STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ବିସର୍ଜନ - ଆୟୁଧ ଅଧ୍ୟାୟ

ବିସର୍ଜନ - ଆୟୁଧ ଅଧ୍ୟାୟ

2 mins
205


ମା, ଶଙ୍ଖ ତୋର କଲି ବିସର୍ଜନ 

ଶତ ଶତ ମହିଷାଙ୍କ ଉଦଣ୍ଡ ନୃତ୍ୟରେ

ଆକଣ୍ଠ ସୁରାପାନ ଓ ଡିଜେ ସଂଗୀତରେ

ଶଙ୍ଖ ଶବ୍ଦ ହେଲା ଶକ୍ତିହୀନ

ବରୁଣଙ୍କୁ ଫେରାଇଲି ବରୁଣଙ୍କ ଦାନ। 


ମା, ଚକ୍ର ତୋର କଲି ବିସର୍ଜନ 

କୁଚକ୍ରୀଙ୍କ ସଙ୍ଗଠନ ସବୁଠାରେ ଆଜି 

ସଇତାନ ମୁଖା ପିନ୍ଧି ବସେ ସାଧୁ ସାଜି

ଚକ୍ର ଶକ୍ତି କୁଚକ୍ରେ ବିଲୀନ 

ବିଷ୍ଣୁ ତୁମେ ନେଇଯାଅ ଚକ୍ର ସୁଦର୍ଶନ ।


ମା, ଖଡଗ ତୋର କଲି ବିସର୍ଜନ 

ଫେରାଇଲି ଯମଙ୍କୁ ଯା ଥିଲା ତାଙ୍କ ଦାନ

ଭେଣ୍ଟିଲେଟର ବଢାଏ ମଣିଷ ଜୀବନ

ଯେ ଯାଏଁ ସ୍ୱାର୍ଥ ଓ ଅର୍ଥ ପ୍ରୟୋଜନ 

ସେ ଯାଏଁ ଜିବୀତ ମଢ, ଧିକ୍ ସେବାପଣ ।


ମା ,ଗଦା ତୋର କଲି ବିସର୍ଜନ 

ଯେତେ ବି ଅର୍ଜିଲେ ଏଠି ଅଭାବୀ ଜୀବନ

କର ଭାର ଯେତେ ଏଠି ଗଦାର ପ୍ରହାର 

ମଧ୍ୟବିତ୍ତ ଯେତେ ଏଠି କରେ ହାହାକାର 

ଗଦା ତୁମ ନେଇଯାଅ ଅଭାବୀ କୁବେର। 


ମା, ଧନୁ ତୋର କଲି ବିସର୍ଜନ 

ଟଙ୍କାର ତୋ ଭେଦୁନାହିଁ ଗଗନ ପବନ

ଅସୁର ଦେଖାଏ ଦେଖ ପରମାଣୁ ବୋମା 

ଦେଖିଛ ତ ନାଗାସାକି, ନଷ୍ଟ ହିରେସିମା

ବାୟୁ ତୁମେ ନେଇଯାଅ ଧନୁ, ଏଠି ଅଛି ବୋମା। 


ମା, ତ୍ରିଶୂଳ ତୋ କଲି ବିସର୍ଜନ 

ଶୂଳ ତୁମେ ନେଇଯାଅ ଆହେ ତ୍ରୀଲୋଚନ 

ଶୂଳେନ ପାହିନୋ ଆଉ କରୁନାହିଁ କାମ

ଶୂଳ ବଦ୍ଧ ଅସୁରକୁ ନେଉନାହିଁ ଯମ

ଦୂର୍ନିତି ସାଂଜୁ ଭେଦୁନି ତ୍ରିଶୂଳ ବିଷମ। 


ମା, ପର୍ଶୁ ଆଉ ଢାଲ ତୋର କଲି ବିସର୍ଜନ 

ଛଳନା ଓ ପ୍ରବଞ୍ଚନା ନାଶଇ ଜୀବନ

ମୁଖରେ ସୁନ୍ଦର କହେ ମନରେ କାଳିମା

ପର୍ଶୁ ଢାଲ ରୋକୁନାହିଁ ଅନ୍ୟାୟର ସୀମା 

ତୁମ ଅସ୍ତ୍ର ନେଇଯାଅ ଆହେ ବିଶ୍ବକର୍ମା ।


ମା, ବଜ୍ର ତୋର କଲି ବିସର୍ଜନ 

ତା'ର ଅବା ଆଉ ଏଠି କିସ ପ୍ରୟୋଜନ

ବିଶ୍ବାସଘାତକତାରେ କୋରିହୁଏ ଛାତି 

ଜୀବନେ ସୁଖର ଏଠି ଅତି ଅସଂହତି 

ଫେରାଇ ନିଅ ହେ ବଜ୍ର, ଆହେ ଶଚୀପତି ।


ମା, ଏହିଭାବେ ହାତେ ତୋର ଥିଲା ଯେତେ ଅସ୍ତ୍ର 

ଫେରାଇଲି ସବୁ କିଛି ହେଲୁ ତୁ ନିରସ୍ତ୍ର 

ଯୁଦ୍ଧ ପାଇଁ ଅସୁର ମା ତୋତେ (ପ୍ରତି ବର୍ଷ) ଲୋଡୁଥାଏ 

ଅହଂ ଗର୍ବ, ମତ୍ତ ଭାବ ନିଜର ଦେଖାଏ 

ଅଭୟ ମୁଦ୍ରାରେ କ୍ଷମ ଶରଣ ତୋ ଯାଏ ।


ମା, ଜାଣୁ ତୁହି ଶସ୍ତ୍ର ସବୁ ନାହିଁ ପ୍ରୟୋଜନ

ଅଭୟ ମୁଦ୍ରାରେ ତୋର ପ୍ରେମର ପ୍ଲାବନ 

ସନ୍ତାନକୁ ମାତା କେବେ କରେନା ହନନ

ସନ୍ତାନର ସତ୍ କର୍ମ ତୋହରି ସମ୍ମାନ 

ଏତିକି କୃପା କର ମା ଧନ୍ୟ ଏ ଜୀବନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda