Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Others

3  

Anil Kumar Parhi

Others

ଦର୍ପଣ - ୬

ଦର୍ପଣ - ୬

5 mins
7.1K


ଜୀବନ କ’ଣ?

ଛିଃ!

ଢୋ!

ବାଃ!

କବିତା କ’ଣ?

ବାଃ!

ଢୋ!

ଛିଃ!

ଜୀବନ କବିତା ଓ କବିତା ଜୀବନ। କବିତା ଶୋଇଛି। ପୁଷି ବିଲେଇ ପରି। ଖଟ ଉପରେ ପଡିଛି ଗୋଟେ କନ୍ଥା। ତାରି ଉପରେ।

ବଡ ପତଳା ନିଦ ତାଆର। ପାଦ ଚିପିଚିପି ଚାଲିଲେ ବି ଉଠିପଡେ। ଗୋଟେ ଆରାମ୍ ଚେୟାର୍ ଉପରେ ବସି ଏକ ଲୟରେ ତାକୁ ଚାହିଁବସିଛି ମୁଁ।

କବିତା ଶୋଇଛି। ଶୋଉ। ବିଚରା ଅନେକ ଦିନ ହେଲା ରାତ୍ରି ଅନିଦ୍ରା। ମୋଦି ନବୀନ ସରକାରଙ୍କ ଠାରୁ ଆରମ୍ଭକରି ପ୍ରେମିକ, ପ୍ରେମିକା; ରାମ ମନ୍ଦିର ବାବ୍ରି ଠୁ ଆରମ୍ଭ କରି ଟ୍ରିପଲ୍ ତଲାକ୍ ; ଲିଟ୍ ଫେଷ୍ଟ, ସମାରୋହ, ସମ୍ବର୍ଦ୍ଧନା, କବିତା ପାଠୋତ୍ସବ - ଓଫ୍! ଦଣ୍ଡିଏ ସମୟ ନାହିଁ ବିଶ୍ରାମ ନେବାକୁ।

ମୋତେ ଗଲା କାଲି ପଚାରିଲା – “ଭାଇ, ତମେ ତ ପାତ୍ର ପଡାରେ ଘର କରିଛ। କାହାର ଯିବାଆସିବା ନାଇଁ। ଫୋନଫାନ ନାଇଁ। ମୁଁ ତମ ଘରେ ଲୁଚିକି ସପ୍ତାହେ ବିଶ୍ରାମ ନେଇପାରିବି? ଅନ୍ତତଃ ବିଷୁବରେ ଟଣା ଓଟରା ହବା ଆଗରୁ ଦେହରେ ବଳ ଦରକାର।“

ମୁଁ କହିଲି ଆସ। ହେଲେ, ମୋର ଅନିଦ୍ରା ରୋଗ। ବତୀ ଜଳେଇ ଶୁଏ। ଚଳିବ!

କବିତା କହିଲା , ଛାଡ ମ! ଖଣ୍ଡେ ନିରୋଳା ଜାଗା ଲୋଡା!

ସେଦିନ ଭୁବନେଶ୍ଵରରେ ଘଡଘଡି ମାରୁଥିଲା, ଫେସବୁକରେ ପୁସ୍ତକ ଉନ୍ମୋଚନର ପୋଷ୍ଟିଙ୍ଗ ହେଉଥିଲା। ସେ ଥିଲା ମୋରି ପାଖରେ। ଏକା ଖେପାକେ ବିଛଣା ଉପରକୁ କୁଦିପଡି ସେ ବସିଲା। ପଚାରିଲା, ହଇହୋ, ତମେ ଆଜିକାଲି ଏଇ ଦର୍ପଣ ସିରିଜରେ ମୋତେ ନେଇ ଢେର୍ ବ୍ୟଙ୍ଗ କରୁଛ! କାଇଁ ରାଗରେ? ଏତେ କବିତା ଲେଖିସାରିଲା ପରେ କେହି ତମକୁ କବି ବୋଲି ମାନିଲେ ନାହିଁ, ସେଇଥି ପାଇଁ!

