ଅନଲାଇନ ଆସର
ଅନଲାଇନ ଆସର
ସାହିତ୍ୟର ଆଜି
ଚାଲିଛି ବେପାର
ଭାବ ହୁଏ ବିକା କିଣା,
ପାନରୁ ଟିକିଏ
ଚୂନ ଖସିଗଲେ
ସମ୍ପର୍କ ହୁଅଇ ଉଣା l
ଯିଏ ଯେତେ ଦେଲା
ଲଫାପାରେ ଭରି
ପାଇଗଲା ମାନପତ୍ର,
ସସମ୍ମାନେ ସିଏ
କବି ଉପାଧିରେ
ହୁଅନ୍ତି ସେ ଅଭିଷିକ୍ତ l
ହେଉ ପଛେ ଲେଖା
ଘାସ କି ପତର
ତଥାପି ଶ୍ରେଷ୍ଠ ରେ ଗଣା,
ନ ଥାଉ ଉପମା
ଅଳଙ୍କାର କିଛି
ପୂର୍ଣ୍ଣଛେଦ ଅବା କମା l
ଦୋଷ ଧରିବେନି
କାହା ବିପକ୍ଷରେ
ରଖିନାହିଁ ମତାମତ,
ଆଖି ଯା ଦେଖିଲା
ଦୁନିଆ ଦାଣ୍ଡରେ
ଅପ୍ରିୟ ହେଲେ ବି ସତ l
ମୁଁ ତ ବଣମଲ୍ଲୀ
ଅଖ୍ୟାତ ପଲ୍ଲୀର
ବଣ ରାଇଜେ ମୋ ଘର,
ହୃଦୟର ଭାଷା
କରଇ ରଚନା
ଅନୁଭବ ପ୍ରକୃତିର l
ଭାବନା ରାଇଜେ
ଉଡ଼ିବୁଲେ ସଦା
ଶବ୍ଦ ପ୍ରଜାପତି ଲୋଭେ,
ବେପାର ବାଣିଜ୍ୟ
ବୁଝେନାହିଁ କିଛି
ଭାବ ହିଁ ହୃଦୟେ ଶୋଭେ l
ଲୋଡ଼ା ନାହିଁ ମୋର
ତୁମ ମାନପତ୍ର
ଅବା କିଛି ପୁରସ୍କାର,
ପାଠକ ହୃଦୟ
ଜିତି ପାରିଗଲେ
ଲେଖିବା ସଫଳ ମୋର ।
