Binay Mohapatra

Others


4  

Binay Mohapatra

Others


ନିଃସଙ୍ଗ ମଣିଷ

ନିଃସଙ୍ଗ ମଣିଷ

11 mins 23.9K 11 mins 23.9K

ଅପ୍ରେଲ ମାସର ଉଦୁଉଦିଆ ଖରାବେଳ, ନାତି ନାତୁଣୀମାନଙ୍କର ସ୍କୁଲ କଲେଜ ସବୁ ଛୁଟି । ଲଞ୍ଚ ପରେ ପରେ ସେମାନେ ନିଜ ନିଜ ରୁମରେ ମୋବାଲରେ ଆଖିଗଡେଇ ବସିଥାଆନ୍ତି । ଜେଜେମାଆ ସୁନୀତି ଦେବୀ, ଘରକାମ ସାରି ହାତ ପୋଛୁ ପୋଛୁ ଛୁଆ ଦୁଇଟା କଣ କରୁଛନ୍ତି ଦେଖିଆସିବେ ବୋଲି ନାତି ନାତୁଣୀଙ୍କ ରୁମ ଆଡୁ ଘେରାଏ ବୁଲି ଆସିଲେ । ଏଇ ବୟସରେ ଟିକିଏ ମନ ହୁଏ ପିଲାଙ୍କ ପାଖରେ ଦିଘଡି ବସିଯିବାପାଇଁ, ଦି ପଦ କଥାବାର୍ତ୍ତା ହେବାକୁ, ସେମାନଙ୍କ ସହିତ ଟିକିଏ ହସିଖେଳି ଦେଲେ ମଣିଷ ନିଜର ବୟସ ଭୂଲିଯାଏ । ପିଲାଙ୍କ ସାଥିରେ ପୁଣି ପିଲାଟିଏ ହୋଇଗଲା ପରିଲାଗେ । ନିଜର ଏବଂ ନିଜ ପୁଅଝିଅଙ୍କର ପିଲାଦିନର ସ୍ମୃତି ପୁଣି ଆଖିଆଗରେ ନାଚିଯାଏ । କିନ୍ତୁ ଆଜି କାଲିକା ପିଲାଙ୍କ ପାଖରେ ସମୟ କାହିଁ ? ଖରା ଛୁଟିରେ ବି ସ୍କୁଲର ହଲିଡେଜ୍ ହୋମୱାର୍କ ମିଲିଯାଏ । ପିଲାଏ କିଛି ସମୟ ପଢାପଢି କରିଦିଅନ୍ତି, ତାପରେ ଦିନ ସାରା ଟିଭି ନହେଲେ ମୋବାଇଲ ସାଙ୍ଗରେ ବିଜି ହୋଇଯାଆନ୍ତି । ଘରୁ ବାହାରି ସାଙ୍ଗସାଥୀଙ୍କ ସାଥିରେ ଖେଳକୁଦ କରିବା ଅବା ବୁଲାବୁଲି କରି ଦେହ ମନ ଟିକିଏ ଫୁର୍ତ୍ତି କରିବାକୁ ବି ସେମାନଙ୍କ ପାଖରେ ସମୟ ନାହିଁ, ଆଉ ଏ ବୁଢାବୁଢିଙ୍କ ପାଇଁ ସମୟ କେଉଁଠୁ ଆସିବ ?

ଜେଜେ ରାଟାୟାର୍ଡ ହେଡକ୍ଲର୍କ, ନାତି ନାତୁଣୀଙ୍କର ସ୍କୁଲ ହୋମୱାର୍କରେ କେବେ କିଛି ହେଲ୍ପ ଆବଶ୍ୟକ ହେଲେ ନାତି ନାତୁଣୀ ଜେଜେଙ୍କୁ ପଚାରି ନିଅନ୍ତି, ବାସ କେବଳ ସେତିକି ସମ୍ପର୍କ । ନିଜ ଜୀବନର ଅଭିଜ୍ଞତା ପିଲାଙ୍କ ସାଥିରେ ବାଣ୍ଟିବା କି ସେମାନଙ୍କ ସହିତ ଟିକିଏ ହସି ଖେଳି ସମୟ କାଟିବାକୁ କଣ ତାଙ୍କର ମନହୁଏନି ! ବହୁତ ମନହୁଏ, କାହା ସାଥରେ ବସି ଢେର ସାରା ଗପିବାକୁ, ଜୀବନର ଖଟା ମିଠା ଅନୁଭୂତି କାହା ସହିତ ବାଣ୍ଟିବାକୁ, ହେଲେ କାହା ପାଖରେ ଏତେ ସମୟ ଅଛି, ବୁଢାଟା ସାଙ୍ଗରେ ବସି କିଏ ଗପସପ୍ କରିବ ? ଜେଜେ ମାଆ କେବଳ ଖୋଜାପଡେ ଲଞ୍ଚ ସମୟ ହେଲେ, ଅବା ଆଉକିଛି ଦରକାର ପଡିଲେ । ବାପା ମାଆ ଦୁଇଜଣ ଅଫିସରେ, ବୁଢା ବୁଢିଙ୍କ କାମ କେବଳ ଘର ଜଗିବା । ଦୁଇ ଚାରିଦିନ ଏପରିବି ଚାଲିଯାଏ, ଯେବେ ନା' ନାତି ନାତୁଣୀ ନା' ପୁଅବୋହୁ କାହା ସହିତ କଥାପଦେ ହେବାର ସୁଯୋଗ ମିଳେନି । ସମସ୍ତେ ନିଜ ନିଜ କାମରେ ବହୁତ ବ୍ୟସ୍ଥ ।

