ଆଶା
ଆଶା
ସଞ୍ଜ ଦୀପାଳିର ଶେଷ ସଳିତା ମୁଁ ,
ତଥାପି ମୋ ମନେ ଆଶା।
ଅମା ଅନ୍ଧକାରେ ଅଜଣା ପଥିକେ ,
ଦେଖାଇବି ମୁହିଁ ଦିଶା।
ଶେଷ ରଜନୀର ପାହାନ୍ତି ତାରା ମୁଁ ,
ତଥାପି ମୋ ମନେ ଆଶା।
ସଙ୍ଖୋଳିବି ରବି ପ୍ରଭାତୀ କିରଣେ ,
ଗାଇ ଆବାହନୀ ଭାଷା।
ବସନ୍ତର ଶେଷ ମଳୟ ବିନ୍ଦୁ ମୁଁ ,
ତଥାପି ମୋ ମନେ ଆଶା।
ସନ୍ତାପିତ ପ୍ରାଣେ ଚନ୍ଦନ ଲେପିବି ,
ଦୂର କରିବି ନିରାଶା।
ନିଦାଘର ଶେଷ ତଟିନୀ ଧାରା ମୁଁ ,
ତଥାପି ମୋ ମନେ ଆଶା।
ଟାଙ୍ଗରା ଭୂଇଁରେ ଫଳାଇବି ସୁନା ,
ଚାଷୀକୁ ଦେବି ଭରସା।
ଝରା ଶେଫାଳିର ଶେଷ ପାଖୁଡା ମୁଁ ,
ତଥାପି ମୋ ମନେ ଆଶା।
ମୋହିବି ସଭିଙ୍କୁ ମୋ ବାସ ମହକେ,
ପିଆଇ ବଞ୍ଚିବା ନିଶା।
ଗୋଧୂଳି ଗଗନ ଶେଷ କିରଣ ମୁଁ ,
ତଥାପି ମୋ ମନେ ଆଶା।
ଗୋଠ ଲେଉଟାଣି ଗାଈଆଳ ସୁରେ,
ଭରିଦେବି ମିଠା ଭାଷା।
ଧମନୀର ଶେଷ ରକତ ବିନ୍ଦୁ ମୁଁ,
ତଥାପି ମୋ ମନେ ଆଶା।
ଦେଶ ହିତ ପାଇଁ ଝରିଯିବି ମୁହିଁ,
ମେଣ୍ଟାଇ ନିଜର ତୃଷା।
କୋଣାରକ ର ମୁଁ ଭଗ୍ନ ମୁଖଶାଳା,
ତଥାପି ମୋ ମନେ ଆଶା।
ଭଗ୍ନଶୀଳା ମୁଖେ ଫୁଟି ଉଠୁ ଭାଷା,
ଯାଉ ସ୍ଥପତି ଦୁର୍ଦ୍ଦଶା।
ପୋଖରୀ ଘାଟର ଶେଷ ପାହାଚ ମୁଁ,
ତଥାପି ମୋ ମନେ ଆଶା।
ନୂଆବୋହୁ ଆସି ତନୁ ପଖାଳିବ,
ଖୋଲି କଳାମେଘି ଖୋସା।
ଜୀବନ ଗାଥା ର ଅନ୍ତିମ ପୃଷ୍ଠା ମୁଁ,
ତଥାପି ମୋ ମନେ ଆଶା।
ଜୀବନ ର ସବୁ ଝଡଝଞ୍ଜା ସହି,
ପାଠକ ପଢୁ ମୋ ଭାଷା।
ଜଳନ୍ତା ଜୁଇ ର ଶେଷ ଶିଖା ମୁହିଁ,
ତଥାପି ମୋ ମନେ ଆଶା।
ମାଟି ପିଣ୍ଡ ଜଳି ପଞ୍ଚଭୂତେ ମିଶୁ,
ଯେଉଁଠି ତା ଶେଷ ବସା।
ପିଆସୀ ଆଖିର ଶେଷ ପଲକ ମୁଁ,
ତଥାପି ମୋ ମନେ ଆଶା।
ପ୍ରଭୁ ପାଦ ଚାହିଁ ଶେଷ ହେଉ ମୋର,
ଏହି ଜୀବନ ବେଉସା।