ବନ୍ଧନ
ବନ୍ଧନ
ବିଧି ବିଧାନ, ତିଥି ନକ୍ଷତ୍ର ଅନୁସାରେ ଜଳୁଥିଲା ହୋମ ଅଗ୍ନି ଓ ଶୁଭୁଥିଲା ଯଥା ରାବଣସ୍ୟ ମନ୍ଦୋଦରୀ ମନ୍ତ୍ର। ହୋମ ଅଗ୍ନି,ସାତ ଫେର ଓ ହାତ ଗଣ୍ଠି ପଡି ଗଲା ପରେ ବାପା ସିମୁର ହାତକୁ ଜ୍ୱାଇଁ ହାତରେ ଦେଇ କହୁଥିଲେ-କନ୍ୟାରତ୍ନ ଟିଏ ତୁମ ହାତରେ ଟେକି ଦେଉଛି ବାବୁ। ଦଶ ଦୋଷ କ୍ଷମା କରି ସାତ ଜନମକୁ ଦୁଃଖସୁଖର ସାଥି କରିବ। ସିମୁ ମୋ ନାୟନ ପିତୁଳା, ମୋ ଛାତି ସ୍ପନ୍ଦନ। ଯତ୍ନରେ ରଖିବ ବାବୁ। ବାପା ଭୋ ଭୋ ପ୍ରାଣର ସମସ୍ତ ସେହ୍ନ,ମମତା, ଦରଦ ମାନୁ ନଥିଲେ ଆଖି ଏରୁଣ୍ଡି। କିଛିବି ବାଧା, ବନ୍ଧନ ନ ମାନି ନିଗିଡି ପଡୁଥିଲେ ଥୋପି ଥୋପି।
ସିମୁର ଆଞ୍ଜୁଳି ଥିଲା କୀର୍ତ୍ତି ହାତରେ।କୀର୍ତ୍ତି ତଳ ହାତ ହୋଇ ସିମୁ ଆଞ୍ଜୁଳିରୁ ଗ୍ରହଣ କରୁଥିଲା ଦାନ, ଆଞ୍ଜୁଳି ଭର୍ତ୍ତି କୁମାରୀ ଜୀବନର ପୁଞ୍ଜି,ସାଇତା ମନ,ସଜାଇବା ଦେହ ଓ ପ୍ରେମ ପୂର୍ଣ୍ଣ ହୃଦୟ। ଆହୁରି ଥିଲା ଟିକେ ବିଶ୍ୱାସ,ଭରସା, ଆଶା,ସ୍ବପ୍ନ କୁଆଁରୀ ଜୀବନର ପିଲାଳିଆମୀ।
ସିମୁ ଥିଲା ଗେଲ ବସାରିଆ ସୁନା ପ୍ରତିମା। ବିଭୁ ବାବୁଙ୍କର ଜୀବନ। ମାର ଆତ୍ମା। ଗୋଟିଏ ବୋଲି ଝିଅ।ବିଭୁ ବାବୁଙ୍କ ଘରର ଆଲୁଅ। ସେ ଜନ୍ମ ହେଲା ଦିନୁ ବାପା ମାଙ୍କ ଖୁସି କହିଲେ ନ ସରେ।ଯେଉଁଦିନ ସିମୁ ପ୍ରଥମେ ଡାକିଲା ବା ବା,ମା ମା ଓଃ ସେଦିନ କି ଆନନ୍ଦ!କି ବିଭୋର ମନ!ପିତୃତ୍ୱ ଓ ମାତୃତ୍ୱର ସୁଧା ସତରେ ଅବର୍ଣ୍ଣନୀୟ। ସେ ଖୁସି ମାପିବା ପାଇଁ ନା ଅଛି ସ୍କେଲ ନା କେଉଁ ଫିତା।କେବଳ ହୃଦୟ କହିବ କି ଅପୂର୍ବ ଅନୁଭୂତି,ପୂର୍ଣ୍ଣତା ଏଇତକ ଡାକରେ। ଝିଅର ପୁନେଇଁ ଚାନ୍ଦ ମୁହଁ ଦେଖିଦେଲେ ବାପାମାଙ୍କର ଯେତେ ଦୁଃଖ ଥାଉ ପଛେ କୁଆଡେ ଉଭାଇ ଯାଏ। ଟିକେ ଗେଲରେ ଶୋଷି ହୋଇଯାଏ ଜୀବନର ସବୁ ଅବସାଦ। ସନ୍ତାନ ସମ୍ମୋହନ ସତରେ ଯାଦୁର ବିଭୁତି ସଦୃଶ୍ୟ।
