Prakash Majhi

Children Stories

4.2  

Prakash Majhi

Children Stories

ସ୍ମୃତି ସେଇ ପିଲାଦିନ

ସ୍ମୃତି ସେଇ ପିଲାଦିନ

4 mins
331


ବୟସର ଅପରାହ୍ନେ ଘରଠାରୁ ଆଜି ମୁଁ ବହୁତ ଦୂରରେ । ସମସ୍ତେ ତ ଏମିତି ମନେ ପଡନ୍ତି କିନ୍ତୁ ସ୍ମୃତି ପିଲାଦିନ ସବୁଠୁ ନିଆରା । ଯାହାର ଆରମ୍ଭ ଅଛି ଶେଷର କୌଣସି ଠିକଣା ହିଁ ନାହିଁ । ବାରମ୍ବାର ହଜିଯିବାକୁ ଇଚ୍ଛା ହୁଏ ସେଇ ସମୟର ଚୋରା ବାଲିରେ,ହେଲେ ଖଣ୍ଡିଉଡା ଦେଉଥିବା ବୟସଟା ପଛକୁ କଣ ଫେରେଇ ପାରେ?

ଗାଆଁଠୁ ଦୂରରେ ରହିବାକୁ କିଏ ବା ଚାହେଁ !ସବୁ ପରା ପେଟ ପାଇଁ ନାଟ । ଚାକିରୀ ଗୋଟେ ବାଜିଲା ଯେ ତାହା ପୁଣି ଗୋଟେ ଦିନ ଗୋଟେ ରାତି ଗାଡ଼ିରେ ନ ବସିଲେ ନ ଚଳେ । ଚାକିରୀରେ ଯୋଗ ଦେଉ ଦେଉ ବୟସଟା କୋଉ ବୋଲ ମାନୁଥିଲା ଯେ, ୟା ଭିତରେ ହାତକୁ ଦି ହାତ ବି ହେଲି । ଦୁଇରୁ ପୁଣି ତିନ୍ । ପୁଅକୁ ଏବେ ବର୍ଷେ ପୁରି ଦୁଇମାସ ଚାଲିଛି । ତାର ଯେଉଁ ଖିଲିଖିଲି ହସ, ବସିକି ପୁଣି ଠୁକୁଠୁକୁ ଚାଲି, କଥା କହିବାର ପହିଲି ଶବ୍ଦ ବାବା, ମାମା ଆଛ୍ ଆଛ୍ "ଓ କି ମଧୁର" ମିଛିମିଛିକା ଝୁଣ୍ଟିକି ପଡ଼ିବା ସବୁ ଫେରେଇ ନେଉଛି ସେଇ ପିଲାଦିନକୁ । ଇଚ୍ଛା ହେଉଛି ଏମିତି ପୁଣି ହେଇ ପାରନ୍ତା କି ?

ମୋ ଧର୍ମପତ୍ନୀ ମିସେସ୍ ଲିଲି ମାଡାମ କୋଉ ଛାଡ଼ିବା ଲୋକ ଯେ, କହନ୍ତି ତମେ କେମିତି ବଡ଼ ହୋଇଗଲଣି ଯେ, ତମେ ତ ଆମ କୁନି ପୁଅ ପରି ଭାରି ଚଗଲା ଭାରି ଦୁଷ୍ଟ । ଏମିତି କହିବା ଭିତରେ ଫିକ୍ କରି ତାଙ୍କର ଓଠ ଚପା ହସର ଆନ୍ତରିକ ଭାବ ଫେରେଇ ନିଏ ମୋତେ ଗାଆଁର ସେ ଅଭୁଲା ଦିନର ଦୃଶ୍ୟପଟକୁ । 