ସକାଳେ ଘରକାମ କାମକରିବାକୁ ଆସୁଥିବା ମାଳତି ନିତି ନମସ୍କାରଟିଏ କରି ବୁଢାବାବୁ ଆଉ ମାଆଙ୍କର ଦେହପାଆ କଥା ପଚାରିନିଏ । ତଥାପି ଅନାଦି ବାବୁ ନିଜକୁ ବଡ ଭାଗ୍ୟବାନ ମନେ କରନ୍ତି, ଗର୍ବ ବି ଅନୁଭବ କରନ୍ତି । ଆଜି କାଲିକା ଯୁଗରେ ପିଲାଏ ବୁଢା ବାପାମାଆକୁ ଏକୁଟିଆ ଛାଡି ଅଲଗା ରହୁଛନ୍ତି, କିନ୍ତୁ ପୁଅ ବୋହୁ ତାଙ୍କ ସାଙ୍ଗରେ ତ ଅଛନ୍ତି । କିଛି ନହେଲେ ପିଲାଙ୍କୁ ଆଖି ସାମ୍ନାରେ ଦେଖୁଛନ୍ତି । ନହେଲେ ଏ ବୟସରେ ଏକୁଟିଆ ରହିବା କେତେ ଯନ୍ତ୍ରଣାଦାୟକ ହୋଇଯାଆନ୍ତା ସତେ । ଏତିକି ଭରସା ତ ଅଛି, ପିଲାଏ ପାଖରେ ଅଛନ୍ତି, ଦେହପାଆ କେବେ କିଛି ଅସୁବିଧା ହୋଇଗଲେ ଦେଖାଶୁଣା କରିପାରିବେ । ଦି ଓଳି ଦି ବକତ ଠିକ୍ ସମୟରେ ଖାଇବାକୁ ମିଳିଯାଉଛି । ନହେଲେ ଏ ବୟସରେ ଏସବୁ କାମ ନିଜେ ନିଜେ କରିବା କେତେ କଷ୍ଟକର ହୋଇଯାଆନ୍ତା ।

ପୁଅ ବୋହୁଙ୍କର ଅବା ଦୋଷ କଣ, ଆଜିକାଲି ଯୁଗରେ ଘର ଚଳେଇବା, ପିଲାଙ୍କୁ ପାଠ ପଢେଇବା, ସମାଜର ଅନ୍ୟମାନଙ୍କ ସହିତ ସ୍ଟାଟସ ପ୍ରତିଯୋଗିତାରେ ସମସ୍ତଙ୍କ ଆଗରେ ରହିବା, ଏସବୁ ପାଇଁ ବହୁତ ପଇସା ଦରକାର । ପୁଅ ବୋହୁ ଦିଜଣ ଲାଗିପଡିଛନ୍ତି ପଇସା ରୋଜଗାରରେ । ହେଲେ ଅନାଦି ବାବୁ ବି ଘର ସଂସାର କରିଥିଲେ, ପିଲାଙ୍କୁ ପାଠପଢେଇ ଝିଅକୁ ଡାକ୍ତର, ପୁଅକୁ ଇଞ୍ଜିନିୟର କରିଲେ । ଅନେକ ଘରଜଞ୍ଜାଳ ସତ୍ୱେ ସମସ୍ତଙ୍କ ପାଇଁ ସମୟ ଥିଲା ତାଙ୍କ ପାଖରେ । ବାପା ମାଆ, ଭାଇ ଭଉଣୀ ବନ୍ଧୁ ବାନ୍ଧବ ସାଙ୍ଗସାଥି ସମସ୍ତଙ୍କୁ ସମୟ ଦେଉଥିଲେ । ସଂଧ୍ୟାରେ ଅଫିସରୁ ଫେରିଲା ପରେ ବାପାମାଆଙ୍କ ପାଖରେ ଘଣ୍ଟାଏ ଅଧଘଣ୍ଟାଏ ବସି ଯାଉଥିଲେ, ଦେହପା କଥା ପଚାରୁଥିଲେ କିଛି ନହେଲେ ପୁରୁଣା ଦିନର କଥା ମନେ ପକାଇ ଗପ ସପ କରି ହସିହସି ଗଡିଯାଉଥିଲେ । ପିଲାଙ୍କ ସହିତ ବସି ସେମାନଙ୍କ ପାଠ ପଢା ଦେହ ପାଆ କଥା ବୁଝୁଥିଲେ, ସେମାନଙ୍କର ସବୁ ସମସ୍ୟାରେ ତାଙ୍କ ସାଥିରେ ଠିଆ ରହୁଥିଲେ, ସେମାନଙ୍କର ସବୁ ସନ୍ଦେହ ଦୂରକରୁଥିଲେ, ସମାଜରେ ଜଣେ ଭଲମଣିଷ ହୋଇ ରହିବାପାଇଁ ଶିଖାଉଥିଲେ, ରାତିରେ ସମସ୍ତେ ଏକାଠି ବସି ଖାଉଥିଲେ ।

