ସରସ୍ଵତୀ ପୂଜା
ସରସ୍ଵତୀ ପୂଜା
ସ୍କୁଲରେ ସରସ୍ବତୀ ପୂଜା ହେବାର ଥାଏ।ବସନ୍ତର ଆଗମନର ଶୁଭଶଙ୍ଖର ନିନାଦରେ କୋକିଳର ମିଠା କୁହୁ କୁହୁ ଗୀତିକାର ସ୍ବାଗତିକାରେ ଦେବୀ ବିଦ୍ୟାଦାତ୍ରୀ ବାଗ୍ଦେବୀ ବୀଣାପାଣୀ ଅବତୀର୍ଣ୍ଣ ହେଇ ଆସିଲେ ଧୂଳିମାଟିର ଧରଣୀ ପୃଷ୍ଠକୁ।ସମସ୍ତ ସ୍କୁଲ କଲେଜ ବିଦ୍ୟାଅଧ୍ୟୟନ ହେଉଥିବାସଂସ୍ଥା ମାନଙ୍କରେ ଆଜି ସଜବାଜ ଚାଲିଛି ଦେବୀଙ୍କ ପୂଜାଅର୍ଚ୍ଚନାଉଦ୍ଦେଶ୍ୟରେ।
ଗାଁର ଏକ ଛୋଟିଆ ସ୍କୁଲ ଘର। ଚାରିଆଡ ଘନ ବୃକ୍ଷରାଜି ପରିବେଷ୍ଟିତ ଏକ ସୁନ୍ଦର ପରିବେଶ । ଛାତ୍ରଛାତ୍ରୀ ପ୍ରଭାତରୁ ଉଠି ଶୁଦ୍ଧସ୍ନାନ ସାରି ନୂତନବସ୍ତ୍ର ପିରିହୀତ ହୋଇ ହାତରେ ପୂଜା ସାମଗ୍ରୀ ଫୁଲଫଳ ନୈବେଦ୍ୟ ଓ ଜୁଗାର ଧରି ସ୍କୁଲ ଅଭିମୁଖେ ବାହାରିଗଲେଣି। ସବୁ ସବର୍ଣ ପିଲା ବ୍ରାହ୍ମଣଙ୍କ ସହ ପୂଜାଜିନିଷ ସଜାଡିବାରେ ସାହାଯ୍ୟ କରୁଛନ୍ତି |
କେବଳ ବାବଲୁ ଓ ତା ସମ୍ପ୍ରଦାୟର ଛାତ୍ରଛାତ୍ରୀ ମାନେ ଏଥିରୁ ବଞ୍ଚିତ। ସେମାନେ ସ୍କୁଲର ସଫେଇ କାମରେ ସହଯୋଗ ଦେଉଛନ୍ଥି। ବାବ୍ଲୁର ମନରେ ଗୋଟିଏ ଦୁଃଖ ଥାଏ ସେ ଠାକୁରଙ୍କ ପାଖକୁ ଯାଇ ଜୁହାର କରି ପାରୁନି।ଆଜି ନୁହେଁ ବାକି ଦିନବି ଠାକୁର ମନ୍ଦିର ପଶିବା ତାପାଇଁ ନିଷେଧ।ସେ ବାହାରୁ ପ୍ରଭୁଙ୍କୁ ତାର ଗୁହାରି ଜଣାଏ।ଏମିତି କାହିଁକି? ତାମନରେ ଏ ପ୍ରଶ୍ନ ବାରମ୍ବାର ଉଙ୍କିମାରେ।ସେ କେତେଥର ତା ବାପା ଅଜାଙ୍କୁ ବି ପଚାରିଛି।ସେମାନେ କୁହନ୍ତି ଆମେ ଅଛୁଆଁ ମଇଳା ସଫେଇ କାମ କରୁ ବୋଲି ଆମଦେହ ଅଶୁଦ୍ଧ।
