ପିମ୍ପୁଡ଼ି
ପିମ୍ପୁଡ଼ି


ସେ ସମୟ ସେମିତି ଥିଲା, ମୁଁ ନା କରିଥିଲି ଯିବାକୁ କିନ୍ତୁ ମନ ତ ମୋର ବି ଥିଲା ଯିବାକୁ। କେଜାଣି କେତେ ଦିନ ହେଲା ନା ଭଲ ଶାଢ଼ି ଖଣ୍ଡେ ପିନ୍ଧିଛି, ନା ଆଇନାରେ ନିଜକୁ ଟିକେ ନିହାରିଛି। ଘର, ଘରର ଜଞ୍ଜାଳ, ଆଉ ପାଞ୍ଚଟା ଛୁଆ। ବୃଦ୍ଧ ଶାଶୁ ଶ୍ବଶୁର, ଦୁଇଟି କଅଁଳା ଛୁଆ ଆଉ ଜଣେ ମୋ ସ୍ବାମି। ସବୁଦିନ ସମାନ କାମ କରିକରି ହେଉନହେଉ ମନ ଅତିଷ୍ଠ ହୋଇପଡିଥିଲା । ଭାଗ୍ଯକୁ ସେତେବେଳେ ଗୋଟିଏ ଭୋଜି ଆମନ୍ତ୍ରଣ ଆସିଲା। ମୁଁ ଧ୍ୟାନ ଦେଇନଥିଲି ଯିବାକୁ। କିନ୍ତୁ ଏଥର ଶ୍ବଶୁର ନିଜ ଆଡୁ କହିଲେ ପିଲା ଛୁଆକୁ ନେଇକି ଟିକେ ବୁଲି ଦେଇ ଆସ ମନଟା ଭଲ ଲାଗିବ। ସେ ଶଯ୍ୟାଶାୟୀ ଶାଶୁକୁ ସମ୍ଭାଳି ନେବେ। ମନ ଆଶଙ୍କାରେ ତ ଥିଲା କିନ୍ତୁ ଗୋଟିଏ ତ ସହରରେ, ପୁଣି ରାତି ସୁଦ୍ଧା ଫେରି ଆସିବାର ଥିଲା ତେଣୁ ସ୍ବାମୀ ବି ରାଜି ହୋଇଗଲେ। ଶାଶୁ ଶେଜରେ ଥାଇ ବି କହିଲେ ଯା ଏମିତି ଭୋଜିଭାତରେ ଯିବାକଥା ନା, ନହେଲେ ସମ୍ପର୍କ କେମିତି ରହିବ।
ପାହାନ୍ତରୁ ଉଠି ନାନାବତ୍ କାମ ସବୁ ସାରି, ସକାଳୁ ରାତି ପାଇଁ ସବୁ ରନ୍ଧା କରି କିଛି ଫ୍ରିଜରେ ଆଉ କିଛି ଟେବୁଲ୍ ଉପରେ ରଖି ସମସ୍ତ ପ୍ରକାର ତତ୍ବାବଧାନରେ ଦେଇ ଆମେ ଗଲୁ। ମୁଁ ଆଶ୍ବାସନା ଦେଲି ଯେ ମୁଁ ପ୍ରତି ଘଣ୍ଟାରେ ଫୋନ କରିବି ଯେହେତୁ ଶ୍ବଶୁରଙ୍କୁ ଷାଠିଏ ଭାଗ ଶୁଭେନି ତେଣୁ କାନେ କାନେ କହି ଯାଉଥିଲି ଫୋନକୁ ପାଖରେ ରଖିବାକୁ।
ଭୋଜିଭାତ ମଉଜ ଉଲ୍ଲାସ ସରିଲା। ଦିନ ସାରା ଶାଶୁଙ୍କ ହାଲଚାଲ ବି ନେଇଥିଲି। ଫେରୁ ଫେରୁ ଢେର ରାତି ହେଲାଣି। ଆମ ପାଖରେ ଘରର ଚାବି ଥିଲା। ଘର ଭିତରକୁ ପଶି ଦେଖିଲୁ ଦୁହେଁ ଶୋଇଛନ୍ତି। ଉଠାଇବା ଶ୍ରେୟ ମନେ କରୁନଥିଲୁ। ପିଲାଦୁଇଟା ତ ଶୋଇଯାଇଥିଲେ। ତାଙ୍କୁ ସୁଆଇ ଦୈବାତ ମନେ ହେଲା ବାପାଙ୍କ ଟିକେ ଜଣାଇବାକୁ ଯେ ଆମେ ଆସିଗଲୁ ସେହି ସହ ମାଆ କୁ ବି ଟିକେ ଦେଖି ଆସିବୁ। ମାଆଙ୍କ ଖଟ ପାଖ ଲାଇଟ ଲଗାଇଲା ବେଳକୁ ମୁଁ ମାଆଙ୍କ ମୁହଁ କୁ ଲକ୍ଷ୍ୟ କଲି କେମିତି ଏକ ବେଦନାକୁ ଯେମିତି ଜାବୁଡି ଧରିଛନ୍ତି। ମୁଁ ମାଆ ବୋଲି ଡାକିଛି କି ସେ ଝିଅଲୋ କହି ଜାବୁଡ଼ି ଧରିଥିବା ବେଦନାକୁ ଉଗାଳି ପକେଇଲେ। କଅଁଳା ଶିଶୁ ଟିଏ ତା ମାଆ କୁ ବହୁତ ସମୟ ପରେ ପାଇଲେ ଯେମିତି ଜାବୁଡି ଧରି କାନ୍ଦେ ଠିକ୍ ସେମିତି ମୋ ଦେହରେ ମୁହଁ ଲୁଚାଇ ନେଲେ।
ମୁଁ ହାତ ପିଠି ପାଖକୁ ନେଇଛି କି ବାପରେ ସହସ୍ର ପିମ୍ପୁଡି। ସ୍ବାମୀ ତାଙ୍କୁ ସାଂଗେସାଂଗେ ଖଟରୁ ଟେକି ଆଣିଲେ। ପିଠି ଉଲଟେଇ ଦେଖିଲା ବେଳକୁ ସାରା ଦେହର ଆଉ କିଛି ଅବସ୍ଥା ନାହିଁ। ସାଙ୍ଗେସାଙ୍ଗେ କପଡା ସବୁ କାଢି ମେଡିସିନ ପତ୍ର କଲୁ।
ଶ୍ବଶୁର ଶାଶୁଙ୍କୁ ଉଠାଇ ପାରିଲେ ନାହିଁ ତେଣୁ ଶେଜ ଉପରେ ସବୁ ଖାଇଛନ୍ତି। ସବୁ ଶେଷରେ ସେଇଠି କିଛି ଅଂଶ ପଡିଯାଇଥିଲା। ଶାଶୁଙ୍କ ହାତ ବି ସେତେ ସକ୍ଷମ ନୁହେଁ। ରାତିରେ ବାବା ସୋଇବା ପରେ ମାଆ ବହୁତ୍ ଚିଲେଇ ଡାକିଛନ୍ତି କିନ୍ତୁ ବାବାଙ୍କୁ ଶୁଭିନି। ଅନ୍ୟ ଉପାୟ ନପାଇ ପିମ୍ପୁଡି ସବୁ କାଲେ ନାକ, ମୁହଁ ରେ ପଶିଯିବ ତେଣୁ ସେ ନିଶ୍ବାସ ରୁନ୍ଧି ହୋଇ ପଡିରହିଥିଲେ।
ଭାବିଲା ବେଲକୁ ମତେ ଏତେ କଷ୍ଟ ଲାଗିଲା। କି ଛାର ଭୋଜି ଖାଇ ଗଲି ଯେ ମୋ ବିଚାରି ବୁଢି ମାଆ କେତେ କଷ୍ଟ ପାଇଲେ। କିଛି ସମୟ ପରେ ତାଙ୍କୁ ଟିକେ ଭଲ ଲାଗିଲା। ପୁରା ଦେହ ଗଡ଼ ପରି ଫୁଲି ଯାଇଥାଏ। ଆଖି କେମିତି ଟିକେ ଜକେଇ ଆସିଲା। ଆମ ବ୍ଯସ୍ତତା ଦେଖି ମାଆ ଆମକୁ ବୁଝାଇଲେ। କିଛି ଚିନ୍ତା କରନି କହିଲେ। କଥାରେ କଥାରେ କହିଲେ ଆରେ ସେଗୁଡା ତ ପିମ୍ପୁଡି ନିଜର ପ୍ରିୟ ଦରବକୁ ଏକୁଟିଆ ଖାଇବେ ନା ଛାଡିବେ।
କଥାଟା ମୋ ମନରେ ଘର କରି ଗଲା। ।