Kiran Mishra

Others

3  

Kiran Mishra

Others

ସ୍ବପ୍ନ ସରିଗଲା ପରେ

ସ୍ବପ୍ନ ସରିଗଲା ପରେ

3 mins
427



ମହାପାତ୍ର ବାବୁଙ୍କ ଘରେ ସେଦିନ ପୁଅଝିଅଙ୍କ ଭିତରେ ଯୋରଦାର୍ ଆଲୋଚନା ଚାଲିଥାଏ।ମଝିଆଁ ପୁଅ ବୁଟୁ ଉଚ୍ଚ ସ୍ବରରେ କହୁଛି,

--ଦେଖ ଭାଇ ମୁଁ ଏତେ କଷ୍ଟରେ ବୁଝାବୁଝି କରିଛି, ଏଥର ସେ ଲୋକ ହାତରୁ ଚାଲିଗଲେ ମତେ ଆଉ କେହି କହିବନି ବୁଝିବାକୁ।

ବଡ଼ ଭାଇ ଅଭିବାବକ ସ୍ବରରେ କହୁଥାନ୍ତି, 

--ଆରେ ରହ ମୁଁ ଭଲକରି ବୁଝେ।ଏତେବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତେ ଏକମତ ହେବା ଦରକାର।

ବୁଟୁ ଉତ୍ତେଜିତ ସ୍ବରରେ କହୁଥାଏ

--ତୁ ସିନା ବଡ଼ ଚାକିରୀ କରିଛୁ,ଗୋଟେ ଘର କରି ସାରିଲୁଣି ଆମର ତ କିଛି ଅଲଗା ଉପାୟ ନାହିଁ। କେତେ ଦିନ ଗୋଟିଏ ଗୋଟିଏ ବଖରା ଘରେ ଚଳିବୁ।ଏତେ ବଡ଼ ଯାଗା ଥାଇ ଆମର କ'ଣ ଲାଭ କହିଲୁ। ଏ ଗଛ ବି କି କାମରେ ଆସୁଛି।

-- ଆଚ୍ଛା ସେ ଆମ ସର୍ତ୍ତରେ ରାଜିତ ।

--ହଁ ତୁମେ ଯାହା କହିଲ ସବୁଥିରେ ତ ସେ ରାଜି। ତିନି ଭାଇଙ୍କୁ ଦୁଇ ଦୁଇଟା ଘର ଦେବ , ଭଉଣୀ ଦୁଇ ଜଣଙ୍କୁ ଦୁଇଟା ଘର। ଆଉ ତା ବାଦେ ଭାଇମାନଙ୍କୁ ପଚିଶ ଲକ୍ଷ ଟଙ୍କା ଦେବ। ଆପାର୍ଟମେଣ୍ଟ ତିଆରି ହେଲା ପର୍ଯ୍ୟନ୍ତ ଆମକୁ ରଖିବା ବ୍ୟବସ୍ଥା ମଧ୍ୟ କରିବ। ଆଉ ୟାଠୁ ଅଧିକ କୋଉ ବିଲ୍ଡର ଦେବ କହିଲୁ।

--ହେଲେ ବୋଉ କ'ଣ ରାଜି ହେବ।

ନିରବ ରହିଥିବା ସାନ ଭାଇ ଟୁକୁ ମୁହଁ ଖୋଲି କହିଲା।

--ଆଉ କେତେଦିନ ଅପେକ୍ଷା କରିବା ବଡ଼ ଭାଇ ।ଆମର ତ ଅଧା ବୟସ ଗଲାଣି।ଏତେ ବଡ଼ ଯାଗା ଅଛି ଅଥଚ ଆମେ ହିନୀ ମାନିଆ ହୋଇ ଚଳୁଛେ। ବୋଉ କ'ଣ ଏକଥା ଦେଖୁନି।

--ହେଲେ ବୋଉକୁ ବୁଝାଇବ କିଏ!