ବାସ ଏମିତିରେ କିଛି କଣ ସରେ, ଭାବନାର ବଂଶୀଟା ଖାଲି ବାଜିପାରିଲେ ହେଲା । 

କିଏ ଜାଣିଥିଲା କୋରୋନା ମହାମାରୀର ବିକଟାଳ ଭୟଙ୍କର ରୂପ ସମଗ୍ର ବିଶ୍ଵକୁ ଗ୍ରାସିବ ବୋଲି । ତେଣୁ ଠିକ ବର୍ଷେ ହେବ ଗାଆଁକୁ ଆଉ ଯାଇପାରିନି । ଚୁପଚାପ ହୋଇ ରହିଯାଇଛି ସ୍ମୃତିର ଏକ ଫରୁଆ ଭିତରେ । ହେଲେ ମନକୁ କିଏ ସମ୍ଭାଳେ ମୋ ଅବୁଝା ନଈର ସୁଅ ପରି ଖାଲି ଏଣେ ତେଣେ ଧାଇଁବାରେ ବ୍ୟସ୍ତ । ବାରମ୍ବାର ସୂଚାଉ ଥାଏ, ଚାଲ ଟିକେ ଦୁଷ୍ଟ ହେବା, ହଜିବା ଖୋଜିବା, ଚଗଲା ପବନକୁ ଦେହରେ ବୋଳିବା । ଠିକ କୁନି ପିଲାଟେ ପରି । ମୁଁ କିନ୍ତୁ ଭାବୁଥାଏ ଅନେକ କିଛି, ଯେମିତି ଆକାଶ ଛାତିରେ ନେସି ହୋଇଥିବ ବାଦଲ ତା ଭିତରେ ସ୍ପଷ୍ଟ ଦିଶୁଥିବା ସ୍ମୃତିର ସେଇ ଅଝଟ ପିଲାଦିନ । 

କିଏ ସେ? କେଉଁଠି? କେମିତି? ସବୁ ତ ଏମିତି ଆସିବେ ଯିବେ । ହଜିବେ, ଖୋଜିବେ କିନ୍ତୁ ଅତୀତକୁ କିଏ କଣ ଲିଭେଇପାରେ? ମୋର ଠିକ୍ ମନେ ଅଛି, ଗାଆଁରେ ଥିବାବେଳେ ଆମେ ଗୋଟିଏ ପରିବାରରେ ଏକାଠି, ସମସ୍ତେ ବ୍ୟସ୍ତ ପ୍ରାୟ ନିଜ ନିଜର ଦୈନନ୍ଦିନ କର୍ମ କ୍ଷେତ୍ରରେ । କିନ୍ତୁ ମୋ ବାପା ବାହାରେ ରହି ବିତାଉ ଥାନ୍ତି ଚାକିରୀ ଜୀବନ । ତେଣୁ ଟିକେ ସଜାଗ ହୋଇ ଚଳିବାକୁ ହୁଏ । ପଢା ବେଳେ ପଢ଼ା, ଖେଳ ବେଳେ ଖେଳ ଏମିତି ଅନେକ କଥା । ଯେତେ କହିଲେ ବି ଆରମ୍ଭ ସିନା ହେବ, ଶେଷ ପୃଷ୍ଠାକୁ ଓଲଟାଇଲେ ତାର ଅନ୍ତ କଳ୍ପନା ବାହାରେ । 

ଯେମିତିକି ସ୍ମୃତିର ସେଇ ପିଲାଦିନ ଆମ ଗାଆଁ ପୋଖରୀ ପାଣିରୁ କଇଁ ତୋଳିବାର ମନୋରମ ଦୃଶ୍ୟକୁ ସଜେଇ ରଖିଥାଏ ହୃଦୟର ଚାରି କାନ୍ଥ ଭିତରେ । ସମୟ ସୁଅରେ ସ୍ମୃତି ସବୁ ସିନା ଅଣଲେଉଟା ପାଲଟେ କିନ୍ତୁ ଦୂରରୁ ଦିଶୁଥିବା ସବୁଜ ସୁନ୍ଦର ତାଳବଣ, ସୋରିଷ ଫୁଲର କ୍ଷେତ ଏବେ ବି ବାଟ ଜଗି ବସିଛି । ଠିକ ସେଇଠି ଦଶ ବର୍ଷ ପୂର୍ବେ ଥିଲା ଯୋଉଠି । ଖାଲି ବାହୁନି ବାହୁନି କାନ୍ଦି କହେ, ଆସ ଫେରି ଆସ ଥରେ ହଜିଯିବାକୁ ମୋହରି ଦେହରେ । କିନ୍ତୁ ଏସବୁ ସ୍ଵପ୍ନ ପାଲଟି ଯାଏ । 

ଛୁଟିଦିନ ହେଲେ ଆହୁରି ମଜା, ଲୁଚିଲୁଚି ଯେଉଁ ଖେଳ କେବେ ସରିବ ବୋଲି ହିଁ ନଥିଲା । ବାଲି, ଧୂଳି ସଙ୍ଗେ ଏମିତି ହାତୀଘୋଡା ଖେଳ, ରାଜାରାଣୀ, ବୋହୁଚୋରି ଓ କବାଡିର ଆସର ବେଶ୍ ସୁଆଦିଆ ଯେମିତି 'ମା'ର ହାତ ପରଶା । ପୁଣି ସାଙ୍ଗମାନେ ମିଶି ଗୁଡି ନେଇ ଛାତରୁ ଛାତକୁ ଡେଇଁବା, ପର ବାଡ଼ିରୁ ଫଳ ଚୋରେଇ ଖାଇବା, ଧରା ପଡ଼ିଲେ ମାଡ଼ର ବର୍ଷଣ ଏସବୁ କଣ ସହଜରେ ଭୁଲିହୁଏ । 