ସେଥିପାଇଁ ପୂଜା କରିବାକୁ ଅଯୋଗ୍ୟ।ହେଲେ ସେ ଭାବେ ତାଙ୍କ ପାଇଁ ଏ ଦୁନିଆଁ ଓ ପରିବେଶ ସଫା ସ୍ବଚ୍ଛ ରହୁଛି।ଅଥଚ ସେମାନେ ହିଁ ଭଗବାନଙ୍କୁ ଛୁଇିପାରୁ ନାହାଁନ୍ତି।ଏହା କେମିତିକା ନ୍ୟାୟ। ମନରେ ଉଠୁଥିବା ଏ ବିଦ୍ରୋହ ଭାବନାକୁ ସେ କାହା ପାଖରେ ଉପସ୍ଥାପିତ କରିବ ତାର ସୁଯୋଗ ଟେ ଖୋଜୁଥାଏ। ସେଦିନ ସ୍କୁଲର ବାର୍ଷିକ ଉତ୍ସବରେ ତାଙ୍କ ଅଞ୍ଚଳର ଜିଲ୍ଲାପାଳ ଅତିଥୀ ଭାବରେ ନିମନ୍ତ୍ରିତହୋଇ ଆସିଥାନ୍ତି। ସେ ଶୁଣିଲା ସେ ତାଙ୍କ ହରିଜନ ଜାତିର। ପାଠ ପଢି ବଡଲୋକ ହୋଇଥିବାରୁ ଏତେ ସମ୍ମାନ ପାଉଛନ୍ତି। ସରସ୍ବତୀଙ୍କ ଫଟରେ ଫୁଲହାର ଚଢେଇ ପ୍ରଦୀପ ପ୍ରଜ୍ବଳନ କରୁଛନ୍ତି। ଅଥଚ ସେମାନେ ସେଇ ସମ୍ପ୍ରଦାୟର ହୋଇ ଅଛୁଆଁ ହେଲେ କେମିତି?ସେ ଶ୍ରେଣୀରେ ପ୍ରଥମହେଇ ପାଶ୍ କରିଥିବାରୁ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହେଲା |
ସେତେବେଳେ ସେ ତାର ବିଷୟରେ ପଚାରିଥିଲେଓ ସେ ମନଦୁଃଖ କରି ସରସ୍ବତୀ ପୂଜା କରିନ ପାରିବାର କ୍ଷୋଭ ଜଣାଇଥିଲା।ତାହା ଜିଲ୍ଲାପାଲ ମନେ ରଖିଥିଲେ।ଆଜିପରି ଶୁଭ ଦିନରେ ସେ ତାଙ୍କସ୍କୁଲକୁ ଆସି ତାଙ୍କ ଜାତିର ସବୁପିଲାଙ୍କୁ ଡାକି ପୂଜାକରିବାର ସୌଭାଗ୍ୟ ଦେଲେଓ ସ୍କୁଲରୁ ଜାତିପ୍ରଥାର ଭେଦ ଦୂର କରିଦେଲେ।ଭଗବାନ ତ ସମସ୍ତଙ୍କର। ସମସ୍ତଙ୍କ ଦେହ ଭିତରେ ଅବସ୍ଥିତ । ସବୁଧର୍ମରେ ନାଁ ଅଲଗା ହେଲେବି ଭଗବାନ ଗୋଟିଏ।ତେବେ ଏ ଜାତି ଓ ଧର୍ମ ନାମରେ ପ୍ରାଚୀର ଟିଏ ଉଠେଇ କାହିଁକି ମତାନ୍ତର ମନାନ୍ତର। ବରଂ ସବୁ ଧର୍ମର ଦେବତାଙ୍କୁ ସମସ୍ତେ ମାନ୍ୟତା ଦେଇ ପୂଜାକଲେ କେତେ ସୁନ୍ଦର ନ ହୁଅନ୍ତା ଏ ଜଗତ? ଯଦି ଭଗବାନ ନିଜେ କାହାକୁ ଅଛୁଆ ଭାବୁନାହାନ୍ତି ତାହେଲେ ଆମେ ତାଙ୍କ ପାଖରୁ କାହାକୁ ଦୂରେଇଲେ ତାଙ୍କୁ ତ କଷ୍ଟ ହେଉଥିବ ? ଏକଥା ଥରେ ବିଚାର କରନ୍ତୁ। ଆଉ ପୂଜା ବିଭେଦତାର ପ୍ରଚୀର ଭାଙ୍ଗି ବସୁଧୈବ କୁଟୁମ୍ବକମ୍ ହେଇଯାନ୍ତୁ। ଏହାଥିଲା ଜିଲ୍ଲାପାଲଙ୍କ ବକ୍ତବ୍ୟର କିଛି ଅଂଶ।