ନବଜନ୍ମ
ନବଜନ୍ମ
କୃଷ୍ଣାର ନିଦ ଭାଙ୍ଗିଲା ବେଳକୁ ସକାଳ ସାତଟା ।ଆଖିତା'ର ଖୋଜି ବୁଲୁଥାଏ ନିଜ ଲୋକମାନଙ୍କୁ। ବାପା,ବୋଉ ,କାବେରୀ
କାହାକୁ ତ ସେ ଦେଖିବାକୁ ପାଉନି। ସେମାନେ ଗଲେ କୁଆଡେ! କିଛି ସମୟ ଅପେକ୍ଷା କଲାପରେ ପାଖ ବେଡ୍ ର ଲୋକମାନଙ୍କୁ, "ମୋ ପରିବାର ଲୋକଙ୍କୁ ଦେଖିଛନ୍ତି କି ?"ବୋଲି ପଚାରିଲା । ସମସ୍ତେ ଗୋଟିଏ ଉତ୍ତର ଦେଉଥାନ୍ତି ,"ଆମେ ତ ସକାଳୁ ସେମାନଙ୍କୁ ଦେଖିନୁ"।
ଡାକ୍ତର ଗତ କାଲିଠାରୁ କୃଷ୍ଣାର ବାପାଙ୍କୁ କହିଥିଲେ, "ଝିଅର ଦେହ ଭଲ ହୋଇଗଲାଣି,ଏଥର ଡାକ୍ତରଖାନାରୁ ନେଇ ଯା'ନ୍ତୁ,ଘରେ କିଛିଦିନ ବିଶ୍ରାମ ନେଇଗଲେ ଦେହ ଠିକ୍ ହୋଇଯିବ।"
କୃଷ୍ଣା ସେଦିନ ବାପା,ବୋଉଙ୍କର ଅନ୍ୟମନସ୍କତା ଲକ୍ଷ କରିଥିଲା। ବାପାଙ୍କ ଉପରେ ଅବିଶ୍ୱ।ସ କିନ୍ତୁ କରିପାରୁ ନଥିଲା।ତା' ବାପା ତ ଦୁନିଆଁର ସବୁଠୁ ଭଲ ବାପା ! ସେ ବା କେମିତି ଅବିଶ୍ୱ।ସ ତା'ଙ୍କୁ କରିବ!
ଦିନ ବାରଟା ପର୍ଯ୍ୟନ୍ତ ଅପେକ୍ଷା କଲାପରେ ଡାକ୍ତରଖାନା ଲୋକ ବାଧ୍ୟ କଲେ କୃଷ୍ଣାକୁ ବେଡ୍ ଛାଡି ଯିବା ପାଇଁ ।କ'ଣ କରିବ ସେ !
କୁଆଡେ ବା ଯିବ ! ଡାକ୍ତରଖାନାରୁ କୃଷ୍ଣା ସିଧା କାନ୍ଦି କାନ୍ଦି ଘରକୁ ଏକ ମୁହାଁ ହୋଇ ଛୁଟିଲା।ଆସି ଦେଖେତ ଘରେ ତାଲା ପଡିଛି।
କ'ଣ କରିବ ଭାବି ଘର ବରଣ୍ଡାରେ ବସି ପଡିଲା ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କ'ଣ ଭାବୂଥିଲା କେଜାଣି। ଆଖିରେ ପଡିଲା
ଦୁଆର ସାମ୍ନାରେ ଗୋଟିଏ ଧଳା ଲଫାପା ଥୁଆ ହୋଇଛି।
ଥରିଲା ହାତରେ ଲଫାପାଟିକୁ ଆଣିଲା ,ଖୋଲି ଦେଖେ ତା ଭିତରେ ଗୋଟିଏ ଚିଠି ଅଛି।ଲୁହ ଭିଜା ଆଖିରେ ସବୁ ଜାଲୁଜାଲୁ ଦେଖା ଯାଉଥାଏ। ଚିଠିଟି ବାପାଙ୍କର ହାତଲେଖା। ଲେଖା ହୋଇଛି ତା'ପାଖକୁ । କଷ୍ଟରେ ପଢିବାକୁ ଚେଷ୍ଟା କଲା । ବାପା ଲେଖିଛନ୍ତି
