Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କିଛି ସ୍ମୃତି କିଛି ଅନୁଭୂତି
କିଛି ସ୍ମୃତି କିଛି ଅନୁଭୂତି
★★★★★

© Chinmoyee Mohanty

Others

5 Minutes   629    44


Content Ranking

ଜୀବନ ର ଚଲାପଥ ରେ ବାଟ ଚାଲୁ ଚାଲୁ ଅନେକ ଅନୁଭୂତି ସାଉଁଟି ହେଇଯାଏ।କିଛି ସ୍ମୃତି ,କିଛି ଅନୁଭୂତି।ସ୍ମୃତି କାହାପାଇଁ 'ଅଫେରା ନଈର କାଗଜ ତିଆରି ନାଆ ଟିଏ, ତ କାହାପାଇଁ ତୁଠ ପଥର ରେ ଗାଢ ଅଳତା ର ଦାଗ।କେଉଁଠି ପୁଣି ସ୍ମୃତି ହୁଏ ପାଉଁଶ ତଳ ର ନିଆଁ ଟିକେ'!କିଛି ସ୍ମୃତି ସତେଜ୍ ଆଉ କିଛି ବିବର୍ଣ୍ଣ।ସେମିତି ଏକ ସଜଳ ସତେଜ ସ୍ମୃତି---ନେହେରୁ ଯୁବ ପ୍ରତିଷ୍ଠାନ ଆନୁକୂଲ୍ୟରେ ' ଭାରତ ଆବିଷ୍କାର' କାର୍ଯ୍ୟକ୍ରମ ରେ ଦୀର୍ଘ ପନ୍ଦର ଦିନ କାଳ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବାର ଅନୁଭୂତି।ନିହାତି ଅପରିଚିତ ଅଜଣା ମୁହଁ ଗୁଡିକ କେତୋଟି ଦିନର ପରିଚୟ ଭିତରେ ହଠାତ୍ କିପରି ଆପଣାର ହେଇଗଲେ।ଖୁବ୍ ନିବିଡ ଆଉ ଏକାନ୍ତ ଆତ୍ମୀୟ।ଭୁଲିବାକୁ ଚାହିଁଲେ ବି, ସଂପର୍କ ର ସେଇ ସୂତା ଖିଅଟିକୁ ଛିଡେଇବା ଭାରି କଷ୍ଟ।

ସେଦିନ ଥିଲା ସେପ୍ଟେମ୍ବର ମାସ ୨୬ ତାରିଖ ୧୯୯୮ ମସିହା।ସୂର୍ଯ୍ୟ ଉଇଁବା ଆଗରୁ ନିଜକୁ ପ୍ରସ୍ତୁତ କରି ନେଇଥିଲୁ ମୁଁ,ମୋର ସ୍ୱାମୀ ସଂଗ୍ରାମ ଓ ଝିଅ ଶିଳ୍ପୀ।ଗୋଟାଏ ଗତାନୁଗତିକ ରୁଟିନ୍ ବଂଧା ଜୀବନ ରୁ ଅନ୍ତଃତ କିଛିଦିନ ପାଇଁ ଭିନ୍ନ ଏକ ସ୍ବାଦ ଚାଖିବାର ନିଶାରେବିଭୋର ତିନି ଜଣଙ୍କ ମନ।କଟକ ଛାଡି ଭୂବନେଶ୍ୱର ନେହେରୁ ଯୁବ ପ୍ରତିଷ୍ଠାନ ପ୍ରାଙ୍ଗଣରେ ପହଞ୍ଚିବା ପରେ ମୋର ବଂଧୁ, ହିତାକାଂକ୍ଷୀ ତଥା ଭାରତ ଆବିଷ୍କାର ଦଳର ମୁଖ୍ୟ ପୁରୋଧା ବୈକୁଣ୍ଠ ମିଶ୍ର ଙ୍କୁ ବାଦଦେଇ ଉପସ୍ଥିତ ସମସ୍ତଙ୍କ ମୁହଁ ଉପରେ ଆଖି ପହଁରେଇ ଆଣିଲି।ନା...ସମସ୍ତେ ଅପରିଚିତ।ସ୍ବାମୀ ଆଉ ଝିଅ ସାଂଗରେ ଥିଲେ ବି ଭୀଷଣ ଅଶ୍ବସ୍ତିକର ଲାଗୁଥିଲା।ପରିବେଶ ଆଉ ପରିସ୍ଥିତି ସହିତ ନିଜକୁ ଖାପ୍ ଖୁଆଇ ସହଜ ହେବାପାଇଁ ଚେଷ୍ଟା କରୁଥିଲି ମୁଁ।ପୂର୍ବରୁ ପ୍ରସ୍ତୁତ ହେଇ ରହିଥିବା ବସ୍ ରେ ସମସ୍ତେ ଉଠିଲୁ।ଷ୍ଟେସନ ଅଭିମୁଖେ ଆରମ୍ଭ ହେଲା ଯାତ୍ରା ର ପ୍ରଥମ ପର୍ବ।ବୈକୁଣ୍ଠ ମିଶ୍ର ଅନ୍ୟମାନଙ୍କ ସହିତ ପାରଂପରିକ ରୀତିରେ ଆମର ପରିଚୟ କରାଇଦେଲେ।