ସତରେ କିଛି ବି ଭୁଲି ହୁଏନା । ବୁଝେଇ ହୁଏନି ଅବୁଝା ମନକୁ । ଆଉ ଭୁଲି ହୁଏନା କ୍ଷେତ ବିଲବାଡି, ନଈନାଳରେ ମାଛ ଧରିବାର କଥା । ଏମିତି ସବୁବେଳେ ହଜିହଜି ମଜା ନେବାରେ ଚର୍ଚ୍ଚାରେ ଥାଏ ମନ । 

ସାଇକେଲର ମନ କିନ୍ତୁ ଆଜି କାହିଁ ଭାରି ଉଦାସ । ସତେ ଯେମିତି ମଉଳା ଫୁଲଟିଏ । କାହିଁକିନା ସେ ଆଉ ମାମୁଁ ଗାଆଁର ବାସ୍ନାକୁ ପରଖି ପାରୁନି । ଖାଲି ଝୁରୁଛି ସେ ପିଲାଦିନକୁ । 

ଗାଆଁ ଦାଣ୍ଡ କଥା କେମିତି କହିବି ଯେତେବେଳେ ବର୍ଷା ତାର ପହିଲି ପରଶ ନେଇ ଆସେ କାଗଜ ଡ଼ଙ୍ଗାର ସେ ଜୀବନ୍ତ ଚିତ୍ର ଆଜି ବି ମନେପଡେ । ଆଉ ମନେପଡେ ବନ୍ୟା ଦିନର ଅକାତ ପାଣିର ଖେଳ, ବୁଢ଼ୀମାଆର ନିଦଭରା ଜହ୍ନରାତି ଗପ ଓ ମାଆର ମମତାର କୋଳ । ଯେଉଁଠି ଥାଏ ଆଜୀବନ ଭରଷା ଓ ବିଶ୍ୱାସର ଚିହ୍ନ । 

ଦିପ୍ରହର କଥାରେ ସତେ ଯେମିତି ଯାଦୁ ଥାଏ । ଟିକିଏ ଗରମ ହେଲେ ନରମ ଦେହକୁ କଣ ସମ୍ଭାଳି ହୁଏ । ପାଣିରେ ବୁଡ଼ିବୁଡ଼ି ଏ କୋଳରୁ ସେ କୂଳ, ବୁଡାବୁଡି ଖେଳ,ପାଣିରୁ ଉଠିଲେ ଓଦା ଦେହର ବାସ୍ନା ସତେ ଯେମିତି ସତେଜ ଆଜି । 

ସେଇଠୁ ଟିକେ ବାହାରିଯିବା ଗାଆଁ ଛକ ଆଡ଼େ । ବେଶି ଜନଗହଳି ତ ନୁହଁ କିନ୍ତୁ ଦୋକାନ ବଜାରେର ଭିଡ଼ ଲାଗିବାଟା ସ୍ଵଭାବିକ । ସ୍ଥାନେ ସ୍ଥାନେ ପିଲାଠୁ ବୁଢ଼ାଯାଏ ତାସ ଖେଳର ମେଳି ବେଶ୍ ଜମୁଥାଏ । ପୁଣି ସଞ୍ଜ ହେଲେ ତ କଥା ସରିଲା, ଟ୍ୟୁସନ୍ ନ ଗଲେ ନ ହୁଏ । ଏ ସବୁ ଭିତରେ ବାପାଙ୍କର ଆକଟ ହିଁ ଶ୍ରେୟ । 

ଏତେ ସବୁ ଭୁଲିବା ଅତି ସହଜ ନୁହଁ । "ମନ ବି ଏବେ ମୋର ଛୋଟପିଲା" ଦୁଷ୍ଟ ହେବି, ଚଗଲା ହେବି, ରାତି ପାହିଲେ ଭୁଲିଯିବି । 

ହା... ହା... ହା... ଆରେ ନାଇମ ଏମିତି କିଏ କଣ ଭୁଲିପାରେ । ସ୍ମୃତି ପରା ସେଇ ପିଲାଦିନ । ଭାବିଛି ଏଥର କୋରୋନା ହଟିଲେ ଗାଆଁକୁ ଯିବି । ପିଲାମାନଙ୍କ ସହ ମିଶି ପିଲାଦିନକୁ ମନଭରି ଉପଭୋଗ କରିବି । 



Rate this content
Log in