Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binapani Pradhan

Others

2.4  

Binapani Pradhan

Others

ଖରାଛୁଟି

ଖରାଛୁଟି

4 mins
706


ବହୁଦିନ ପରେ ଗାଁକୁ ଯାଉଥିଲି।ବାପା ରାସ୍ତାରେ କହିଲେ ତୁ ଟିକେ ପଦୁଆମାକୁ ଦେଖିଦେଇଯିବୁ ଘରକୁ ଯିବା ରାସ୍ତାରେ,ବହୁଥର ତୋ କଥା ପଚାରିଲେଣି,"ତୋ ପିଲେ କଣ ଆଉ ଆମ ଗାଁ ମାଡିବେନି" ସବୁବେଳେ ପଚାରନ୍ତି।ଗୋଟେ ଅଦ୍ଭୁତ ଛନକାଟାଏ ପଶିଗଲା ମୋ ଛାତିରେ ପଦୁଆମା କଥା ଶୁଣୁ ଶୁଣୁ,

ମନେ ମନେ କହିଲି ବୁଢୀ ବଞ୍ଚିଛି ଆଜି ଯାଏଁ ,ହଉ କହିଦେଇ ବାପାଙ୍କ କଥାରେ ବସିଗଲି କିନ୍ତୁ ମନରେ ହଜାରେ ଆଶଙ୍କା ଘନୀଭୂତ ,ସତରେ କଣ ବୁଢୀ ଆଜିଯାଏଁ ମନେ ରଖିଛି।ମୋ ବିଷୟରେ ଆଜିବି କଣ ସେ ଭାବେ!!


ଆମ ଗାଁ ଆରମ୍ଭ ହୁଏ ଗୋଟେ ଆଠ ଦଶ ବଖରିଆ ଲମ୍ବା ସ୍କୁଲ ଘରୁ। ସେଇଟି କୁ ଲାଗି ଗୋଟେ ପୋଖରୀ ତାପରେ ପଦୁଆ ମାର ବଗିଚା ତାକୁ ଲାଗି ତା ଖଞ୍ଜାଘର ତାପରଠୁ ଛାଡି ଆଠ ଦଶଟା ଘର ପରେ ଆମଗାଁ ଘର।ପିଲାବେଳର ଖରାଛୁଟି ଆମର ଏଇଠି କଟେ।ସ୍କୁଲ ଛୁଟି ଆରମ୍ଭହେଲେ ଆମେ ବୋଉକୁ ରୋଷେଇ କରେଇବାକୁ ଦେଉନା ,ଖାଲି କେମିତି ଗାଁ କୁ ଯିବୁ ସେଇ ଚିନ୍ତା,ବାପା ଏଇ ଅଝଟ ଗୁଣ ଦେଖି ମିଛମିଛକା କହନ୍ତି ଖରାଛୁଟି ବାତିଲ୍ ହେଇଛି ଏଇବର୍ଷଠୁ ନହେଲେ ଗାଁରେ ପଦୁଆ ମା ବୁଢୀକୁ କହିଛି ସେ ବାଟରେ ଜଗିଛି କଇଁଆ ଛାଟ ଧରିକି । ଏତକ ଶୁଣି ସୁଁ ସୁଁ ହୋଇ ଆମେ ଛାନିଆରେ ଶୋଇପଡୁ ,ପୁଣି ସକାଳକୁ ଉଠିଲେ ଯୋଉକଥାକୁ ସେଇଆ,ପୁଣି ଅଳି ଗାଁ କୁ ଯିବୁ। ଗାଁକୁ ବସ୍ ରେ ବସି ଗଲାବେଳେ ହଜାରେ ସ୍ୱପ୍ନ ,ସୁଶାନ୍ତ ନାନା ଆମ୍ବ ପାରିବାକୁ ଯାଉଛି କି ନା ,ଖରା ବେଳେ ବଡ ପୋଖରିରେ ସୁରିଅା ଅପା ଆଉ ସୁମି ବଡବୋଉ କେତେ ଚିଙ୍ଗୁଡି ମାଛ ଧରୁଛନ୍ତି ,ଗାଡିଆ ପାଣିରେ କଙ୍କଡା ଗାତ ସବୁ ଏବେ କେମିତି ଦିଶୁଥିବ,ଏଥରକ ଗଲେ କେମିତି ପଦୁଆ ମା ବାଡିରୁ ଆମ୍ବ ଲୁଚିକି ପାରିହେବ।ଶେଷକୁ ରଜଦିନ ଦୋଳି ଘରେ ନା ବାହାରେ ବନ୍ଧାହେବ,ଏଇସବୁ ସ୍ୱପ୍ନରେ ଖରାଛୁଟି କେମିତି ସରେ ଜଣାପଡେନି।

