Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

5.0  

ପ୍ରଶାନ୍ତ କୁମାର ବେହେରା

ଆଉ ଜଣେ କାଉଲ୍-ଷଷ୍ଠ ଭାଗ

ଆଉ ଜଣେ କାଉଲ୍-ଷଷ୍ଠ ଭାଗ

6 mins
7.5K


( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ )

ଭାଇ ଆମର ସବୁବେଳେ ନିଜ ରାଜ୍ୟର ରଜା l ତାଙ୍କ ଭାବନା ସବୁବେଳେ ଖୁବ୍ ନିଆରା l ଘରେ ବସି ମଦ ପିଅନ୍ତି l ଭାଉଜ ଆଉ ପିଲା ମାନେ ଜାଣନ୍ତି ଏ ଲୋକକୁ ବୁଝାବୁଝି କରି କିଛି ଫାଇଦା ନାହିଁ l ତାପରେ କାଉଲ୍ ଭଳି ଚରିତ୍ରକୁ କଣ କିଛି ବୁଝାଇବା ସମ୍ଭବ ? କାଉଲ୍ ମାନେ ତ ଖୁବ୍ ବେଖାତିର୍ କିସମର ଲୋକ l ସବୁବେଳେ ବିନଦାସ୍ l

ଭାଇ ମଦ ପିଇବା ପାଇଁ ସବୁ ପ୍ରକାର ସୁବିଧା କରି ଥାନ୍ତି l ବୋତଲରୁ ମଦ ତକ ପିଇ ଦେବା ପରେ ରହିଯାଏ କେବଳ କାଚ ବୋତଲ l ଭାଇଙ୍କ ଭଡା ଘରକୁ ଲାଗି ରହିଥାଏ ଧାନ ବିଲ l ମଦ ପିଇ ସାରି କାଚ ବୋତଲକୁ ସେଇ ଧାନ ବିଲକୁ ଭାଇ ଫୋପାଡି ଦିଅନ୍ତି l କିଛି ଦିନପରେ ସେ ଧାନ ବିଲକୁ ତା ମାଲିକ ଆସିଲା ହଳକରି ତଳି ପକାଇବାକୁ l ରାସ୍ତା ପାଖିଆ ଜମି ହୋଇଥିବାରୁ ସେଠି ତଳି ପକାଇ ତାର ଅନ୍ୟ ସବୁ ଜମିରେ ଧାନ ରୋଇବା ପାଇଁ ଏ ଜମିଟା ଖୁବ୍ ଉପଯୁକ୍ତ l

ଏଠାରେ ଗୋଟେ କଥା ସ୍ପଷ୍ଟ କରିଦେବାକୁ ଚାହେଁ କି ଏ ଜମିର ମାଲିକ ହେଉଛି ବାବୁନା l ଏ ହେଉଛି ସେଇ ବାବୁନା ଯିଏ ଖାସି ମାଂସ ବଦଳରେ ଗୋଧି ମାଂସ ତା ପରିବାରର ସମସ୍ତଙ୍କୁ ଖୁଆଇଥିଲା l ଅର୍ଥାତ୍ ଏ ବି ଗୋଟେ ସାଂଘାତିକ ନିଶାଖୋର୍ ଯୁବକ l ସବୁବେଳେ ନିଶାରେ ଚୁର୍ l ମୁଲିଆ ହଳ କରୁଥିବା ବେଳେ ଭାଇ ପକାଇଥିବା ବୋତଲ ଗୁଡିକ ଠୋ ଠା କରି ଲଙ୍ଗଳ ମୂନରେ ବାଜୁଥାଏ l କିଛି ବୋତଲ ଭାଙ୍ଗିଯାଇ ମୁଲିଆର ଗୋଡ କଟିଯାଇ ରକ୍ତ ବାହାରିଲା l ଫଳତଃ ହଳ ବୁଲିବା କିଛି ସମୟ ପାଇଁ ବନ୍ଧ ହୋଇଗଲା l