ଅସଲ କଥା ହେଲା, ଅନାଦିବାବୁ ଯେଉଁ ସମୟର ମଣିଷ ସେ ସମୟରେ ମଣିଷର, ଆବଶ୍ୟକତା ବହୁତ କମ୍ ଥିଲା । ସମସ୍ତେ ଅଳ୍ପକେ ସନ୍ତୁଷ୍ଟ ରହୁଥିଲେ, ଯାହା ଯେତିକି ମିଳିଗଲା ସେଥିରେ ଖୁସି ହୋଇ ଯାଉଥିଲେ । ବସ୍ତୁ ଅପେକ୍ଷା ମାନବୀୟ ସମ୍ବେଦନା ତଥା ମାନବିକ ସମ୍ପର୍କକୁ ଅଧିକ ମହତ୍ୱ ଦେଉଥିଲେ । ଏପରି ନୁହେଁଯେ ସେତେ ବେଳେ ବଡପଣ ଦେଖେଇ ହେବାର ପ୍ରତଯୋଗିତା ନଥିଲା । ହେଲେ ସେ ପ୍ରତିଯୋଗିତା ଭଲ ମଣିଷ ପଣିଆର ପ୍ରତିଯୋଗିତା ଥିଲା । କିଏ କେତେ ଭଦ୍ର, କେତେ ନମ୍ର, ବେତେ ବନ୍ଧୁ ବତ୍ସଳ କେତେ ପରୋପକାରୀ, ସେଥିରୁ ମଣିଷର ବଡପଣିଆ ଦେଖାଯାଉଥିଲା । କିନ୍ତୁ ଆଜିର ବସ୍ତୁ ସର୍ବସ୍ୱ ଦୁନିଆରେ ନିଜର ବସ୍ତୁ ପ୍ରଦର୍ଶନର ପ୍ରତିଯୋଗିତାରେ କାହା ପାଖରେ କେତେ ଧନ ଅଛି, କାହାର କେତେ ବଡ ଘର, କାହାର କେତେ ବଡ ଗାଡି ଏସବୁର ମୂଲ୍ୟାଙ୍କନ ହେଉଛି । ମଣିଷପଣିଆ ସତେ ମରିଯାଇଛି ସମସ୍ତଙ୍କ ହୃଦୟରେ । ଏଇ 'ଆବଶ୍ୟକତା' ଆଜି ଏକ ମହାମାରୀ ପରି ବଢିବଢି ଚାଲିଛି । ତାର ଏମିତି ଘର ତ ମୋର ତା ଠାରୁ ବଢିଆ ହେବା ଦରକାର, ସେ ଅମୁକ ଗାଡି ଚଢୁଛି ତ ମୋର ତାଠାରୁ ଭଲ ଗାଡି ହେବା ଦରକାର, ତା ପୁଅ ଝିଅ ଅମୁକ ସ୍କୁଲରେ ପଢୁଛନ୍ତି ତ ମୋ ପିଲାଏ ତାଠାରୁ ମହଙ୍ଗା ସ୍କୁଲରେ ପଢିବେ । ସତରେ ଯେପରି ଗୋଟାଏ ପ୍ରତିଯୋଗିତା ଚାଲିଛି, ସମସ୍ତେ ସମସ୍ତଙ୍କ ଠାରୁ ଉଚ୍ଚା ଦେଖେଇ ହେବା ପାଇଁ ପାରୁ ପର୍ଯ୍ୟନ୍ତ ପ୍ରୟାସରତ, ମଣିଷର ଅନ୍ୟ ମଣିଷଙ୍କ ପାଇଁ ସମୟ କାହିଁ ?

