଇଳା ଲୁଗା
ଟାକୁଆ ରେ ବଳା ହେଉନି ପଘା l
ଛଣି ନାହିଁ କଟା ହେଉନି ବାଣୀ
ପଡୁନି ଦାଣ୍ଡରେ ଧାନ ର ଖଣି l
ଜମୁ ନାହିଁ ଆଉ ଦନ୍ତାଳ ଭୋଜି
ଚାଷ ସରଞ୍ଜାମ ଗଲେଣି ହଜି l
ଘରେ ଘରେ ନାହିଁ ଧାନ ଅଟେଇ
ଦୁଃଖୀ ନ ଯାଆନ୍ତି ଧାନ ଗୋଟେଇ l
ପଡିଆ ହେଲାଣି ଚାଷୀର କ୍ଷେତ
ଶୁଭୁନାହିଁ ଆଉ ହଳିଆ ଗୀତ l
ମାଇପି ନ କରି ବାସି ପାଇଟି
ଶେଜରେ ପିଅନ୍ତି ବେଡ୍ ଟି l
ବାପା ବୋଉ ହେଲେ ଡାଡି ଓ ମମି
ମୁଣ୍ଡରୁ ଓଢ଼ଣା ଲୁଚି ଗଲାଣି l
କେହି ନ ଯାଆନ୍ତି ବଣ ଓ ବୁଦା
ଗ୍ୟାସ୍ ରେ ଭାତ ହେଉଛି ରନ୍ଧା
ତିନି ମୁଣ୍ଡ ଯୋଡି ହେଲେ ପାତାଳୀ
ନୂଆ ବୋହୂ ଖାଉ ନାହାନ୍ତି ଗାଳି l
ଗଉଡ ଯାଉନି ଗାଈ ଚରେଇ
ନ ପାଳନ୍ତି ଘରେ ବଳଦ ଗାଈ l
ଗଡୁ ନାହିଁ ଆଉ ଗୁଡୁ ଶଗଡ଼
ଝିଅ ବାହା କଲେ ମୋଟର ଚଡ଼ l
ଜଳେ ନାହିଁ ଆଉ ଡିବିରି ବତୀ
ବିଦ୍ୟୁତ୍ ବତୀର ଉଜ୍ଜଳ ଅତି l
ଖାଇନାହାନ୍ତି କେ ମାଣ୍ଡିଆ ଯାଉ
ନାହିଁ କାଉଁରିଆ କାଞ୍ଜିର ଭାଉ l
ସଭିଙ୍କୁ ଘାରିଛି ସଭ୍ୟତା ଗନ୍ଧ
ଭୋଗ ବିଳାସ ରେ ସଭିଏଁ ଅନ୍ଧ l
ତଥାପି ମୋ ଗାଁ ହସୁଚି ଦେଖ
ହୋଇନି ହବନି କେବେ ବିମୁଖ l