ପରିବର୍ତ୍ତନ
ପରିବର୍ତ୍ତନ




ପରିବର୍ତ୍ତନ
ଜହ୍ନମାମୁ (ଏପ୍ରିଲ୍ 2010)
ଜମିଦାରୀ ସିନା ଯାଇଛି, କିନ୍ତୁ କୁମାରବାବୁଙ୍କ ଘରର ଖାନଦାନ ଅତୁଟ ଥାଏ l ସେ ଯୁବକ ଲୋକ l ସଦ୍ୟ ବାହା ହୋଇଥା’ନ୍ତି l ସ୍ତ୍ରୀ ବି ସମ୍ଭ୍ରାନ୍ତ ଘରର ଝିଅ l ସ୍ତ୍ରୀଙ୍କ ଜନ୍ମଦିନ ମହାଆଡମ୍ବରରେ ପାଳନ କରିବାକୁ ମନ l ତେଣୁ ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ବସୁମତିର ପ୍ରଥମଥର ଜନ୍ମଦିନ ଉପଲକ୍ଷେ ସେ ସହରରୁ ଗୋଟିଏ ଦୁର୍ମୂଲ୍ୟ ଉପହାର ଆଣିବାକୁ ସ୍ଥିର କଲେ l ସକାଳୁ ସକାଳୁ ସହର ଅଭିମୁଖେ ବାହାରି ଗଲେ l
ସହରର ବିଶିଷ୍ଟ ଗହଣା ଦୋକାନରୁ ଅଢେଇ ହଜାର ଟଙ୍କା ମୂଲ୍ୟର ହାରଟିଏ ଖରିଦ୍ କରି ସେ ଗାଁ ମୁହାଁ ଫେରିବା ବେଳକୁ ସଞ୍ଜ ହୋଇ ଆସିଲାଣି l ଅବଶ୍ୟ ସେ ନିଜ ଘୋଡାଗାଡିରେ ଯାଇଥା’ନ୍ତି l ତଥାପି ବେଶୀ ରାତି ହୋଇଯିବା ଆଶଙ୍କାରେ ନିଜ କଚୁଆନ୍ ଜୟସିଂହକୁ କହିଲେ, “ଯେତେ ଶୀଘ୍ର ସମ୍ଭବ ଚାଲ !”
ବାଟରେ ଜୟସିଂହ ହଠାତ୍ ଘୋଡାର ଲଗାମ ଟାଣି ଗାଡି ଅଟକାଇଲା l ଦେଖିବା ବେଳକୁ ରାସ୍ତା କଡରେ ଜଣେ ଲୋକ ଠିଆ ହୋଇଛି l ତା’ ସହ କଣ କଥାବାର୍ତ୍ତା ହେଲା l
“ଡେରି କାହିଁକି କରୁଛ, ରାତି ହେଲାଣି ଶୀଘ୍ର ଶୀଘ୍ର ଚାଲ l ” କୁମାରବାବୁ ପଚାରିଲେ l
“ହଜୁର, ଇଏ ହେଲା କାଶୀରାମ, ମୋ ସ୍ତ୍ରୀର କକା ପୁଅ ଭାଇ l ଆମ ଗାଁରେ ଏହାର ଅଜାର ଘର l ଅଜା ଭୀଷଣ ଅସୁସ୍ଥ l ତାଙ୍କର ଦେଖାଶୁଣା କରିବା ପାଇଁ ଆଉ କେହି ନାହାନ୍ତି ଆପଣଙ୍କ ଅନୁମତି ହେଲେ ଏହାକୁ ଗାଡିରେ ନେଇଯିବି l ” ଜୟସିଂହ କହିଲା l
କୁମାରବାବୁ ତାଙ୍କ ଗାଡିରେ ଅଜଣା ଅଚିହ୍ନା ଲୋକଙ୍କୁ ନେବାକୁ ପସନ୍ଦ କରୁ ନଥାନ୍ତି l ଲୋକଟି ଅସୁବିଧାରେ ପଡିଛି ସେ ମନା ବା କରିବେ କିପରି ? ଅନିଚ୍ଛା ସତ୍ତ୍ୱେ କହିଲେ, “ହଉ ଚାଲ l ”