"ମା କୃଷ୍ଣା,
ଏ ଚିଠି ପଢି ମୋ ଉପରେ ଅଭିମାନ କରିବୁନି।
ବେଳେ ବେଳେ ମଣିଷ ପରିସ୍ଥିତିର ଦାସ ହୋଇଯାଏ। ନ ଚାହିଁବା କାର୍ଯ୍ୟ ମଧ୍ୟ କରିବାକୁ ବାଧ୍ୟ ହୁଏ। ଗତକାଲି ଗାଁ ମହାଜନଙ୍କର ଗୋଟିଏ ସଭା ବସିଥିଲା।ଗାଁର ମୁଖିଆମାନେ ନିର୍ଣ୍ଣୟ ନେଲେ,ଚାରିଦିନ ତଳେ ତୋ ଉପରେ ଯେଉଁ ଘଟଣାଟି ବିତିଗଲା ,ସେଥିପାଇଁ ତୁ'ଆଉ ସମାଜ ଉପଯୋଗି ହୋଇ ରହି ନାହୁଁ। ତତେ ଘରେ ରଖିଲେ ଗାଁରେ ଆମ ଘରକୁ ଏକ ଘରକିଆ କରି ରଖିବେ।ମୋର ଜଜମାନୀ ବେଉସା ମଧ୍ୟ ବନ୍ଦ କରିଦେବେ।ମନ୍ଦିର ସେବା ଛଡାଇ ଦେବେ।ତୁ କହତ ମା ! ଜଜମାନୀ ବନ୍ଦ ହେଲେ ଘର ଚଳିବ କେମିତି! କେମିତି ବା ଏକଘରକିଆ ହୋଇ ଗାଁ ରେ ଚଳିବି ! ତୋ ସାନ ଭଉଣୀ କାବେରୀକୁ କିଏ ବା ବାହା ହେବ! ମୁଁ ଜାଣିଛି ମୋ ଝିଅ ନିର୍ଦ୍ଧୋଷ, ସମାସର ଦୃଢ଼ ନିଷ୍ପତ୍ତି ଆଗରେ ମୁଁ ନିରୁପାୟ ରେ ମା। ଛାତିରେ ପଥର ରଖି ଏକଥା ଲେଖୁଛି। କିଛି ଦିନ ଆମେ ଗାଁ ଛାଡି ଯାଉଛୁ।ମତେ କେବେ ଭୂଲ୍ ବୁଝିବୁନି ।
ଇତି
'ବାପା'।
ଚିଠିଟା ପଢିଲା ପରେ ତାକୁ ଚାରି ଦିଗ ଅନ୍ଧକାର ଦେଖାଗଲା।
ମୁଣ୍ଡ ଝିମ୍ ଝିମ୍ କରିଗଲା।ଚାରି ଦିନ ଭିତରେ ତାର ଦୁନିଆଁ ଓଲଟ ପାଲଟ ହୋଇଗଲା। ଯେଉଁ ପରିବାରର ସେ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ସେ ପରିବାର ପାଇଁ ଆଜି ସେ ଅଲୋଡା ହୋଇଗଲା।ବାପା,ବୋଉ ଓ କାବେରୀ କେହି ତାକୁ ନଦେଖିଲେ ଦଣ୍ଡେ ରହି ପାରୁନଥିଲେ ଅଥଚ ଏ ଅସମୟରେ ସମସ୍ତେ ତା' ହାତ ଛାଡି ଦେଲେ। ଅସମୟରେ ତ ଆତ୍ମୀୟ ଲୋକଙ୍କ ଆବଶ୍ୟକତା ପଡିଥାଏ।ତା'ର ବା ଭୂଲ୍ କେଉଁଠି!