ବାବୁନା ଏକରେ ନିଶାଡି ଆଉ ପୁଣି ସ୍ଥାନୀୟ ବାସିନ୍ଦା l ମଦ ବୋତଲ ସବୁ ଦେଖି ତା ମୁଣ୍ଡରେ ପିତ ଚଢିଗଲା l ଶଳା କେଉଁଠୁ ଆସି ମଦ ପିଇ ମୋ ବିଲରେ ପକାଇଛି l ଏହା ପରେ ଯେଉଁ ସବୁ ଭାଷା ଅଭାଷା ସହ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ କୋଷ ସବୁ ପ୍ରୟୋଗ କରି ଗଳି କଲା ତାହା ଏଠାରେ ପ୍ରକାଶ କରିହେବନି l ଭାଇ ସବୁ ଶୁଣୁ ଥାଆନ୍ତି , ମନେ ମନେ ବହୁତ ରାଗ ବି ଆସୁଥାଏ l ହେଲେ ନିଜେ ବୋତଲ ଗୁଡାକ ପକାଇ ଦୋଷ କରିଥିବାରୁ କିଛି କହି ପାରୁନଥାନ୍ତି l ସେ ଭାଷା ଅଭାଷା ଶବ୍ଦ ଗୁଡାକ ସବୁ ଯେମିତି ଛୁଞ୍ଚି ପରି ଆସି ତାଙ୍କ ଦେହରେ ଫୁଟି ଯାଉଥାଏ l

ନିଶାଖୋର୍ ଲୋକ ମାନଙ୍କର ଦସ୍ତୁର୍ ହେଉଛି ଯଦି ଗୋଟେ କଥା ତାଙ୍କ ମୁଣ୍ଡ ଭିତରେ ବସା ବାନ୍ଧି ଗଲା ତାହେଲେ କଥା ଶେଷ l ସବୁବେଳେ ସେଇ କଥାକୁ ମନେ ପକାଇ ଘୋଷି ହେଉଥିବେ l ଭାଇଙ୍କ କେସ୍ ରେ ସେଇଆ ହିଁ ହେଲା l ବାବୁନାର ଭାଷା ସବୁ ଭାଇଙ୍କ ମନ ଭିତରେ ଘର କରିଗଲା l ଭାଇଙ୍କୁ ଯେତେବେଳେ ଅଧିକ ନିଶା ହୋଇଯାଏ, ସେ ଅଭଦ୍ର ଶବ୍ଦ ସବୁ ତାଙ୍କ କାନ ପାଖରେ ଖାଲି ପ୍ରତିଧ୍ବନିତ ହେଉଥାଏ l

ଏଠି ଗାଳି ଦେବା ଲୋକ ନିଶାଡି ଆଉ ଗାଳି ଖାଇବା ଲୋକ ବି ସେଇ ନିଶାଡି l ଗୋଟେ ନିଶାଖୋର୍ ଲୋକ ସାଧାରଣ ଲୋକକୁ ଗାଳି ଦେବା ବା ସାଧାରଣ ଲୋକଟେ ଜଣେ ନିଶାଡିକୁ ଗାଳି ଦେବା ଏମିତି ଘଟିନି l ଭାଇ ଦିନେ ଜଇପୁର ପାଖରେ ଗୋଟେ ଢାବାରେ ନିଶାପାଣି କରୁଥିଲେ l ହଠାତ୍ ଗୋଟେ ଷଣ୍ଢ ଦେଖିଲେ l ଭାଇଙ୍କ ମୁଣ୍ଡରେ ଅଦ୍ଭୁତ କଥାଟିଏ ପଶିଗଲା l

ଅବଶ୍ୟ ମୁ୍ଁ ଆଗରୁ କହିଛି ଏ ଅଦ୍ଭୁତ ଭାବନା କେବଳ ନିଶାଖୋର୍ ଙ୍କ ମୁଣ୍ଡରେ ପଶେନି, ନିଶା ନଖାଇଥିବା ସାଧାରଣ ଲୋକଙ୍କ ମନରେ ବି ଖୁବ୍ ଅଦ୍ଭୁତ ଭାବନା ଆସିଥାଏ l ଭାଇଙ୍କ ଭାବନା ଉପରେ ଆଲୋଚନା କରିବା ପୂର୍ବରୁ ଅନ୍ଯ ଜଣଙ୍କ କଥା ଆଲୋଚନା କରିବା l

ମୋ ସାଙ୍ଗ ଯିଏ ମୋ ଘର ପାଖରେ ରହୁଥିବା ଓ ଆମ ତଳ ଶ୍ରେଣୀରେ ପଢୁଥିବା ଆଉ କୁଆଡେ ମାଧୁରୀ ଭଳି ଦେଖାଯାଏ ସେହି ଝିଅକୁ ଲାଇନ୍ ମରୁଥିଲା l ତାର ସେଇ ଅଦ୍ଭୁତ କଥା ଗୋଟେ କହୁଛି l ଏ ଦଶହରା ବେଳେ କଲେଜ ଛୁଟିଥାଏ l ଲମ୍ୱା ଛିଟି ହେତୁ ମୋ ସାଙ୍ଗ ତା ଗାଁ କଟରାରେ ଅବସ୍ଥାନ କରୁଥାଏ l କିନ୍ତୁ ତା ମନ ସବୁବେଳେ ସେଇ ମାଧୁରୀ ଭଳି ଦେଖା ଯାଉଥିବା ପ୍ରେମିକା ପାଖରେ ଥାଏ l ଦିନେ ସକାଳେ ଆସି ମୋ ପାଖରେ ହାଜର୍ l

