ଦୁହିତା
ଦୁହିତା
ଲାଜ ନାରୀର ଭୂଷଣ ….. ବାପାଙ୍କର ଏଇ ପଦିଏ କଥା ବାରମ୍ବାର କାନରେ ବାଜୁଥିଲା
ସଙ୍ଗୀତାର । ଚାହୁଁ ଚାହୁଁ ବାହାହୋଇ ଘର ଛାଡି ଆସିବାର ଚାରିଦିନ ହେଲାଣି । ଆଜି ବୋଉ କଥା ଭାରି ମନେ ପଡୁଛି ସତରେ ବୋଉ ବଞ୍ଚିଥିଲେ ହୁଏତ ଓଡିଆ ଘରର ପରମ୍ପରାକୁ ସେ ବହୁତ ଆଗରୁ ଜାବୁଡି ଧରି ପାରିଥାଆନ୍ତା । କିଛି ବି ଶିଖିନି ସଙ୍ଗୀତା ଆଉ ବାରହାତ ଶାଢୀ ଭିତରେ ଜୀବନ ତାକୁ ଭାରି ଅଣନିଶ୍ଵାସୀ ଲାଗୁଥିଲା ତଥାପି ସେ ନିଜ ମନକୁ ବୁଝେଇ ଦେଇଥିଲା ଯେ ଅଷ୍ଟମଙ୍ଗଳା ପରେ ସ୍ଵାମୀଙ୍କ ସହ ଦିଲ୍ଲୀ ଗଲା ପରେ ସେ ଟିକେ ଶାନ୍ତିରେ ନିଶ୍ଵାସ ମାରିବ ।
ଆଜି ରିସେପ୍ସନ ମାଇକ ବାଜିଲାଣି ବାଡି ପଟୁ ଭାସି ଆସୁଛି ସ୍ଵାଦିଷ୍ଟ ବ୍ୟଞ୍ଜନର ବାସ୍ନା ସ୍ଵାମୀ ନିବାସ ମଝିରେ ମଝିରେ ସଙ୍ଗୀତା ପାଖକୁ ଆସି ତାକୁ ବାଆଁରେଇ ଦେଖୁଛନ୍ତି । ସଙ୍ଗୀତାର କିନ୍ତୁ ମନ ବୁଝୁନଥିଲା ଆଖିରେ ନାଚୁଥିଲା ତା’ର ଅବିହାଡି ରୂପ ଜିନ୍ସ ସ୍କଟ ସାଙ୍ଗକୁ ଟି ସାର୍ଟର କଥା ଏବଂ ସାଙ୍ଗମାନଙ୍କ ସହ ମଉଜ ମଜଲିସର ଦିନ । ବାପାଙ୍କ କଥାକୁ ସମ୍ମାନ ଦେଇ ସେ ଖାଲି ଯାହା ଅଭିନୟ କରୁଥିଲା ଏକ ନବ ବିବାହିତା ସଂସ୍କାରୀ ଲାଜକୁଳୀ ଓଡିଆଣୀ ବୋହୁର ।
ରାତି ଅନେକ ହେଲାଣି ଭିଡ ବି କମି ଗଲାଣି ହଠାତ ସଙ୍ଗୀତା କାନରେ ପଡିଲା ଆର ଘରେ କେହି ଜଣେ ତା’ ଶାଶୁଙ୍କୁ କହୁଥିଲେ ....ସତରେ ବୋହୁ ତମର ଭାରି ଲାଜକୁଳୀ ଖାଣ୍ଟି ଓଡିଆଣୀ ଏତେ ପଢୁଆ ହୋଇ ବି ସେ ଭୁଲିନି ଓଡିଆ ପରମ୍ପରାକୁ । ଏକ ଲୟରେ ଆଇନାକୁ ଚାହିଁଲା ସଙ୍ଗୀତା ତା’ର ରୂପକୁ ନିରେଖି ଦେଖିଲା ସତରେ ସେ ଓଡିଆଣୀ ବୋହୁ ବେଶରେ ଏତେ ସୁନ୍ଦର ଦେଖା ଯାଉଛି ବୋଲି ଆଗରୁ କେବେ ବି ଭାବି ନଥିଲା । ଭାଉଜ କୁଳଦୀପ ସଜାଡୁଥିଲେ ଲାଜରେ ଭିଜୁଥିଲା ସଙ୍ଗୀତା ଏଥର କିନ୍ତୁ ଅଭନୟରେ ନୁହେଁ ସତ ସତିକା,ମନେ ମନେ ବାପାଙ୍କୁ କହୁଥିଲା .... ମୁଁ ହାରି ଯିବିନି ବାପା ମା’ ସିନା ଶିଖେଇ ପାରିଲାନି ମୁଁ କିନ୍ତୁ ଆଜିଠାରୁ ଶପଥ ନେଉଛି ଆଉ କେବେ ବି ଜିନ୍ସ ପିନ୍ଧିବିନି ଖାଣ୍ଟି ଓଡିଆଣୀ ହୋଇ ଶାଢୀପିନ୍ଧି ମଥାରେ ସିନ୍ଦୁର ନାଇ ତୁଳସୀ ଚଉରା ମୂଳେ ପାଣିଦେଇ ସବୁ ଦିନେ ମନାସିବି ଦୁଇ କୁଳର ସୁଖ କାରଣ ମୁଁ ଆଉ ମୁଁ ନୁହେଁ ଆଜିଠାରୁ ମୁଁ ହେଲି ଦୁଇ କୁଳର ହିତା ଦୁହିତା ।