ସଂଧ୍ୟାରେ ପୁଅ ବୋହୁ ଅଫିସରୁ ଫେରିଲା ବେଳକୁ ବହୁତ ଥକି ଯାଆନ୍ତି, ତଥାପି ବୋହୁ ରାତିର ଖାଇବା ପ୍ରସ୍ତୁତକରିବା ପାଇଁ ସେ ତାର ରୋଷେଇ ଘରେ ବ୍ୟସ୍ଥ ହୋଇଯାଏ । ପୁଅ ଟିଭିରେ ନିଉଜ ଚାନେଲ ଲଗାଇ ଦେଇ, ଲାପଟପ୍ ନେଇ ବସିଯାଏ, ତଥାପି ତାର କାମ ସରେନା । ପିଲାମାନେ ନିଜ ନିଜ ରୁମରେ ପାଠପଢା, ନହେଲେ ମୋବାଇଲରେ ବ୍ୟସ୍ଥ । ବୁଢାବୁଢି ଦିଜଣ ନିଜ ରୁମରେ ଏକୁଟିଆ । କିଏ କେତେବେଳ ଖାଏ ତାର କିଛି ଠିକଣା ନାହିଁ, ରାତି ସାଢେ ନଅଟାବେଳେ ଅନାଦିବାବୁଙ୍କର ଖାଇବା ଅଭ୍ୟାସ, ତେଣୁ ଘଣ୍ଟା କଣ୍ଟା ଏପଟ ସେପଟ ହୁଏନି, ଠିକ୍ ସମୟରେ ବୋହୁ ଖାଇବା ବାଢିଦିଏ, ବୁଢାବୁଢି ଦିଜଣ ଖାଇନିଅନ୍ତି । ଆଜିକାଲି ବାପାମାଆଙ୍କ ପାଖରେ ସମୟନାହିଁ ନିଜ ପିଲାମାନଙ୍କୁ ପାଖରେ ବସେଇ ଦିପଦ କଥାହେବେ, ସେମାନଙ୍କ ପଢାପଢି, ଦେହପା ବିଷୟ ଖବରନେବେ କି ସେମାନଙ୍କୁ କିଛି ଭଲକଥା ଶିଖେଇବେ, କିନ୍ତୁ କେହି ଏହାକୁ ଆବଶ୍ୟକ ବୋଲି ମନେକରନ୍ତି ନାହିଁ । ପିଲାଏ ତ ଦାମିକା ସ୍କୁଲରେ ପଢୁଛନ୍ତି, ସବୁକିଛି ସେଇଠୁ ଶିଖିନେବେ । ତାଛଡା, ଟିଭି, କମ୍ପୁଟର ଅଛି ସବୁ ଜ୍ଞାନର ଭଣ୍ଡାର, ସବୁଠାରୁ ବଡକଥା ପିଲାଙ୍କ ପାଖରେ ମୋବାଇଲ ଅଛି, ନେଟ ପ୍ୟାକ୍ ଅଛି ସାରା ଦୁନିଆର ଜ୍ଞାନ ନିଜ ନିଜର ଆଙ୍ଗୁଠିମୂନରେ । ହେଲେ ପିଲାଏ କଣ ଦେଖୁଛନ୍ତି, କେଉଁ ପ୍ରକାରର ଜ୍ଞାନ ଗ୍ରହଣ କରୁଛନ୍ତି ତାର ଖବର କିଏ ରଖୁଛି ?

ରାତିଖାଇବା ସରିଲାପରେ ଅନାଦିବାବୁ ବେଡରୁମରେ ଖଟବାଡାକୁ ଆଉଜି କଣ ଗୋଟାଏ ବହି ପଢିବାରେ ମଗ୍ନ ହୋଇଯାଇଥାନ୍ତି, ସେତିକିବେଳେ ସୁନୀତି ଦେବି ଖାଇବା ଟେବୁଲରୁ ଅଇଠାବାସନ ଉଠାଇ ରୋଷେଇଘର ସିଙ୍କରେ ଥୋଇ ବେଡରୁମକୁ ଆସିଗଲେ । ହାତ ପୋଛୁପୋଛୁ ବେଡ ଉପରେ ଅନାଦିବାବୁଙ୍କ ପାଖରେ ଗଡିପଡି କହିଲେ, ତୁମେ ଆଜିଯାଏ ସେଇ ପୁରୁଣା ଯୁଗରେ ରହିଗଲ । ଆଶୁ କହୁଥିଲା, ସାରା ଦୁନିଆର ଖବର, ସବୁ ପ୍ରକାରର ବହି, ସିନେମା ସବୁ ଅଛି ମୋବାଇଲରେ, ଆଉତ ଆଉ ପୁରା ପୁରା ସିନେମା ବି ଦେଖିହେବ ମୋବାଇଲରେ । କିନ୍ତୁ ତୁମେ ଅଟକିଗଲ ସେଇ ବହି ଭିତରେ, ମୋବାଇଲ ଛାଡି ଏଇ ବହିରେ ହଜିଯାଉଛ । ମୋବାଇଲରେ ବହି ପଢୁନ ? ବେଳେବେଳେ ମୋତେ ବି ଟିକିଏ ସିନେମା ଦେଖେଇ ଦିଅନ୍ତ, ହଲରେ ଯାଇ ସିନେମା ଦେଖିବାରେ ଯୁଗେ ବିତିଗଲାଣି । ପିଲାମାଙ୍କର ଜନ୍ମ ପୂର୍ବରୁ ଆମେ କେତେ ସିନେମା ଦେଖୁଥିଲେ । ତୁମେ ଅଫିସ ଗଲାବେଳେ କହିଦେଇଯାଅ, ଚାଲ ଆଜି ସଂଧ୍ୟାରେ ସିନେମା ଦେଖିଯିବା, ତାପରେ ବାହାରେ କେଉଁ ହୋଟେଲ ଖାଇଦେଇ ଆସିବା । ସଂଧ୍ୟାରେ ମୁଁ ଅଫିସରୁ ସିଧା ହଲ ପାଖରେ ପହଞ୍ଚି ଯାଇଥିବି, ନିତିଆକୁ କହିଦେଇଥିବି, ସେ ତା ରିକ୍ସାରେ ତୁମକୁ ହଲପାଖରେ ପହଞ୍ଚାଇ ଦେବ, ମୁଁ ସେଇଠି ତୁମର ଅପେକ୍ଷା କରିଥିବି । ଠିକ୍ ସାଢେ ପାଞ୍ଚଟା ବେଳକୁ ତୁମେ ରେଡି ହୋଇଯାଇଥିବ ।