ମୁଁ ଟିକିଏ ମିଛ ବିରକ୍ତ ହେଲି। କହିଲି, କାଇଁକି ପାଟିଟା କରୁଛ କହିଲ। ଶୋଇପଡ। କବାଟ ବାହାରେ ଲମ୍ପଟ, ବିଫଳ ପ୍ରେମିକ - ପ୍ରେମିକା, ପ୍ରକାଶକ, ସଂଗଠକ, ଲମ୍ବା କଲିଆ ଟୋକାଏ ଛପିଛନ୍ତି। ଡାକିବି!

ସେ ତତକ୍ଷଣାତ୍ ଆଖି ବନ୍ଦ କଲା।

ଆଖି ବନ୍ଦ କରିଥିବା କବିତା ଖୁବ୍ ସୁନ୍ଦର ଲାଗୁଥିଲା ଯେମିତି ଦୂର ଆଟଲାଣ୍ଟିକ୍ ମହାସାଗରର ଗଭୀର ସମୁଦ୍ର ବରମୁଡା ଟ୍ରାଏଙ୍ଗଲ ପାଖରେ ଗମ୍ଭୀର ହୋଇ ପଡିରହିଛି!

ମୁଁ କବିତାକୁ ଅନେଇଥିଲି। କାଇଁମ, ବାଲେଶ୍ବର କବିତା, କଟକ, ଜଗତସିଂପୁର, ସମ୍ବଲପୁର, ବଲାଙ୍ଗୀର କି ବୌଦ୍ଧ ବା କେନ୍ଦ୍ରାପଡାର କବିତା! କାଇଁ ରାଜଧାନୀର ଢକଲମ୍ କବିତା, ମାଂସ ମେଦର କବିତା। କବିତା ତ କବିତା। ଗୋଟେ!

ଶୋଇବା ଆଗରୁ ସମବେଦନାର କଥାପଦିଏ କହୁଥିଲା, ହଇହୋ! ତମ ପାଇଁ ଦୁଃଖ ଲାଗୁଛି। ଥୋଡେ ରୋଗର ବାହାନା ନେଇ ବଡ କବି ହୋଇଗଲେ, ଥୋଡେ ରାଗ ଦ୍ବାରା। କିଛି ଦେହ ଖର୍ଚ୍ଚ ହେଲା କିଛି ଦୋହା ଖର୍ଚ୍ଚ ହେଲା। ତମର ନା ଫାର୍ମ ହାଉସ ଅଛି ନା ତମେ ପଛୁଆ ଅଞ୍ଚଳର! କିଛି ହୋଇପାରିଲନି।

ସେତେବେଳକୁ କବିତାକୁ ହାଇ ମାଡି ଆସିଲାଣି।

ମୁଁ ତାଗିଦ୍ କଲି – “ଶୋଇପଡ।“

ସେ କହିଲା, ଲୋରୀଟେ ଗାଅ।

ମୁଁ ଗାଇଲି – “ଝୁଲୁରେ ହାତୀ ଝୁଲୁ, କିଆ କେନ୍ଦା ଖାଇ......।“

କବିତା ଶୋଇପଡିଛି।

ଦଳିତମାନଙ୍କ କବିତାରେ ସେ ଆହ୍ବାନରେ କିଏ ଅଛି ତାହେଲେ! କିଏ ଅଛି ମଧ୍ୟରାତ୍ରରେ କ୍ରୋଞ୍ଚମୈଥୁନର ଆଳାପ ଧରିଥିବା କବୀର କଣ୍ଠରେ! କିଏ ରେ! କିଏ ସେ ବା! କବିତାରେ ସରକାର ଗଡେ ପକାଉଥିବା ସେ ତନ୍ତବୁଣା କାମିଜ ପିନ୍ଧା ଲୋକମାନେ ଗଲେ କୁଆଡେ!

କବିତା ଶୋଇଛି।

ଆରାମ୍ ଚେୟାର୍ ଉପରେ ମୁଁ। ଭାବୁଛି, ସତ କଥା, ସବୁଠାରୁ ଅଧିକ ବ୍ୟଙ୍ଗ, ଅଧିକ ସମାଲୋଚନା କବିତା ବିରୁଦ୍ଧରେ ଲେଖାଯାଇଛି। କାରଣ କ’ଣ!

