ଏଇ ଅବକାଶେ
ଏଇ ଅବକାଶେ
ମରଣ ଦୁଆରେ ପାଦ ଥୋଇ ଯାହା
ଜୀଇଁବାକୁ ଖୋଜ ରାହା ,
ଜନମ ପରି ତ ମରଣ ବି ସତ
ଦିନେ ମିଳିଯିବ ତାହା ।
ଉପର ଖରାଠୁ କଷ୍ଟ ଦିଏ ବେଶୀ
ତଳର ତାତିଲା ବାଲି ,
ଚାଲିବା ନଜାଣି ବାଟ ଦୋଷ ଦେଲେ
ଯନ୍ତ୍ରଣା ମିଳଇ ଖାଲି ।
ମହାଦ୍ରୁମ ଦେଖି ଆଶରା କରିବ
ଦେଉବା ନଦେଉ ଫଳ ,
କ୍ଷୁଦ୍ର ତୃଣ ସେବା କଲେ ମିଳଇ କି
ଫଳ ନା ତାହାର ମୂଳ ? ।
ଅସ୍ଥି ନାହିଁ ବୋଲି ଅଳପ ଜଳନେ
କୀଟ ହୁଏ ଛଟପଟ ,
ଅଳ୍ପ ସମସ୍ୟାରେ ନିଜତ୍ବ ନଥିବା
ଲୋକ ଭୁଲେ ବାଟଘାଟ ।
ଜନ ଗହଳିରେ ବ୍ୟତିବ୍ୟସ୍ତ ଲାଗେ
ବ୍ୟବସ୍ଥିତ ଯଦି ନାହଁ ,
ଗହନ ବନରେ ନିଃସଙ୍ଗତା ଭୟ
ନିର୍ଜନତା ଯଦି ଚାହଁ ।
କ୍ରୁର ଭଉଁରୀରେ ପ୍ରତିବିମ୍ବ ଖୋଜି
ନିଜେ ଆଉ ହଜ ନାହିଁ ,
ଏଇ ଅବକାଶେ ମଣିଷ ଜନ୍ମର
ଅସ୍ତିତ୍ବ ଖୋଜିବା ରହି ।
