ଦାଦନର ଦୁଃଖ
ଦାଦନର ଦୁଃଖ
ଅଧିକ ମଜୁରୀ ବେଶି ରୋଜଗାର
ଆଖିଏ ସପନ ଭରି
ଆମ ଗାଁ ଲୋକ ଦାଦନ ଯାଆନ୍ତି
ଚାଷବାସ ଗଲେ ସରି ।
ଦଲାଲ କଥାରେ ସରଳ ମଣିଷ
ସହଜେ ଯାଆନ୍ତି ଭୁଲି
ପିଲାଛୁଆ ଧରି ବିଦେଶ ଯାଆନ୍ତି
ଗାଁ ହୋଇଯାଏ ଖାଲି ।
ଲୁଗାପଟା ଆଉ ବାସନ କୁସନ
ନେଇଥାନ୍ତି ସାଥେ ଶେଯ
ରହିବାକୁ ସେଠି ଚାଳିଆ ମିଳଇ
ବାକିକଥା ନିଜେ ବୁଝ ।
ଭିଟାମାଟିରେତ ତାଲା ଝୁଲେ ଏଠି
ଇଟାଭାଟି କାମ ସେଠି
ରାତି ନପାହୁଣୁ ଭାଟିକୁ ଯାଆନ୍ତି
ଫେରୁଫେରୁ ହୁଏ ରାତି ।
ଅଜଣା ରାଇଜ ଅଚିହ୍ନା ମଣିଷ
କାମ ଖାଲି ସେଠି କାମ
ଦେହପାଆ ଯଦି ଖରାପ ହୋଇଲା
ବିହି ହେଲା ଜାଣ ବାମ ।
କାମ ନକରିଲେ ମିଳେନି ମଜୁରୀ
ଓଷଦ ବା ଦବ କିଏ
ରୋଗଯଦି ହୁଏ ଅଣଆୟତ୍ତ ତ
ଅକାଳେ ଜୀବନ ଯାଏ ।
ପିଲା ପରିବାର ଆକୁଳ କ୍ରନ୍ଦନ
ବୁଝନ୍ତିନି କେହି ଦୁଃଖ
ଲାଗଇ ଯେମିତି ଠାକୁର ତ ସତେ
ଏମାନଙ୍କ ପାଇଁ ମୁକ ।
ଦାଦନର ଦୁଃଖ କହିଲେ ନସରେ
ବଖାଣିଲେ ହେବ ପୋଥି
ତଥାପି ଯାଆନ୍ତି ପ୍ରତିବର୍ଷ ଲୋକେ
ଗାଁ ରୁ ଦାଦନ ଖଟି ।