କବିତା କଜ୍ଜ୍ବଳର ଗାର ହୁଏ।

ଫାଉଣ୍ଡେସନ କ୍ରିମ୍ ହୁଏ।

ଇସ୍ତ୍ରୀକରା କେଶ ହୁଏ।

କବିତା ନିଶା ହୁଏ।

ଟି ସର୍ଟର ଅଶ୍ଳୀଳ ନହେଲେ ଉଦବେଗଜନକ ଲେଖା ହୁଏ। ଏଣୁ, କବିତା କଟାକ୍ଷର ଶୀକାର ହୁଏ।

ବିଚରା ଶୋଇପଡୁ କିଛିକାଳ।

ସକାଳ ହେଲାଣି। ପ୍ରଭୁ, ଆଜି ବନ୍ଧୁ ନଆସନ୍ତୁ। ଆସିଲେ ବଡପାଟିରେ ଡାକିବେ।

ନା, କଲିଂ ବେଲ ବାଜିଲା। ମୁଁ ଦେଖିଲି କବିତାର ଆଖି ଖୋଲିଲାନାହିଁ। ଯାହାହେଉ। ମୁଁ ଆସ୍ତେ କବାଟ ଖୋଲି ବନ୍ଧୁଙ୍କୁ କହିଲି, ପାଟିକରନା।

ସେ ପଚାରିଲେ – “ଭାଉଜ ଆସିଛନ୍ତି କି!”

ମୁଁ କହିଲି, ନା। କବିତା ଶୋଇଛି।

କବିତା?! କିଏ ସେ? ତମ ଗର୍ଲଫ୍ରେଣ୍ଡ! ବନ୍ଧୁ ମୋ ବିଛଣାକୁ ଚାହିଁ ପ୍ରଶ୍ନ କଲେ। କାଇଁ, କେହିତ ଦୁଶୁନି।

କବିତା, ଯାହା ଆମେ ଲେଖନ୍ତି, ସିଏ! ମୁଁ କହିଲି।

ବନ୍ଧୁ ମୋତେ ଗୋଟାପଣେ ନିରୀକ୍ଷଣ କଲେ। ବଡ ବିଷଣ୍ଣ ହୋଇ କହିଲେ - ନାଇଁ, ଏକୁଟିଆ ରହିରହି ତମ ମୁଣ୍ଡଟା ପଗଳା ଧରିଲାଣି। ସାଇକ୍ରିଆଟିଷ୍ଟ ପାଖକୁ ନବାକୁ ହେବ!

ମୁଁ ମୋ ବିଛଣା ଉପରକୁ ଅନେଇଲି। କାଇଁ, କବିତା ଗଲା କୁଆଡେ! ମୋ ଭିତରେ ଗୋଟିଏ ଉତ୍ତାଳ ଦୀର୍ଘଶ୍ବାସ ସମାହିତ ହୋଇଗଲା।

କୁହ, ଆଜିର ଖବର କ’ଣ! ମୁଁ ପଚାରିଲି।

ଖବର କ’ଣ ମ! କାଲି ଯିବାକୁ ହେବ! ସେଇ ଯେଉଁ ତିନିନମ୍ବର ପଡିଆ, ସେଇଠିକୁ।

ମୁଁ ଯିବି ନାଇଁ ହୋ ବନ୍ଧୁ। ପ୍ରାୟ କୀର୍ତ୍ତନୀଆ ସ୍ଵରରେ ମୁଁ କହିଲି।

କାଇଁକି ପ୍ରତି ଥର ଏମିତି ହଉଚ ଯେ। ତମେ ଜାଣ ମୁଁ ତମକୁ ଛାଡିବି ନାହିଁ! ବନ୍ଧୁ କନ୍ଫିଡେନ୍ସର ସହିତ କହିଲେ।

କବିତା ତ ମୋ ପାଖରେ। ତମେ ସେଠି କ’ଣ ପଢିବ, ଗୋବର!! ମୁଁ ଦ୍ଵିଗୁଣ କନ୍ଫିଡେନ୍ସର ସହିତ କହିଲି।

ଛାଡ ମ! ସିଆଡେ ଗୋଟେ ଲିଟ୍ ଫେଷ୍ଟ ହଉଛି। ସିଂହମାନେ ସିଆଡେ। ଚାଲ, ଏଥର ତମକୁ ମାନ ମିଳିବ! ବନ୍ଧୁ ଭରସା ଦେଲେ।