ମୁ୍ଁ କହିଲି, " କଣ ଏ ଛୁଟିରେ ଏତେ ସକାଳୁ ଆସି ହାଜର l ମାମି ଦେଖାହେଲା କି ? " ( ମାମି ହେଉଛି ତା ପ୍ରେମିକା )

ସାଙ୍ଗ କହିଲା, " ନାଇଁ ଦେଖା ହେଇନି l"

ମାମି କାଇଁ ଜାଣିବ ଯେ ତାକୁ ଲାଇନ୍ ମାରୁଥିବା ଟୋକା କଟରାରୁ ଏମିତି ସାଇକେଲ ପେଲି ପେଲି ଧାଇଁ ଆସୁଥିବ ଦେଖିବାକୁ ? ମୋ ସାଙ୍ଗର କିନ୍ତି ଖୁବ୍ ଆଶା ଥାଏ ଏଥର ଫେରିବା ବେଳେ ମାମି ନିଶ୍ଚେ ତା ଘର ସାମ୍ନାରେ ଦେଖାହେବ l ସେଇ ଆଶା ନେଇ ସେ ଫେରିଗଲା l ସେତେବେଳକୁ ସକାଳ ୯ ଟା ହେବ l ପୁଣି ସେ ସାଙ୍ଗ ଦିନ ୧୨ ରେ ଆସି ମୋ ପାଖରେ ପହଞ୍ଚି କହିଲା, " ସେତବେଳେ ଦେଖା ହେଲା ନାହିଁ, ପୁଣି କଟରା ଯାଇ ଆସିଲି l ଏବେ ବି ସେ ଦେଖା ହୋଇନି, ଦେଖେ ଫେରିବା ବେଳେ କାଳେ ଦେଖା ହୋଇଯିବ l"

ମୁଁ କହିଲି " ହଉ ଏବେ ରହ ଖାଇକି ଯିବୁ l "

ସେ କହିଲା ନାଇଁ ମାମି କାଳେ ଖାଇକି ଖରାବେଳେ ଶୋଇଯିବ l ମୁ୍ଁ ଯାଉଛି ଘରେ ଖାଇବି l"

ସେ ସଙ୍ଗେ ସଙ୍ଗେ ପୁଣି ଯେମିତି ଆସିଥିଲା ସେମିତି ଧୁମକେତୁ ପରି ସାଇକେଲ୍ ମାରି ପଳାଇଲା l କିନ୍ତୁ ତାପରେ ମୁଁ ପୁରା ଅଶ୍ଚର୍ଯ୍ୟ ହୋଇଗଲି ଯେତେବେଳେ ପୁଣି ତାକୁ ସଂଧା ୪ ଟାରେ ଦେଖିଲି l ବହୁତ ମନଦୁଖରେ କହିଲା, " ଆଜି ବେଳା ଖରାପ l ସେତେ ବେଳେ ଦେଖା ହେଲାନି କି ଏବେ ଆସିଲା ବେଳେ ବି ଦେଖା ହେଲାନି l"

ମୁଁ ଦେଖିଲି ସେ ସାଇକଲ୍ ଚଲାଇ ଚଳାଇ ପୁରା କଳା ପଡିଗଲାଣି l ମୁଁହ ପୁରା ଶୁଖି ଯାଇଥାଏ l ଆମ ଘର ପାଖରୁ କଟରା ଅତି କମ୍ ରେ ୧୬ କିଲୋ ମିଟର ହେବ l ସାଙ୍ଗ ମୋର ତା ପ୍ରେମିକାକୁ ଦେଖିବାକୁ ସେଦିନ ଯିବା ଆସିବାରେ ପାଖା ପାଖି ୮୦ କିଲୋମିଟର ସାଇକେଲ୍ ଚଳାଇ ସାରିଲାଣି l ଏବେ ପୁଣି ୧୬ କିଲୋମିଟର ଯିବ l

ମୁଁ କହିଲି, " କାଇଁ ଏମିତି ହେଉଛୁ ? ଦେଖିଲେ କଣ ଟା ହୋଇଯିବ ?"