ଅଦ୍ଭୁତ କିନ୍ତୁ ଏଇ ଝିଅ ଜନ୍ମଟା।କାହାର ନୟନ ମଣି, କେଉଁଠି ରଚିବି ଲୀଳା ଖେଳା,ଜନ୍ମନେବ ବଡ଼ ହେବ।ବାଲ୍ୟ,କୈଶୋରର ସମ୍ପୂର୍ଣ୍ଣ ଚପଳତାର ବର୍ଣ୍ଣ ବିଭା ଲଖି ରହିବ ବାପା ମା ହୃଦ କାନ୍ଥରେ। ଯୌବନର କିଛି ଦିନ ବିତିବ ସେଇ ବାପମାଙ୍କ ଘରେ।କିନ୍ତୁ ଯୌବନ ପ୍ରାପ୍ତି ଘୋଷଣା କରିବ, ଆସିଗଲା ଏଥର ଝିଅ ପର ଘରି ହେବାର ବେଳ। ନିଦ ହଜିଯିବ ବାପା ମାଆଙ୍କର ଝିଅ ପାଇଁ ଉପଯୁକ୍ତ ପାତ୍ର ଖୋଜାରେ। ଆଉ ବେଶୀ ଦିନ ରଖି ପାରିବେନି ପାଖରେ।
ଖୋଜା ଖୋଜି ପରେ ବାଜିବ ସାହାନାଇ,ଯୋଡି ନାଗରା। ବନ୍ଧୁବାନ୍ଧବ, ପୁରପରିଜନ,ଗହଣ ଓ ଭୋଜିଭାତରେ ଗହଳ ଚହଳ ଲାଗିବ ନିର୍ଦ୍ଧାରିତ ଦିନ ଓ ନିର୍ଦ୍ଦିଷ୍ଟ ସମୟରେ। ତାପରେ ବୋହିବ ଲୁହର ବନ୍ୟା।ବାଜିବ କୋହର ବାଜା।ଛାତିରେ ପଥର ଲଦି ବିଦା କରିବେ ବାପା ମା ତାଙ୍କ ଛାତି କଲିଜାକୁ।
ସିମୁ ବି ସବୁ ଝିଅଙ୍କ ପରି କନକ ଆଞ୍ଜୁଳି ତିନି ଥର ପଛକୁ ଫିଙ୍ଗି ବାପା ଘର ଲୀଳାଖେଳା ସବୁ ପଛକୁ ପକାଇ,କୁଆଁରୀ ବରତ ଉଜାଇଁ ବିଦା ହେଲା କୀର୍ତ୍ତିରାଜଙ୍କ ହାତ ଧରି ସୁବର୍ଣ୍ଣପୁର ଶୋଭନ ସାହାଣୀଙ୍କ ଘରକୁ।ପଛରେ ରହିଗଲା ପିଲା ଦିନ,ଅଳି ଅର୍ଦ୍ଦଳି,ସାଙ୍ଗ ସାଥି,ଗାଁ,ଦଧିବାମନ ଠାକୁର,ଭଗନ ପୋଖରୀ ଓ ଦୁନିଆଁର ସବୁଠାରୁ ଅତି ଅତି ନିଜର ବାପା ବୋଉ।ଲୁହ ଧୋଇଧାଇଁ ମାଜିମୁଜି ସଫା କରି ଦେଉଥିଲା ବାଡୁଅ ଦେହ ଓ ମନ।
ସିମୁ ନିହାତି ସରଳ ଝିଅ। ଜୀବନର ନୂଆ ମୋଡରେ ଠିଆ ହେଲା। ଝିଅର ପ୍ରକୃତ ଜୀବନ ତ ଆରମ୍ଭ ହୁଏ ବିବାହ ପରେ। କାର୍ ଭିତରେ ତା ଦେହକୁ ଲାଗି ବସିଥିଲେ କୀର୍ତ୍ତି। ସିମୁ ପାଖରେ ବସିଥିଲା ମାର୍ କୁଣ୍ଡି କୁଣିଆ ଦାଦା ପୁଅ ଭାଇ ଗୁଡୁ।ଡ୍ରାଇଭର ପାଖେ ଶଶୁର। ଲୁହ ସିଙ୍ଘାଣି ରେ ଜୁଡୁବୁଡୁ ପାଟ, ଓ ଓଢଣୀ ସିମୁର।ଶଙ୍ଖ ଶବ୍ଦରୁ ଜଣା ପଡ଼ିଲ ଶାଶୁ ଘର ହୋଇଗଲା। କୀର୍ତ୍ତୀ କହିଲେ ଟିକେ ସଜାଡି ହୋଇ ବସ ଆମ ଘର ଆସିଗଲା।