ଭାଇ ମ! ଗୋଟେ କଥା। ଏ କବିମାନେ ଯେ ଗୋଟେ ଲିଟଫେଷ୍ଟରୁ ଆଉ ଗୋଟେ ଲିଟ୍ ଫେଷ୍ଟ ବର୍ଷସାରା ବୁଲୁଛନ୍ତି, ଏମାନେ ସବୁ ବେକାର ନା ଚାକିରୀବାକିରୀ କରିଛନ୍ତି? ଏମାନଙ୍କର ସିଏଲ୍, ଇଏଲ୍ କେତେଟା କି? ନା, ଆଉ କିଛି ପ୍ରକାରେ ବି ଛୁଟି ଅଛି? ଯେବେ ଚାହିଁଲେ ଛୁଟି ମିଳୁଛି? ଏମାନେ କାମ କେତେବେଳେ କରୁଛନ୍ତି ହୋ! ମୋର ଏତେଗୁଡା ପ୍ରଶ୍ନରେ ବନ୍ଧୁ ଘାବରେଇ ଗଲେ। କହିଲେ, ଥାଉ, ଏତେ କଥା ତମର ଜାଣି ଲାଭନାହିଁ।

ମୁଁ କହିଲି, ନାଇଁ ଯେ କାଳେ ସରକାର ଖେଳାଳୀମାନଙ୍କ ପରି ଲେଖକମାନଙ୍କୁ ସାହିତ୍ୟିକ ଛୁଟି ପ୍ରଦାନ କରୁଥିବେ! ମୁଁ ବି ଗୋଟେ ଦରଖାସ୍ତ ପକାନ୍ତି ତ, ସେଇଥିପାଇଁ!

ସେ ଥଟ୍ଟା ଛାଡ! ୟା ଛଡା ତମେ ଆଉ କରିଛ କ’ଣ କି! ତମ କଥା କିଏ ଶୁଣେ ନା ସିରିୟସ୍ଲି ନିଏ ଯେ! ଏତକ କହି ବନ୍ଧୁ ଯିବା ପାଇଁ ଉଠିପଡୁଥିଲେ। ତାଙ୍କର ଏକ ଅରଜେଣ୍ଟ କଥା ମନେ ପଡିଲା ପରି ସେ କହିଲେ, ଆରେ ହଁ। ମାଉସୀକୁ କାଲି ଭାତ ରାନ୍ଧିବାକୁ ମନାକରିଦବ। ସେଠି ଅରୁଆ ଅନ୍ନ, ଡାଲେମା ଆଉ ଖଟା ହଉଛି।

ବନ୍ଧୁ ବିଦାୟ ନେଲେ।

ଦେଖିଲା ବେଳକୁ କବିତା ଶୋଇଛି ବିଛଣା ଉପରେ। ଗୋଟାଏ ହାଇ ମାରି ସେ ଉଠିଲା। ପଚାରିଲା, କିଏ ସେ ଆସିଥିଲା ଯେ?

ମୁଁ ରାଗରେ ଉତ୍ତର ଦେଲିନାହିଁ।

କ’ଣ ହେଲା? ସେ ପଚାରିଲା।

ତମେ ତ ସିଆଡେ ଲିଟଫେଷ୍ଟରେ ଅଛ, ଏଠି ଥିବାର ଅଭିନୟ କାହିଁକି କରୁଛ! ମୁଁ ଅଭିମାନରେ କହିଲି।

ଭାଇରେ, ତୋ ରାଣ, ତୋ ମୁଣ୍ଡ ଛୁଉଁଛି। ମୁଁ ସେଠି ନାହିଁ। ଏଇଠି ଅଛି ତୋ ପାଖରେ। ମୋ ଉଦ୍ଦେଶ୍ୟରେ କହିଲା କବିତା। ଚିନ୍ତିତ ଦିଶୁଥିଲା ବି।

ସରି। ମୁଁ କହିଲି। କ’ଣ ଚିନ୍ତିତ ଦିଶୁଛ!

କବିତା କହିଲା - ଗୋଟେ ଦୁଃସ୍ଵପ୍ନ ଦେଖିଲି ଭାଇ। ଦିବାସ୍ଵପ୍ନ ସତ ହୁଏ ପରା!

ମୁଁ ହସିଲି। ଆରେ ତମର କ’ଣ ଅଛି! ତମେ ଅମର। ତମେ ହିଁ ସ୍ଵପ୍ନ। ତମେ ଅଙ୍ଗୀକାର। ତମେ ଆକାଶରେ ଉଡିପାର, ଗଭୀର ଜଳରେ ବୁଡିପାର, ମାଟିମନସ୍କ ହୋଇପାର! ତମ ପାଇଁ ଦୁଃସ୍ଵପ୍ନ କ’ଣ!

