ଅନାମିକା
ଅନାମିକା
ଗ୍ରାମପଥଧାରେ ପ୍ରକୃତି କୋଳରେ
ଫୁଲଟିଏ ଫୁଟିଥିଲା।
ତା' ଉପରେ ପ୍ରାତଃ ଶିଶିର ବିନ୍ଦୁଟେ
ମୁକ୍ତା ସମ ଦିଶୁଥିଲା।
ଚଉଦିଗେ ସେଠି ଭାସି ବୁଲୁଥିଲା
ତା'ର ଅପୂର୍ବ ସୁବାସ।
କି ଫୁଲ ସେ ବୋଲି ନାମ ଜାଣିବାକୁ
ମନେ ମୋର ହେଲା ଆଶ।
ଜାଣି ତ ନଥିଲେ ନାମ ତା'ର କେହି
କିନ୍ତୁ ତାକୁ ଥିଲେ ଜାଣି।
ସୁବାସରେ ତା'ର ଯେଣୁ ସେ ସଭିଙ୍କ
ମନ ନେଉଥିଲା କିଣି।
ନାମ ତା'ର ନୁହେଁ ତା' ସୁରଭି ଥିଲା
ତା' ପ୍ରକୃତ ପରିଚୟ।
ତା' ସଦଗୁଣ ବଳେ କରିଥିଲା ସିଏ
ସବୁରି ହୃଦୟ ଜୟ।
ତେଣୁ ନାମ ନୁହେଁ ଆପଣା ସଦଗୁଣେ
ପରିଚିତ ହୁଏ ଫୁଲ।
ନାମ ନୁହେଁ ପରା ଗୁଣଟି ଅଟଇ
ଫୁଲର ଅସଲ ମୂଲ୍ୟ।
ନାମ ଯାହାହେଉ ଫରକ ପଡ଼େନା
ସଦଗୁଣଟି ଅଟେ ମୂଳ।
ଯେ କୌଣସି ନାମ ଗୋଲାପକୁ ଦେଲେ
କମେନା ଗୋଲାପ ମୂଲ୍ୟ।
ଏହି ଦୁନିଆରେ ପ୍ରାଣୀର ସଦଗୁଣ
ପୁଷ୍ପର ସୁରଭି ପ୍ରାୟେ।
ସୁକର୍ମ-ବାୟୁର ପ୍ରବାହରେ ଆପେ
ସର୍ବତ୍ର ପ୍ରସରିଯାଏ।
ନାମଟି ଅଟଇ ପ୍ରତୀକ ମାତର
ସେଥିରେ କିଛି ନଥାଏ।
ଏକଥା ନବୁଝି ନାମ-ଫଳକର
ପଛେ ନର ଧାଇଁଥାଏ।
ସୁକର୍ମ ମାଧ୍ୟମେ ପ୍ରାଣୀର ସଦଗୁଣ
ଯେବେ ବିକଶିତ ହୋଇ।
ଫୁଲ ପରି ବାସ ଆପେ ଚହଟଇ
ଫଳକର ଲୋଡ଼ା ନାହିଁ।