କାଶୀରାମ କୁମାରବାବୁଙ୍କ ପାଖରେ ବସିଲା l ଅବଶ୍ୟ ସେ ବହୁତ ସଙ୍କୋଚରେ ବସିଥାଏ l
“ଶୀଘ୍ର ଚାଲ, ଶୀଘ୍ର l ” କୁମାରବାବୁ ପୁଣି ହୁକୁମ ଶୁଣାଇଦେଲେ l
ରାସ୍ତା ବହୁତ ଖରାପ ଥାଏ l ଗାଡିର ଗୋଟାଏ ଚକା ହଠାତ୍ ଏକ ଗାତରେ ପଶିଗଲା l ଜୟସିଂହ ଠିକ୍ ସମୟରେ ତଳକୁ କୁଦି ପଡିଲା, କିନ୍ତୁ କୁମାରବାବୁ ତଳେ ପଡିଗଲେ l
ଗାଡିରେ ଥିବା ଜିନିଷପତ୍ର ଏଣେତେଣେ ବିଛେଇ ହେଇ ପଡିଲା l ଜୟସିଂହ ଓ କାଶୀରାମ କୁମାରବାବୁଙ୍କୁ ଧରି ଉଠାଇଲେ l ତା’ପରେ ଗାଡି ସଳଖ କରି ମଝି ରାସ୍ତାରେ ଆଣି ରଖିଲେ l ଏଣେତେଣେ ପଡିଥିବା ଜିନିଷପତ୍ର ଗୋଟାଇ ଗାଡିରେ ସଜାଡି ରଖିଲେ l
ଗାଡି ପୁଣି ଚାଲିଲା l ଟିକିଏ ଉଛୁରରେ ସେମାନେ କୁମାରବାବୁଙ୍କ ଘରେ ପହଞ୍ଚିଲେ l କୁମାରବାବୁ ଛୋଟେଇ ଛୋଟେଇ ଘରଭିତରେ ପଶିବାବେଳକୁ ବସୁମତି ବାହାରି ଆସି ପଚାରିଲେ , “ଦେଖିବା , କ’ଣ ଉପହାର ଆଣିଲ I”
କୁମାରବାବୁ ପ୍ରଥମେ ନିଜ ଦୁରାବସ୍ଥା ସକାଶେ ଟିକିଏ ସାନ୍ତ୍ୱନା ଚାହୁଁଥିଲେ l ସେ କହିଲେ, “ବାଟରେ ଗାଡି ଓଲଟିଗଲା l ମୁଁ ତଳେ ପଡିଗଲି l କୌଣସି ବଡ ଦୁର୍ଘଟଣା ଯେ ଘଟିନାହିଁ ତାହା ସୌଭାଗ୍ୟର କଥା ବୋଲିବାକୁ ହେବ l ”
“ଏବେ ସେକଥା କୁହନି, ସେସବୁ ପରେ ଆରାମରେ ବସି ଶୁଣିବା ମ ! ଦେଖେଁ କ’ଣ ଆଣିଛ ! ମୋ ପାଇଁ ଦିନଯାକ ବୁଲି ବୁଲି କି ଅମୂଲ୍ୟ ଉପହାର ଆଣିଛ l ” ବସୁମତି ହାତ ବଢାଇ ଦେଲା
କୁମାରବାବୁ ଗହଣା ଥିବା ଛୋଟିଆ ବାକ୍ସଟି ବଢେଇ ଦେଲେ l ବସୁମତି ଆଗ୍ରହରେ ତାକୁ ଖୋଲିଲା l କିନ୍ତୁ ସଙ୍ଗେ ସଙ୍ଗେ ତା ମୁହଁ ଗମ୍ଭୀର ହୋଇଗଲା l
“ଥଟ୍ଟା କରୁଛ?” ସେ ପଚାରିଲା !
“କାହିଁକି ହାର? କ’ଣ ଭଲ ହୋଇନାହିଁ ? ତୁମକୁ ପସନ୍ଦ ହେଲାନି?”
“ହାର ? କାହିଁ ହାର ?”