ମୋ ସାଙ୍ଗ ବିଗିଡି ଯାଇ କହିଲା, " ତୁ କଉଁଠୁ ଜାଣିବୁ ମୋ ମନ କଥା ? ଭଗବାନ୍ କଣ ଏତେ ଅନ୍ୟାୟ କେବେ କରିବେ ? ଏତେ ପରିଶ୍ରମ କଲେଣି ମାନେ ଦେଖିବୁ ଏବେ ଫେରିଲା ବେଳେ ମାମି ନିଶ୍ଚେ ଦେଖାହେବ l"

ସେଇ ଅଶାକୁ ପାଥେୟ କରି ମୋ ସାଙ୍ଗ ପୁଣି ସାଇକଲ୍ ମାରି ଚାଲିଲା କଟରା - ଭାୟା - ମାମି ପ୍ରେମିକା ଘର ଦେଇ l ମୋର ତା ଉପରେ ବହୁତ ଦୟା ଆସୁଥାଏ l ଶଳା କି ମାଧୁରୀ ଭଳି ସେ ମାମି ନାମଧାରୀ ଝିଅଟା ତା ପ୍ରେମିକା ହେଲା ବିଚରା କେତେ କଷ୍ଟ ପାଉଛି l ଶେଷକୁ ମୁ୍ଁ ଗୋଟେ ପିଲା ମାଧ୍ଯମରେ ଖବର ନେଇ ଜାଣିଲି ମାମି ଦୁଇ ତଳୁ ତା ମାମୁଁ ଘରକୁ ଯାଇଛି l ହେଲେ ମୋ ସାଙ୍ଗ ଏଣେ ସାଇକଲ୍ ମାରି ମାରି କହୁଛି ପରିଶ୍ରମ କରୁଛି ମାନେ ଭଗବାନ୍ ତାକୁ ନିଶ୍ଚେ ଫଳ ଦେବେ l

ଦେଖନ୍ତୁ ଏଠି ମୋ ସାଙ୍ଗ ନିଶା ନ ଖାଇ ବି ଗୋଟେ ନିଶାଖୋର୍ ଠାରୁ ଅଧିକ ନିଶାରେ ଅଛି l ଶେଷକୁ ହେଲା କଣ ? ମୋ ସାଙ୍ଗର ପ୍ରେମଟା ପୁରା ଅମର ହୋଇଗଲା, କାହିଁକିନା ତା ପ୍ରେମିକାକୁ ତା ବାପା ଆଉ କେଉଁଠି ଭଲ ଘର ଆଉ ଭଲ ବର ଦେଖି ବାହା କରିଦେଲା l

ଛାଡନ୍ତୁ ଏବେ ଭାଇଙ୍କର ସେଇ ଅଦ୍ଭୁତ ଭାବନା ବିଷୟକୁ ଯିବା l ସେ ଢାବା ପାଖରେ ଷଣ୍ଢକୁ ଦେଖିଦେଇ ତାଙ୍କ ମନ ପୁରା ଖୁସିରେ ଝୁମି ଉଠିଲା l ସେ ପାଖରେ ଥିବା ପାନ ଦୋକାନରୁ ଦୁଇ ଫେଣା କଦଳୀ କିଣି ଗୋଟେ କଦଳୀ ସେଥିରୁ ଛିଣ୍ଡାଇ ସେ ଷଣ୍ଢକୁ ଖୁଆଇ ଦେଲେ l ଷଣ୍ଢ ଦେଖିଲା ଭାଇଙ୍କ ଅନ୍ୟ ହାତରେ ଗୁଡାଏ କଦଳୀ ଅଛି l ଆଉ କଦଳୀ ପାଇବା ଆଶାରେ ଭାଇଙ୍କ ପଛେ ପଛେ ଷଣ୍ଢ ଚାଲିଲା l ବାଇକ୍ ପାଖକୁ ଯାଇ ଆଉ ଗୋଟେ କଦଳୀ ତାକୁ ଦେଇ ବାଇକ୍ ଷ୍ଟାଟ୍ ମାରି ୧୦୦ ମିଟର ଯାଇ ପୁଣି ରହିଲେ l ଷଣ୍ଢ ତାଙ୍କୁ ରହିବାର ଦେଖି ପୁଣି ଚାଲିଲା ତାଙ୍କ ପାଖକୁ ସେଇ କଦଳୀ ଖାଇବା ଲୋଭରେ l