ଷ୍ଟେସନରେ ପହଞ୍ଚି ନାଗପୁର ଅଭିମୁଖେ ଯାତ୍ରା।ଧାଁ ଦୌଡ, ହଇଚଇ ଭିତରେ ଅନେକେ ସେତେବେଳକୁ ଟିକେ ଟିକେ ନିକଟତର ହେଇ ଆସୁଥିଲେ।ଟ୍ରେନ ଚାଲିଥିଲା ବେଶ୍ ସୁନ୍ଦର ଗୋଟିଏ ରିଦିମ୍ ରେ।ସେଇ ଛନ୍ଦ ରେ ଆତ୍ମବିଭୋର ମନ ମୋର ଦେଖୁଥିଲା ସୁନ୍ଦରୀ ଚିଲିକାକୁ।ପାଣିର ଓଢଣା ରେ ଢାଙ୍କି ଢୁଙ୍କି ହେଇ କେତେବେଳେ ଲାଜେଇ ଯାଉଥିଲା, ତ ଆଉ କେତେବେଳେ ପ୍ରଗଳଭା କିଶୋରୀ ଟିଏ ଭଳି ଖିଲି ଖିଲି ହସରେ ମନକୁ ଦୋହଲେଇ ଦେଉଥିଲା।ମନେ ହେଉଥିଲା ରେଳ ଉପରୁ ଚିଲିକା କବି ଟିଏ କରିଦବ କି ମତେ! ନାଗପୁର ସହର ଆମକୁ ସ୍ବାଗତ କଲା ପରଦିନ ଏକ ବସ୍ତ ମଧ୍ୟାହ୍ନରେ।ପରିଵେଶ ବେଶ୍ ଉତପ୍ତ।କ୍ଳାନ୍ତ ଶରୀର ଚାହୁଁଥିଲା ଟିକେ ବିଶ୍ରାମ।କିନ୍ତୁ ହୃଦୟର କେଉଁ ଏକ ନିଭୃତ କୋଣରୁ ଝଂକୃତ ହେଉଥିଲା Robert Frost ଙ୍କର ସଂକଳ୍ପବଦ୍ଧ ଏକ ସ୍ବର ର ମୂର୍ଛନା।

"ସୁନ୍ଦର ଯେତିକି ଅଂଧାର ସେତିକି ଏହି ଯେ ଗହନ ବନ,

ତଥାପି ଆପଣା ସଂକଳ୍ପେ ଅଚଳ ଅଟଳ ରହ ରେ ମନ।

ଆଗରେ ପଡିଛି ପଥ ବହୁଦୂର ଆହୁରି କେତେ ଯେ ବାକି,

ଚାଲିବି ଚାଲିବି ନପଡିବି ଥକ୍କି

ମୁଦିବା ଆଗରୁ ଆଖି।"