ଅନାଦିବାବୁ ଆଖି ବନ୍ଦକରି ସେଇ ପୁରୁଣା ଦିନକୁ ସତେ ଆଉଥରେ ଦେଖୁଥିଲେ, ଆଖିଖୋଲି ଟିକିଏ ରୋମାଣ୍ଟିକ ହୋଇ ସୁନୀତି ଦେବୀଙ୍କୁ ପାଖକୁ ଟାଣିନେଇ କହିଲେ, ପୁରୁଣା ଦିନ ମନେ ପକେଇଦେଲ, ସେ ବିତିଗଲା ସୁନେଲି ଦିନଗୁଡିକ ଆଉଥରେ ଫେରି ଆସନ୍ତାନି ! ମୋତେ ବଡ ଆଶ୍ଚର୍ଯ୍ୟ ଲାଗେ, ବିନା ମୋବାଇଲରେ ବି ଆମଭିତରେ ଯୋଗସୂତ୍ର ସତରେ କେତେ ପ୍ରବଳ ଥିଲା । ତୁମେ ଯେତେବେଳେ ରିକ୍ସାରୁ ଓହ୍ଲାଅ, ମୁଁ ଚକିତ ରହିଯାଏ, ତୁମେ ମୋ ମନକଥା କେତେ ସହଜରେ ଜାଣିନିଅ, ମୋ ପସନ୍ଦ ନାପସନ୍ଦ ସବୁ ତୁମକୁ ଜଣାଥାଏ, ମୁଁ କଣ ଭାବୁଚି କଣ ଚାହୁଁଚି କହିବା ଆଗରୁ ସବୁ ତୁମେ ଆଗୁଆ ଜାଣିନିଅ । ସିନେମା ହଲ ପାଖରେ ମୁଁ ତୁମକୁ ଯେଉଁ ଶାଢୀରେ ଦେଖିବାକୁ ଭାବିଥାଏ, ତୁମେ ଠିକ୍ ସେଇ ଶିଢୀ ପିନ୍ଧି ଆସିଥାଅ, ସତକୁହ ମୋ ମନକଥା ତୁମେ କେମିତି ଜାଣିଯାଅ ?

