ପ୍ରେମ କଳ୍ପ
ପ୍ରେମ କଳ୍ପ
ମାୟାବିନୀର କୁହୁକ ବଣରେ
ହଜିଗଲା ପରେ ଭଗ୍ନ ହୃଦୟରେ
ଐନ୍ଦ୍ରଜାଲ ଛାପି ଯାଏ ପଲକ ପାତରେ ।
ମଘବଙ୍କ ବଜ୍ରପାତ ଘନ ଘୋର ବର୍ଷଣ
ମହୀରୁହ ଟଳି ପଡେ ହୋଇ ଶାଖା ହୀନ
ନିଦ୍ରା ହଜି ଯାଏ ବେନି ନୟନ ପ୍ରାନ୍ତରେ ।
ସ୍ବପ୍ନ ଅପସରି ଯାଏ ରାତ୍ରୀ ପାହାନ୍ତା ପ୍ରହରେ
ଉଷ୍ମତାର ଆସ୍ତରଣ ଅଙ୍ଗ ପ୍ରତ୍ୟଙ୍ଗରେ ଧରେ
ଭାଙ୍ଗିଯାଏ ମନ ସେଇ ନିବୁଜ କୋଠରୀରେ ।
ଆସବାବପତ୍ର ଗହଳରେ ମନ ବୁଝେ ନାହିଁ
ମଣିଷ ବଜ଼ାର ଭିତରେ ମନଟିଏ ପାଏ ନାହିଁ
ବଦଳେ ତ ରୂପ କଳ୍ପ ପ୍ରତିଟି ମୁହୂର୍ତ୍ତରେ ।
ସିକ୍ତ ନୟନ, ସିକ୍ତ ହୃଦୟ ,ସିକ୍ତ ପ୍ରାଣ ଆଜି ଖୋଜେ
ପିତା, ମାତା ସଖା ,ସୋହୋଦର ସ୍ନେହ ଭଲୁଣ୍ଠିତ ସ୍ୱାର୍ଥ ଶେଜେ
ପିଆସୀ ପ୍ରାଣ ତ ସସୀମ ପରଶେ ଅସୀମକୁ ଖାଲି ଝୁରେ ।
କେବେ ତ ହସିବ ସୁନ୍ଦର ଧରା ପବିତ୍ର ପ୍ରେମ ଛୁଆଁରେ
ନବ କିଶଳୟେ ବିକଶି ଉଠିବ ମୁକୁଳା ଦିଗନ୍ତରେ
ନବ ଉନ୍ମାଦନା ଜାଗିବ ହୃଦୟେ ନବ ଦିଗନ୍ତର ପ୍ରକାଶରେ
ନିର୍ଯାତନା ଶବ୍ଦ ଲୁପ୍ତ ହୋଇଯିବ,
ଅଧରେ ମଧୁର ହସ ଖେଳିଯିବ
ଗୁଣୁ ଗୁଣୁ ମଧୂପର ଗୁଞ୍ଜନରେ
ପ୍ରେମ କଳ୍ପ ପଲ୍ଲବିତ ହେବା ଆଶାରେ
ପ୍ରତୀକ୍ଷା ଅଛି ଆସିବା ପାଇଁ ସମୟର ସ୍ବାକ୍ଷର
ଶାଶ୍ୱତ ଅମର ପ୍ରେମ -ବନ୍ଧନରେ ।
* * * *
ସିପ୍ରା ନାମତା