ନିଜ ନିଜ ପାନିପଥ
ନିଜ ନିଜ ପାନିପଥ
ଆଗରୁ ପଡିଥିବା ଯେତେ ସବୁ ବାଟ
ସାଧନର ସୁଦୃଶ୍ୟ ଉନ୍ମୁକ୍ତ ମାର୍ଗ
ଇଷ୍ଟ ପାଇଁ ଚିତ୍ତ ବୃତ୍ତି - ଚିତ୍ତ ପାଇଁ ଇଷ୍ଟ
ମୋର କାହିଁ ମନେହୁଏ
ସେ ସବୁ ଉଦ୍ଭଟ ଉଦ୍ଭଟ ,
ପ୍ରହେଳିକା ପ୍ରଲୁବ୍ଧିର ପ୍ରବୋଧନା
ମୋ ପାଇଁ ନିଷିଦ୍ଧ ଅନ୍ଧାର
ଅବରୁଦ୍ଧ ସଜ୍ଜିତ ପ୍ରକୋଷ୍ଠ ।
ସବୁ ବାଟ ସୀମାହୀନ ସାଗରର
ଗୋଟେ ଘାଟେ ମିଶେ
ମିଶିବାର ଆନନ୍ଦରେ ମଗ୍ନ ମନ
ମୂହୁର୍ତ୍ତକେ ଭୁଲିଯାଏ
ଅତିକ୍ରମ କରିଥିବା ଯେତେ ସବୁ ବାଟ ।
ଆଗରୁ ଫିଟିଥିବା ଯେତେ ସବୁ ପଥ
ଆଲୋକ ଓ ଅନ୍ଧାରର ଖରା ଛାଇ ଖେଳ
ମାୟାଚ୍ଛନ୍ନ ମଧୁ କୁଞ୍ଜ ଧୂମ୍ରାଭ ଦିଗନ୍ତ,
ପଥିକର ମୃଗତୃଷ୍ଣା ମରୀଚିକା ମାୟା
ଯେତେ ଯେତେ ଚାଲିଲେ ବି
ଧାବମାନ ଦୂର ଚକ୍ରବାଳ
ସମ୍ମୁଖରେ ମରୀଚିକା କରୁଥାଏ ନୃତ୍ୟ ।
ମହତ୍ତର ମାର୍ଗ ବାଛି ମହାଜନ ମାନେ
ଗଢିଥିବା ଗଢୁଥିବା ଯେତେ ସବୁ
ଶାନ୍ତିପ୍ରଦ ମହତ ବାଟ ,
ପଶ୍ଚାତ୍ ଗାମୀ ପଥିକର ମତିଭ୍ରମ କରେ
ସୁନିର୍ଦ୍ଦିଷ୍ଟ ବାଟ ସବୁ ହୁଏ ନିରୁଦ୍ଦିଷ୍ଟ ।
ପୃଥିବୀ କି' ଛାଡିପାରେ ନିଜ ଅକ୍ଷ
ଗ୍ରହ ତାରା ଚନ୍ଦ୍ର ସୂର୍ଯ୍ୟ
ସଭିଁଏ ତ ଏକା ଏକା
ଅତିକ୍ରମ କରୁଥାନ୍ତି ସ୍ବ ସ୍ବ କକ୍ଷ
ନିଜ ପାଇଁ ଉଦ୍ଦିଷ୍ଟ ପଥରେ
ନ ହୋଇ ବିଚ୍ୟୁତ ।
ମୁଁ ଏକା ଗଢିପାରେ ମୋ ପାଇଁ ବାଟ
ଜୀବନ ଯୁଝିବା ପାଇଁ
ଏକା ଏକା ନିଜ ପାନିପଥ ।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
ନେମ୍ବରା, କେନ୍ଦ୍ରାପଡା ।