ସୁନୀତି ଦେବୀ ଅନାଦି ବାବୁଙ୍କ ବାହୁ ବନ୍ଧନରୁ ମୁକୁଳିଯାଇ ଫିକକିନା ହସିଦେଲେ, ଯେତେବେଳେ ନୁଆବୋହୁଟିଏ ହୋଇ ଆସିଥିଲେ ସେତେବେଳେ ଯେମିତି ଦୁଷ୍ଟାମୀର ହସ ଠିକ୍ ସେମିତି ମିଠା ହସଧାରେ ମୁହଁରେ ତାଙ୍କର ଝଲସି ଉଠୁଥିଲା । ଫରକ ଖାଲି ଏତିକି ଥିଲା, ସେତେବେଳେ ତାଙ୍କ ମୁହଁରେ ମୁକ୍ତାପରି ବତିଶ ଦାନ୍ତ ଥିଲା, ଆଉ ଏବେ, ଆଗପଛ ଉପର ତଳ ସବୁ ମିଶେଇ ଦଶଟା ବି ବଞ୍ଚିନି, ତଥାପି ପାକୁଆ ପାଟିର ଏଇ ହସରେ ଏବେବି ସେତିକି ମିଠା ଅଛି, ଯେତିକି ଆଗରୁ ଥିଲା । ସେମିତି ହସ ହସ ମୁହଁରେ ସୁନୀତି ଦେବୀ କହିଲେ ବୁଝିଲ, ଆମ ସମୟରେ ମୋବାଇଲ ନଥିଲା ପରା । ଛାଡ ସେକଥା, ସିନେମା ନହେଲେ ନାହିଁ, ତୁମେ ତୁମ ମୋବାଇଲରେ ବହି ପଢିବା ଆରମ୍ଭକଲେ ମୋର ଅଧାକାମ ହୋଇଯାଆନ୍ତା ଚଷମାର କାଚ ପୋଛୁ ପୋଛୁ ଅନାଦି ବାବୁ ଆଶ୍ଚର୍ଯ୍ୟହୋଇ ସୁନୀତି ଦେବୀଙ୍କ ମୁହଁକୁ ଚାହିଁ ପଚାରିଲେ ମୋବାଇଲରେ ବହି ପଢିଲେ ତୁମର ଅଧାକାମ କେମିତି ହୋଇଯିବ? ସୁନିତି ଦେବୀଙ୍କ ପାଖରେ ଉତ୍ତର ଯେପରି ଆଗରୁ ପ୍ରସ୍ତୁତଥିଲା, ସାଙ୍ଗେ ସାଙ୍ଗେ କହିଲେ, ତୁମେ ବୁଢା ହୋଇଗଲଣି, ସବୁକିଛି ଜଲ୍ଦି ଭୂଲିଯାଉଛ । ବହିପଢି କେତେବେଳ ବାରଣ୍ଡାରେ ଆରାମ ଚୌକୀ ଉପରେ ତ କେତେବେଳେ ବୈଠକର ସୋଫାରେ କେବେ ଖାଇବା ଟେବୁଲ ଉପରେ ଛାଡି ଭୂଲିଯାଉଛ, ପଛରେ ସୁନି, ସୁନି କରି ଡାକ ପକେଇବ, ବହିଟା କୋଉଠି ରହିଲା ବୋଲି ପଚାରିହେବ । ଖୋଜିବା କାମତ ମୋର ନା ? ଏଠୁ ସେଠୁ ବହି ଉଠାଇ ପଢା ଟେବୁଲ ଉପରେ ସାଇତିବାରେ ମୋର ଅଧାଦିନ ଚାଲିଯାଉଛି ।

ଅନାଦି ବାବୁ ଟିକିଏ ହସି କହିଲେ, ଆଗୋ ସେଇ ପୁରୁଣା ଲ୍ୟାଣ୍ଡଲାଇନ ଫୋନଟାର ଅଭ୍ୟାସ ଭୂଲି ହେଉନି ଆଜିଯାଏ, ତାଛଡା ଫୋନର କାମ ବା କଣ ? କେବଳ ଦରକାର ହେଲେ କାହା ସାଙ୍ଗେ ଦୁଇପଦ କଥାବାର୍ତ୍ତା ହୋଇଯିବା, ବାସ୍ ଏତିକି । ଅଧାରୁ ଅଧିକ ସାଙ୍ଗସାଥୀ, ବନ୍ଧୁବାନ୍ଧବ ତ ଆରପୁରକୁ ଚାଲିଗଲେଣି, ଆଉ ଏଇ ମୋବାଇଲ ଫୋନର ନେଟୱାର୍କ ବି ସେଯାଏ ପହଞ୍ଚି ପାରିବନି । ବାକି ଯୋଉ କେତେଜଣ ଅଛନ୍ତି, ମଝିରେ ମଝିରେ ସେମାନଙ୍କ ସାଙ୍ଗରେ କଥା ହେଇଯାଉଛି । ମୋବାଇଲରେ ବହି ପଢିବା କଥା କହୁଛଯେ, ବହି ପଢିବାର ମଜା ଏଇ ଫୋନରୁ କଣ ମିଳି ପାରିବ ? ପୃଷ୍ଟା ପରେ ପୃଷ୍ଟା ଓଲଟେଇ ସେଇ ଛପା ଅକ୍ଷର ଭିତରେ ବହିର କଥା କହାଣୀ ଚରିତ୍ର ସବୁ ଯେମିତି ସତ ସତକା ନିଜ ନଜର ସଂଳାପ ନିଜେ ଆବୃତ୍ତି କଲା ପରି ଲାଗନ୍ତି । ଏଇ ଛୋଟ ମୋବାଇଲର ଛୋଟ ଛୋଟ ଅକ୍ଷର ଭିତରେ କାହାକୁ ନା'ଦେଖି ହୁଏ, ନା' ଅନୁଭବ କରି ହୁଏ । ବହିର ମଜା ଯିଏ ପାଇଛି, ସେ କଣ କେବେ ମୋବାଇଲ କଥା ଭାବିବ ? ବହି ସହିତ ପାଠକର ବନ୍ଧୁତା ହୋଇଯାଏ, ପାଠକ ବହି ପଢେ, ସାଇତି ରଖେ ସେମାନଙ୍କର ଜତ୍ନ ନିଏ, ଯେତେବେଳେ ଏକୁଟିଆ ଅନୁଭବ କରେ ବହିମାନଙ୍କ ସହିତ ବସିଯାଏ, ଯେପରି ପୁରୁଣା ବନ୍ଧୁଟିଏ । କିନ୍ତୁ ଆଜିର ମଣିଷ ସତେ ଯେପରି ନିସଙ୍ଗ ହୋଇଯାଇଛି, କେବଳ ନିଜ ସହିତ ବନ୍ଧୁତା କରିନେଇଛି । ନିଜ ବ୍ୟତୀତ ଆଉ କାହା ସହିତ ତାର ସମ୍ପର୍କ ନାହିଁ ।

