STORYMIRROR

ayiswarya maharana

Children Stories Inspirational

3  

ayiswarya maharana

Children Stories Inspirational

ପତରେ ପତରେ ଜୀବନ

ପତରେ ପତରେ ଜୀବନ

2 mins
133

ଅରୁଣ ଉଚ୍ଚଶିକ୍ଷା ନିମନ୍ତେ ଗାଁ ଠାରୁ ଦୂରରେ ଥିବା ସହରରେ ରହି ପାଠ ପଢେ।ରାକ୍ଷୀ ପୂର୍ଣ୍ଣିମା ପାଇଁ ତିନିଦିନ ଛୁଟି ନେଇ ଗାଁକୁ ଆସିଛି।ଅରୁଣ ଘର ପଡିଶା ଘରେ ବୁଢ଼ୀ ମାଉସୀ ଟିଏ ତା ବିଧବା ବୋହୁ,ଆଉ ନାତି ରମା ସହ ରହୁଥାଏ।ସେଦିନ ଗୁରୁବାର ହାଟ ପାଳି ଥିବାରୁ ଅରୁଣ ବ୍ୟାଗଟିଏ ଧରି ସାଇକେଲଟିକୁ ଦାଣ୍ଡକୁ କାଢି ହାଟକୁ ଯିବାକୁ ବହରୁଥାଏ।ଦାଣ୍ଡ ପିଣ୍ଡାରେ ବୁଢ଼ୀମାଉସୀକୁ ଦେଖି ମଜା କରି ପଚାରିଦେଲା,"କିଲୋ ବୁଢ଼ୀ,କଣ ଆଜି ହାଟକୁ ଖଲି ,ଦନା ବିକିବାକୁ ଯାଇନୁ ? ରମା ଯାଇଛି କି? "ବୁଢ଼ୀ ମାଉସୀ କହିଲା,"ନାଇଁରେ ଅରୁଣ,ରାମୁ ଇସ୍କୁଲୁକୁ ଯାଇଛି।ଆଉ କ'ଣ ଖଲି ବିକି ହଉଚି ଯେ ହାଟକୁ ନେବି।ହେଇ ଦେଖୁନୁ ସେଇ ବଖରାରେ ଖଲି,ଦନାରେ କେମିତି ଉଇ ଲାଗିଲେଣି।"ଅରୁଣ ପଚାରିଲା ,"କାହିଁକି କ'ଣ ହେଲାକି ?"ବୁଢ଼ୀ ମାଉସୀ କହିଲା,"କଣ ଆଉ ହବ ସେଇ ସହର ଧାସ ଏବେ ଗାଁକୁ ଆସିଲାଣି।ଲୋକମାନେ ଆଉ ପତର ଖଲିରେ ଖାଇବାକୁ ପସନ୍ଦ କରୁନାହାନ୍ତି।ଯାହାକୁ ଦେଖିବ ସେଇ ପଲିଥିନ ଲଗା ଖଲି ନହେଲେ ସେଇ ସୋଲ ତିଆରି ଖଲି କିଣିଆଣୁସନ୍ତି।"ଅରୁଣ କହିଲା,"ଆଲୋ ,ସେଟା କୁ ୟୁଜ ଆଣ୍ଡ ଥ୍ରୋ ପ୍ଲେଟ କହନ୍ତି।"ବୁଢ଼ୀ ମାଉସୀ କହିଲା,"ହଁ,ମ ସେଇ ଇଙ୍ଗିଲିସ କଥା ଆମଦେଇ ହବନି।ତୁ ପାଠ ପଢ଼ୁଛୁ ତୁ କହ।ସେଇ ଇଙ୍ଗିଲିସ ଖଲି ତ ଆମ ପେଟକୁ ଗୋଇଠା ମାରିଲା।ତୁ କହିଲୁ ଅରୁଣ ;ଆମେ ଶାଳ ପତର ତୋଳି ଆଣି ଖଲି ଦନା ତିଆରି କରି ବିକୁଥିଲୁ।ଆମ ଭଳି କେତେ ଗରିବ ମଧ୍ୟ ଏମିତି କରୁଥିବେ।ସେମାନଙ୍କ ବେଉସା ଗଲା।ପତର ରେ ଖାଇଲେ ଦେହକୁ ହିତକର।ଏବେ ଯୋଉ ସେ ଇଙ୍ଗିଲିସ ଖଲି ଆସିଛି ସେଥିରେ ଖାଇଲେ ଦେହକୁ ବିଷ।ମଣିଷ ତ ଯାହା ବିଷ ଖାଉଛି ,ତା ସାଥିରେ ଏଈ ଗାଈଗୋରୁଙ୍କୁ ବି ଖୁଆଉଛି।ଆଗରୁ ପତର ଖଲି ରେ ଖାଇ ଫିଙ୍ଗିଦେଲେ ଗାଈଗୋରୁ ଆସି ଖାଇଦେଉଥିଲେ ବଳିଗଲେ ମାଟିରେ ମିଶିଯାଉଥିଲା।ଏବେ ସେଇ ପଲିଥିନ ଲଗା ଖଲିରେ ଖାଇ ଫିଙ୍ଗି ଦେଉସନ୍ତି ତାକୁ ବି ଗାଈଗୋରୁ ଖାଉସନ୍ତି।ତାଙ୍କ ପାଇଁ ସେଇ ପଲିଥିନ ବିଷ ନୁହେଁକି।ସେଇ ଖଲିଗୁଡ଼ାକ ତ ପୋଡ଼ିଲେ ଜଉ ହେଇଯାଉଛି ନହେଲେ ସେମିତି ପଡିରହୁଛି।ଆମ ମାଟି ମାକୁ ମଧ୍ୟ ବିପଦ।ଏଈ ମାଟିରେ କଣ ଭଲ ଫସଲ ଫନ୍ଦା ହେବ ?ଏଇ ଲୋକ ଗୁଡା ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛନ୍ତି।ନିଜେ ତ ଭୋଗିବେ ୟାଙ୍କୁ ନେଇ ଅନ୍ୟ ଜୀବଗୁଡା ମଧ୍ୟ କଷ୍ଟ ପାଇବେ।"