ନାଇଁରେ ଭାଇ, ଆଜିକାଲି ତମ ଠୁଁ ଅଧିକ ଯନ୍ତ୍ରଣାରେ ମୁଁ ବଞ୍ଚିଛି। କେବେ ସମୟ ହେଲେ କହିବି। ଗ୍ଳାନିଭରା କଣ୍ଠରେ ସେ କହିଲା। ଶୁଣନା, କ’ଣ ଦୁଃସ୍ଵପ୍ନ ମୁଁ ଦେଖିଲି! ମୁଁ ଦେଖିଲି ନିଷ୍ଠୁରଭାବେ ମୋତେ କିଏ ଖାଇଯାଉଛି!

ମୋତେ ଜୋର୍ ରେ ହସ ମାଡିଲା। ଶଃ କବିତା କ’ଣ ଖାଇବା ଚିଜ ଯେ! ସେ ଡରିଯାଇଥିଲା। ମୁଁ କହିଲି, ତମେ ଶାନ୍ତିରେ ଶୁଅ। ମୁଁ ଏଇଠି ଜଗିକି ବସିଲି।

କିଛି ସମୟ ପରେ ଆମେ ଦୁହେଁ ଶୋଇପଡିଲୁ ଯେ ସକାଳ ହୋଇଗଲା, ସଭାର ସମୟ ବି ହୋଇଗଲା। ବନ୍ଧୁଙ୍କ କାଇନେଟିକ୍ ହୋଣ୍ଡା ପେଁ ପାଁ କଲା।

କବିତା ବି ଉଠିସାରିଥିଲା। ଅଳସ ଭାଙ୍ଗୁଭାଙ୍ଗୁ କହିଲା, ଭାଇ ତମେ ସେ କବିତା ସଭାକୁ ଯାଅନା। ତମେ ଗଲେ ମୁଁ ଯିବାକୁ ବାଧ୍ୟ ହେବି!

ମୁଁ କବାଟ ଖୋଲିଲି। ବନ୍ଧୁ ପଶିଆସିଲେ। ବାହାର ବାହାର ।ସେ କହିଲେ। ଟାଇମ୍ ହୋଇଗଲା।

କବିତା ଗାଏବ ହୋଇସାରିଥିଲା।

ଆମେ ତିନି ନମ୍ବର ପଡିଆରେ ପହଞ୍ଚିଲୁ। ଧୁଧୁ ଖରାକୁ ପତଳା ତମ୍ବୁ ଅଟକେଇ ପାରୁନି। ତମ୍ବୁ ତଳେ ଧଳା, ନାଲି, ନୀଳ ରଙ୍ଗର ଚେୟାର। ବହୁ କବି ବସିଥାନ୍ତି। ଫାଙ୍କା ପଡିଆ। ଗୋଟିଏ ସାଇଡକୁ ଉତ୍ସବ ହେଉଥାଏ।

ଜଣେ ଆୟୋଜକ ଆମକୁ ପାଛୋଟି ନେଇ ଆଗରେ ବସେଇଲେ। ଯାହା ହେଉ! ମୁଁ ଟିକିଏ ମର୍ଯ୍ୟାଦା ସମ୍ପନ୍ନ ଫିଲ କଲି।

ଅତିଥିମାନେ ଆସିବେ ଆସିବେ ହଉଥାନ୍ତି। ଦୁଇଜଣ ନାରୀ କବିତାଗୁଡିକ ସର୍ଟିଙ୍ଗ କରୁଥାନ୍ତି। ଝାଳ ସେମାନଙ୍କ ମୁହଁର ପାଉଡର ଆଉ ଫାଉଁଡେସନକୁ ଧୋଇ କପାଳରୁ ଝରଣା ବୋହିବାର ଚିହ୍ନ କରିଦେଇଥାଏ!