ଏବେ ମଣିଷର ସବୁ ସମ୍ପର୍କ ବେତାର ହୋଇଯାଇଛି । ହୃଦୟ ସହିତ ହୃଦୟର ଯୋଗାଯୋଗ ନାହିଁ । ନ କହିଲେ କେହି ଶୁଣୁନି, ବୁଝେଇ ନକହିଲେ କେହି ବୁଝୁନି, କାହା ସହିତ ବସିବା ଉଠିବା, ଦିପଦ କଥାହେବା, ଦୁଃଖ ସୁଖ ବାଣ୍ଟିବା ମଣିଷ ପୁରା ଭୂଲି ସାରିଲାଣି । ଆଜି କାଲି ମଣିଷର ଏକମାତ୍ର ବନ୍ଧୁ ମୋବାଇଲ, ସେ ସାଥିରେ ଥିଲେ ଆଉ କାହା କଥା ମନେ ପଡେନା । କିନ୍ତୁ ସେତେ ବେଳେ ଆମ ପାଖରେ ମୋବାଇଲ ନଥିଲା ତଥାପି ନ କହିବି ଅନେକ କଥା ଶୁଣି ହେଉଥିଲା, ନଶୁଣିବି ଅନେକ କଥା ବୁଝି ହେଉଥିଲା । କାରଣ ସେ ସମ୍ପର୍କ ପାଇଁ କିଛି ନେଟୱାର୍କର ଆବଶ୍ୟକତା ନଥିଲା । ହୃଦୟ ସହିତ ହୃଦୟ ଜୋଡି ହୋଇ ରହିଥିଲା । ସମ୍ପର୍କ ସବୁ ଆତ୍ମାର ଥିଲା । ସବୁଠାରୁ ମଜା କଥା କଣ ଜାଣିଛ ? ମୋବାଇଲ କମ୍ପାନୀର ଆଡଭର୍ଟାଇଜ୍ ରେ ସେମାନେ ଲେଖନ୍ତି 'connecting people' ମାନେ ଆମେ ମଣିଷ ସହିତ ମଣଷର ସମ୍ପର୍କକୁ ଦୃଢକରୁ, କିନ୍ତୁ ବାସ୍ତବରେ ମୋବାଇଲ ମଣିଷର ସମ୍ପର୍କକୁ ଦୃଢ କରୁଛି ? ମାଆ ମୋବାଇଲ ଭିତରେ ଏପରି ହଜିଯାଉଛି ଯେ ଛୋଟ ଛୁଆ ଭୋକରେ କାନ୍ଦୁଥିଲେବି ମାଆ ଜାଣି ପାରୁନି । ପାଖ ବଖରାରେ ଶୋଇଥିବା ବୁଢା ବାପା ମାଆ କାଶି କାଶି ବେଦମ ହୋଇଗଲେ ବି କାହାକୁ ଶୁଣା ଯାଉନି । ଫେସବୁକ୍ ଟୁଇଟର ଏବଂ ଅନ୍ୟ ଅନେକ ସୋସିଆଲ ସାଇଟରେ ହଜାର ହଜାର ବନ୍ଧୁ, ଫଲୋୟରସ ଥାଆନ୍ତି, କିନ୍ତୁ ବାସ୍ତବରେ ସେମାନେ କଣ ଏତେ ନିଜର ହୋଇପାରନ୍ତି ? ବେଳ ଅବେଳରେ ଦରକାର ପଡିଲେ ପାଖରେ ଠିଆ ହୋଇ ପାରନ୍ତି ?