ଆତ୍ମହତ୍ୟା ବ୍ୟତୀତ ବୋଧେ ତା'ପାଇଁ ଆଉ କିଛି ବାଟ ନାହିଁ। ଚାରି ଦିନ ତଳର ସେହି ଦୁର୍ଘଟଣା କଥା ତା'ର ମନେ ପଡିଯାଉଛି।ସେ ଥିଲା ଗ୍ରାଜୁଏସନ ଶେଷ ବର୍ଷର ଛାତ୍ରୀ।
ସେଦିନ କଲେଜରେ ସେମିନାର୍ ଥିବାରୁ ଟିକେ ଫେରିବାକୁ ଡେରି ହୋଇଯାଇଥାଏ।ଶୀତ ଦିନ ପାଞ୍ଚଟା ବେଳକୁ ସଂଧ୍ୟା। ବସ୍ ଷ୍ଟପ୍ ରୁ
ଗାଁ ପ୍ରାୟ ଚାରି କିଲୋମିଟର ହେବ। ବାଟରେ ଗୋଟିଏ ନିଛାଟିଆ ଯାଗାରେ ତିନିଜଣ ଯୁବକ ତାକୁ ପିଛା କଲେ।ଶୀତ ଦିନ ଥିବାରୁ ରାସ୍ତା ବି ନିଛାଟିଆ ଥାଲା।ଡରିଡରି ଯୋର୍ ଯୋର୍ ରେ ପାଦ ପକଉ ଥାଏ।ସୁଯୋଗ ପାଇ ହଠାତ୍ ସେ ପିଲା ତିନିଜଣ ତା ମୁହଁ ବନ୍ଦ କରି ଗୋଟିଏ ବୁଦା ମୂଳକୁ ଟେକି ନେଲେ।ଜଣଙ୍କ ପରେ ଜଣେ ଦୁଃଷ୍କର୍ମ କରି ବୁଦାମୂଳେ ଫୋପାଡି ଦେଇ ଚାଲିଗଲେ। ମାତ୍ର କିଛି ସମୟରେ ତା'ର ଜୀବନର ଗତି ବଦଳିଗଲା।
ସେ ଦିନ କୃଷ୍ଣାର ବାପା କେଉଁ ଜଜମାନର ପୂଜା କରିବା ପାଇଁ ପାଖ ଗାଁ କୁ ଯାଇଥାନ୍ତି। ସଂଧ୍ୟାରେ ଗାଁକୁ ଫେରି ଝିଅ ନ ଫେରିବାରୁ ଗାଁ ଲୋକଙ୍କ ସହାୟତାରେ ଖୋଜା ଖୋଜି କରି ବୁଦା ପାଖରେ ଝିଅକୁ ପାଇଲେ।ଝିଅର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଲହୁ ଲୁହାଣ ହୋଇଯାଇଥିଲା। ଝିଅ ସହିତ କ'ଣ ଘଟିଛି ବୁଝିବାକୁ ଆଉ ବାକି ରହିଲାନି। ସମସ୍ତେ ମିଶି ସେଠାରୁ ତାକୁ ଡାକ୍ତରଖାନା ନେଲେ। ଝିଅଟିକୁ ଦୁର୍ବୂତ୍ତଙ୍କ ବିଷୟରେ ପଚାରିଲାରୁ, " ଆନ୍ଧାର ଥିବାରୁ ସେମାନଙ୍କ ମୁହଁ ଦେଖି ପାରିନି କି ଚିହ୍ନି ପାରିବିନି "ବୋଲି କହିଲା।
ଦୋଷକରି ବି ଦୋଷୀ ଦଣ୍ଡ ପାଇଲାନି।
ଦୁର୍ଘଟଣା ଦିନ ଗାଁ ଲୋକ ଗୋଟିଏ ସଭା ବସେଇଲେ।
ଗାଁ ମହାଜନ ହରି ମିଶ୍ର ବିଚାରକ ହୋଇ ନିଷ୍ପତ୍ତି ଶୁଣାଇଲେ ,
