ଯାତ୍ରା କିଛି କ୍ଷଣ ର
ଯାତ୍ରା କିଛି କ୍ଷଣ ର
ଜୀବନ ତ ଏକ ସୁଖିଲା ନଈ ପରି ଜଳ ଶୂନ୍ୟ।ସେଇ ସୁଖିଲା ନଈ ରୁ ଯେତେ ବାଲି ସାଉଁଟିଲେ ବି ସରୁନି ।ସେଇ ମୁଠା ମୁଠା ବାଲି କୁ ଆଡେଇ ଖୋଜି ଚାଲିଛି ସେଇ ଦୁଲ୍ଲଭ ସାମୁକା କୁ ଯାହା ଗର୍ଭରେ ଛପି ରହିଛି ଅମୂଲ୍ୟ ମୋତି।ଶିକ୍ଷା ସମ୍ମାନ ବିଭାଗରେ ପ୍ରଥମ କରି ମୁଁ ଯୋଉଦିନ ପ୍ରବେଶ କଲି ସେଦିନ ମୁଁ ଆମ ମମତା ମ୍ୟାଡମ୍ ଙ୍କୁ ପ୍ରଥମ କରି ଦେଖିଲି।ଆଗରୁ ବଡ ଭାଇଙ୍କ ଠୁ ମମତା ମ୍ୟାଡମ୍ ଙ୍କ ବିଷୟରେ ଅନେକ ଥର ଶୁଣି ଥିଲି।ଭାଇ କୁହନ୍ତି ଆମ କଲେଜ ରେ ସାର୍ ଏବଂ ମ୍ୟାଡମ୍ ମାନଙ୍କ ମଧ୍ୟରେ ସବୁଠୁ ସରଳ ଓ ଭଲ ମ୍ୟାଡମ୍ ହେଉଛନ୍ତି ଆମ ଶିକ୍ଷା ବିଭାଗର ମମତା ମ୍ୟାଡମ୍ ଏବଂ ସବୁଠୁ ରାଗି ସାର୍ ହେଉଛନ୍ତି ଆମ ଶିକ୍ଷା ବିଭାଗର ସାର୍ ।
ମୁଁ ସବୁ ଜାଣିବା ପରେ ଏଇ ଦିନକୁ ହିଁ ଅପେକ୍ଷା କରିଥିଲି କେବେ ମୋର ଆଡ୍ମିଶନ୍ ହେବ ଆଉ ମୁଁ ମମତା ମ୍ୟାଡମ୍ ଙ୍କ ସହ ମୋର ଦେଖା ହେବ।ସେଦିନ ମୁଁ ଯେବେ ପ୍ରଥମ କରି ମମତା ମ୍ୟାଡମ୍ ଙ୍କୁ ଦେଖିଲି ସେ ତାଙ୍କର ପରିଚୟ ଦେବା ଆଗରୁ ହିଁ ମୁଁ ତାଙ୍କୁ ଚିହ୍ନି ପାରିଲି।ଅତି ମାତ୍ରାରେ ସେ ମତେ ଭଲ ଲାଗିଲେ।ସେଇ ପ୍ରଥମ ଦିନରୁହିଁ ମୁଁ ତାଙ୍କର ବହୁତ ବଡ ସମର୍ଥକ ହୋଇଗଲି।ପରେ ପରେ କିଛି ଦିନ କଲେଜ ଯିବା ଭିତରେ ସେ ମତେ ମଧ୍ୟ ଚିହ୍ନିଗଲେ ଆଉ ଦିନେ ମୁଁ ତାଙ୍କଠୁ ତାଙ୍କ ନମ୍ବର ଦେବା ପାଇଁ ମାଗିଲି ସେ ମଧ୍ୟ ଖୁସି ହେଇ ତାଙ୍କ ନମ୍ବର ମତେ ଦେଇଦେଲେ।