 ବୁଟୁ ସଙ୍ଗେ ସଙ୍ଗେ କହିଲା ,

--ଟୁକୁ ବୁଝାଇବ ,ସେ ସାନ ପୁଅ ବୋଉ ତା'କଥା ମାନିବ।ଏଥିରେ ସମସ୍ତେ ଲାଭବାନ ହେବେ।ବୋଉ ନିଶ୍ଚୟ ରାଜି ହେବ।ବୋଉ କ'ଣ ତା ପୁଅମାନଙ୍କ ର ଖୁସି ରେ ଖୁସି ହେବନି।


 ଶକୁନ୍ତଳା ଦେବୀ ମନ୍ଦିରରୁ ଫେରି ସବୁ ପିଲା ଏକାଠି କିଛି ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା କରୁଥିବା ଅନୁମାନ କରି ପଚାରିଲେ,

--କଣ କିରେ ଆଜି କ'ଣ ସବୁ ଭାଇ ଭଉଣୀ ଏକାଠି ବସି କଥା ହେଉଛ।କଥା କ'ଣ!

 ତାଙ୍କ କଥା ଶୁଣି ସାନ ପୁଅ ଟୁକୁ କହିଲା,

--- କ'ଣ କି ବୋଉ ଆମେ ଭାଇ ଭଉଣୀ ସ୍ଥିର କରୁଛୁ ଏ ଯାଗା ଟା ଗୋଟେ ବିଲ୍ଡରକୁ ଦେଇ ଆପାର୍ଟମେଣ୍ଟ କରିଦେବୁ ,ତୁ ତ ଦେଖୁଛୁ ଆମେ ଗୋଟିଏ ଗୋଟିଏ ଘରେ ରହି କେତେ ହଇରାଣ ହେଉଛୁ। କେତେ ଦିନ ଏମିତି ଏକାଠି ରହିହେବ।ସମସ୍ତଙ୍କ ପିଲା ବି ବଡ଼ ହେଲେଣି।

ଶକୁନ୍ତଳା ଦେବୀ ବଡ଼ ପୁଅ ମୁହଁ କୁ ଚାହିଁ ପଚାରିଲେ ,

 --ତୁ କ'ଣ ଏଥିରେ ରାଜି।

-- ନାଇଁ ବୋଉ ମୋର କିଛି କହିବାର ନାହିଁ।କିନ୍ତୁ ବୁଟୁ ଓ ଟୁକୁଙ୍କର ରହିବା ପାଇଁ ଅସୁବିଧା ହେଉଛି। ସେଥିପାଇଁ ମତେ ରାଜି ହେବାକୁ ପଡୁଛି।

-- ହେଲେ ବାପା ଏ ଘର ଟିକୁ ଖୁବ୍ ଯତ୍ନରେ କରିଥିଲେ,ତା ବ୍ୟତିତ ବାଡ଼ିରେ ଲଗାଇ ଥିବା ଗଛଗୁଡ଼ିକ କୋଉଠୁ ସବୁ ସଂଗ୍ରହକରି ଲଗାଇଥିଲେ। ତୁମେ ଯେମିତି ତାଙ୍କର ନିଜର ଥିଲ ଗଛ ଗୁଡ଼ିକ ବି ସେମିତି ପୁଅ ଝିଅ ପରିଥିଲେ। ଥରେ ସେ ସୁନ୍ଦରୀ ଆମ୍ବ ଗଛରେ ପାଣି ଠିକ୍ ସେ ଦିଆ ହୋଇ ନଥିଲା ସେଇଟି ଝାଉଁଳି ପଡିଥିଲା ବୋଲି ରାଗରେ ସେ ସେଦିନ ଖାଇ ନଥିଲେ।


ମଝିଆଁ ପୁଅ ବିରକ୍ତି ଭାବ ଦେଖାଇ କହିଲା,

--ଏତେ ଭାବପ୍ରବଣ ହେଇଯାନା ବୋଉ। ତତେ ତୋ ପିଲାଙ୍କ ଅସୁବିଧା ଦେଖାଯାଉନି। ବର୍ଷକେ ଥରେ ଆମ୍ବଟେ ଖାଇବ ବୋଲି ବର୍ଷସାରା ଅସୁବିଧାରେ ଚଳିବ। ପାଞ୍ଚ କିଲୋ ଆମ୍ବ କିଣି ଆଣିଲେ ଖାଇବାକୁ ଲୋକ ନାହାନ୍ତି।ପିଲା ବି କୋଉ ଆମ୍ବ , ପଣସ,କଦଳୀ ଖାଉଛନ୍ତି।

