ଭକତଙ୍କୁ କୁହ କେତେ ଭୁଲାଇବ
ଭକତଙ୍କୁ କୁହ କେତେ ଭୁଲାଇବ
ଚନ୍ଦନେ ଦେଲନି ଦରଶନ ତୁମେ
ସ୍ନାନେ ସି°ହଦ୍ୱାର ଖାଲି
ଭାବବିନୋଦିଆ ଭକତ ଭାବକୁ
ତୁମେତ ଗଲଣି ଭୁଲି ।
ସ୍ନାହାନ ବେଦୀରେ ସାହାଣ ମେଲାକୁ
'ସମୟ' କହିଲା 'ନାହିଁ'
ଦି ବରଷ ହେଲା ତୁମ ହାତୀ ବେଶ
ଦେଖିଲୁନି ଆମେ କେହି ।
ଚର୍ମ ନେତ୍ରେ ତୁମ ଚକାନୟନକୁ
ଦେଖିବାକୁ ନିତି ମନ
ବିନା ଭକତରେ ତୁମେ ଲୀଳା କର
ବିତିଯାଏ ମାସ ଦିନ ।
ପତିତଜନଙ୍କୁ ଦେବାକୁ ଦର୍ଶନ
ବଡଦାଣ୍ଡେ ରଥ ଯାତ
କାହାନ୍ତି ପତିତ, ଆକାଶକୁ ଚାହିଁ
ଡାହୁକ ହଲାଏ ବେତ ।
ଗଲା ସନ ଠାରୁ ଆଡପ ଦର୍ଶନ
ଭକତ ଗଲେଣି ଭୁଲି
ଗୁଣ୍ଡିଚା ମନ୍ଦିରେ ଗୁପତ ରାହାସ
ନିଶୁନ ଶରଧା ବାଲି ।
ଦୀପ ମିଳେନାହିଁ ଦୀପ ଜାଳିବାକୁ,
କିଏ ସେ ଜାଳିବ ଦୀପ
ଜପ ତପକୁ ତ କରୋନାର କୋପ
ଦିଏ ସତେ ଅଭିଶାପ ।
'ଅଶାନ୍ତି' 'ଆତଙ୍କ' କଷୁଛନ୍ତି ଅଙ୍କ
ଅଶରୀରି ସାଧେ ଦାଉ
ଭକତଙ୍କୁ କୁହ କେତେ ଭୁଲାଇବ
ଦୂରେ ରହି ମହାବାହୁ !
