STORYMIRROR

Pankajini Upadhaya

Others

3  

Pankajini Upadhaya

Others

ଅର୍ଦ୍ଧାଙ୍ଗିନୀ

ଅର୍ଦ୍ଧାଙ୍ଗିନୀ

1 min
715



~~~

ପଙ୍କଜିନୀ ଉପାଧ୍ଯାୟ

~~~~~

ଅରଙ୍ଗାବାଦ

~~~~

ବହୁତ ଜନ୍ମର ତପନିଷ୍ଠ ଫଳ

ପ୍ରେୟସୀ ମୋ ହୃଦକାନ୍ତା

ପ୍ରୀତି ପାରାବାର ନଉକା ମୋହର

ସୁଶିଳା ସର୍ବଦା ଶାନ୍ତା।


ପ୍ରୀତି ଉପବନ ମଧୁର ପୁଷ୍ପ

ମଧୁମୟ ଠାଣି ମାଣି

ପାଗଳ ଭ୍ରମର ପାଗଳ ଜୀବନ

ତୁ ମୋର ପ୍ରେମ କାହାଣୀ।


ଦୀର୍ଘ ଚେତନାର ସୁଦୀର୍ଘ ପ୍ରବାହ

ତୋ ସ୍ପର୍ଶରେ ତେଜିୟାନ

ଭରସା କାନ୍ଥରେ ଦେଉ ପ୍ରୀତି ଛିଟା

ସଂଘର୍ଷରେ ବଳିୟାନ।


ପବିତ୍ର ଗଙ୍ଗାର ପବିତ୍ର ପ୍ରବାହ

ପ୍ରତାରିତା ନୁହେଁ ମନ

ପ୍ରୀତିରେ ପଖଳା ସ୍ବଚ୍ଛ ବାରିଧାରା

ପ୍ରୀତିରେ ପୂର୍ଣ୍ଣ ଜୀବନ।


ତେଜମୟୀ ତୁମେ ରୂପ ଅନୁପମେ

ରତି ପରି ଭରା ପ୍ରୀତି

କାମଦେବ ମନ କାମରେ ମଗନ

କାମନାର ମଧୁଗୀତି।


କର୍ମର ଜଞ୍ଜାଳ ଡହଳ ବିକଳ

ଖୋଜେ ପ୍ରଣୟୀର ସାଥ

ଅକୁଣ୍ଠିତ ତୁମ ପ୍ରେରଣା ମହକ

ବେଗେ ଦୌଡେ କର୍ମରଥ।


ମୁକ୍ତାର ଔଜଲ୍ଯ ଶରୀରର ଶୋଭା

ରତିଜିଣା ଦିବ୍ଯ ପ୍ରଭା

ଦର୍ଶନ ମାତ୍ରକେ ଯନ୍ତ୍ରଣାରୁ ମୁକ୍ତି

ଦେଖିଦେଲେ ତୁମ ଆଭା।


ନରମି ପ୍ରିୟା ମୋ ସରମି ଲତିକା

ଛଳଛଳ ତୋର ନେତ୍ର

ମୁକ୍ତାବିନ୍ଦୁ ପରି ଲୋଭନୀୟ ପରା

ଜାହ୍ନବୀ ପରି ପବିତ୍ର।


କି ବର୍ଣିବି ତୋର ସର୍ବାଙ୍ଗ ଶରୀର

ସବୁଠି ଶୋଭାର ଖଣି

ମୁଗ୍ଧ ଅନୁଭବ ତୋ ଶରୀର ସ୍ପର୍ଶ

ତୋ 'ଠାରେ ରହିଲି ଋଣୀ।


ପ୍ରେମମୟୀ ରତି ସଂହାର ତୁ କର୍ତ୍ତୀ

ସଂସ୍କାର ସଂସ୍କୃତିପର୍ଣ୍ଣା

ଅରାତି ବିନାଶୁ ଧରୁ ଦୁର୍ଗା ମୂର୍ତ୍ତି

ସର୍ବଗୁଣରେ ସମ୍ପର୍ଣ୍ଣା।


ପତନ ସମୟେ ରକ୍ଷାକାରିଣୀ ତୁ

ଉତ୍ଥାନେ ପ୍ରେରଣା ଦୀପ

ସର୍ବଂସହା ତୁ ତ ଧରଣୀ ମାଆଲୋ

ତୁ ମୋ ହୃଦୟ ପ୍ରଦୀପ।


ବହୁଜନ୍ମ ଫଳ ହୋଇଛି ସୁଫଳ

ହୋଇଲୁ ମୋ ଅର୍ଦ୍ଧାଙ୍ଗିନୀ

ପର ଜନ୍ମ ପାଇଁ ନିବେଦିବି ମୁହିଁ

ହେବୁ ମୋହର ମାନିନୀ।


ଦମ୍ଭରେ ଆଜି ମୁଁ ଵାଟ ଚାଲୁଛି ଲୋ

ତୋର ସାଥିର ସମ୍ପର୍କେ

ସଫଳ ସୃଷ୍ଟିର ସଫଳ ଦାମ୍ପତ୍ୟ

ଅନୁଭବ ଏହି ଲୋକେ।


ସବୁ ନୈତିକତା ତ୍ଯାଗ ଓ ତିତୀକ୍ଷା

ସଫଳ ସେବାକାରିଣୀ

ଭୁଲି ପାରିବିନି ଜନ୍ମ ଜନ୍ମାନ୍ତରେ

ମୋର ସ୍ବପ୍ନମୟୀ ରାଣୀ।


ଅପୂର୍ବ ଆବେଗ ସମସ୍ତ ବିଶ୍ବାସ

ତୋ କାନି ପଣତେ ବନ୍ଧା

ସାର୍ଥକ ଦାମ୍ପତ୍ୟ ତ୍ଯାଗ ଆନୁଗତ୍ୟ

ଆମ ଜୀବନରେ ଛନ୍ଦା।


Rate this content
Log in