ବିହଙ୍ଗ ବିପ୍ଳବ
ବିହଙ୍ଗ ବିପ୍ଳବ
ବିହଙ୍ଗ ବିପ୍ଳବ
==========
ବହୁଦିନ ତଳ କଥା ଶୁଣ ମନ ଦେଇ l
ଆନନ୍ଦ ଲଭିବ ଶୁଣ ଶୁଣି ଏହା ଭାଇ ll
ହିମାଳୟ ପାଦ ଭୂମି ଏକ ଜଙ୍ଗଲରେ l
ରହୁଥିଲେ ପଶୁପକ୍ଷୀ ଅତି ହରଷରେ ll
ଜଙ୍ଗଲର ରାଜାଥିଲେ ସିଂହ ପଶୁପତି l
ବିଲୁଆ ମନ୍ତ୍ରୀ ତାଙ୍କର ଭାଲୁ ଦଣ୍ଡପତି ll
ଋତୁ ଚକ୍ର ଘୁରି ବନେ ବସନ୍ତ ଆସିଲା l
ହଳଦୀବସନ୍ତ ଏକ ଗଛେ ବସାକଲା ll
ବର୍ଷାଋତୁ ଆଗୁ ଦେବ ଡିମ୍ବ ଉଷୁମାଇ l
ଛୁଆସବୁ ଉଡ଼ିଯିବେ ଫଡ଼ଫଡ଼ ଭାଇ ll
କିନ୍ତୁ ଭାଇ ଦେଖୁଥିବ କପାଳକୁ ତାର l
ହନୁଟିଏ ଭାଙ୍ଗିଲା ତା ଘର ଥର ଥର ll
ନେହୁରାହୋଇ ହନୁକୁ ବହୁତ କହିଲା l
ହନୁ କହଇ ଲକ୍ଷଣ ମୋର କୁଦିବୁଲା ll
ସବୁ ପକ୍ଷୀଗଣ ତହୁଁ ଏକତ୍ରିତ ହେଲେ l
ପଶୁରାଜଙ୍କ ନିକଟେ ଗୁହାରିକରିଲେ ll
ଜଙ୍ଗଲରେ ବସିଗଲା ଏକ ପଶୁ ସଭା l
ବିହଙ୍ଗ ଚିନ୍ତନ୍ତି ହନୁଟିକୁ ପାନେଦେବା ll
ଭଲ୍ଲୁକ ବସି ଅଛନ୍ତି ନ୍ୟାୟମୂର୍ତ୍ତି ହୋଇ l
ଖଗଗଣ ନ୍ୟାୟ ପାଇଁ ରହିଛନ୍ତି ଚାହିଁ ll
ଠଉରାନ୍ତି ଦଣ୍ଡ ଧର ଯହୁଁ ହନୁ ଦୋଷୀ l
କହନ୍ତି ଜମ୍ବୁକମନ୍ତ୍ରୀ ପାଖେ ତାଙ୍କ ବସି ll
ପ୍ରଭୁ ନ୍ୟାୟଧର ଟିକେ ଆଗପଛ ଚାହିଁ l
ବିଚାର କରନ୍ତୁ ଆଉଥରେ ଦୟା ବହି ll
ବିଚାର ପତି ଦେଖିଲେ ପଛକୁ ଅନାଇଁ l
ପାଚିଲାପଣସ ଏକ ଅଛି ଥୁଆ ହୋଇ ll
କହନ୍ତି ଭଲ୍ଳୁକ ତାଙ୍କ ନ୍ୟାୟ ବଦଳାଇ l
ହନୁର ପ୍ରବୃତ୍ତି ନିଶ୍ଚେ ଡେଇଁ ବୁଲିବଇଁ ll
ହଳଦୀ ବସନ୍ତ କିଆଁ ବସା ତହିଁ କଲା l
ଯେଉଁଠି ହନୁ କରଇ ନିତିଦିନ ବୁଲା ll
ଏଣୁ ନଭ ଚର ସର୍ବେ ଯାଅ ନିଜ ଘର l
ହନୁ ସପକ୍ଷରେ ଗଲା ଆଜିର ବିଚାର ll
ଲାଞ୍ଚଖାଇ ତୁଳାଧର ଯହୁଁ ପେଞ୍ଚ କଲା l
ଚରମଅଶାନ୍ତି ବିହଙ୍ଗମେ ଖେଳିଗଲା ll
ବିପ୍ଳବ ରଚିଲେ ସବୁ ଏକଯୁଟ ହୋଇ l
ଖୁମ୍ପିଖୁମ୍ପି ପଶୁଗଣ ଦେଲେ ଘଉଡ଼ାଇ ll
କାହାଣୀ ନିଷ୍କର୍ଷ ଏହି ମନେ ରଖିଥିବ l
ଅବିଧି, ଅନିତି ହେଲେ ବିପ୍ଳବ ଜନ୍ମିବ ll
ଭୂକମ୍ପ ହେବ ନିଶ୍ଚୟ ଧରା ଯିବ ଫାଟି l
ବିହଙ୍ଗ କହନ୍ତି, ଉଚ୍ଚେ କୁହାଟି କୁହାଟି ll
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