କୁମାରବାବୁ ବୁଲିପଡି ଦେଖିଲେ, ବାକ୍ସ ଖାଲି l
“ଏହା ହିଁ ମୋ ଜନ୍ମଦିନ ପାଇଁ ଉପହାର ? ମୋର ଜଣେ ସଙ୍ଗିନୀ ସହରରୁ ଆସିଛି ସେ ପଡୋଶୀ ଘରେ ଅଛି l ଆଉ ଟିକିଏ ପରେ ତୁମେ କ’ଣ ଆଣିଛ ଦେଖିବାକୁ ସେ ଆସି ପହଞ୍ଚିବ l ତାକୁ ଏଇଆ ଦେଖାଇବି ?”
କୁମାରବାବୁ “ଚୋପ୍!” ବୋଲି କହୁଁ କହୁଁ ରହିଗଲେ l ତାଙ୍କ କ୍ରୋଧ ଯାଇ ପଡିଲା ଜୟସିଂହ ଉପରେ l ସେ ସଙ୍ଗେ ସଙ୍ଗେ ଘୋଡାଶାଳକୁ ଯାଇ ଦେଖିଲେ ଜୟସିଂହ ଘୋଡାକୁ ଦାନା ଖୁଆଉଛି l
“ଜୟସିଂହ ! ତମେ ଯାହାକୁ ତମ ସ୍ତ୍ରୀର କକା ପୁଅ ଭାଇ ବୋଲି କହି ଗାଡିରେ ଆଣିଲ, ସିଏ ଡାକୁ, ବଦମାସ୍ ଗାଡି ଓଲଟି ପଡିବା ପରେ ଜିନିଷପତ୍ର ଗୋଟାଇବା ଅବକାଶରେ ସିଏ ସୁନାହାରଟି ବାକ୍ସରୁ କାଢିନେଇଛି ତାର ଦାମ୍ ଅଢେଇହଜାର ଟଙ୍କା ?”
“ବାବୁ ! କହୁଛନ୍ତି କ’ଣ ? କାଶୀରାମ ଏଇଆ କଲା ? ମୁଁ ଯାଉଛି ତାକୁ
ଦେଖିବି l ସେ ଯିବ କୁଆଡେ l ମୁଁ ତାକୁ ଛାଡିବିନି l ” ଏହାକହି ଜୟସିଂହ ସିଧା ନିଜ ଘରକୁ ଯାଇ ତା’ ସ୍ତ୍ରୀକୁ କହିଲା, ତମ କକାପୁଅ ଭାଇ କାଶୀରାମ ଯୋଗୁଁ ବର୍ତ୍ତମାନ ମୋର ମାନ ଇଜ୍ଜତ ଗଲା l ଜମିହାର ମତେ କେତେ ଗାଳିଗୁଲଜ କଲେ l ସେ ତା’ ଅଜାକୁ ଦେଖିବାକୁ ଆସିଲା, ବାଟରେ ମାଲିକଙ୍କ ବାକ୍ସରୁ ଅଢେଇହଜାର ଟଙ୍କା ମୂଲ୍ୟର ହାର କାଢିନେଇଛି l ଅଜା ବୁଢା ଭୀଷଣ ଅସୁସ୍ଥ ବୋଲି ଶୁଣି ସିନା ମୁଁ ତାକୁ ଗାଡିରେ ଆଣିଲି l ନହେଲେ ମୁଁ କାହିଁକି ତାକୁ ଗାଡିରେ ବସାଇ ଥାଆନ୍ତି l ”
“ବୁଢା ଅସୁସ୍ଥ ?”ମୁଁ ତ ଜାଣି ନଥିଲି l ମୋତେ ତ କହିନଥିଲ ଯେ ଅଜା ବୁଢାର ଦେହ ଏତେ ଖରାପ l ମୁଁ ଯାଇ ଆଗେ ଅଜାର ଭଲମନ୍ଦ ବୁଝିଆସେ ତା’ପରେ ଆଉ ଯାହା l