ଅତିଥିଗଣ ଆସିଲେ କି କ’ଣ! ହୁଳହୁଳି ପଡିଲା। ଶଂଖ ବାଜିଲା। ସଂଯୋଜିକା ଦୁଇଜଣ କବିତାକୁ ଚେୟାର ଉପରେ ଥୋଇ ଶଂଖୋଳିବା ପାଇଁ ଚାଲିଆସିଲେ।

ସମସ୍ତଙ୍କ ନଜର ଅତିଥିମାନଙ୍କ ଉପରେ।

ଅତିଥିମାନେ ମଞ୍ଚାସୀନ ହେଲାପରେ ପ୍ରକୃତ ଦୁର୍ଘଟଣାଟି ଜଣାପଡିଲା। ସଂଯୋଜିକାମାନେ ଚେୟାର ଉପରେ ଯେଉଁ କବିତାମାନ ଛାଡିଆସିଥିଲେ ସେସବୁ ଗାୟବ୍! ଗୋଟେ ହଇଚଇ ସୃଷ୍ଟିହେଲା। ଏପରି ସମୟରେ ସୁନା ଗହଣା ଚୋରୀ ହୋଇଥିଲେ ଚଳିଥାନ୍ତା!

ବିପକ୍ଷର କାମ?!

ଅର୍ନ୍ତଘାତୀ କାମ?!

କାହାକୁ ଡକାଯିବ - ପୁଲିସ୍, ଗୁଣ୍ଡା!

ଆୟୋଜକ ମାନେ ଖେପିଗଲେ ଏବଂ ଫେରିଲେ କେତୋଟି ଛେଳିଙ୍କୁ ଗୋଡେଇଗୋଡେଇ। କେତେଟା ଛେଳିଙ୍କ ମୁହଁରେ ସେଯାଏ କବିତା ଲାଗିଥାଏ। ଆୟୋଜକ ମାନେ ସେସବୁ ଛଡେଇବାରେ ଲାଗିଥାନ୍ତି।

ଆହା, ଗୋଟେ ବି କବିତା ଅକ୍ଷତ ନାହିଁ!

ଶୋକାକୁଳ ପରିବେଶ!

ଗୋଟେ ଦିଟା ଗୋଇଠା ମାରି ଆୟୋଜକ ଛେଳିମାନଙ୍କୁ ଛାଡିଦେଲେ।

ଏବେ ହବ କ’ଣ! ମୁଁ ପଚାରିଲି।

ଭାଷଣ! ବନ୍ଧୁ କହିଲେ। ସମୟ ବଡ ମଲମ। ସବୁ କଷ୍ଟ ଭୁଲେଇଦବ!

ଆମେ ଉଠିଲୁ ବାହାନା କରି। ଆସିଲାବେଳେ ଛେଳିଖିଆ କବିତା କେତୋଟି ଉଠେଇ ଆଣିଥିଲି।

ଗୋଟେ କବିତାର କିଛି ଶବ୍ଦ ଅଖିଆ ଥିଲା - ତମ ଗାଲ.... ( ଛେଳି ଶବ୍ଦ ଖାଇଯାଇଥିଲେ ) ମୋ ଶକ୍ତ ପାପୁଲି.... ଠାଏ....... ମୁଁ ବୁଝିପାରିଲିନି ଖିଆ ଶବ୍ଦଗୁଡାକ କ’ଣ! ଆଉ ଗୋଟେ ଅଧା ଖିଆ କବିତା - ଇଂରେଜ ...... ତମେ ବ୍ରାହ୍ମଣ...... । ବୁଝି ପାରିଲିନି।

କିଛି ବାଟ ଆସିଲା ପରେ ସେହି ଛେଳି ଦଳଟି ଟିକିଏ ଛାଇ ଜାଗାରେ ଶୋଇ ପାକୁଳି କରୁଥିଲେ। ଇଏ କ’ଣ ସେମାନଙ୍କ ମୁହଁ ମୋତେ କବିଙ୍କର ମୁହଁ ପରି ଦିଶୁଥିଲା। ମୁଁ ଚିତ୍କାର କଲି - ଇଏ ମହାନ୍ତି, ଇଏ ଇଏ ଦାସ, ଇଏ ମିଶ୍ର, ଇଏ ପଣ୍ଡା, ଇଏ ଇଏ.....!

ବନ୍ଧୁ ମୋତେ ଘୋଷାରିଘୋଷାରି ନେଇ ଆସିଲେ।

(ଘଟଣା ଚରିତ୍ର ସବୁ କାଳ୍ପନିକ)


Rate this content
Log in