ଓଦାକନା
ଓଦାକନା
କେତେଵେଳେ ନ'ଟା ଵାଜିବ ଆଉ ଜେଜେମା ଖାଇଵାକୁ ଡାକିଵ ସେଇ ଭାବନାରେ କୁନା ଵହିଟା ଖାଲି ଓଲଟାଉ ଥିଲା ।ରୋଷେଇଘରୁ ଵୋଉ ହାତ ତିଆରି ମାଛ ଵେସର ଵାସ୍ନାରେ ଆଉ କ'ଣ ପଢିହୁଏ ?ସଞ୍ଜ ଵେଳୁ ପଢାରେ ସେମାନେ ପଢାରେ ବସିଲେଣି ।ଏଵେ ଖାଲି ପୃଷ୍ଠା ଓଲଟାଉ ଥିଲା ।ପାଖରେ ନାନୀଟା ଵସିକି ସବୁ ଗଡବଡ କରୁଛି ।ଭଲକି ଟିକେ ଘୁମେଇ ଵି ହଉନି ।ମୁହଁଟା ମାଡିଦେଇ କେତେ ପଢୁଛି କେଜାଣି ଏ ନାନୀଟା ।ନାଃ ଆଉ ପାରି ହଵନି ନିଦକୁ ।ଚକା ମୁଣ୍ଡୁଳି କରି ଗାଲ ଦିଟା ହାତରେ ଥୋଇ ପଢିଲା ଭଳି ଵସିଗଲା ।ଏଥର ଆରାମରେ ଆଖିଵୁଜି ହବ ।ନାନୀ ବି ଜାଣି ପାରିଵନି ।ଘୋଷଡିଟା ।ଵହିକି ଚାହିଁଛି ।
"ଆହା ,ମରି ଯାଉଥାଏଁ ଲୋ ।କେତେ ବଢିଆ ପାଠପଢା ହଉଛିରେ ପୁଅର ।"ସ୍ବରଟା ଲମ୍ଵେଇ ଦେଲା ନୀତା ।ଚମକି ପଡିଲା କୁନା ।"ହେ ନାନୀ କାଇଁ ଡିଷ୍ଟର୍ବ କରୁଛୁ ?ଦେଖି ପାରୁନୁ ମୁଁ ପଢୁଛି ।"
"ହଁ ଆଖି ଦିଟା ଵୁଜି ଦେଇ ସାମ୍ନାରେ ଵହି ଖୋଲି ବଢିଆ ପଢୁଛୁ ତ !"ଝଙ୍କାର ଦେଇ କହିଲା ନୀତା ।"ଜେଜେମା ,ଦେଖିଲୁ ନାନୀ କେମିତି ମୋ ସାଙ୍ଗେ ଲାଗିଛି ।"
"ଆଉ ପାରି ହଵନି ଏ ଟୋକୀକି ।ଆଲୋ ହେ ,ତୁ ତ ଝିଅଟେ ।ଏମିତି ଅଣ୍ଡିରୀଙ୍କ ଭଳି କ'ଣ ପାଟି କରୁଛୁ ?"
"ଅଣ୍ଡିରୀ ନା !!"ମନେ ମନେ ଗାରୁଗାରୁ ହେଲା ନୀତା ।ଯେମିତି ଚଳିଲେ ବି ଭାଇଠୁ ଅଲଗା ଵୋଲି ତାକୁ ସବୁବେଳେ ଶୁଣେଇ ଦିଆ ହଉଛି ଆଜିକାଲି ।
ଆଉ ଗୋଟେ କଥା ତାକୁ ଆଜିକାଲି ଖୁଵ୍ ଶୁଣିବାକୁ ମିଳୁଛି ।"ତୁ ଝିଅଟା ।ଏସବୁ କ'ଣ ତୋତେ ସାଜେ ?ଯେତେହେଲେ ପରଘରକୁ ଯିବୁ କି ନାଇଁ ?"