Miles to go before I sleep"

ଶକ୍ତିମୟୀ,କରୁଣାମୟୀ ମା କୀର୍ତ୍ତି ଦେବୀଙ୍କ ର ମନ୍ଦିରର ଆହ୍ବାନ ଶୁଭୁଥିଲା।ନବରାତ୍ର ପୂଜା ର ନହବତ ଭିତରେ ଶାରଦୀୟ ଆକର୍ଷଣ ଆଉ ମୋହ ଏଡେଇଦେଇ ହେଲାନି।ଅପରିସୀମ ଆତ୍ମତୃପ୍ତି।ଅଖଣ୍ଡ ଦୀପମାଳା ରେପରିଶୋଭିତ ସହସ୍ର କଳସ ସବୁଠାରୁ ଥିଲା ବେଶ୍ ଆକର୍ଷଣୀୟ।ପରଦିନର ପ୍ରଭାତ ଥିଲା ମହାଷ୍ଟମୀ ର ପ୍ରଭାତ।ନିତ୍ୟକର୍ମ ସରିଯିବା ପରେ ଆରଂଭ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି।ସେଇଟା ଥିଲା ମୋ ଝିଅପାଇଁ ଥିଲା ନୂଆ ଗୋଟେ ଅନୁଭୂତି।କାରଣ, ଏକକ ଓଡିଶୀ ନୃତ୍ୟ ପରିବେଷଣ କରି, ଓଡିଶାର ସଂସ୍କୃତି ଏବଂ ପରଂପରା କୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି "ଭାରତ ଆବିଷ୍କାର" ଦଳ ରେ ସାମିଲ୍ ହେଇଥିଲା ସେ।ପ୍ରଥମେ ଟିକିଏ ଯାନ୍ତ୍ରିକ ତୃଟି ପାଇଁ ବ୍ୟସ୍ତ ବିବ୍ରତ ହେଇପଡିଥିବା ଶିଳ୍ପୀ, ପରେ ନିଜର ପାଦର ଛନ୍ଦରେ ଦର୍ଶକ ମାନଙ୍କୁ ଛନ୍ଦାୟିତ କରିପାରିଥିଲା।ସାଂସ୍କୃତିକ ଆସର କୁ ଆହୁରି ରଂଗୀନ କରିଥିଲେ ଯୁବ କଂଠଶିଳ୍ପୀ ଅନୀଲ ମିଶ୍ର ଏବଂ ଶିଶୁ କଂଠଶିଳ୍ପୀ ପୂଜା ମିଶ୍ର। ନାଗପୁର୍ ରେ ଦୁଇଦିନ ରହିବା ପରେ, ଆରଂଭ ହେଲା ଦାମନ୍ ଅଭିମୁଖେ ଯାତ୍ରା।