-- ଯଦି ସେ ଝିଅ ଗାଁରେ ରହିବ ତେବେ ଗାଁ ବଦନାମ ହେବ।ଆମର ବ୍ରାହ୍ମଣ ଶାସନ ସେପରି ଝିଅ ଗାଁର କଳଙ୍କ।ସେ ଅପବିତ୍ର ହୋଇଗଲା, ତେଣୁ ତାର ସ୍ଥାନ ଗାଁରେ ନାହିଁ।" ଵାପା ତାର ମୁଣ୍ଡପାତି ମହାଜନଙ୍କ କଥା ଶୁଣୁଥାନ୍ତି। ରକ୍ଷଣଶୀଳତା ବିରୁଦ୍ଧରେ ପ୍ରତିବାଦର ସ୍ୱର ହଜି ଯାଇଥାଏ ।
କୃଷ୍ଣାର ବାପା ବାଧ୍ୟ ହେଲେ ଗାଁ ଲୋକଙ୍କ କଥା ମାନିବାକୁ।ଡାକ୍ତରଖାନାରେ କୃଷ୍ଣାକୁ ଛାଡି ସେଦିନ ରାତିରେ ସେମାନେ ଘରକୁ ଫେରି ଆସିଥିଲେ ଓ ତା'ପରଦିନ ସକାଳୁ ପରିବାର ଧରି ଗାଁ ଛାଡି ଚାଲି ଯାଇଗଲେ।
କୃଷ୍ଣା ମୁହଁ ଲୁଚାଇ କଇଁ କଇଁ ହୋଇ କାନ୍ଦୁଥାଏ।ଗାଁ ଲୋକ ନୀରବଦ୍ରଷ୍ଟା ସାଜି ଦେଖୁଥାନ୍ତି। କାହାର ପାଷାଣ ଦୃଦୟ ତରଳୁ
ନଥାଏ। ହଠାତ୍ କାହାର ସ୍ପର୍ଷ କୃଷ୍ଣାକୁ ଚମକାଇ ଦେଲା।
ଅଭୟ କଣ୍ଠରେ ଗୋଟିଏ ନାରୀ ଆଶ୍ୱ।ସନ ଦେଇ କହୁଥାଏ, '
--'ଏଗୁଡାକ ମଣିଷ ନୁହେଁ ଲୋ ମା' ପଷୁ ଗୁଡାକ। ପଷୁ ତ ନିଜ ଜାତି ଲୋକଙ୍କ ଦୁଃଖ ଦେଖି ପାରିବନି,ଏମାନେ ପଷୁଠାରୁ ବି ହୀନ।
କୃଷ୍ଣା ଆଖିଟେକି ଚାହିଁ ଦେଖିଲା ବିମଳା ମାଉସୀ।!!ବିମଳାକୁ ଦେଖି କୃଷ୍ଣା ଭୋ ଭୋ କାନ୍ଦି ପଚାରିଲା।
--ମାଉସୀ ଏବେ ମୋର କ'ଣ ହେବ!
--କିଛି ହେବନି ତୋର, ତୁ ମୋ ପାଖରେ ରହିବୁ। ମୁଁ ତତୋ ପାଠ ପଢାଇ ମଣିଷ କରିବି । ଆରେ ..ସମାଜ ଯଦି ଭଲକଥା କହିବ ,ତାହେଲେ ତାକୁ ସିନା ମାନିବ ।ମୁଁ ମହାଜନଙ୍କର କୌଣସି ନିଷ୍ପତ୍ତି ମାନିବିନି।ଦେଖିବି କିଏ ମୋର କ'ଣ କରିବ!!ଝିଅଟା କ'ଣ ମରିଯିବ!! ଆ ମୋ ସହିତ।
ବିମଳା ମାଉସୀ କୃଷ୍ଣାର ହାଥଧରି ଉଠାଇଲା। ଟାଣି ଟାଣି ନିଜ ଘର ଆଡକୁ ନେଉଥିଲା। ଗାଁସାରା ଲୋକ ଭକୁଆ ହୋଇ ରହିଥାନ୍ତି।
