ଅଭିଶାପ
ଅଭିଶାପ
1 min
258
କାହା ଅଭିଶାପେ
ପଥର ହେବାକୁ
ନାହିଁ ମୋର ମନେ ଡର।
ସେ ପଥର ରୂପେ
କରିପାରେ ଯେବେ
ମୁହିଁ ପର ଉପକାର।
ସେ ପଥର ଅଙ୍କେ
କେଉଁ ଶିଳ୍ପୀ ଯେବେ
ଆଙ୍କିବ ତା କଳାକୀର୍ତ୍ତି।
ପଥର ମୁହଁରେ
ହସ ତ ଫୁଟିବ
ବଢ଼ିବ କଳାର ଖ୍ୟାତି।
ସେ ପଥର ନେଇ
ଗଢ଼େ କିଏ ଯେବେ
ଆଉ ଏକ କୋଣାରକ।
ବିଶୁ ମହାରଣା
ଧରମା ପରି ସେ
ରଖିବ ଜାତିର ଟେକ।
ସେ ପଥର ଯଦି
ମୂର୍ତ୍ତିଟିଏ ହୋଇ
ପୂଜା ପାଏ ମନ୍ଦିରରେ।
ଭକତିର ଗଙ୍ଗା
ପ୍ରବାହିତ ହେବ
ଭକତର ହୃଦୟରେ।
ସେ ପଥର ଯେବେ
ପୁଷ୍କରିଣୀ ଘାଟେ
ସାଜିବ ତୁଠପଥର।
ନବବଧୂ ବସି
ତନୁ ପଖାଳିବ
ଖୋଲି କଳାବେଣୀ ତାର।
ନର ତନୁ ପାଇ
ପର ଉପକାରେ
ଲାଗି ପାରିଲିନି ମୁହିଁ।
ପଥର ହୋଇ ମୁଁ
କଲେ ପର ହିତ
ତାଠାରୁ ସୌଭାଗ୍ୟ କାହିଁ !
କିଛି ନ ହେଲେବି
ଯେବେ ସେ ପଥର
ପଡ଼ିବ ଅଲୋଡା ହୋଇ।
କେଉଁ ଭକତର
ପାଦ ପରଶରେ
ଯିବି ମୁଁ ମୁକତ ହୋଇ।