ମୁଁ ଯେ କୈାଣସି ବିଷୟରେ ବୁଝି ନପାରିଲେ କିମ୍ବା କିଛି ଅସୁବିଧା ହେଲେ କିଛି ନଭାବି ମ୍ୟାଡମ୍ ଙ୍କୁ କଲ୍ କରିଦିଏ ଆଉ ମ୍ୟାଡମ୍ ମତେ ସଙ୍ଗେ ସଙ୍ଗେ ସବୁ କିଛି ବୁଝେଇ ଦିଅନ୍ତି।ଜଣେ ଅଧ୍ୟାପିକା ଭାବରେ ସେ ଯାହା କରିବା କଥା ତାଠୁ ଅଧିକ ସେ ମତେ ସାହାଯ୍ୟ କରନ୍ତି।ତାଙ୍କ ବଳରେ ବଳିଆନ ହେଇ ମୁଁ କ୍ଲାସ୍ ରେ ଫାଷ୍ଟ ହୁଏ ।
ସେ ମୋର କୃତିତ୍ଵ ଦେଖି ବହୁତ ଖୁସି ହୁଅନ୍ତି ଆଉ ପ୍ରଶଂସା ମଧ୍ୟ କରନ୍ତି ।ବର୍ଷ କ ଭିତରେ ତାଙ୍କ ସହ ମୋର ସମ୍ପର୍କ ଆହୁରି ନିବିଡ ହୋଇଗଲା।କଲେଜ କୁ ଯିବା ସମୟରେ ଏବଂ କଲେଜ୍ ରୁ ଫେରିବା ସମୟରେ ମୁଁ ତାଙ୍କ ସହ ଦେଖା ନକଲେ ଜମାରୁ ଭଲ ଲାଗେନି ସେ ମଧ୍ୟ ମୋର ଗୋଟିଏ ଦିନର ଅନୁପସ୍ଥିତି ପାଇଁ ଅନେକ ପ୍ରଶ୍ନ କରିଚାଲନ୍ତି।ସେଇ ବର୍ଷ ତମାମ ମୁଁ ଖାଇବା ପିଇବା ଶୋଇବା ଭଳି ଅତ୍ୟାବଶ୍ୟକ କାମ କୁ ଛାଡି ବାକି କୈାଣସି ପ୍ରକାର କାମ କରିନାହିଁ।କେବଳ ବହି ଆଉ ମୁଁ ।ମୁଁ ଆଉ ବହି ପରଷ୍ପର ସହ ଏକାଠି ଥିଲୁ ପରଷ୍ପର ପରଷ୍ପର କୁ ଆଲିଙ୍ଗନ କରି ଜୀବନର ଆଗକୁ ଯିବାର ସ୍ବପ୍ନ ଦେଖୁଥିଲୁ।ସେ ମଝିରେ ମଝିରେ ମୋ ନିଦ ଟଳମଳ ଆଖିକୁ ବ୍ୟସ୍ତ ବିବ୍ରତ ହେବା ଦେଖୀ ଆପେ ଆପେ ବନ୍ଦ ହୋଇ ଯାଉଥିଲା ।ପୁଣି କିଛିକ୍ଷଣ ପରେ ପବନର ସାହାରା ନେଇ ଫଡ୍ ଫଡ୍ ଶଦ୍ଦ କରି ଉଠେଇ ଦେଉଥିଲା।ସେତିକି ମୋ ପାଇଁ ପଯ୍ୟାପ୍ତ ଥିଲା।ବାକି ମୁଁ ମୋର ସମୟ ଆଉ ଶକ୍ତି ଲଗେଇ ଆଗକୁ ବଢି ଚାଲିଥିଲି।ଆଉ ସବୁ କିଛି ପରିଶ୍ରମର ଫଳ ମତେ ମିଳିଗଲା ମୁଁ ପ୍ରଥମ ବର୍ଷ ସର୍ବାଧିକ ନମ୍ବର ରଖି ପାସ୍ କଲି ତାପରେ ମୋ ଖୁସି କହିଲେ ନସରେ।