ଗାଁରୁ ଫେରିଲାବେଳକୁ ଯେମିତି ଗୋଡଦିଟାକୁ କିଏ ଭିଡି ଧରିଛି।ଛାତିରେ ପଥର ନଦି ଗାଁରୁ ଫେରୁ।


ଏହିସବୁ ଦୁଷ୍ଟାମିଭିତରେ ଥରେ ପଦୁଆ ମା ହାବୁଡରେ ପଡିଲୁ , ତା ବାଡି ଆମ୍ବ ବଗିଚାରେ କେତେଟା ଗଛ, ଆଉ କୋଉ ଆମ୍ବ କେତେ ଖଟା ତା ପଦୁଆ ମା ଠୁ ଆମକୁ ବେଶୀ ଜଣାଥିଲା,ପିଜୁଳି କୁ କାଟି ଖାଇ ତା ଗଛ ତଳେ ଲୁଣ ଲଙ୍କା ଫିଙ୍ଗିଦେଇ ଆସୁ। ଆଉ ବୁଢି ପାଟି ଶୁଣିଲେ ଆମେ ସିଧା ତା ଲଙ୍କା ବଣରେ ପଶି ଦଳି ପୋଖରି ପାଣିରେ ଡେଇଁବୁ। ବୁଢୀ ଜାଣିପାରେ ହେଲେ କେବେ ଆମେ ତା ହାବୁଡରେ ପଡିନୁ।ଥରେ ଖରା ବେଳେ ଏଇମିତି ମୁଁ ,ବିନି ଅ‍ାଉ ରୋଜି ତା ବାଡିରୁ ଆମ୍ବ ପିଜୁଳି ଚୋରି କଲାବେଳେ ଧରା ପଡିଗଲୁ। ପଦିଆ ମା ଘରେ ଆସି ଜେଜେ ଆଉ ବାପା ଙ୍କୁ କହିବାପରେ ଆମର ଏମିତି ଆବସ୍ଥା ହେଇଥିଲା ଯେ ଆମେ ପଦିଆ ମା ନାଁ ଶୁଣିଲେ ଡରୁ ତା ପରଠୁ। ବୁଢୀକୁ ମନେ ମନେ ପରସ୍ତେ ଗାଳିଦେଉ।ତା ବାଡିକୁ ଗାଈ, ଛେଳି ବାଟେଇ ଦେଉ ରାଗରେ।


ଗାଡି ବ୍ରେକ୍ ଦେଲା ବାପା କହିଲେ ତୁ ପଦୁଆମା ଘର ହୋଇ ଆ ମୁଁ ଯାଉଛି ଆଗରେ।ବେଳା ବେଳି ଆସିବୁ। ଟିକେ ସଙ୍କୋଚରେ ଗାଡିରୁ ଓଲ୍ହୋଇଲି। ବାରଣ୍ଡାରେ ପଦୁଆ ମା ଦୁଇ ଗୋଡକୁ ଅଧା ଭାଙ୍ଗି କୁଣ୍ଡେଇ କାନ୍ଥକୁ ଆଉଜି ବସିଥାଏ ।ଦୋ ଦୋ ଚିହ୍ନା ହେଇ କହିଲା" ତୁ କିଏ କିଲୋ ନାତୁଣୀ"ମୁହଁରେ ବୟସର ଗାଢଛାପ,ରେଖା ଗୁଡା ଯେମିତି ଦୁଃଖ ସୁଖର ସମୟକୁ ବାନ୍ଧିରଖିଛି ତା ଦେହରେ,ଆଖିରେ ପରଳ ମାଡିଗଲାଣି ,ଚମ ସବୁ ଓହଳି ପଞରାକୁ ଦେହରୁ ପଛକୁ ପେଲି ପକଉଛି।ସହଜରେ ଜାଣି ହେଉ ନଥାଏ,ତା କଥା ଆଉ ମୁହଁ ଗଢଣରୁ ଠଉରେଇଲି ପଦୁଆ ବୁଢିମା ବୋଲି ,ହେଲେ କେତେ ବଦଳି ଯାଇଛି ସବୁ।ପାଖ କୁ ଅାସିଟିକେ ଘୋଷାରି ହୋଇ ଚିନ୍ହିଲା ପରି ମୋତେ ଆଉ ଟିକେ ଦେଖିଲା ପଦୁଆ ବୁଢୀମା, ତା ଶୁଖିଲା ହାତରେ ଆଉଁସୀ ପକେଇ କହିଲା ବୁଢୀ ମା,ତୁ ଆଇଛୁ କିଲୋ ନାତୁଣୀ,ଏତେଦିନେ,ଦେଖୁଛୁତ କଣ ହେଲାଣି ମୋ ବଳ ବୟସ,ମୁଁ କଣ ଆଉ ଚିହ୍ନୁଛି ନା ଜାଣୁଛି ,ସେଇ ତୋରି ବାପା କତିରୁ ଶୁଣିଥିଲି ତୁ ଆସିବୁ ବୋଲି ସେଇଥିଯୋଗେ ଜାଣିଲି ତୋତେ।"କଣ କହିବି ଲୋ ମା"ମୋ ଆଖିକୁ ଦିଶୁନି ଭଲରେ।