ଏବେ ଖାଲି ଭାଇଙ୍କୁ ସେ ବାବୁନା ଗାଳି ଦେଇଥିବା ଭାଷା ଅଭାଷା କାନ ପାଖରେ ଶୁଭୁଥାଏ l ବାବୁନା ବିଲରେ ପଡିଥିବା ତଳି ଏଭିତରେ ବହୁତ ବଢି ଗଲେଣି l ଆଉ କେଇଦିନ ପରେ ସେଠୁ ଉପୁଡ଼ା ଯାଇ ବିଭିନ୍ନ ବିଲ ମାନଙ୍କରେ ରୁଆ ହେବେ l ଭାଇଙ୍କୁ ସେତେ ବେଳେ ଖାଲି ସେଇ ତଳି କିଆରି, ଷଣ୍ଢ ଆଉ ଗାଳି କରୁଥିବା ସେ ବାବୁନାର ମୁହଁ ଦେଖା ଯାଉଥାଏ l

ଦେଖନ୍ତୁ ଏଠି ରାଗ କେମିତି କାମ କରୁଛି l ସେ ବାବୁଲା କେଉଁ ୨୦ କି ୨୫ ଦିନ ତଳେ କାଚ ବୋତଲ ତା ବିଲରେ ପଡିଥିବାରୁ ଗାଳି କରିଥିଲା l ଭାଇ କିନ୍ତୁ ଛାଡିବା ଲୋକ ନୁହଁନ୍ତି l ନିଶାଖୋର୍ ଲୋକଙ୍କର ଏ ହେଉଛି ଏକ ବେଶେଷ ଗୁଣ l ରାଗ ହୋଇଛି ମାନେ ପ୍ରତିଶୋଧ ନେଇକି ରହିବେ l ଭାଇ ତ ଆଉ ଅପାଠୁଆ ଅଭଦ୍ରଙ୍କ ଭଳି ଗାଳିମନ୍ଦ କି ହଣାକୁଟା କରିବେନି l ଯେହେତୁ ଜ୍ଞାନୀ ଗୁଣି ନିଶାଡି ତେଣୁ ତାଙ୍କ ତରିକାରେ ପ୍ରତିଶୋଧ ନେବେ l

ଏଠି ଅଦ୍ଭୁତ କଥା ହେଉଛି - ସେ ତଳି କିଆରି ଜଇପୁର ପାଖରୁ ୧୫ କିଲୋମିଟର ଦୂରରେ l ତା ମାନେ ଜଇପୁରର ଷଣ୍ଢ ଏବେ ୧୫ କିଲୋମିଟର ଦୂରରେ ଥିବା ତଳିକୁ ଖାଇବାକୁ ଯିବ l ଆଉ ସେଥି ପାଇଁ ଭାଇ ଆମର ସେ ଷଣ୍ଢକୁ କଦଳୀ ଖୋଇ ଖୋଇ ନିମନ୍ତ୍ରଣ କରି ନିଉଛନ୍ତି l ସେ ୧୫ କିଲୋମିଟରରେ ଭାଇଙ୍କ ବାଇକ୍ କେତେ ଥର ଅଟକି ଥିବ, ଷ୍ଟାଟ୍ ବନ୍ଦ କରି ପୁଣି କେତେ ଥର ଷ୍ଟାଟ୍ ହୋଇଥିବ ଆପଣମାନେ ଟିକେ ଭାବନ୍ତୁ l ଆଉ ସମୟ ହେଉଛି ପୁଣି ରାତି ଅଧ l

କଥାରେ ଅଛି ଯେଉଁ କାମକୁ ଖୁବ୍ ଧର୍ଯ୍ୟ ଆଉ ନିଷ୍ଠାର ସହିତ କରାଯାଏ ସେ କାମ ଅଲବତ ହେବ ହିଁ ହେବ l ଭାଇ ଯେହେତୁ କାଉଲ୍ ପରି ଚରିତ୍ର ତେଣୁ ଅସାଧାରଣ ସାହସ ସହ ଅସମ୍ଭବ କାମକୁ ସମ୍ଭବ କରିବାର ସବୁ ପ୍ରକାରର ତରିକା ମାଲୁମ୍ ତାଙ୍କୁ l ତେଣୁ ୧୫ କିଲୋମିଟର ଦୂର ଗାଁଆଁର ଷଣ୍ଢ ଯାଇ ଭାଇଙ୍କ ଭଡାଘର ପାଖରେ ଥିବା ତଳି କିଆରି ପାଖରେ ପହଞ୍ଚି ଗଲା l

ଭାଇ ସେ କିଆରିରେ ଥିବା ବାଉଁଶ ଗେଟ୍ ଖୋଲି ଦେଇ ଜଇପୁର ଷେଣ୍ଢକୁ ତା ଭିତରେ ପୁରାଇ ତଳି ଖାଇବା ଆରମ୍ଭ ହେବା ଦେଖିସାରି ଘରେ ଆସି ନିଶ୍ଚିତରେ ଶୋଇଗଲେ l

( କ୍ରମଶଃ ........)

*********************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in