ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଉତ୍ତମ ଗୁଣ

ଉତ୍ତମ ଗୁଣ

3 mins
358


ଉତ୍ତମ ଗୁଣ

ମନପବନ

ବାରଣାସୀରେ ରାଜତ୍ୱ କରୁଥିଲେ ରାଜା ବ୍ରହ୍ମଦତ୍ତ । ଜଣେ ନ୍ୟାୟପରାୟଣ ଓ ଦାନଶୀଳ ରାଜା ଭାବରେ ପ୍ରଜାମାନେ ତାଙ୍କୁ ପ୍ରଶଂସା କରୁଥିଲେ ।

     ରାଜାଙ୍କର ମନ୍ତ୍ରୀ ମଧ୍ୟ ଜଣେ ନ୍ୟାୟପରାୟଣ ଲୋକଥିଲେ । ଏଣୁ ରାଜା ଓ ମନ୍ତ୍ରୀଙ୍କର ମିଳିତ ପ୍ରୟାସରେ ରାଜ୍ୟରେ ସୁଖ ଓ ଶାନ୍ତି ବିରାଜମାନ କରୁଥିଲା । ଚୋରି ବା ଅନ୍ୟାୟ ଅତ୍ୟାଚାର ତାଙ୍କ ରାଜ୍ୟରେ ହେଉ ନ ଥିଲା କହିଲେ ଚଳେ । ଏଣୁ ଏଭଳି ଅଭିଯୋଗ ନେଇ ଦରବାରକୁ କେହିଁ ଆସୁନଥିଲେ । ସବୁ ପ୍ରଜା ସୁଖରେ ରହୁଥିଲେ ।

     ଦିନେ ରାଜା ବ୍ରହ୍ମଦତ୍ତ ଭାବିଲେ, ଆମରାଜ୍ୟରେ ତ ସୁଖଶାନ୍ତି ବିରାଜମାନ କରୁଛି । ଦରବାରକୁ କେହି କୌଣସି ଅଭିଯୋଗ ନେଇ ଆସୁନାହାନ୍ତି । ତେବେ ପ୍ରକୃତରେ ସେମାନେ ସୁଖ ଶାନ୍ତିରେ ରହୁଛନ୍ତି ନା ତାଙ୍କୁ ଭୟରେ କେହି ଅଭିଯୋଗ କରିବାକୁ ଆସୁନାହାନ୍ତି, ତାହା ପରଖିବା ପାଇଁ ରାଜା ସହର ଭ୍ରମଣରେ ବାହାରିଲେ । ପ୍ରକୃତରେ ସହର ପରିଭ୍ରମଣ ସମୟରେ କେହି ଜଣେ ହେଲେ ପ୍ରଜା ଅଭିଯୋଗ କଲେନାହିଁ । ବରଂ ସମସ୍ତେ ରାଜାଙ୍କର ପ୍ରଶଂସା କଲେ । ଏହାଦେଖି ରାଜା ଖୁବ୍ ଆଶ୍ଚର୍ଯ୍ୟ ହେଲେ ।

     ପଡୋଶୀ ରାଜ୍ୟ କୋଶଳରେ ସେତେବେଳେ ଶାସନ କରୁଥାନ୍ତି ମଲିକ । ବ୍ରହ୍ମଦତ୍ତଙ୍କ ଭଳି ସେ ମଧ୍ୟ ସହର ଭ୍ରମଣକରି ପ୍ରଜାମାନଙ୍କର ସୁଖଦୁଃଖ ସମ୍ପର୍କରେ ଜାଣିବାକୁ ଚାହିଁଲେ, କିନ୍ତୁ କେହି ଜଣେହେଲେ ପ୍ରଶାସନ ସମ୍ପର୍କରେ କୌଣସି ଅଭିଯୋଗ କଲେନାହିଁ ।

     ଦୁଇ ରାଜା ଏମିତି ବୁଲୁ ବୁଲୁ ସୀମାନ୍ତରେ ଆସି ପହଞ୍ଚିଲେ । ସୀମାନ୍ତରେ ରାସ୍ତା ଗୁଡିକ ଏତେ ଅଣଓସାରିଆ ଥିଲା ଯେ, ଦୁଇଟା ରଥ ଏକା ସାଙ୍ଗରେ ଯିବା ଅସମ୍ଭବ ଥିଲା ।

     କୋଶଳ ଦେଶର ରାଜାଙ୍କ ସାରଥି ବ୍ରହ୍ମଦତ୍ତଙ୍କ ସାରଥିକୁ କହିଲା,

“ତୁମେ ତୁମର ରଥକୁ ପଛକୁ ହଟାଅ ଆମେ ଆଗ ଯିବୁ ।”

     ଏହାଶୁଣି ବ୍ରହ୍ମଦତ୍ତଙ୍କ ସାରଥି ଉତ୍ତର ଦେଲା । “ତୁମେ କଣ ଜାଣିପାରୁନାହଁ ଯେ, ବ୍ରହ୍ମଦତ୍ତ ମୋ ରଥରେ ବସିଛନ୍ତି । ଏଣୁ ତୁମେ ତୁମର ରଥକୁ ପଛକୁ ହଟାଅ ।”

