ବିଦାୟୀ ଫୁଲ
ବିଦାୟୀ ଫୁଲ
1 min
9
ଫୁଲ ! ତୁହି ଫୁଟି ଝଡି ଗଲାପରେ
ଗଛ ଯାଇନି ମଉଳି।
ଆଜି ବି ଗଛରେ ସବୁଜ ପତର
ପବନେ ଖେଳୁଛି ଦୋଳି।
ଗଛ , ଡ଼ାଳ ଆଉ ସବୁଜ ପତର
ଥିଲେ ତୋର ଅତି ପ୍ରିୟ।
ହସି ଖେଳି ତୁହି ସେମାନଙ୍କ ସାଥେ
ବିତାଉଥିଲୁ ସମୟ।
ସମୟଚକ୍ରରେ ଝଡ଼ିଗଲୁ ତୁହି
ଛାଡ଼ିଲେ ସର୍ବେ ତୋ ହାତ
ମାଟିରୁ ତୁ ସୃଷ୍ଟି ମାଟିରେ ମିଶିବୁ
ଏହା ତୋର ଭବିଷ୍ୟତ।
ସବୁଜପତ୍ରର କୋମଳ ଅଙ୍କେ ତୋ
ଦେହ କେତେ ଯତ୍ନେ ଥିଲା।
ଧୂଳି ଧୂସରିତ ମାଟି ମାଆ କୋଳ
ଶେଷେ ତୋ ଠିକଣା ହେଲା।
ଗଛ ପତ୍ର ଯିଏ ଥିଲେ ତୋର ପ୍ରିୟ
ତୋ ସାଥେ ନଗଲେ କେହି।
ସର୍ବେ ରହିଗଲେ ନିଜ ନିଜ ବାଟେ।
ତୁହି ଗଲୁ ଏକା ହୋଇ।
ଦୁଃଖ ନକର ରେ ବିଦାୟୀ ଫୁଲ ତୁ
ଏହା ସଂସାରର ରୀତି।
ଯେତେ ପ୍ରିୟ ହେଲେ ଅନ୍ତ ସମୟରେ
କେହି ସାଥିରେ ନ ଯାନ୍ତି।