ତୁ ଜାଣିଚୁ ସେ ବିଲ୍ଡର୍ ଆମମାନଙ୍କୁ ଦୁଇଟା ଦୁଇଟା ଆପାର୍ଟମେଣ୍ଟ ଦେବ। ଆଉ ବୁନି ଓ ଟୁନିଙ୍କୁ ବି ଗୋଟିଏ ଲେଖାଏଁ ଆପାର୍ଟମେଣ୍ଟ ଦେବ,ତୁ କ'ଣ ଏଥିରେ ଖୁସି ନୁହଁ। ତାଛଡା ବିଲ୍ଡର୍ସ ଆପାର୍ଟ ମେଣ୍ଟ ତିଆରି ହେବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଗୋଟେ ଗୋଟେ ଘର ଦେବ ।ତୁ ଯେତେବେଳେ ଯାହା ପାଖରେ ଚାହିଁବୁ ରହିବୁ ଆମ ଘର ତିଆରି ହୋଇଗଲା ଆମେ ଏ ଆମ ଘରକୁ ଚାଲି ଆସିବା ନି।


ଶକୁନ୍ତଳା ଦେବୀ ଦେଖିଲେ ପିଲାମାନେ ଯେଉଁଠି ସ୍ଥିର କରି ସାରିଲେଣି ସେଠି ପ୍ରତିବାଦର ମୂଲ୍ୟ କିଛି ନାହିଁ। ତାଙ୍କୁ କେବଳ ଔପଚାରିକତା ଦୃଷ୍ଟିରୁ ପଚରା ଯାଉଛି। ବର୍ତ୍ତମାନ ପାଖରେ ଅତୀତର ଭାବପ୍ରବଣତାର କୈାଣସି ମୂଲ୍ୟ ନାହିଁ।ସେ ନୀରବ ରେ ସେଠାରୁ ଚାଲିଗଲେ।

 କିଛି ଦିନ ଭିତରେ ବିଲ୍ଡର୍ ଆସି ଏଗ୍ରିମେଣ୍ଟ ପେପରେ ଦସ୍ତଖତ କରାଇ ନେଲା। ସେ ଦିନ ଠାକୁର ଘରେ ଯାଇ ବହୁତ କାନ୍ଦିଲେ। ତା ପର ଦିନ ସେମାନଙ୍କର ଘର ଛାଡ଼ିବା କଥା।ସବୁ ପୁଅଙ୍କ ରହିବା ପାଇଁ ଗୋଟେ ଗୋଟେ ଘର ମିଳିଛି। ଏପଟେ ଟ୍ରକ ଲାଗିଛି ଜିନିଷ ବୁହାବୁହି ହେଲାଣି। ବିଲ୍ଡର୍ ର ଲୋକ ଲଗାଇ ଗଛ ସବୁକୁ ହାଣି ଯାଗା ସଫା କରୁଛି। ସବୁ ଜିନିଷ ଟ୍ରକରେ ଲୋଡ ହେଲା, ଖାଲି ଠାକୁର ଘର ଜିନିଷ ବାକି ଥିଲା। ସାନ ପୁଅ ବୋଉକୁ ଖୋଜିଲା ଠାକୁର‌ଘର ଜିନିଷ ଆଣିବା ପାଇଁ।ଠାକୁର ଘରେ ଯାଇ ଦେଖେ ବୋଉ ଶୋଇଛି। ଶକୁନ୍ତଳାଙ୍କୁ ହଲାଇ କହିଲା,

--ବୋଉ ବୋଉ ଉଠୁ ଯିବା ପରା। ଶୋଇଛୁ କ'ଣ!!

 ହଲାଇ ଦେଲାରୁ ଶକୁନ୍ତଳା ସେଇଠି ଟଳି ପଡିଲେ।ଉଡି ଯାଇଥିଲା ତାଙ୍କ ପ୍ରାଣ ପକ୍ଷୀ।ସେ ଦେଖିଥିବା ସ୍ବପ୍ନର ଅନ୍ତ ଘଟି ସାରିଥିଲା। ପିଲାଙ୍କ ସ୍ବପ୍ନରେ ତାଙ୍କର ସ୍ଥାନ ନଥିଲା। ଅଭାବି ସଂସାରରେ ସ୍ବଳ୍ପ ସଂଚୟ କରି ସେ ଯେଉଁ ସ୍ବପ୍ନ ସାକାର କରି ଥିଲେ ତା ଉପରେ ପିଲାଙ୍କ ସ୍ବପ୍ନର ତାଜ ଗଢି ଉଠୁଛି।ସେଠି ତାଙ୍କର ବା ଆବଶ୍ୟକତା କଣ!!



Rate this content
Log in