     କୋଶଳ ରାଜାଙ୍କ ସାରଥି ଏହାଶୁଣି କହିଲା, ମୋ ରଥରେ ରାଜା ମଲିକ ମଧ୍ୟ ବିରାଜମାନ କରିଛନ୍ତି । ରାଜା ବ୍ରହ୍ମଦତ୍ତଙ୍କ ସାରଥି ମଧ୍ୟ ଚିନ୍ତାରେ ପଡିଗଲେ । ସେ ରଥରେ ରାଜା ବିରାଜମାନ କରିଥିବା ବେଳେ ତା’ ର ରଥରେ ମଧ୍ୟ ରାଜା ବିରାଜମାନ କରିଛନ୍ତି । ଏ କ୍ଷେତ୍ରରେ କଣ କରାଯାଇପାରେ । ହଠାତ୍ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା, ଯିଏ ବୟସରେ ଛୋଟ ହୋଇଥିବ ସିଏ ପ୍ରଥମେ ପଛକୁ ହଟିବ । ଏଣୁ କୋଶଳ ଦେଶର ରାଜାଙ୍କର ବୟସ କେତେ ପଚରା ଯାଉ । ବ୍ରହ୍ମଦତ୍ତଙ୍କ ସାରଥି ପଚାରିଲା, “ହେ ସାରଥି !ତୁମ ରାଜାଙ୍କ ବୟସ କେତେ ?”

     କୋଶଳ ଦେଶର ସାରଥି କହିଲା “ପଚାଶ ବର୍ଷ “

     ବ୍ରହ୍ମଦତ୍ତ ଙ୍କ ସାରଥି ଆହୁରି ଚିନ୍ତାରେ ପଡିଗଲା । କାରଣ ତାଙ୍କ ରାଜାଙ୍କ ବୟସ ମଧ୍ୟ “ପଚାଶ ବର୍ଷ ।” ଅର୍ଥାତ୍ ଦୁହିଁଙ୍କ ବୟସ ସମାନ ।

     ଏମିତି ଭାବରେ ଦୁଇ ରାଜ୍ୟର ଧନସମ୍ପତ୍ତି, ସୈନ୍ୟସାମନ୍ତଙ୍କ କଥା ପଚରା ଗଲା ସବୁଥିରେ ଦୁଇରାଜ୍ୟ ସମାନ ।

     ରାଜା ବ୍ରହ୍ମଦତ୍ତଙ୍କ ସାରଥି ଅଧିକ ଚିନ୍ତାରେ ପଡିଗଲା । ଏବେ କ’ଣ କରାଯିବ?ସବୁକିଛି ତ ସମାନ, ତେବେ ସେ ପୁଣି ଥରେ ପଚାରିଲା, “କୁହନ୍ତୁ ମହାଭାଗ ।ଆପଣଙ୍କ ରାଜା ଦୋଷୀକୁ କିପରି ଦଣ୍ଡ ଦିଅନ୍ତି ?”

     ରାଜା ମଲିକଙ୍କ ସାରଥିକୁ ଉତ୍ତର ଦେଲା, “ମୋ ଦେଶରେ ରାଜା ବଦମାସ ଲୋକକୁ ବଦମାସି ଭାବରେ, ଦୁଷ୍ଟଲୋକକୁ ଦୁଷ୍ଟତା ଦ୍ୱାରା ଏବଂ ଦୟାଳୁ ଲୋକଙ୍କୁ ଦୟା ଭାବରେ, ଦଣ୍ଡିତ କରିଥାନ୍ତି । ମୋ ରାଜାଙ୍କ ଭଳି ରାଜା ଏ ପୃଥିବୀରେ କେହି ନାହାନ୍ତି । ଏଣୁ ତୁମେ ତୁମର ରଥକୁ ପଛକୁ ହଟାଇ ନିଅ ।”

     ବାରଣାସୀର ରାଜା ବ୍ରହ୍ମଦତ୍ତଙ୍କ ସାରଥି ଏକଥା ଶୁଣି କହିଲା “ମୋ ରାଜା କେବେହେଲେ କ୍ରୋଦ୍ଧ କରନ୍ତି ନାହିଁ , ଖରାପଲୋକର କଥା ଶୁଣନ୍ତି ଏବଂ ତାକୁ ସୁଧୁରିଯିବା ପାଇଁ ସୁଯୋଗ ଦିଅଲ୍ତି । ଲୋଭୀକୁ ଦଣ୍ଡଦ୍ୱାରା ନୁହେଁ ବରଂ ତାକୁ ସହାୟତା କରି ତାର ମନରୁ ଲୋଭ ଦୂର କରନ୍ତି । ଏଣୁ ତୁମେ ତୁମର ରଥକୁ ପଛକୁ ହଟାଅ ।”

     ଏହାଶୁଣି କୋଶଳର ରାଜା ମଲିକ ରଥରୁ ଓହ୍ଲାଇ ପଡିଲେ । ବ୍ରହ୍ମଦତ୍ତଙ୍କୁ ପ୍ରଣାମ କଲେ । ନିଜ ରଥକୁ ପଛକୁ ହଟାଇ ନେଇ ବ୍ରହ୍ମଦତ୍ତଙ୍କୁ ଆଗଯିବା ପାଇଁ ବାଟ ଛାଡିଦେଲେ ।

     ଖରାପକୁ ଖରାପ ଦ୍ୱାରା ନୁହେଁ, ବରଂ ଭଲକଥାକହି ବାଟକୁ ଅଣାଯାଇପାରେ ।



Rate this content
Log in