ସ୍ଵରୂପ
ସ୍ଵରୂପ
ପ୍ରେମ ବାରି ପାରେ ଗନ୍ଧ
ଉଡୁଥିବା ଚିରାଗର
ବର୍ଣ୍ଣ ବୈଷମ୍ୟତା
ଉଦ୍ ବେଳିତ ହୃଦୟର ଅନ୍ତର୍ଦାହ
ଲୁହ ତଳେ ଲୁଚିଥିବା
ଛଳ ଛଳ କୋହର ସ୍ପନ୍ଦନ
ବିଷାୟନ ତୀବ୍ର ବିଷର୍ଣ୍ଣତା
ପ୍ରେମ ଇଡି ପାରେ
ଏଡେଇ ପାରେନା -
ଝରି ଆସେ ଝର ଝର
ସ୍ନିଗ୍ଧ ସ୍ଵଚ୍ଛ ପୀୟୂଷର ଧାର
ପର୍ଯ୍ୟାପ୍ତ ପ୍ରେମର ଦ୍ୟୁତି
ପ୍ରତ୍ୟୁଷର ଶୀତଳ ସମୀର
ସିକ୍ତ କରେ ରିକ୍ତ ମନ
ମୁକ୍ତ କରେ ଅୟୁତ ସ୍ଵପ୍ନ
ଛନକାରେ ଛପିଥିବା
ଛାତି ତଳେ ଯେତେ ନିଥରତା ।
ପ୍ରେମ ଶୁଣି ପାରେ ବିରହ ଦଂଶନ
ସ୍ପର୍ଦ୍ଧିତ ଆସ୍ପର୍ଦ୍ଧାର ନଗ୍ନ ଉଚ୍ଚାରଣ
ପତିତର ଆର୍ତ୍ତନାଦ
ଯନ୍ତ୍ରଣାରେ ମର୍ମରିତ
ଧର୍ଷଣରେ ଜର୍ଜରିତ
ଅକ୍ଷତା କୁମାରୀର କରୁଣ କ୍ରନ୍ଦନ ।
ପ୍ରେମ କଳିପାରେ କଳ୍ପ ଲୋକ ମାୟା
ତନ୍ଦ୍ରାଚ୍ଛନ୍ନ ପ୍ରତାରଣା
ପ୍ରବଞ୍ଚନା ପ୍ରତାରକ କାୟା
ପ୍ରେମ କୋଳେଇ ପାରେ
ମୃତ୍ୟୁର ଶୀତଳ ସ୍ପର୍ଶ
ଫେରେଇ ପାରେ ମୃତ୍ୟୁରୁ ଜୀବନ,
ସହିପାରେ ତାଡନର ତଡିତ୍ ପ୍ରବାହ
ଗବାକ୍ଷରେ କରାଘାତ କରୁଥିବା
ଅସହିଷ୍ଣୁତାର ନିଷ୍ଠୁର ବଳୟ ।
ପ୍ରେମ ବୁଣିପାରେ
ବକ୍ ବାସ୍ କରୁଥିବା ଯେହାଦୀ ବୁଲେଟରେ
ସୋରିଷ ଫୁଲର କ୍ଷେତ
ପ୍ରୀତିପ୍ରଦ ପ୍ରେମର ବାର୍ତ୍ତା ,
ତମିସ୍ରାର ଘନ ଅନ୍ଧକାରେ, ହୋଇପାରେ
ଆଲୋକର ଚେନାଏ ଆଶ୍ବାସନା
ପାପୁଲାଏ ବିଶ୍ଵାସର ନୀଳ ତନ୍ମୟତା ।।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
ନେମ୍ବରା, କେନ୍ଦ୍ରାପଡ