କାହା ପାଟିରୁ କଥା ବାହାରୁ ନଥାଏ।ବିମଳା ଗାଜୁରୁ ଗାଜୁରୁ ହୋଇ କହି ଚାଲିଥାଏ।
--ଆରେ ପିଲାଟିର କିଛି ଦୋଷ ନଥାଇ ତାକୁ ଦଣ୍ଡ ଦେଉଛ।ତୁମକୁ ଧର୍ମ ସହିବ ତ।ଏତେ ପାରିବାର ତ ଦଣ୍ଡ ସେଇ ବାଳୁଙ୍ଗା ଲଫଙ୍ଗା ଟୋକାଙ୍କୁ ଦଉନ ।ଜାଣିବି ତୁମେ ମରଦ ପିଲା।ବୋଝ ଉପରେ ନଳିତା ବିଡା ଭଳି ଝିଅଟା ଉପରେ ଦାଉ ସାଧୁଚ । ଏୟା ତୁମ ନ୍ୟାୟ। ଏଇ ତୁମର ମରଦ ପଣିଆ!!ଧର୍ମ ସହିବନି ତୁମକୁ।
କୃଷ୍ଣା ଦେଖୁଥିଲା ମାନବୀ ରୂପରେ ଜଣେ ଦେବୀକୁ।
ବିମଳାଥିଲା ସେଇ ଗାଁର ଝିଅ। ବାହାଘରର ବର୍ଷେ ନଯାଉଣୁ ସ୍ୱ।ମୀ ଚାଲିଗଲା। ହାତରୁ ଚୂଡି ମୁଣ୍ଡରୁ ସିନ୍ଦୁର ପୋଛି ,ଧଳା କସ୍ତା ଖଣ୍ଡେ ପିନ୍ଧି ବାପଘରକୁ ଚାଲିଆସିଥିଲା। ଭାଙ୍ଗି ପଡିଥିବା ମନକୁ ପୁଣି ସଳଖି ଥିଲା ।ତାକୁ ବଂଚିବାକୁ ପଡିବ। ତେଣୁ ବାପଘରେ ରହି ପାଠ ଦିଅକ୍ଷର ପଢି ଗାଁ ସ୍କୁଲରେ ଶିକ୍ଷୟତ୍ରୀଟିଏ ହେଲା। ଛୋଟ ଛୋଟ ପିଲାଙ୍କୁ ପାଠ ପଢାଏ। ବାପଘର ବୋଲି ଗାଁ କୁ ସିନା ଚାଲି ଆସିଥିଲା,କିନ୍ତୁ ଭାଉଜର ଗଞ୍ଜଣା ସହି ନପାରି ଗାଁ ମୁଣ୍ଡରେ ମାଟି ଝାଟି ଘରଟିଏ କରି ରୁହୁଥିଲା।।ସମଗ୍ର ଗାଁର ସେ ଥିଲା ବିମଳା ମାଉସୀ।ସମସ୍ତଙ୍କର ଭଲ ମନ୍ଦର ସାଥୀଟିଏ।ତାକୁ ସିନା କିଏ ପଚାରି ନଥିଲେ। କିନ୍ତୁ ସେ ସମସ୍ତଙ୍କ ଦୁଃଖ ସମୟରେ ଅଭିବାବକଟିଏ ହୋଇ ଠିଆ ହୁଏ।
କୃଷ୍ଣା କଲେଜ ଯିବା ଆସିବା ରାସ୍ତାରେ ବିମଳାର ଘର ପଡେ।
ବିମଳାର କେବେ କେମିତି ସହରରୁ କିଛି ଆଣିବାର ଥିଲେ କୃଷ୍ଣା ଆଣିଦିଏ।ତା ସହିତ ସୁଖ ଦୁଃଖ ଦିପଦ ହୁଏ।ଭଲଟେ ମନ୍ଦଟେ ହେଲେ ବିମଳା କୃଷ୍ଣାକୁ ଦେଇଥାଏ। ଏତିକି ଥିଲା କୃଷ୍ଣାର ବିମଳା ସହିତ ସମ୍ପର୍କ ।
