ଅହିଂସା, ବୀରର ଧର୍ମ
ଅହିଂସା, ବୀରର ଧର୍ମ
ରଣରଙ୍କ ମାନେ ଧର୍ମ ବୋଲି ଭାବନ୍ତି
ରାଜ୍ୟ ବିସ୍ତାରକୁ
ଅନ୍ଧତ୍ୱରେ ସେମାନଙ୍କର ନିଷ୍ଠୁରତା
ଆସେ ତାଙ୍କ ମନକୁ |୧|
ଅହିଂସା ନୁହେଁ କେବେ ହିଂସା ତ ଅଟେ
ପ୍ରତ୍ୟେକ ଭୀରୁର ଧର୍ମ
ଯୁଗେ ଯୁଗେ ଜାଣ ସତ୍ୟ ଓ ଅହିଂସା ସଦା
ଅଟେ ତ ବୀରର ଧର୍ମ |୨|
ଅବଶ୍ୟ ସଦା କଷ୍ଟ ଅଟେ ସତ୍ୟ ଓ
ଅହିଂସା ପାଳନର ପଥ
ତାହା କେବଳ ସମ୍ଭବ ଯାହାର ଅଛି
ସେପରି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ |୩|
ଦେଖି ସମାଜରେ ମଣିଷର ଭୋଗୁ ଥିବା
ସବୁ ଦୁଃଖ ଓ ଯାତନା
ପ୍ରତି ଦରଦୀ ହୃଦୟର ଆସେ ଶୋଷଣ
କଷଣୁ ମୁକ୍ତି ଦେବାର ଭାବନା |୪|
ଶାନ୍ତି ରକ୍ଷା ପାଇଁ ନିଶ୍ଚିତ ଦରକାର କିଛି
ମନୁଷ୍ୟର ସମସ୍ତ ଉଦ୍ୟମ
ମଣିଷର ଧର୍ମ କର୍ତ୍ତବ୍ୟ ନ୍ୟାୟ ପାଇଁ କରି
ଥାଆନ୍ତି ସେମାନେ ସଂଗ୍ରାମ |୫|
ଭାରତୀୟ ଇତିହାସରେ ଅଛନ୍ତି ଦୁଇ ଜଣ
ବିଶ୍ବ ବନ୍ଦିତ ବ୍ୟକ୍ତି
ଅହିଂସାର ପ୍ରତୀକ ବୁଦ୍ଧ ଓ ଗାନ୍ଧୀ ସେହି
ଦୁଇ ଉତ୍ତୁଙ୍ଗ ବ୍ୟକ୍ତି |୬|
ସେମାନେ ଏକ ସୂତ୍ରରେ ବନ୍ଧା ସେହି
ସୂତ୍ରଟି ହେଉଛି ଯୋଗିତ୍ୱ
ଯାହା କେବଳ ହେଉଛି ଅହିଂସା ଓ
ସତ୍ୟ ଉପରେ ପର୍ଯ୍ୟବସିତ |୭|
ମଣିଷ କିପରି ନିଷ୍ଠୁର ହୋଇପାରେ?
ଏହି ପ୍ରଶ୍ନର ତାଡ଼ନାରେ
ରହି ପାରିଲେନି ରାଜକୀୟ ଅବା ଅଳୀକ
ଐଶ୍ୱର୍ଯ୍ୟ ଲୋଭରେ |୮|
ବୁଦ୍ଧତ୍ୱ ପ୍ରାପ୍ତ କଲେ ସଂକଳ୍ପସ୍ନାତ ପ୍ରଲମ୍ବିତ
ସାଧନା ବଳରେ
ଦିବ୍ୟଜ୍ଞାନ ଓ କରୁଣାର ମଣିଷ ପାଲଟି ଗଲେ
ସାରା ଜଗତରେ |୯|
ଗୌତମଙ୍କ ମାର୍ଗ ପ୍ରଦର୍ଶନକୁ ଜଗତେ
କୁହାଗଲା ବୌଦ୍ଧ ଦର୍ଶନ
ମୋହନ ଦାସ ପ୍ରଚାର କଲେ ଅହିଂସାର
ଶୁଦ୍ଧତା ଜୀବନ ଯାପନ |୧୦|
ଏହି ଦର୍ଶନ ଏକ ବୈଜ୍ଞାନିକ ତତ୍ତ୍ୱ ମୂଳତଃ
ଆଧାରିତ ଶୁଦ୍ଧତା ଉପରେ
ଦୁଃଖ ଭୋଗିବାର କାରଣ ହେଉଛି ଅତ୍ୟଧିକ
ଲୋଭ ବା କାମନାରେ |୧୧|
ଜୀବନରେ ବଞ୍ଚିବା ଅସମ୍ଭବ ନଥିଲେ ମନ
ମଧ୍ୟରେ କିଛି କାମନା ବାସନା
କାମନାର ବିନାଶରେ ଦୁଃଖର ବିନାଶ
ହୋଇପାରେ ଏକ ଉଦ୍ଭଟ କଳ୍ପନା |୧୨|
ସତ୍ୟ ଓ ଅହିଂସା କେବଳ ବିଶ୍ୱାସ ନୁହେଁ
ଏହା ଏକ ଜୀବନ ସଂହିତା
ଏହି ବାସ୍ତବତାକୁ ଅନୁଭବ କରି ପାରିବା
ନିର୍ଦ୍ଧାରଣ କଲେ ସର୍ବନିମ୍ନ ଆବଶ୍ୟକତା |୧୩|
ନିର୍ବାଣର ‘ଅଷ୍ଟାଙ୍ଗ ମାର୍ଗ’ ର ପଥ ହେଉଛି
ଅହିଂସାର ବାଣୀ ଆଧାରରେ
ବୁଦ୍ଧ ଖଞ୍ଜିଲେ ଏକ ଜାତିବିହୀନ ସମତୁଲ
ସମାଜ ଗଠନ ଉଦ୍ଦେଶ୍ୟରେ |୧୪|
ଧର୍ମ ନିରପେକ୍ଷତା ଓ ଧର୍ମପ୍ରାଣ ସନ୍ଥର
ସଚେତନତା ନିର୍ମାଣ ଦ୍ୱାରା
ଅନ୍ୟାୟ ବିରୋଧରେ ସଂଗ୍ରାମ ପାଇଁ ଗାନ୍ଧିଜୀ
ଦେଲେ ଅସହଯୋଗ ଆନ୍ଦୋଳନ ଡାକରା |୧୫|
ପ୍ରମାଣ ହୋଇଛି ଅହିଂସା କେବେ ଅସ୍ତ୍ର
ନୁହେଁ ଦୁର୍ବଳ ଅବା ଭୀରୁର
ଅହିଂସା ଏକ ଶାଣଦିଆ ଅସ୍ତ୍ର ଅନ୍ୟାୟ
ବିରୋଧରେ ପ୍ରତ୍ୟେକ ବୀରର |୧୬|