ଅରୁଣ ସ୍ତବ୍ଧ ହୋଇ ବୁଢୀ ମାଉସୀ କୁ ଚାହିଁ ରହିଥିଲା।ଅଶିକ୍ଷିତ ବୋଲି ଯାହାକୁ ଭାବୁଥିଲି ସେତ ମହାଜ୍ଞାନର ଅଧିକାରିଣୀ।ପାଠ ପଢି କୌଣସି ଡିଗ୍ରୀ ନଥିଲେ କଣ ହେଲା ସେମାନେ ତ ପର୍ଯ୍ୟବରଣ କୁ ଠିକ୍ ବୁଝିସନ୍ତି।ଏହି ଆଧୁନିକ ଖାଦ୍ୟ ,ଚଳଣି ଯୋଗୁ ତ ଦିନକୁ ଦିନ କେତେ ନୂଆନୂଆ ଅଜଣା ରୋଗ ହେଉଛି।ଆଗରୁ ଲୋକ ଖାଦ୍ୟ,ପର୍ଯ୍ୟାବରଣ କୁ ସୁବ୍ୟବସ୍ଥିତ କରି ରଖିଥିଲେ ତେଣୁ ଦୀର୍ଘ ସୁସ୍ଥ ଜୀବନ ବିତାଉଥିଲେ।ନିଜ ଉଚ୍ଚଶିକ୍ଷା ଉପରେ ଅରୁଣର ଲଜ୍ଜା ବୋଧ ଆସୁଥିଲା।ସେ ମଧ୍ୟ ଏହି ପ୍ଲେଟର ବ୍ୟବହାର କରେ।କେବଳ ସେ କାହିଁକି ଆଧୁନିକତାର ଦ୍ୱାହି ଦେଇ ପ୍ରାୟ ଶିକ୍ଷିତ ଗୋଷ୍ଠୀ ମଧ୍ୟ ଏହି କାର୍ଯ୍ୟରେ ଅନ୍ତର୍ଭୁକ୍ତ।

ଅରୁଣ କହିଲା ,"ହଁ,ମାଉସୀ ଠିକ୍ କହିଲୁ ।ମୁଁ ସହରକୁ ଯାଏ।ସେଠାରେ କିଛି ବନ୍ଦୋବସ୍ତ କରି କହିବି।

ଅରୁଣ ସହରକୁ ଯାଇ ନିଜର କିଛି ସାଙ୍ଗ ସାଥୀଙ୍କୁ ମିଳିତ କରି ସୁସ୍ଥ ପର୍ଯ୍ୟବରଣ ପାଇଁ ଲୋକମାନଙ୍କୁ ବୁଝାଇଲେ।ପାଖରେ ଥିବା ଠେଲା ଗାଡି ର ଦୋକାନୀ,ରେଷ୍ଟୁରାଣ୍ଟ ଖୋଲି ଥିବା ଲୋକମାନଙ୍କୁ ବୁଝାଇଲେ।

ଚେଷ୍ଟା ସବୁ କିନ୍ତୁ ନିଷ୍ଫଳ ହେବାଭଳି ତାକୁ ଅନୁଭବ ହେଉଥିଲା।ପର ଛୁଟିରେ ଯେବେ ଗାଁକୁ ଆସିଲା ବୁଢୀ ମାଉସୀ କହିଲା ,"କଣ କିରେ ଅରୁଣ କିଛି ବଦଳେଇ ପାରିଲୁନି ତ !ସମୟ ତ ଖରାପ ଚାଲିଛି।ବିନାଶ କାଳେ ବିପରୀତ ବୁଦ୍ଧି।ଆଜି ର ଲୋକମାନେ ତ ଆଧୁନିକତା ନାଁ ରେ ନିଜ ଧ୍ଵଂସକୁ ଡାକି ଆଣୁସନ୍ତି।ଆମ ସମୟ ତ ସରିଲା ଏଣିକି ନୂଆ ପିଢ଼ିସବୁ ଦେଖିବେ।"

ଅରୁଣ ଭାବୁଥିଲା ଯାହା ହେବ ଦେଖାଯିବ ;ସେ କିନ୍ତୁ ତା ଚେଷ୍ଟାରୁ ବିରତ ହେବ ନାହିଁ।

                             



Rate this content
Log in