ଅବସର ବୟସର ଗୀତ
ଅବସର ବୟସର ଗୀତ
ଆଜିକାଲି ମୋର ସାଙ୍ଗସାଥୀ ଯେତେ
ଅବସର ସବୁ ନିଅନ୍ତି
ମୋ ଆଡକୁ ସିଏ ଆଡ ନୟନରେ
ତେରିଛି ତେରିଛି ଚାହାଁନ୍ତି ।
ବାପା ମୋର ଥିଲେ ଭାରିତ ଚତୁର
କାନରେ ଆସି ମୋ କୁହନ୍ତି
ଉପରେ ଉପରେ ହସୁଥାନ୍ତି ସିନା
ଭିତରେ ଭିତରେ ଜଳନ୍ତି ।
କାହିଁକି ଜାଣନ୍ତି ?
ଜାତକରେ ଲେଖା ଜନ୍ମ ତାରିଖରେ
ଷାଠିଏ କେବେଠୁ ହେଲାଣି
କାଗଜପତ୍ରରେ ଏବେଏଵେ ମୋଠୁ
ଅଠାବନ ନିଏ ମେଲାଣି ।
ହରି ଭାଇ ଆମ ମୋତେ ଦେଖି ପରା
ବାପାଙ୍କୁ ତା ନିତି ନିନ୍ଦୁଛି
ଏ ମାସରେ ନେବ ଅବସର ସିଏ
ମୁହଁକୁ ଲୁଚେଇ କାନ୍ଦୁଛି ।
ଯଉବନ ତାର ଯାଇନି ଏଯାଏ
ସଭିଙ୍କୁ ବଖାଣି କହୁଛି
ମୂରୁଖ ବୋପାତା ନା ଲେଖା ବେଳେ
ବୟସ ବଢେଇ ଦେଇଛି ।