ସେଦିନ କୌଣସି ପିଲାଠାରୁ କୃଷ୍ଣା ବିଷୟରେ ଶୁଣି ସେ ନଖାଇ ନପିଇ ଦଉଡି ଆସିଥିଲା।ଦେଖିଲା ଗାଁ ଯାକ ଲୋକ ଠିଆ ହୋଇ।ଦର୍ଶକ ସାଜିଛନ୍ତି।। ପିଲାଟି ଆସହାୟ ହୋଇ କାନ୍ଦୁଛି। ଝିଅଟିର ଅସହାୟତା ଦେଖି ତାର ହୃଦୟ ବ୍ୟଥିତ ହୋଇଯାଇଥିଲା। ସେ ସହ୍ୟ କରି ପାରିଲାନି।ଗାଁ ଲୋକଙ୍କ ବିରୁଦ୍ଧରେ ଯାଇ ଝିଅଟିକୁ ନିଜ ଘରକୁ ନେଇ ଗଲା।
କିଛି ଦିନ ପରେ।କୃଷ୍ଣାର ପରିବାର ଗାଁକୁ ଫେରି ଆସିଲେ ସତ କିନ୍ତୁ କୃଷ୍ଣା ସହିତ ତାଙ୍କର ଆଉ କୌଣସି ସଂପର୍କ ରହିଲାନି।
ବିମଳା କିନ୍ତୁ କୁଷ୍ଣାକୁ ନିଜର ଝିଅ ଭଳି ରଖିଲା। କୃଷ୍ଣାକୁ ପାଠ ପଢାଇଲା। କୃଷ୍ଣାର ମନୋବଳ ବଢାଇଲା। ଗାଁ ଲୋକଙ୍କ ଟାହି ଟାପରାକୁ ଭୃକ୍ଷେପ ନକରି କୃଷ୍ଣା ପାଠ ପଢିଲା। ବି.ଏ ପାଶ୍ କରି ନର୍ସିଙ୍ଗ୍ ଟ୍ରେନିଙ୍ଗ୍ ନେଲା।ନ ଟ୍ରେନିଙ୍ଗ ନେଲା ପରେ ଗାଁ ପାଖ ଗୋଟିଏ ଡାକ୍ତରଖାନାରେ ନର୍ସ ଭାବରେ ନିଯୁକ୍ତି ପାଇଲା। ବିମଳାର ସ୍ନେହ ଓ ସହଯୋଗରେ ସେ ନିଜ ଉପରେ ଘଟିଥିବା ଦୁର୍ଘଟଣା ଟିକୁ
ଭୂଲିବାକୁ ଚେଷ୍ଟା କରୁଥିଲା।
କୃଷ୍ଣା ଚାକିରୀ ପାଇବା ଦିନ ଗାଁରେ ବୁଲି ବୁଲି ସମସ୍ତଙ୍କୁ ଶୁଣେଇ ଶୁଣେଇ କହୁଥାଏ,
--ଦେଖ ଯାହାକୁ କଳଙ୍କିନୀ , ସମାଜ ପାଇଁ ଆନୁପଯୁକ୍ତ କହି ଗୋଡରେ ଆଡେଇ ଦେଉଥିଲ ।ସେ ଆଜି ଚାକିରୀ ପାଇ ସମାଜର ସେବା କରିବ।
ଝିଆଟିକୁ ନିଜ ଗୋଡରେ ଠିଆ କରାଇବା ପରେ ବିମଳା ଟିକେ ଆଶ୍ୱସ୍ତ ହୋଇଥିଲା। କୃଷ୍ଣା ଚାକିରୀରେ ଯୋଗ ଦେବା ପରେ ନିଜର ନିସ୍ୱ।ର୍ଥପର ସେବା ଦ୍ୱ।ରା ଖୁବ୍ ଅଳ୍ପ ସମୟରେ ସମସ୍ତଙ୍କର ପ୍ରିୟପାତ୍ର ହୋଇଗଲା।
ଦିନେ ଆକ୍ସିଡେଣ୍ଟରେ ଆହାତ ହୋଇ ଜଣେ ବୃଦ୍ଧ ବ୍ୟକ୍ତି ଆସିଲେ। ସମସ୍ତେ ବଂଚିବାର ଆଶା ଛାଡି ଦେଇଥିଲେ। କିନ୍ତୁ ଡାକ୍ତରଙ୍କ ଚିକିତ୍ସା ଓ କୃଷ୍ଣାର ସେବାର ନିଷ୍ଠା ଯୋଗୁ ଲୋକଟି ଆରୋଗ୍ୟ ଲାଭ କଲା। ବୃଦ୍ଧ ଜଣଙ୍କ ଜଣେ ବ୍ୟବସାୟୀ ଥିଲେ।
