ବଡ଼ଠାକୁରଙ୍କ ବଡ଼ସିଂହାର
ବଡ଼ଠାକୁରଙ୍କ ବଡ଼ସିଂହାର
ଦୟଣାରେ ଦିଅଁ ତୁଳସୀ ରେ ଦିଅଁ
ଧୂପରେ ମୋ ଦିଅଁ ଦୀପରେ ମୋ ଦିଅଁ
ଖାଆନ୍ତି ପିଅନ୍ତି ଗୀତ ଶୁଣନ୍ତି
ଭାବେ ଭୋଳ ହୋଇ ନାଚ କରନ୍ତି
ନିତି ରତ୍ନ ପଲଙ୍କରେ ପହୁଡି ଥାଅ ।।
ରାତି ନପାହୁଣୁ ନିଦ ଭାଙ୍ଗେ
ଧୂପ ଅବକାଶ ହୁଏ ରଙ୍ଗେ
ଅଧା ରାତି ଯାଏ ଚେଇଁ ରୁହ
ଭକତଙ୍କ କଥା ଶୁଣୁ ଥାଅ
ରାତି ଅଧେ ହୁଏ ବଡ଼ସିଂହାର
ଶୟନ ପାଇଁକି ତୁମେ ଆତୁର
ତୁମେ ଶଗଡେ ଫୁଲରେ ସଜେଇ ହୁଅ ।।
ସରିଯାଏ ଯେବେ ସନ୍ଧ୍ୟା ଧୂପ
ବେଶ ହୁଅ ତୁମେ ବିଶ୍ଵରୂପ
ଦୟଣା ତୁଳସୀ ମାଳ ଚୂଳ
ରଙ୍ଗ ବେରଙ୍ଗର ଫୁଲମାଳ
ଗୋଲାପ ଅଶୋକ ମରୁଆ ଫୁଲ
ଜୁଇ ଜାଇ ମଲ୍ଲି କୁନ୍ଦ ବକୁଳ
ସତେ ଅପୂର୍ବ ଶୋଭା ସେ ହେ ଲିଳାମୟ ।।
ବାର ଲାଗି ପାଟ ପିନ୍ଧିଥାଅ
ଫୁଲର ଗହଣା ଶୋଭା ମୟ
ନାକେ ନାକୁଆସୀ ଫୁଲ ଗୁଣା
ଫୁଲର ପଦକ ମନ ଜିଣା
ଫୁଲର ଚନ୍ଦ୍ରିକା ଅଧର ମାଳ
ଫୁଲର ଅଳକା ଫୁଲ କୁଣ୍ଡଳ
ଫୁଲ କରପଲ୍ଲବ ଯେ ଧରିତ ଥାଅ ।।
ବେଶ ସରିଗଲେ ନୀତି କ୍ରାନ୍ତି
ଶୟନ ଠାକୁର ଆସିଥାନ୍ତି
ଭଣ୍ଡାର ଘରେ ସେ ରହିଥାନ୍ତି
ମେକାପ ସେବକ ଆଣିଥାନ୍ତି
ମହାପ୍ରଭୁଙ୍କର ବାଡ଼ରେ ସେହି
ବିଜୟ କରନ୍ତି ଠାକୁରେ ଯାଇ
ବାସେ କର୍ପୁର ଚନ୍ଦନ ସେ ମହମହ ।।
ଶୟନ ଠାକୁର ସୁନା ମୂର୍ତ୍ତି
ଅର୍ଦ୍ଧ ନାରୀଶ୍ବର ରୂପ କାନ୍ତି
ଲକ୍ଷ୍ମୀ ନାରାୟଣ ରୂପ ଯୁଗ୍ମ
ଦକ୍ଷିଣାଙ୍ଗ ବିଷ୍ଣୁ ଲକ୍ଷ୍ମୀ ବାମ
ଅଷ୍ଟଭୂଜ ସେହି ଦିବ୍ଯ ମୂରତି
ଶଂଖ ଚକ୍ର ଗଦା ହସ୍ତରେ ପୋଥି
ପଦ୍ମ କଳସ ଦର୍ପଣ ଧରି ଯେ ଥାଅ ।।
ଶୟନ ଠାକୁର ହେଲେ ବିଜେ
ପଇଡ ପାଣିରେ ଭୋଗ ଲାଗେ
ତାମ୍ବୁଳ ମଣୋହି ହୋଇଥାଏ
ଶୁଭ୍ର ପୁଷ୍ପ ପୁଷ୍ପାଞ୍ଜଳି ହୁଏ
ପ୍ରଭୁ ଯେ ଶୟନ ଠାକୁର ହୋଇ
ରତ୍ନ ପଲଙ୍କରେ ଶୁଅନ୍ତି ଯାଇ
ବଡ଼ ଚିତ୍ରମୟ ଲିଳା ହେ ଲିଳାମୟ ।।
ରତ୍ନ ପଲଙ୍କ ସଯେ ଶେଷନାଗ
ସେତ ବଡ଼ଭାଇ ବଳଦେବ
ମାତା ଶୁଭଦ୍ରିକା ଯୋଗମାୟା
ନିଦ୍ରା ରୂପେ ବିସ୍ତାରନ୍ତି କାୟା
ଚଦର ରୂପରେ ସୁଦର୍ଶନ ଟି
ଏମନ୍ତ ଶୁଅନ୍ତି ଚତୁର୍ଦ୍ଧା ମୂର୍ତ୍ତୀ
ପ୍ରଭୁ ନିଜେ ମାୟା ପୁଣି ନିଜେତ ମୋହ ।।
ଭଲରେ ଶୋଇଲେ କଳାଜହ୍ନ
ଭକତଙ୍କ ପ୍ରତି ରହେ ମନ
କଥା ଶୁଣିଥାନ୍ତି ଡେରି କାନ
ଭବରୁ କରନ୍ତି ପରିତ୍ରାଣ
ମହାପ୍ରଭୁଙ୍କର ପାଦେ ମିନତି
କୃପାନେତ୍ରେ ପ୍ରଭୁ ଚାହିଁ ଥିବଟି
ସାରା ସଂସାର କୁ କରି ଅମୃତମୟ ।।