ଶଙ୍ଖ,ହୁଳ ହୁଳି ଶବ୍ଦ ଓ ବନ୍ଦାପନା ଭିତରେ ସିମୁକୁ ସ୍ୱାଗତ କଲା ତା ନୂଆ ଜୀବନ,ଘର ଓ ଲୋକେ।ଭାରି ଡର ଲାଗୁଥିଲା ସିମୁକୁ।ସବୁବେଳେ ପଢେ, ଦେଖେ,ଶୁଣେ କିରାସିନି ଢାଳି ବଧୁ ହତ୍ୟା,ଗ୍ୟାସ ଲିକ କରାଇ ନିଆଁ ଲଗାଇ ବୋହୁ ପୋଡି। ନିର୍ଦ୍ଦୟ ଭାବେ ତଣ୍ଟି ରେ ଶାବଳ ପକାଇ ବୋହୁ ହତ୍ୟା। ପିଟି ପିଟି ମାରି ଦଉଡି ରେ ଝୁଲାଇ ବୋହୂକୁ ଆତ୍ମହତ୍ୟାର ନାମ।ପୁଣି କେଉଁଠି ଛାତରୁ ପେଲି ଶାଶୁଘର ଲୋକେ ନେଲେ ବୋହୂର ଜୀବନ। ଭାରି ଭୟାଳୁ ଆଖିରେ ଅନାଇଁଲା ସମସ୍ତଙ୍କ ମୁହଁକୁ ସିମୁ।
ଡବ ଡବ ଆଖିରେ ଆଷାଢ଼ ଟଳମଳ ହେଲା ସିମୁର।ଭାରି ଏକୁଟିଆ ଲାଗିଲା ଯଦିଓ ତା ଚାରି ପାଖେ ପ୍ରବଳ ଭିଡ ଥିଲା। ତାକୁ ଘେରି ବସିଥିଲେ କେତେ ଅଚିହ୍ନା ମୁହଁ। କଇଁ କଇଁ ହୋଇ କାନ୍ଦି ଉଠିଲା ସିମୁ।ମନେ ପଡିଲେ ବାପା ମା। ଆଶ୍ଚର୍ଯ୍ୟ ହେଲେ ସମସ୍ତେ ବୋହୁ
ଏପରି କାନ୍ଦୁଛି କାହିଁକି? ଆଜିକାଲିକା ଝିଅ ତ ବାହା ହେବା ପାଇଁ ଥେଇ ଥେଇ ହେଉଛନ୍ତି।କଢିରୁ ଫୁଲ ହେଲା ମାନେ ଚାଲୁଛି ଭଅଁର ଖୋଜା। ଆଉ କୋଉ ଆଗ ପରି କେହି ଝିଅ କାନ୍ଦୁଛନ୍ତି।ଶାଶୁ ଘରକୁ ଆସୁ ଆସୁ ମୋ ବର ମୋ ଘର ବୋଲି ହୁରି ଛାଡ଼ୁଛନ୍ତି।କିନ୍ତୁ ଆମ ବୋହୁ....କାନ୍ଦୁଛି କାହିଁକି ! ସଂଦେହୀ ଆଖି ପହଁରି ଗଲା ସଭିଙ୍କର ସିମୁ ଉପରେ। ବୋହୁ କଣ ଏ ବିବାହରେ ଖୁସି ନୁହେଁ ପ୍ରଶ୍ନ ବିଚଳିତ କଲା ଶ୍ରଦ୍ଧା ଦେବୀଙ୍କୁ। ତାଙ୍କର ଏକୋଇର ବଳା ବିଶିକେଶନ କୀର୍ତ୍ତି।ବୋହୁ ଆଉ କାହାକୁ ମନ ଦେଇନି ତ !