ଡାମନ୍ ରେ ରହିବାର ସୁ ବନ୍ଦୋବସ୍ତ ହେଇଥିଲା ସରକିଟ୍ ହାଉସ୍ ରେ।ସରକିଟ୍ ହାଉସ୍ କୁ ଲାଗି ବିଶାଳ ସମୁଦ୍ର।ହେଲେ ତରଂଗ ହୀନ,ଶାନ୍ତ, ସ୍ଥିର ଅବିଚଳିତ।ସତେ ଯେପରି ସ୍ଥିତପ୍ରଜ୍ଞ ପ୍ରବୁଦ୍ଧ ବାଙମୟ ସତ୍ତାଟିଏ।ଏତେ ଦୂରରେ ଥାଇବି,ସ୍ମୃତି ଟାଣି ହେଇଯାଉଥିଲା ଓଡିଶା ର ସ୍ବର୍ଣ୍ଣ ବେଳାଭୂମି ଆଡକୁ।କାନରେ ବାଜିଯାଉଥିଲା କୂଳଛୁଆଁଲହରୀ ର ମନଛୁଆଁ ସଂଗୀତ।ଡାମନ୍ ରେ ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତି ର ଛାପ ବେଶ୍ ଅନୁଭୂତ ହେଉଥିଲେ ବି ନିଜ ସଂସ୍କୃତି, ପରଂପରା ପ୍ରତି ସଚେତନ ଥିବାର ଅନୁଭବ କଲୁ,ସେଠିକାର ଲୋକମାନଙ୍କ ର ପାରଂପରିକ ନବରାତ୍ର ଉତ୍ସବ ଏବଂ ଦାଣ୍ଡିଆ ନୃତ୍ୟରେ ନିମଜ୍ଜିତ ଭାବ ଦେଖି।ଅକ୍ଟୋବର ୨ ତାରିଖ ଗାନ୍ଧୀ ମେମୋରିଆଲ୍ ହଲ୍ ରେ ଡାମନ୍ ପ୍ରଶାସନ ଏବଂ ଲାୟନସ କ୍ଲବ ମିଳିତ ସହଯୋଗ ରେ ଆୟୋଜନ କରାଯାଇଥିଲା ସାସ୍କୃତିକ କାର୍ଯ୍ୟକ୍ରମ।ଓଡିଶା ଏବଂ ଡାମନ୍ ମଧ୍ୟରେ ସାସ୍କୃତିକ ବିନିମୟ ଥିଲା ଖୁବ୍ ହୃଦୟ ସ୍ପର୍ଶୀ।ବିଶେଷ ଭାବରେ ମତେ ପୁଲକିତ କରିଥିଲା, ମୋ ଝିଅ ଶିଳ୍ପୀ ମଞ୍ଚ ରେ ଓଡିଶୀ ନୃତ୍ୟ 'ଶ୍ରୀ କୃଷ୍ଣ ତାଣ୍ଡବ' ପରିବେଷଣ କରିବା ସମୟ ରେ ସେହି ସଂଗୀତ ସହିତ ତାଳଦେଇ ଆତ୍ମନିମଗ୍ନ ଭାବରେ ଗାଇ ଚାଲିଥିଲେ ଜଣେ ବୟସ୍କା ମହିଳା ଦର୍ଶକ ଓ ସେଠାକାର ଆକାଶବାଣୀ ର ଜଣେ ଦୃଷ୍ଟିହୀନ ସଂଗୀତ ଶିଳ୍ପୀ।ଅନେକ ପ୍ରଶଂସା, କରତାଳି ,ପୁରସ୍କାର ଏବଂ ଆତ୍ମିୟତା ଭିତରେ ଜଡ ସଡ ହେଇଯାଇ ଖିଆଲି ଝିଅ ମୋର ମତେ କହିପକାଇଲା, 'ମାମା ! ଆର୍ଟ ଇଜ୍ ସମଥିଙ୍ଗ ଏଲସ୍' ।ଜଣେ କଳାକାର ତଥା କଳାକାର ପରିବାର ରେ ଜନ୍ମ ହେବାର ସାର୍ଥକତା ଭିତରେ,ମୋର ସ୍ବପ୍ନ--ଶିଳ୍ପୀ କୁ ସତକୁ ସତ ଶିଳ୍ପୀ ଟିଏ କରି ଗଢିତୋଳିବାର ଆଶା ମୋର ଆହୁରି ସ୍ପଷ୍ଟ ହେଇଉଠୁଥିଲା ଯେମିତି !!

