ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଯେ କରେ ପର ଉପକାର

ଯେ କରେ ପର ଉପକାର

3 mins
349



ମନପବନ


ସମୁଦ୍ରରେ ତୋଫାନ ଉଠିଛି । ଢେଉ ଗୁଡିକ ତଳ ଉପର ହୋଇ ନାଚୁଛନ୍ତି । ସତେ ଯେପରି ସୁଯୋଗ ପାଇଲେ ସମ୍ପୂର୍ଣ୍ଣ ସ୍ଥଳଭାଗକୁ ଗ୍ରାସ କରିଯିବେ । କ୍ଷଣକେ ନିଶ୍ଚିହ୍ନ କରିଦେବେ ଜୀବ ଜଗତକୁ ।

     ସେଇ ତୋଫାନ ମଧ୍ୟରେ ଜାହାଜଟିଏ ତଳଉପର ହୋଇ ନାଚୁଛି । ଭିତରେ ଅଛନ୍ତି ଅସହାୟ ମଣିଷ କେତୋଟି । ବଞ୍ଚିବାର ସମସ୍ତ ଆଶା ତ୍ୟାଗକରି ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି । ଅଳ୍ପ କେତୋଟି ମୁହୂର୍ତ୍ତ ଅତିକ୍ରାନ୍ତ ହୋଇଥିଲେ ଜାହାଜ କୂଳ ଛୁଇଁ ଥାନ୍ତା । ସେମାନେ ନିର୍ବିଘ୍ନରେ ନିଜ ନିଜ ଘରକୁ ଫେରି ଯାଇଥାନ୍ତେ । ମାତ୍ର ବିପଦ ଯାହାକୁ ଅପେକ୍ଷା କରି ରହିଛି, ତାପାଇଁ ମୁକ୍ତିର ପଥ କାହିଁ ?

     ସମୁଦ୍ର କୂଳରେ ଠିଆ ହୋଇ ପିଲାଟିଏ ତୋଫାନର ଏଇ କରାଳ ଦୃଶ୍ୟକୁ ଏକ ଲୟରେ ଚାହିଁ ରହିଥିଲା । ହଠାତ୍ ସେ ଦେଖିପାରିଲା ବିପଦଗ୍ରସ୍ତ ଜାହାଜଟିକୁ । ମନରେ ତାର ଦୟା ଆସିଲା । ଆହା ସାହଯ୍ୟ ବିନା ଏତେ ଗୁଡିଏ ଅମୂଲ୍ୟ ଜୀବନ ଅକାଳରେ ମୃତ୍ୟୁ ବରଣ କରିବେ । ଏମାନଙ୍କୁ ଉଦ୍ଧାର କରିବା କ’ଣ ସମ୍ଭବ ନୁହେଁ ? ନାଁ.. ଯେ କୌଣସି ପ୍ରକାରରେ ହେଉ ଜାହାଜର ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ହେବ । ପିଲାଟି ଏକମୁହାଁ ହୋଇ ଧାଇଁଲା ମା ପାଖକୁ । କାନ୍ଦି କାନ୍ଦି କହିଲା “ମା-! ତୁମେ ଯଦି ଅନୁମତି ଦିଅନ୍ତ ତେବେ ମୁଁ ନାବ ନେଇ ସମୁଦ୍ରକୁ ଯାଆନ୍ତି । ଅସହାୟ ଯାତ୍ରୀମାନଙ୍କୁ ଉଦ୍ଧାର କରନ୍ତି ।”

     ଚମକି ପଡିଲେ ମାଆ । ପାଞ୍ଚବର୍ଷ ତଳେ ସ୍ୱାମୀ ତାଙ୍କର ନାବରେ ବସି ସମୁଦ୍ର ଯାତ୍ରା କରିଥିଲେ । ଏ ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି । ସେ ଯେ ଜୀବିତ ଅଛନ୍ତି ମନରୁ ପାସୋରି ଦେଲେଣି ସେ । ଏଇ ପୁଅଟି ବ୍ୟତୀତ ତାଙ୍କର ଆଉ ସାହା ଭରସା କେହିଁ ନାହିଁ । ଏ ଝଡ ତୋଫାନରେ ଯଦି ପିଲାଟିର କିଛି ହୋଇଯାଏ କାହାକୁ ଦେଖି ସେ ଜୀବନ କାଟିବେ ।

