STORYMIRROR

Binaya Bhusan Panigrahi

Others

3  

Binaya Bhusan Panigrahi

Others

ଅଫର

ଅଫର

1 min
265


ଆଜି ସକାଳୁ ସକାଳୁ

ବିଛଣା ଛାଡ଼ିବା ଆଗରୁ

ଖିମଜିରୁ କଲ ଆସିଥିଲା,

"ସୁନାଦର କମ ଅଛି ସାର,

ଗଢ଼ା ମଜୁରୀ ପଚାଶ ପ୍ରତିଶତ

ଯେତେସାରା ସୁନା ଗହଣାରେ,

ମ୍ୟାଡ଼ମଙ୍କୁ ସାଥିରେ ଧରି

ନିଶ୍ଚୟ ଆସିବେ ଆଜ୍ଞା,

ଏ ଅଫର ସୀମିତ ସମୟ ପାଇଁ।"

ମା'ର କାନଫୁଲ ପଟେ ହଜିଥିଲା

ଆଉପଟେ ଦେଇ କହିଥିଲା

ଦର ଯଦି କମିଯାଏ କେବେ

ବଦଳେଇ ସରୁସରୁ ଦୁଇପଟ

କିଣିଦେବା ପାଇଁ ।

ଫୋଡେଇ ଥିବା କାନର କଣା

ବୁଜି ଯାଉଛି ବୋଲି

ନିମ୍ବକାଠି ଖିଲ ଦେଇ ସ୍କୁଲ ଯାଏ ଝିଅ

ତା'ପାଇଁ ଫାସିଆ ହଳେ କିଣିଦେବା ଲାଗି

ପତ୍ନୀ ମୋ'ର କହି ଆସୁଛନ୍ତି

ଗତବର୍ଷ ଦଶରା ପାଖରୁ

ଏଯାଏଁ ମୁଁ କିଣି ପାରିନାହିଁ।

ବିବାହକୁ କୋଡିଏ ପୁରିଲା

ସୁନା ତ ବହୁତ ଦୂର

ଦେବାକୁ ଚାହିଁଛି ହେଲେ,

ଦେଇ ପାରିନାହିଁ କେବେ

ଚୁମକୀ ଲଗା ସିଫନ ଶାଢ଼ୀ ଖଣ୍ଡେ।

ତା'ସତ୍ତ୍ୱେ,

ସିଏ ବାପଘରୁ ପିନ୍ଧିକରି ଆସିଥିବା ହାର

ବିକିଦେଇ ଦୁଇବର୍ଷ ତଳେ

ସେକେଣ୍ଡ ହ୍ୟାଣ୍ଡ ବାଇକଟେ କିଣିଲା ବେଳେ

କହିଥିଲି, କିଣିଦେବି ଭଲ ହାର ଗୋଟେ

ଦରମା ବଢିଲେ।

ଦରମା ବଢିଲା ,ଖର୍ଚ୍ଚ ବି ବଢ଼ିଲା,

ବର୍ଦ୍ଧିତ ଦରମା ବଢ଼ିଲା ଖର୍ଚ୍ଚକୁ ନିଅଣ୍ଟ ବୋଲି

ସୁନାହାର କିଣିପାରିନାହିଁ।

ଖିମଜିରୁ କଲ ଆସିବା ପରେ

ସ୍ୱପ୍ନରେ ଡେଣା ଲାଗିଗଲା ।

କାନଫୁଲ, ଫାସିଆ ଓ ହାର,

ଏକସଙ୍ଗେ ସବୁ କିଣି ଫେରିବା ବେଳକୁ

ନଅଟା ହେଲାଣି ,ପତ୍ନୀ କହୁଥିଲେ,

"ହଇହେ,ବିଛଣା ଛାଡୁନ ଏଯାଏ,

ଅଫିସ ଯିବ କି ନାହିଁ ?"


ବିନୟ ଭୂଷଣ ପାଣିଗ୍ରାହୀ( ମିଟୁ)

ହରସିଂହ ପୁର,ପିରହାଟ, ଭଦ୍ରକ

(ଏସ-୫/୩୪୨,ନୀଳାଦ୍ରି ବିହାର,

ଚନ୍ଦ୍ରଶେଖର ପୁର,ଭୁବନେଶ୍ୱର-୨୧)


Rate this content
Log in