ଶ୍ରଦ୍ଧା ଦେବୀ ସିମୁକୁ ନେଇଗଲେ ଗହଳି ଭିତରୁ ତାଙ୍କ ରୁମ୍ କୁ। ଛାତିରେ ସିମୁ ମୁଣ୍ଡକୁ ସାଉଁଳେଇ ପଚାରିଲେ କଣ ହେଲା ଧନ,କାନ୍ଧୁଛୁ କାଇଁକି?ବାପା ବୋଉ ମନେ ପଡୁଛନ୍ତି କି ମା।ସୁନା ରେ ଏ ପରା ଆମ ନାରୀ ଜନ୍ମର ନିୟତି। ନିଜ ଘରଦ୍ୱାର ଛାଡି ଅଚିହ୍ନା ଘର,ମଣିଷଙ୍କୁ ନିଜର କରିବା ନାରୀ ଧର୍ମ। ମୋତେ ଦେଖ୍!ମୁଁ ବି ତୋ ପରି ରେ କଣ୍ଢେଇ, ଦିନେ ଏ ଘରକୁ ଆସିଥିଲି।କଷ୍ଟ ତ ହେବ ମା। କିନ୍ତୁ କଣ କରିବା ଏପରା ସଂସାର ନୀତି।ପୁରୁଷ ଓ ନାରୀ ଏକ ହେଲେ ସୃଷ୍ଟି ସମ୍ଭବ। ମା ରେ!ମୋର ତ ଝିଅ ନାହିଁ।ତୁ ଆଜିଠୁ ମୋ ଝିଅ।ମନ ଖୋଲି ତୋ ନିଜ ମା ଭାବି ସବୁ କଥା ମୋତେ କହିବୁ।କିନ୍ତୁ ରାଣୀ ଟା କାନ୍ଦିବୁ ନାହିଁ କେବେ?ମୋତେ ଲାଗିବ ମୋର ତୋତେ ବୁଝିବା କି ଚଳେଇବା ଠିକ୍ ରେ ଆସୁନି।
ସୁମି , ଧନ,ସୁନା,ରାଣୀ,କଣ୍ଢେଇ ପରି ଶବ୍ଦ ଯାହା ତା ମା ତାକୁ କହି ଗେହ୍ଲା କରେ ଶୁଣି ଆହୁରି ଭୋ ଭୋ ହୋଇ କାନ୍ଦି ଉଠିଲା ଓ ଶ୍ରଦ୍ଧା ଦେବୀଙ୍କୁ ଜୋରେ ଚାପି ଧରି କହିଲା ମୋତେ ଭାରି ଡର ଲାଗୁଛି ମା। କେଉଁ ଦିନ ପୋଡି ପାଡି ଆପଣ ମାନେ ମାରି ଦେବେନି ତ ମୋତେ!
ଶ୍ରଦ୍ଧା ଦେବୀ ଅବାକ୍।ଏମିତି ଧାରଣା କାହିଁକିରେ ମା।ଏଇଟା ପରା ଆଜିଠୁ ତୋ ଘର।ତୋ କୁହୁମ ଚାଲିବ।ତୁ ଆଜି ଠାରୁ ଆମ ସଭିଙ୍କର ଛୁଆ ମା। ଆମର ତୁ ଗେହ୍ଲେଇ ରାଣୀ,ଝିଅ।ଆମ ପାଇଁ କୀର୍ତ୍ତି ଯେପରି ତୁ ବି ସେପରି।ଚିନ୍ତା କରନା ଧନ।ଦିନ ଦି ଟା ଯାଉ ତୁ ଆଉ ତୋ ବାପା ମାଙ୍କୁ ମନେ ପକାଇବା ଭୁଲିଯିବୁ।ମୁଁ କଥା ଦେଉଛି ମା ତୋତେ କିଛି ମନେ ପକାଇବା ପାଇଁ ଅବସର ଦେବି ହିଁ ନାହିଁ।ପକ୍କା।
ସତକୁ ସତ ସିମୁ ଜୀବନ ସାଥି, ନୂଆ ଲୋକଙ୍କ ବନ୍ଧନରେ ବନ୍ଧା ହୋଇ ଭୁଲିବାକୁ ଯାଉଥିଲା ପଛ ଜୀବନକୁ।କିନ୍ତୁ ବାପା ମା ତାଙ୍କୁ କଣ ଭୁଲିହୁଏ।ସେ ପରା ସବୁଠୁ ଶ୍ରେଷ୍ଠ, ମଜଭୁତ ବନ୍ଧନ!