ଆଖି ପଲକରେ ଦୁଃଖ ଦିନ ଯିବ ସରି
ଆଖି ପଲକରେ ଦୁଃଖ ଦିନ ଯିବ ସରି
ସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦି ଯାଇ
ରତ୍ନବେଦି ଗଲ ଭୁଲି
ଜ୍ବରରେ ପଡିଲ ଭଲ ହୋଇଗଲ
ଗୁଣ୍ଡିଚା ଘରକୁ ବୁଲି ।
ଭାଇ ଭଉଣୀଙ୍କୁ ସାଥେ ଗଲ ନେଇ
ଘରଣୀଙ୍କୁ ଛାଡି ଏକା
ହେରାପଞ୍ଚମୀରେ ମାତା ଯେବେ ଗଲେ
ଦେଲନାହିଁ ତାଙ୍କୁ ଦେଖା ।
ମାତାଙ୍କର ରୋଷ ଜାଣି ଜଗଦୀଶ
ରାହାସକୁ ଅଧାରଖି
ଲେଉଟିଲ ପ୍ରଭୁ ମାଉସୀ ମାଆଙ୍କ
ପୋଡପିଠା ବାଟେ ଚାଖି ।
ରଥରେ ହୋଇଲ ଆହାକି ସୁନ୍ଦର
ମନଜିଣା ସୁନାବେଶ
ଅଧରପଣାରେ ଅଶରୀରିଙ୍କର
ମେଣ୍ଟାଇଲ ତୁମେ ଶୋଷ ।
ନୀଳାଦ୍ରି ବିଜୟ ବେଳେ ମହାଲକ୍ଷ୍ମୀ
କବାଟକୁ ଦେଲେ କିଳି
ପହଡେ ଚାଲିଲା ବଚନିକା କେତେ
ମାନ ଅଭିମାନ କଳି ।
ମିଠାକଥା କହି ମିଠା ତ ଖୁଆଇ
ମାଆଙ୍କୁ କରିଲ ତୋଷ
ମାଆ ତ ଖୋଲିଲେ ଦେଉଳ ଦୁଆର
ଉଣା ହୋଇବାରୁ ରୋଷ ।
ଶେଷ ହେଲା ତୁମ ମାନବୀୟ ଲିଳା
ପତିତ ଉଦ୍ଧାର ପାଇଁ
ପତିତଙ୍କୁ ଦେଲ ଦୂରରୁ ଦର୍ଶନ
ଦୂରଦରଶନେ ରହି ।
କେତେଦିନ ଆଉ ଦୂରେଇ ରହିବ
କରୋନାକୁ ଡରିଡରି
ତୁମେ ଦୟାକଲେ ଆଖି ପଲକରେ
ଦୁଃଖ ଦିନ ଯିବ ସରି ।