ଡାମନ୍ ର କାର୍ଯ୍ୟକ୍ରମ ପରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ଅହମଦାବାଦ୍ ରେ।ସୁରଟ ହେଇ ଯିବା ବାଟରେ,ରେଲୱେ ପ୍ଲାଟଫର୍ମ ରେ ଦେଖାହେଲେ କେତେଜଣ ନିର୍ଯାତିତ ଦାଦନ ଶ୍ରମିକ।ଓଡିଶା ବାହାରକୁ ଚାଲିଯାଇ,ବଂଚିବାର ରାହା ଖୋଜୁଥିବା,ଆଉ ସୁନ୍ଦର ଭାବରେ ପ୍ରତାରିତ ହେଇଥିବା ଅସହାୟ ମଣିଷ ଗୁଡିକ ନଈବଢିରେ କୁଟାଖିଏ ପାଇଲା ଭଳି ଆମକୁ ଦେଖି ବଖାଣି ବସିଲେ ନିଜର ପ୍ରତାରଣା ର କାହାଣୀ।ସମୟ ର ସ୍ବଳ୍ପତା ଭିତରେ ସେମାନଙ୍କ ପାଇଁ ଆମର ଥିଲା କିଛିଟା ଆଶ୍ବାସନା ,ଦୀର୍ଘଶ୍ବାସ ଓ ବଂଚିବା ପାଇଁ କିଛି ଆଶା।

ଅହମଦାବାଦ ର ଯୁବ ବିକାଶ ପରିଷଦ ସତେ ଯେମିତି ପ୍ରତୀକ୍ଷା କରିଥିଲା ଆମକୁ ସ୍ବାଗତ ଜଣାଇବା ପାଇଁ।ସେଠିକାର ପରିବେଶ ଆଉ ପରିଚର୍ଯ୍ୟା ରେ ଥିଲା ଵେଶ୍ ଆପଣାର ଭାବ।ଆମେ ରହୁଥିବା ସ୍ଥାନ ଠାରୁ ଅନତି ଦୂରରେ ପୂଣ୍ୟଶ୍ଳୋକ ପୂଣ୍ୟାତ୍ମା ବାପୂଜୀ ଙ୍କର ତପସ୍ୟା ଓ ସାଧନା ର ପୀଠ, ସାବରମତୀ ଆଶ୍ରମ।ନିକଟରେ ପୂଣ୍ୟତୋୟା ସାବରମତୀ ନଦୀ।ଯମୁନା କୂଳରେ ଛିଡାହୋଇ ନନ୍ଦନନ୍ଦନ କାହ୍ନା ବଂଶୀସ୍ବନ ରେସମଗ୍ର ଗୋପକୁଳ କୁ ଉଚ୍ଚାଟିତ କଲାଭଳି, ସାବରମତୀ କୂଳରେ ଦିନେ ସ୍ବାଧୀନତା ର ମୋହନବଂଶୀ ସ୍ବନରେ ସମଗ୍ର ଭାରତବାସୀ ଙ୍କୁ ପାଗଳ କରିଦେଇଥିଲା ଯେଉଁ କ୍ଷୀଣକାୟ ବ୍ୟକ୍ତି ଟି ,ତାଙ୍କରି ଉଦ୍ଦେଶ୍ୟ ରେ ମୁଣ୍ଡ ନୁଆଁଇଲି।ଇଚ୍ଛା ହେଉଥିଲା ,ସାବରମତୀ ର ବାଲି ମୁଠାଏ ସାଉଁଟି ନେଇ ସାରା ଶରୀରରେ ବୋଳି ହେଇଯିବା ପାଇଁ।

