ବରଷା ଗୋ ତୁମେ
ବରଷା ଗୋ ତୁମେ
ବରଷା ଗୋ ତୁମେ ଧୀରେ ଧୀରେ ଆସ
ମଉସୁମୀ ସାଥେ ନେଇ
ତୁମ ଅପେକ୍ଷାରେ ଏ ଧରା ବକ୍ଷରେ
ସଭିଏଁ ଅଛନ୍ତି ଚାହିଁ ।।
ଚାତକ ପରାଏ ଚାହିଁଛି ସଂସାର
ତୁମ ଜଳ ବିନ୍ଦୁ ପାଇଁ
ପ୍ରଚଣ୍ଡ ନିଦାଘେ ତୃଷିତ ପରାଣ
ତୃପ୍ତି ଲଭିବାର ପାଇଁ।।
ମେଘ ବରଷିବ ଜଳ ଭରିଯିବ
ନଦ,ନଦୀ ସରସୀରେ
ଭିଜା ଭିଜା ତୁମ ପ୍ରୀତି ପରଶିଵ
ବିରହୀର ହୃଦୟରେ ।।
ମେଘ ଝରୁଥିବ ପ୍ରେମୀ ମରୁଥିବ
ପ୍ରେମିକାକୁ ଝୁରି ଝୁରି
ଝରକା ରେ ଆସି ଝଲକେ ବିଜୁଳି
ଛାତି ଉଠୁଥିବ ଥରି ।।
ଥିରି ପାଦେ ତୁମେ ଚାଲୁଥିବ ଯଦି
ଅଳସୀ କନିଆଁ ପରି
ତୁମରି ବିରହୀ ଚାତକ ଆଖିରେ
ତନ୍ଦ୍ରା ଆସିବ ଘେରି ।।
ବିରହର ତାତି ବଢି ବଢି ଯାଏ
ମିଳନର ଋତୁ ଦିଅ
କୁଆଁରୀ ମରମେ କାଉଁରୀ ପରଶ
ବରଷା ପବନେ ଦିଅ ।।
କଅଁଳ ପତର ଫୁଲ କନିଅର
ବନ୍ଦାଣ ଥାଳୀ ସଜାଇ
ମଣ୍ଡୁକ ମଣ୍ଡୁକୀ ନିରବେ ଅଛନ୍ତି
ଶଙ୍ଖ,ହୁଳ ହୁଳି ନାହିଁ ।।
*ଦୀପକ ପାଣିଗ୍ରାହୀ*
*ଆନ୍ଧ୍ରପ୍ରଦେଶ*