ବୃଦ୍ଧଙ୍କର ପରିବାର ଝିଅଟିର ସେବାରେ ଖୁସୀ ହୋଇ ଯାଇଥିଲେ।
ଭଲହୋଇ ଘରକୁ ଗଲା ପରେ,କୃଷ୍ଣା ବିଷୟରେ ସମସ୍ତ ଖବର ସଂଗ୍ରହ କରି ବୃଦ୍ଧା ନିଜ ପୁଅ ସହିତ ବିବାହ ପ୍ରସ୍ତାବ ନେଇ ବିମଳା ଘରକୁ ଯାଇ କହିଲେ
--ଆପଣ ଯଦି ରାଜି ହୁଅନ୍ତେ ମୁଁ ମୋ ପୁଅ ସହ କୃଷ୍ଣାର ବିଵାହ କରନ୍ତି।ମୋ ପୁଅଟି ମୋ ସହିତ ବ୍ୟବସାୟ କରୁଛି।
--ଆପଣ କୃଷ୍ଣାର ଅତୀତ ବିଷୟରେ ଜାଣନ୍ତି।!!
--ଆମେ ସମସ୍ତେ କୃଷ୍ଣାର ଅତୀତ ବିଷୟରେ ଜାଣୁ।ହେଲେ ଏଥିରେ ତାର ତ କୌଣସି ଦୋଷ ନାହିଁ। ଏହା ଏକ ଦୁର୍ଘଟଣା ଥିଲା।ଏଥିପାଇଁ ସେ କାହିଁକି ଦଣ୍ଡିତ ହେବ। ମୋ ପୁଅ ବି ସମସ୍ତ କଥା ଜାଣେ।ଏତେ ଭଲ ଝିଅ ଭାଗ୍ୟରେ ଥିଲେ ମିଳେ।ଆମର କୌଣସି ଆପତ୍ତି ନାହିଁ। ବିମଳା କୃଷ୍ଣା ସହ ଆଲୋଚନା କରି ବିବାହ ସ୍ଥିର କରିଛି।
ଯେଉଁ ଦିନ କୃଷ୍ଣାର ବିବାହ ଆନୁଷ୍ଟିତ ହେଉଥିଲା ସମଗ୍ର ଗାଁ ବାଲା ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ। ବିମଳା କୃଷ୍ଣାକୁ ତା' ବାପା ମା'ଙ୍କୁ ନିମନ୍ତ୍ରଣ କରିବା ପାଇଁ ଯେତେ ଅନୁରୋଧ କରିଥିଲେ ବି କୃଷ୍ଣା ରାଜି ହୋଇନଥିଲା ବରଂ କହିଥିଲା
--ମୁଁ ତ ସେମାନଙ୍କ ପାଇଁ ସେଦିନ ଠାରୁ ମରି ଯାଇଛି ମାଉସୀ।ସେମାନେ କାହିଁକି ଆସିବେ।ମୋର ଏ ନବଜନ୍ମରେ ତୁ ହିଁ ମୋର ସବୁକିଛି।
କୃଷ୍ଣାର ବାହାଘର ଦିନ ତା'ବାପା ଦୂରେ ଥାଇ ଲୁହ ଗଡେଇ ନିଜକୁ ଧିକ୍କାରୁ ଥିଲେ।ଭାବୁଥିଲା
--ଗୋଟିଏ ବିଧବା ସ୍ତ୍ରୀ ଲୋକ ଯଦି ସାହାସ କରି ସମାଜକୁ ସାମ୍ନା କରି ପାରିଲା,ଅଥଚ ନିଜ ବାପା ହୋଇ ମୁଁ କରି ପାରିଲିନି!! । ଧିକ୍ ଏ ସମାଜର ଅନ୍ଧ ନିୟମ !।ଧିକ୍ ମୋ ପିତୃତ୍ୱ !!!