ହାରଚୋରି ହୋଇଥିବା ଉପରେ ଜୟସିଂହର ସ୍ତ୍ରୀ ବିଶେଷ ଗୁରୁତ୍ୱ ନଦେଇ ତା’ ସମ୍ପର୍କୀୟ ଅଜାବୁଢାର ଅସୁଖ କଥା ଶୁଣି ବିଚଳିତ ହୋଇ ସେ ବୁଢାକୁ ଦେଖିବା ସକାଶେ ବାହାରି ଗଲା l
ତେଣେ କୁମାରବାବୁ ଘୋଡାଶାଳକୁ ଘରକୁ ଫେରିବା ବାଟରେ ଦେଖିଲେ ଜଣେ ଅପରିଚିତା ମହିଳା ତାଙ୍କ ଘର ପଛ ବାଟ ଦେଇ ଚାଲିଗଲେ l ସେ ଛୋଟେଇ ଛୋଟେଇ ଘର ଭିତରେ ପଶିବା ମାତ୍ରେ ବସୁମତି ଆଖି ଛଳ ଛଳକରି କହିଲା, “ମୋର ଭୁଲ୍ ହୋଇଛି l ତୁମେ ବାଟରେ ପଡିଯାଇ ଗୋଡରେ ଆଘାତ ପାଇଛ, ସେ ପ୍ରତି ଦୃଷ୍ଟି ନ ଦେଇ ମୁଁ ପ୍ରଥମେ ଉପହାର କଥା ଭାବିଲି l ତୁମେ ଘରୁ ବାହାରି ଗଲାବେଳେ ମୋ ବାନ୍ଧବୀ ପଛପଟ ଦେଇ ଘରକୁ ଆସୁଥିଲା l ସେ ତମ ଛୋଟେଇ ଚାଲିବା କଥା ଲକ୍ଷ୍ୟ କରି ମୋତେ କହିଲା, ଅଥଚ ମୁଁ ତାହା ଯାଣି ନଥିଲି ! ମୁଁ ଉପହାର ମୋହରେ ତୁମର କଷ୍ଟକୁ ବି ଗୁରୁତ୍ୱ ଦେଲିନାହିଁ l ”
ବସୁମତିର ଅନୁଶୋଚନା ଦେଖି କୁମାରବାବୁ ଖୁସି ହେଲେ l
ସକାଳେ ସେ ପିଣ୍ଡାରେ ବସି ଜୟସିଂହକୁ ଅପେକ୍ଷା କରୁଛନ୍ତି, ଦେଖିଲେ ଗତକାଲି ସହରରେ ଯେଉଁ ଗହଣା ଦୋକାନରୁ ହାରଟି କିଣିଥିଲେ, ସେ ଦୋକାନର ମାଲିକ ତାଙ୍କ ଘରଆଡେ ଆସୁଛନ୍ତି l
“ନମସ୍କାର, ଆପଣ କେମିତି ଏଆଡେ ?” କୁମାରବାବୁ ଉଠି ପଡି ପଚାରିଲେ l
“ଆରେ କୁମାରବାବୁ, ଆପଣ ଯେମିତି ଭଲ ମଣିଷ, ମୋ’ କର୍ମଚାରୀଟି ସେମିତି ଭୋଳା ମଣିଷ l ଆପଣ ହାର ପସନ୍ଦ କରି ସାରି ଟଙ୍କା ଦେଇ ଖାଲି ବାକ୍ସଟି ଉଠାଇଆଣି ଚାଲିଆସିଲେ, ହାରଟି ବାହାରେ ରହିଗଲା l ରାତିରେ ଦୋକାନ ବନ୍ଦ କରିବା ପୂର୍ବରୁ ସବୁ ରଖାରଖି କରିବା ବେଳେ ଏହା ଜଣାପଡିଲା l ଆପଣ କେମିତି କିଛି ନ ଜାଣିଲାପରି ବସିଥିଲେ ? କ’ଣ ବାକ୍ସଟି ଖୋଲି ଦେଖିନାହାନ୍ତି ?”
