STORYMIRROR

Deepak Panigrahi

Others

3  

Deepak Panigrahi

Others

ସଞ୍ଜ ସକାଳେ ମୋ ଗାଆଁର ଛବି

ସଞ୍ଜ ସକାଳେ ମୋ ଗାଆଁର ଛବି

1 min
9.3K


ପୂରୁବ ଆକାଶେ ଫାଟିଲା ସିନ୍ଦୁରା

ରାବିଲେଣି କୁଆ କୋଇଲି

ସାରୁ ପତରରେ କାକର ଟୋପିଲୋ

ପବନରେ ଯାଏ ଚହଲି (୧)


ଗାଆଁ ଦାଣ୍ଡେ ଠିଆ ଡେଙ୍ଗା ନଡ଼ିଆ ଲୋ

ବାଟକୁ ପଡିଛି ଛାଇ

ପଧାନ ପୁଅ ତା' ହଳ ଯୋଚିଲାଣି

ବୁଢାତ ମାରୁଚି ହାଇ(୨)


ଝୁମୁରୁ ଝୁମୁରୁ ପାହୁଲ ପକେଇ

ଅଙ୍କା ବଙ୍କା ବାଟ ଦେଇ

ନଈରେ ଗାଧେଇ କଳସୀ କାଖେଇ

ଆସୁଅଛି ସର ଦେଇ (୩)


ସକାଳୁ ସକାଳୁ ଭାଷଣ ଶୁଣାଇ

ଗାଁ ମୁଖିଆଙ୍କୁ ନେଇ

ସରପଞ୍ଚ ବାବୁ ଚାହା ଚରଚାରେ

ବସିଛନ୍ତି ମେଳ ହୋଇ (୪)


ଗ୍ରାମ ଦେବତୀଙ୍କ ମନ୍ଦିରେ ଶୁଭୁଛି

ମଙ୍ଗଳ ଆଳତୀ ଘଣ୍ଟ

ସୁନାମ ଗଉଡ଼ ସଜ ହୋଇଲାଣି

ଚରାଇ ନେବାକୁ ଗୋଠ(୫)


ଚଷା ପୁଅ ତା'ର ପଖାଳ କଂସାରେ

ଶାଗ ବଢିଚୁରା ନେଇ

କଞ୍ଚା ଲଙ୍କା ସଙ୍ଗେ ଆମ୍ବୁଲ ଫାଳଟି

ଚାଷିର ଅମୃତ ସେହି (୬)


କାଳିଆ କଷରା ହଳ ଯୋଚି ପରା

ବିଲକୁ ବାହାରି ଯାଏ

ଆମରି ଗାଆଁର ପ୍ରତି ସକାଳର

ନିତି ପ୍ରତିଛବି ଇଏ (୭)

*

ଚାଇଁ ଚାଇଁ ଖରା ମାରିଲାଣି ପରା

ବେଳ ଗଡି ଗଡି ଗଲା

ଗାଁ ସାରା କେହି ଜଣେ ଘରେ ନାହିଁ

ବିଲରେ ଲାଗିଛି ମେଳା(୮)


ନିଛାଟିଆ ବେଳେ ଆଇବୁଢ଼ୀ ତା'ର

ନାତି,ନାତୁଣୀଙ୍କୁ ଧରି

ଭୁତର କାହାଣୀ କହୁଅଛି ପୁଣି

ଡରି ଯାଉଛନ୍ତି ଥରି(୯)


ବରଗଛ ଡାଳେ ପିଚାଶୁଣି ପଲେ

ଓହ୍ଲାଇ ସେକନ୍ତି ପିଲା

ଅଇଲା ଅଇଲା ଆଇ କହିଦେଲା

ଶୋଇ ପଡିଲେଣି ପିଲା (୧୦)


ଗୋଧୂଳି ଲଗନ ଫେରାଇ ଗୋଧନ

ଆଣୁଛି ଗୋପାଳ ପୁଅ

ଓଗାଳ ଗାଉଛି ଲଉଡି ଧରିଛି

ସାଙ୍ଗ ଧରିଅଛି ଖିଅ(୧୧)


ପାହାଡ଼ କୋଳରେ ଡୁବିଲେ ସୁରୁଜ

ରକ୍ତିମ ଆଭାକୁ ନେଇ

ସଞ୍ଜବତୀ ଜାଳି କୁଳ ସୀମନ୍ତିନୀ

ତୁଳସୀ ଚଉଁରା ଠାଇଁ (୧୨)


ଅନ୍ଧାର ଘଟିଲା ପକ୍ଷୀ ବାହୁଡ଼ିଲା

ଶାବକ ଆଧାର ନେଇ

ଘଣ୍ଟ ଘଣ୍ଟା ସଙ୍ଗେ ମୃଦଙ୍ଗ କାହାଳୀ

ଦିଅଁ ଦେଉଳେ ବାଜଇ (୧୩)


ପୁରାଣ ପଣ୍ଡାଙ୍କ ଭାଗବତ ପାଠ

ହରି ହରି ଧ୍ୱନି ସଙ୍ଗେ

ଗ୍ରାମେ ଭକ୍ତ ଗଣ ଭଜନ କୀର୍ତ୍ତନ

କରୁଛନ୍ତି ନାନା ରଙ୍ଗେ(୧୪)


ଆମରି ଗାଆଁର ସଞ୍ଜ ସକାଳର

ନିତି ପ୍ରତିଛବି ଏହି

ଛୋଟ ଗାଆଁ ମୋର ଆହାକି ସୁନ୍ଦର

ମୋପାଇଁ ସରଗ ସେହି (୧୫)

-:ଦୀପକ ପାଣିଗ୍ରାହୀ:-

ଶ୍ରୀକାକୁଲମ ଜିଲ୍ଲା

ଆନ୍ଧ୍ରପ୍ରଦେଶ


Rate this content
Log in