ସାବରମତୀ ଆଶ୍ରମ, ସ୍ବାମୀନାରାୟଣ ମନ୍ଦିର ଏ ସବୁକୁ ପଛରେ ଛାଡି ଆମର ଭାରତ ଆବିଷ୍କାର ଦଳ ଚାଲିଲେ ମୁମ୍ବାଇ ଅଭିମୁଖେ।ଭାରତର ହଲିଉଡ୍ ମୁମ୍ବାଇ ସହର।ଜୀବନ ସଂଗ୍ରାମ ପାଇଁ ଅବିଶ୍ରାନ୍ତ ଭାବରେ ଦଉଡୁଥିବା ମଣିଷ ଗୁଡିକୁ(ମଣିଷ ଯେଉଁଠି ମେସିନ)ବୁକୁରେ ଧରି ମଧ୍ୟ ବ୍ୟସ୍ତ ସହରଟି ମୁହଁ ରେ କ୍ଳାନ୍ତି ନଥିଲା... ଥିଲା ପରିତୃପ୍ତି ର ହସ।ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ସାଙ୍ଗେ ସାଙ୍ଗେ ଫେରିବା ପାଇଁ ପ୍ରସ୍ତୁତି।ଏଇ ହଇ ଚଇ ଭିତରେ ଏତେ ସୁନ୍ଦର ସହର ଟିକୁ ମନପୁରାଇ ଦେଖିବାର ସୁଯୋଗ ମିଳିଲାନି।ଏଥେନ୍ସ ର କେଉଁ ଏକ ତରୁଣ ପ୍ରେମିକ, ତା'ର ତରୁଣୀ ପ୍ରେମିକା ଠାରୁ ବିଦାୟ ଲଗ୍ନ ରେ ଗାଇଥିବା ପଂକ୍ତି ଟି ମନେପଡିଯାଉଥିଲା ମୋର....

' 'ଏଥେନ୍ସ ର ହେ ତରୁଣି ! ନେଉଛି ବିଦାୟ,

ଏଥର ଫେରାଅ ମୋର

ଲୁଣ୍ଠିତ ହୃଦୟ,

ଅବା ତାହା ଆଉ ଯଦି

ନ ଫେରିଵ ସତେ,

ତା' ସହିତ ଘେନିଯାଅ

ସମୁଦାୟ ମତେ।'

ମୁମ୍ବାଇ ସହର ରୁ ସମୁଦାୟ ସତ୍ତାଟି ମୋର ବିଦାୟ ନେବାକୁ ବାଧ୍ୟ ହେଲା ଏକ ଆହତ ଅବଶୋଷ ଭିତରେ।ଯାତ୍ରାର ପର୍ବ ସରି ସରି ଆସୁଥାଏ।ପୁଣି ସେଇ ଶଗଡଗୁଳା ରେ ଚାଲିବାକୁ ହେବ।ହାଣ୍ଡି କୁଣ୍ଢେଇ ର ଟୁଂ ଟାଂ ଶବ୍ଦ ଭିତରେ ବଂଚିବା ପାଇଁ ସଂଘର୍ଷ।ପନ୍ଦର ଦିନର ଅନୁଭୂତି ପାଲଟି ଯିବ ସ୍ମୃତି।ଗୋଟିଏ ସୁନ୍ଦର ସ୍ମୃତି ଆଉ "ବସୁଧୈବ କୁଟୁମ୍ବକଂ" ର ଏକ ମହାନ ଅନୁଭୂତି।ଏମିତି ଅନେକ କିଛି ଭାବୁ ଭାବୁ ଟ୍ରେନ ଟା ପହଞ୍ଚି ଯାଇଥିଲା ଭୁବନେଶ୍ୱର ପ୍ଲାଟଫର୍ମ ରେ ,ଏକ ଅତର୍କିତ ମଧ୍ୟାହ୍ନ ରେ।ଶେଷରେ ସମସ୍ତଙ୍କ ଠାରୁ ବିଦାୟ ନେବାକୁ ପଡିଲା,ମନେ ରଖିବାର ଅନେକ ପ୍ରତିଶ୍ରୁତି ଦେଇ।।

ଚିନ୍ମୟୀ ମହାନ୍ତି।

ଚଲାପଥ ଅନୁଭୂତି ଭ୍ରମଣ

Rate the content


Originality
Flow
Language
Cover design

Comments

Post

Some text some message..