     ଏଇ କଥା ଭାବୁ ଭାବୁ ତାଙ୍କର ଦୃଷ୍ଟି ପଡିଲା ଜାହାଜଟି ଉପରେ । ଜାହାଜର ଆଶ୍ରୟହୀନ ଯାତ୍ରୀମାନେ ବ୍ୟାକୁଳ ହୃଦୟରେ ଜୀବନ ଭିକ୍ଷା କରୁଛନ୍ତି । ଘରେ ସେମାନଙ୍କର ବାପା ମା , ପୁଅ ଝିଅ, ସାଙ୍ଗସାଥୀ ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଥିବେ । ଜାହାଜଟି ବିପଦଗ୍ରସ୍ତ । କଣ ହେବ ଯାତ୍ରୀ ମାନଙ୍କର କଣହେବ ସେମାନଙ୍କ ଉପରେ ନିର୍ଭୟକରି ଚଳୁଥିବା ଲୋକମାନଙ୍କର ? ମୋ ପୁଅର କିଛି କ୍ଷତି ହେଲେ ଏକା କଷ୍ଟ ଭୋଗିବି ମୁଁ । ଜାହାଜଟି ନଷ୍ଟହେଲେ ଅନେକ ପରିବାର ନଷ୍ଟ ହୋଇଯିବ । ନାଁ ମୁଁ ପଛେ କଷ୍ଟ ଭୋଗିଲେ ଭୋଗିବି, ଏତେ ଗୁଡିଏ ପରିବାର ରକ୍ଷା ପାଆନ୍ତୁ ଏଇଆ ଭାବି ସେ ପୁଅକୁ କହିଲେ “ପୁଅରେ ତୁ ଯାଆ, ଭଗବାନ ତୋର ମଙ୍ଗଳ କରନ୍ତୁ । ତୋ ଯାତ୍ରା ସଫଳ ହେଉ ।”

     ମା’ ଙ୍କର ଆଜ୍ଞାପାଇ ବାଳକଟି ଡେଇଁ ପଡିଲା ନାବ ଉପରକୁ । ପରମୁହୂର୍ତ୍ତରେ ନାବଟି ପବନ ବେଗରେ ଗତିକରି ଚାଲିଲା ଆଗକୁ । ସଫଳ ହେଲା ପିଲାଟି ।ଜାହାଜର ସମସ୍ତ ଯାତ୍ରୀମାନଙ୍କର ଜୀବନ ରକ୍ଷାପାଇଗଲା । ଦୈବୀଯୋଗ ଉଦ୍ଧାର ପାଇଥିବା ଯାତ୍ରୀମାନଙ୍କ ମଧ୍ୟରେ ବାଳକଟିର ପିତା ଥିଲେ । ବାଳକ ଏବଂ ସାଙ୍ଗରେ ଥିବା ନାବଟିକୁ ଦେଖି ପିତା ତାକୁ ଚିହ୍ନିଲେ । ବାଳକ ପଚାରିଲା- “ପିତା! ଆପଣ ଏତେ ଦିନଧରି କେଉଁଠି ଥିଲେ ?” ଆମେ ଭାବିଥିଲୁ ଆପଣ ଆଉ ଇହଧାମରେ ନାହାନ୍ତି ।

     ପିତା କହିଲେ “ସମୁଦ୍ରରେ ହଠାତ୍ ତୋଫାନ ଆସିଲା । ସେଇ ତୋଫାନରେ ମୋ ନାବଟି ଓଲଟି ପଡିଲା । ଏହି ସମୟରେ ଏକ କାଠଗଡକୁ ଆଶ୍ରୟ କରି ମୁଁ ପହଁରିବାକୁ ଲାଗିଲି । ସୌଭାଗ୍ୟକ୍ରମେ ଗୋଟିଏ ଜାହାଜ ମୋର ପାଖଦେଇ ଯାଉଥିଲା । ଜାହାଜର କର୍ମଚାରୀ ମାନଙ୍କ ଦୃଷ୍ଟି ମୋ ଉପରେ ପଡିଲା । ସେମାନେ ମୋତେ ଜାହାଜ ଉପରକୁ ଟେକିନେଲେ । ସେଇ ଜାହାଜରେ ବସି ମୁଁ ଆଜି ପୁଣି ଫେରୁଥିଲି ଏତିକି ବେଳେ ତୋଫାନ ଆସିଲା । ତୁ ନାବ ନେଇ ମୋତେ ଏବଂ ମୋର ସହଯାତ୍ରୀ ମାନଙ୍କୁ ଉଦ୍ଧାର କଲୁ ।”

     ପିତା ଓ ପୁତ୍ର ଦୁହେଁ ଘରେ ପହଞ୍ଚିଲେ । ବାଳକଟି ତାର ମା’ ଙ୍କୁ କହିଲା, “ଦେଖ ମା ତୁମେ ମୋତେ ନାବ ନେଇ ସମୁଦ୍ରକୁ ଯିବାପାଇଁ ଅନୁମତି ଦେବାରୁ ସମସ୍ତ ଯାତ୍ରୀ ବଞ୍ଚିଗଲେ । ସେମାନଙ୍କ ମଧ୍ୟରେ ମୋ ବାପା ବି ଥିଲେ ।” ମା’ ଏହି ଆକସ୍ମିକ ଘଟଣାରେ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ଏହାକୁ ଭଗବାନଙ୍କର ଆଶୀର୍ବାଦ ବୋଲି ଭାବିନେଲେ ।

     ପିଲାଟି ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ତୁଚ୍ଛକରି ଧାଇଁ ଯାଇଥିଲା । ତାର ଉପଯୁକ୍ତ ପୁରସ୍କାର ସେ ପାଇଲା । ଯେ ଅନ୍ୟର ଉପକାର କରେ ଭଗବାନ ତାର ଉପକାର କରନ୍ତି ।


Rate this content
Log in