କୁମାରବାବୁ ଆନନ୍ଦିତ ହେବା ସଂଗେ ସଂଗେ କାଶୀରାମକୁ ଭୁଲ ସନ୍ଦେହ କରିଥିବାରୁ ଦୁଃଖିତ ହେଲେ l ଦୋକାନୀ ବିଦାୟ ନେଇଯିବା ଉତ୍ତାରୁ ସେ ଜୟସିଂହକୁ ଡାକିବାକୁ ଯାଉଛନ୍ତି, ଜୟସିଂହ ଆସି ପହଞ୍ଚିଗଲା l
“ଜୟସିଂହ, ବଡ ଭୁଲ ହେଇଗଲା l ହାର ବାସ୍ତବିକ ମୁଁ ସହରରେ ସେ ଗହଣା ଦୋକାନରେ ହିଁ ଛାଡି ଆସିଥିଲି l କାଶୀରାମର କିଛି ଦୋଷ ନାହିଁ l ତମେ ତାକୁ କ’ଣ କହିଲ ସେ ବା କ’ଣ କହିଲା ?” କୁମାରବାବୁ ଉତ୍କଣ୍ଠିତ ଭାବରେ ପଚାରିଲେ l
“ବାବୁ, ତାକୁ କିଛି କୁହା ହୋଇନାହିଁ l କିନ୍ତୁ ଆପଣ ମତେ ସେକଥା କହି ମୋର ବହୁତ ଲାଭ କରାଇଦେଲେ l ” ହସିହସି ଜୟସିଂହ କହିଲା
“ମାନେ ?”
“ମୁଁ ଯାଇ ମୋ ସ୍ତ୍ରୀକୁ ସେକଥା କହିବା ମାତ୍ରେ ସେ ବୁଢା ଅଜା ଘରକୁ ବାହାରି ଗଲା l ସେଠାରେ ଯାଇ ଦେଖିବା ବେଳକୁ ବୁଢା ସହ କାଶୀରାମ ଝଗଡା କରୁଛି l ବୁଢାର ନିଜର ବୋଲି କେହି ନାହିଁ l କାଶୀରାମର ଜିଗର ବୁଢା ତା’ର ଧନସମ୍ପତ୍ତି ତା’ ନାମରେ ଲେଖି ଦେଉ l ସେ କାଗଜ ପ୍ରସ୍ତୁତ କରି ଆଣିଥାଏ l ବୁଢା କିନ୍ତୁ ରାଜି ନ ହେବାରୁ ସେ ବୁଢାକୁ ଗାଳିଗୁଲଜ କରି ପଳାଇଗଲା l
ବୁଢାର କ’ଣ ମନ ହେଲା କେଜାଣି, ସେ ସଂଗେ ସଂଗେ ମୋ’ ସ୍ତ୍ରୀକୁ ତା’ର ସବୁ ସମ୍ପତ୍ତି ଦେବାକୁ ଠିକ୍ କଲା l ମୋ’ ସ୍ତ୍ରୀ ଅବଶ୍ୟ ବୁଢାକୁ ବହୁତ ଭକ୍ତି କରୁଥାଏ ଓ ବୁଢା ବି ତାକୁ ସ୍ନେହ କରୁଥାଏ l କିନ୍ତୁ ବୁଢାର ସବୁ ସମ୍ପତ୍ତି ଆମକୁ ମିଳିବ, ଏହା ଆମେ କଳ୍ପନା କରିନଥିଲୁ l ବୁଢା ଆଜି କାଗଜପତ୍ର କରୁଛି l ଆମକୁ ଯାଇ ତାହାରି ଘରେ ରହିବାକୁ ହେବ l ଜୟସିଂହ କହିଲା l
“ବୁଢା ବହୁତ ରଖିଛି କିରେ ?” କୁମାରବାବୁ ପଚାରିଲେ
ଅଳ୍ପ ଲାଜ କରି ଜୟସିଂହ କହିଲା l “ହଜୁର ତିରିଶ ହଜାର ଟଙ୍କା ପୋତି ରଖିଥିଲା l ଘରଦ୍ୱାର ଜମିବାଡି ତ ଅଛି l ଭାବୁଛି କିଛି ବେପାର କରିବି l ଆପଣ ବୁଦ୍ଧି ଦେଲେ ହେଲା l ସୁଖେ ଦୁଃଖେ ଚଳିଯିବୁ l ”
“ଜରୁର୍, ଜରୁର୍!” କୁମାରବାବୁ କହିଲେ l “ହାର ଚୋରି ଭ୍ରମ ଯୋଗୁଁ ମୋ ସ୍ତ୍ରୀ ବସୁମତିର ମନ ବି ବଦଳିଗଲା l ”