ବିଚାରା ଉର୍ମିଳା(ରାମାୟଣ କଥା)
ବିଚାରା ଉର୍ମିଳା(ରାମାୟଣ କଥା)
ଧନ୍ୟ ସେ ଉର୍ମିଳା ଲକ୍ଷ୍ମଣଙ୍କ ପତ୍ନୀ
ଧନ୍ୟ ପତିବ୍ରତା ନାରୀ
ଚଉଦ ବରଷ ରହିଲା ଏକଲା
ସ୍ୱାମୀ ହେଲେ ବନଚାରୀ ।
ପିତୃ ସତ୍ୟ ପାଳି ପ୍ରଭୁ ରାମଚନ୍ଦ୍ର
ବନବାସେ ଯେବେ ଗଲେ
ମାତା ସୀତା ଆଉ ଅନୁଜ ଲକ୍ଷଣ
ସାଥେ ତାଙ୍କ ବାହାରିଲେ ।
ସୁମିତ୍ରା କରିଲା ମନ ଯିବା ପାଇଁ
ଲକ୍ଷ୍ଣଣ କରିଲେ ମନା
ସିଏ ଗଲେ ସାଥେ ପ୍ରଭୁଙ୍କ ସେବାରେ
ସମୟ ହୋଇବ ଉଣା ।
ସ୍ୱାମୀ କଥା ମାନି ରହିଲା ସେ ଏକା
ଫେରିବା ବାଟକୁ ଚାହିଁ
ଯୁବା ବୟସର ଭାବ ଆବେଗକୁ
ଛାତିତଳେ ଚାପିଦେଇ ।
ଏଣେ ଘୋରବନେ ସୂରୁଯ ଡୁବିଲେ
ଗରଜନ କରେ ରାତି
ହିଂସ୍ର ଜୀବଜନ୍ତୁ ହିଂସ୍ର ନିଶାଚର
ଥରାଇ ଦିଅନ୍ତି ଛାତି ।
ଭାଇ ଭାଉଜଙ୍କୁ ଦେବାକୁ ସୁରକ୍ଷା
ଲକ୍ଷ୍ମଣ ରୁହନ୍ତି ଚେଇଁ
ପ୍ରଭୁ ରାମଚନ୍ଦ୍ର ମାତା ସୀତା ଦେବୀ
ନିଶ୍ଚିନ୍ତେ ପଡନ୍ତି ଶୋଇ ।
ଲକ୍ଷ୍ମଣଙ୍କ ନିଷ୍ଠା ନିଦ୍ରା ଦେବୀଙ୍କର
ଚିନ୍ତାକୁ ବଢାଇଦେଲା
ମର୍ତ୍ତ୍ୟର ମଣିଷ ଅନିଦ୍ରା ରହିଲେ
କାର୍ଯ୍ୟେ ହେବ ତାଙ୍କ ହେଳା ।
ଲକ୍ଷ୍ମଣଙ୍କ ପାଶେ ଉଭା ହୋଇ ଦେବୀ
ଦୁଃଖ ତାଙ୍କ ଜଣାଇଲେ
ତାର ପ୍ରତିକାର ଉପାୟଟିଏ ବି
ଅନୁଜଙ୍କୁ ବତାଇଲେ ।
ଲକ୍ଷ୍ମଣ ହସିଲେ "କହିଲେ ଉର୍ମିଳା
ରଖିବ ତାଙ୍କରି କଥା
ସବୁ ନିଦ ତାଙ୍କ ଆଖିରୁ ନେଇ ସେ
ଟାଳିଦେବ ତୁମ ଚିନ୍ତା "।
ସେହି ଦିନଠାରୁ ଚଉଦ ବରଷ
ଉର୍ମିଳା ଭୋଗିଲେ କଷ୍ଟ
ସବୁବେଳେ ନିଦ ସାଧିଲା ତ ବାଦ
ଭାରି ଦୁରୁଗମ ବାଟ ।
ଚଉଦ ବରଷ ରହିଲା ଉର୍ମିଳା
ପଥର କରି ତା ଛାତି
ନଥିଲା ବିଷାଦ ଅବା ଅବସାଦ
ତ୍ୟାଗର ଅଭୁଲା ଗୀତି ।