ମୁଁ କଣ ଆଶା କରୁଛି କାହାକୁ ଦେଖିବି ବୋଲି,ଆଉ ବଞ୍ଚିବି,ତୋ ଜେଜେତ କେବେଠୁ ଗଲାଣି ,ମୋତେ କାନ୍ହିକି ବଡ ଠାକୁର ପାରି କରୁନି।ତା ପାକୁଆ ପାଟି ଲାଗିଯାଉଥିଲା କଥା କହିଲାବେଳେ।ଉହୁଙ୍କି ଉଠୁଥିଲା ତା ମନର ବିରସତା ଭାବ।ଯେମିତି ବହୁଦିନର କଥାକୁ କହିବାକୁ ଆଜି ଜୀବନ ,ଆଉ ଆତ୍ମା ବି ଅବଶ।

ମୁଁ କିଛି ବୁଝିନପାରିଲା ପରି କହିଲି ଆଉ ଏଠି କେହିରହୁନାହାନ୍ତି ଦାଦା ,ବଡବାପା,କୁଆଡେ ଗଲେ ସବୁ।ଘର କଣ ଅନ୍ଧାରୁଆ ଦିଶୁଛି ।


"ପୁଅ ବୋହୁ ପିଲା କେହି ଆଉ ଏଠି ନାହାନ୍ତି ମୁଁ ଏକାଟିଆ ପଡିଛି ଏଇ ଘର ବାଡି ଜଗି।ଘର ଅବସ୍ଥା ଏଇଆ,ଘର ଖପରା ଉଡିଗଲାଣି।ଦେଖୁଛୁ ତ ଏ ବାଡି ବଗିଚାକୁ ନିରାଶିୟା କରି କୁଆଡେ ମୁଁ ଯିବି ,ସେଇମିତି ମୁଠେ ଖାଇ ମାଟି କାମୁଡିକି ପଡିଛି,କେବେ ସେ ଠାକୁର ଦୟା କରିବେ ମୋ କାମ ପାଇଯିବ"ପଦୁଆ ମା କୋହ ଚାପି ଚାପି କହୁଥାଏ,ତା ଭାରୀ ନିଶ୍ୱାସରେ ମୋ ଦେହଟା ବି ଶୁଖିଯାଉଥାଏ ତା କଥା ଶୁଣି, ଭାବୁଥାଏ ସତରେ ଜିବନଟା ବି ବୋଝ ହୁଏ ଦିନେ।ଏଇମିତି ଅସହାୟ ଜୀବନଟେ ବି ସତେ ମୋ ଉପରେ ଦିନେ ନଦି ହୋଇପଡିବ ମୋତେ ସେଇମିତି ଅନୁଭବ ହୋଉଥାଏ,ମୁଁ ପଦୁଆ ମା କୁ ଟିକେ ଆଉଁସୀ କହିଲି ବ୍ୟସ୍ତ ହୁଅନି"ସବୁ ଠିକ୍ ହେବ।

ତା ବାରଣ୍ଡାରୁଟିକେ ଘୁଞ୍ଚିଯାଇ ପଦୁଆ ମା କହିଲା ରହଲୋ ମା 'ତୋ ପାଇଁ ଗୋଟେ ଜିନିଷ ରଖିଛି।ଘର ଅନ୍ଧା୍ରୁ ଦରାଣ୍ଡି ଆମ୍ବ ଚାରଟା ମୋ ହାତରେ ଧରେଇଲା ,କହିଲା ନେଇକି ଯା ଚଟଣୀ କରିବୁ।ମୋ ହାତ ଆମ୍ବ ଚୋରି କଲା ପରି ଥରୁଥାଏ,ବୁଢି ମାର ଅବସ୍ଥା କଥା ଶୁଣି।କହିଲା ଆଲୋ ମୋର କିଏ ଅଛି ଯେ ଖାଇବ ସେତେବେଳେ ସିନା ମୋ ପିଲାଙ୍କ ପାଇଁ ସଞ୍ଚୁଥିଲି ଏବେ ତ ସେ ବାଡିଘର ମାଡୁନାହାନ୍ତି,ଏଇ ଖରାକୁ ମିଶେଇ ଦୁଇବର୍ଷହେଲାଣି କାହାର ଦେଖାନାଇ,ମୋର ସେମିତି ଅନେଇ ଅନେଇ ବେଳ ଯାଉଛି ,ଏଇ ପାଖ ଟାଉନରେ ରହୁଛନ୍ତି ହେଲେ ଘରବାଡି ଦେଖିବାକୁ ତାଙ୍କୁ ସମୟ ନାଇ,ଆମ୍ବ ଖାଇବାକୁ ଲୋକ ନାଇଁ ,ତୁ ନେଇକି ଯା "ତୁ ଫେରିଲାଦିନ ଆସିକି ନିଜେ ନେଇଯିବୁ ତୋ ମନ ଯେତିକି"। 

ଏତକ କହିଲା ବେଳେ ପଦୁଆ ମା ଆଖିରେ ଲୁହ ଜକେଇ ଆସୁଥାଏ ,ଗୋଟେ ଅସହାୟ ଜୀବନ ଗଛ ଭାଙ୍ଗିଲାପରି ତା ବଗିଚାରେ ପଡିଥିଲା।

▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪



ବୀଣାପାଣି ପ୍ରଧାନ



Rate this content
Log in