ଭାରୀ ଚିଡିମାଡେ ତାକୁ ସଵୁଵେଳେ ଏଇ କଥା ଶୁଣିଶୁଣି ।ହଁ ପରଘରକୁ ଯିଵ ତ ନିଶ୍ଚେ ।ସଵୁ ଝିଅ ଯାଉଛନ୍ତି ।ହେଲେ ଏଵେଠୁ ଏତେ ଚିନ୍ତା କାହିଁକି ?କେତେ ଆରାମରେ ତା ଦିନ କଟୁଥିଲା ।ଝିଅଟେ ଵୋଲି ଵେଶୀ କିଛି ଫରକ ନଥିଲା ତ ତା ଜୀଵନରେ ।ବେଶ୍ ଆରାମରେ ଖେଳବୁଲା ମଉଜମସ୍ତି କରୁଥିଲା ।ତା କଥାକୁ ସମସ୍ତେ ଅନେଇ ବସୁଥିଲେ ।ଭଲ ପଢେ ଵୋଲି ଗାଁଟା ଯାକ ପିଲାଙ୍କ ନେତ୍ରୀ ଥିଲା ଏକରକମ ।କିନ୍ତୁ ଝିଅଟେ ଝିଅଟେ କହି ତାକୁ ସବୁ କଥାରେ ପଛକୁ ଟଣା ହେଲା ଵେଳେ ସେ କେମିତି ଅଦମନୀୟ ହେଇ ପଡେ ।ଏସଵୁ ତତେ ସାଜେନି କହି ଵାଧ୍ୟ କରି ଓଢଣୀ ,ଅଳତାରେ ସଜାଇ ହବାଟା ସେ ପସନ୍ଦ କରି ପାରେନି ।ଅଧିକ ମନ ଦେଇ ପଢେ ।କିନ୍ତୁ ସବୁଠି ସେଇ ଗୋଟାଏ ଦୁଃଖ ଝିଅମାନଙ୍କର ।କର୍ମକୁ ନିନ୍ଦି ଭାଗ୍ୟକୁ ଆଦରି ଲୁହ ଗଡେଇବା ଛଡା ଆଉ କିଛି ଜାଣନ୍ତିନି ।ଗାଁ ଯାକ କେତେ ଵୋହୂ ,ମାଆ ,ଖୁଡୀ ,ବଡମାଆ ପ୍ରାୟ ସମସ୍ତେ ଏଇ ଦୁଃଖରେ ଅଛନ୍ତି ଭଳି ଲାଗେ ।ନୀତାକୁ ଏଗୁଡା ଦୁଃଖ ନୁହେଁ ରୋଗ ଭଳି ମନେ ହୁଏ ।ଆରେ ଝିଅ ଵୋଲି କ'ଣ ମଣିଷ ନୁହଁ ।
କ'ଣ କରିଵ ଭାବି ପାରେନି ସ୍କୁଲ ଡେଇଁ ଏଵେ ପ୍ଳସ୍ ଟୁ ପଢୁଥିବା ନୀତା ।ସମାଜର ଅନେକ ନିୟମ ଯାହା ଝିଅପାଇଁ ତିଆରି ହୋଇଛି ସେଗୁଡା ପାଳି ସେ ନିଜଠାରୁ ଅନେକ ଦୂରକୁ ଗଲାଣି କେବଳ ଝିଅଟେରୁ ନାରୀଟେ ହଵ ଵୋଲି ।ସମାଧାନ ସେ ଜାଣିନି ।ଯଦି ଵି ଵୁଝିପାରୁଛି ସମସ୍ୟା କଣ ।ପୂର୍ଣ୍ଣ ମଣିଷ ହବାର ଅଧିକାର କେଵଳ ପୁରୁଷର ନୁହେଁ ନାରୀର ବି ଅଛି ।ଏତିକି ସେ ଶୁଣେ ନିଜ ସହ ଏକାତ୍ମ ହେଲାଵେଳେ ।
ନୀତା ପରଘରକୁ ଯାଇଛି ।ସଂସାରର ସମସ୍ତ ନିୟମ ସେ ପାଳିଛି ।ମାଆ ହେଇଛି ।ନାରୀ ଜୀଵନରେ ଦୁଃଖ ବି ସାମ୍ନା କରିଛି ।ଆଉ କୋଉଠି ଝିଅଟିଏ ଦୁଃଖରେ ଥିଲେ ସମ ଭାବରେ କଷ୍ଟ ପାଇଛି ।ହେଲେ ସମାଧାନର ଵାଟଟି ଏଵେ ଵି ଵହୁତ ଦୂରରେ ଥିଲା ଭଳି ତାକୁ ଲାଗେ ।କେଵଳ ଭାଗ୍ଯରେ ଥିଲେ ଝିଅଟେ ସୁଖୀ ହବ ,ନିଜ ଉଦ୍ୟମ ଵଳରେ ନୁହେଁ ଏକଥା ସେ ଗ୍ରହଣ କରି ପାରେନି ।"ହେ ସ୍ତ୍ରୀ ଲୋକ ମାନେ କ'ଣଟା କରିପକେଇଵେ "କହୁଥିଵା ସମାଜକୁ ସେ ସାମ୍ନା କରିଛି। "ସ୍ତ୍ରୀ ଲୋକ ମାନେ ଯାହା କରିପାରିଵେ ପୁରୁଷ ମାନେ କରିପାରିଵେନି ।" ବୋଲି ଓଲଟା ସ୍ବର ଉଠେଇଛି ।
ହଁ ଏଥିରେ କେହି ଫୁଲମାଳ ପିନ୍ଧାନ୍ତିନି ।ଵରଂ ନିନ୍ଦାର କଣ୍ଟା ମୁକୁଟ ପିନ୍ଧିବାକୁ ମିଳେ ।କିନ୍ତୁ ନୀତା ଭଳି କେତେଜଣଙ୍କୁ ତ ଆଗକୁ ଆସି ଏସଵୁ କରିଵାକୁ ହେବ ।ଓଦାକନାଟିଏ ଶୁଖେଇ ଵଳିତାଟିଏ ଵଳି ଦୀପଟେ ଜାଳିଵାକୁ ସମୟ ତ ଲାଗିବନା ।