ସୁନୀତା ଦେବୀ କଥାମଝିରେ କହିଲେ, ସତ କଥାଟିଏ କହିଲ, ସେତେବେଳେ ମଣିଷର ସବୁ ଧ୍ୟାନ ମଣିଷ ଉପରେ ଥିଲା, ଜଣେ ଆଉ ଜଣଙ୍କ କଥା ଭାବୁଥିଲା, ଆଜି ପାଖରେ ଥାଇବି ମଣିଷ ମଣିଷ ଠାରୁ କେତେ ଦୂର ହୋଇଯାଉଛି । ପତି ପତ୍ନୀ ଗୋଟିଏ ଘରେ ରହନ୍ତି, ଗୋଟିଏ ବେଡରେ ଶୁଅନ୍ତି, ହେଲେ ପରସ୍ପର ସହିତ କେତେ ସମୟ କଥା ହୁଅନ୍ତି ? ଦିନ ସାରା କାମ, କାମ ସରିଲା ପରେ ମୋବାଇଲ, ସମସ୍ତେ ହଜିଯାଆନ୍ତି ସେଇ ବୁଢିଆଣୀ ଜାଲ ଭିତରେ । କାହାକଥା ଟିକିଏ ଭାବିବାକୁ, କାହାର ମନର ଭାବ ପଢିବାକୁ କାହା ପାଖରେ ସମୟ ନାହିଁ । ଆଜି ପୁଅ ବୋହୁ ସାଥିହୋଇ ତ ରହନ୍ତି କିନ୍ତୁ କଥା ନୁହେଁ, ହ୍ୱାଟସପ କରନ୍ତି ପରସ୍ପର ସ୍ନେହକମ୍ କିନ୍ତୁ ଟ୍ୟାଗ୍ କରନ୍ତି, ପ୍ରେମର କେମିଷ୍ଟ୍ରି ଭୂଲିଯାଆନ୍ତି କିନ୍ତୁ ଅନ୍ୟର ପୋଷ୍ଟରେ ଲାଇକ୍ କରନ୍ତି, କମେଣ୍ଟ ଦିଅନ୍ତି । ଲଭ୍ ଥାଉକି ନଥାଉ ଲାଇକ୍ କରନ୍ତି ମିଠା ମିଠା ଥଟ୍ଟା ମଜା ସହିହୁଏନା ସିଧା ଅନଫ୍ରେଣ୍ଡ କରିଦିଅନ୍ତି ।

ତୁମେ ଯେତେବେଳେ ଚାକିରୀ କରୁଥିଲ, ମୁଁ ଜାଣିନଥାଏ ତୁମେ ଅଫିସରୁ ଡେରିରେ ଫେରିବ କି ସହଳ, କିନ୍ତୁ ସବୁଦିନ ସଂଧ୍ୟାରେ ମୁଁ ଯେତେବେଳେ ପାଣି ଗ୍ଲାସଟିଏ ନେଇ କବାଟ ପାଖରେ ପହୁଞ୍ଚେ ଠିକ୍ ସେତେବେଳେ ତୁମେ କବାଟ ଠକ୍ ଠକ୍ କର, ମୁଁ କବାଟ ଖୋଲେ ଆଉ ତୁମେ ମୋ ହାତରୁ ପାଣିଗ୍ଳାସ ନେଇ ବୈଠକର ସେଇ କାଠ ଚଉକିଟାରେ ବସିପଡି ପାଣି ପିଅ । ଅନାଦିବାବୁ ସୁନିତାଙ୍କ ମୁହଁକୁ ଚାହିଁ କହିଲେ, ହଁ ଏଇଟା ସତକଥା, ମୁଁ ତିରିଶ ବର୍ଷକାଳ ଚାକିରୀ କରିବା ଭିତରେ କେବେବି ବୁଝିପାରିଲିନି, ମୁଁ ଆସୁଛି ବୋଲି ତୁମେ ଜାଣିପାରି ପାଣି ନେଇ ଚାଲିଆସ, ଅବା ତୁମେ ପାଣିଗ୍ଲାସ ନେଇ ମୋର ଅପେକ୍ଷା କରିଛ ବୋଲି ମୁଁ ଘରକୁ ଚାଲିଆସେ ? ସୁନୀତିଦେବୀ କହିଲେ, ଆଜିବି ମୋର ମନେପଡେ ରିଟାୟଡ ଆଗରୁ, ସେତେବେଳେ ତୁମେ ଡାଇବେଟିକ୍ ନଥିଲ, ଯେତେବେଳେ ଖାଇସାରିବା ପରେ ମୁଁ ତୁମ ମନଲାଖି ଖିରି ପରଶିଦିଏ, ତୁମେ ଟିକିଏ ହସିଦିଅ ଆଉ କୁହ, 'ଜାଣିଛ, ଆଜି ଦିପରରେ ମନହେଉଥିଲା ରାତି ଖାଇବାରେ ମିଠା ଖିରି ଟିକିଏ ମିଳିଗଲେ ସତରେ ବହୁତ ମଜା ଆସିଯାଆନ୍ତା । ଅନାଦି ବାବୁ ସଙ୍ଗେ ସଙ୍ଗେ ପଚାରିଲେ କିନ୍ତୁ ତୁମେ ମୋ ମନ କଥା କେମିତି ଜାଣିଯାଅ ? ଅଫିସ୍ ରୁ ଫେରିଲା ବେଳେ ମୁଁ ଯାହା କିଛି ଖାଇବାକୁ ମନେ ମନେ ଭାବିଥାଏ, ଘରେ ପହଞ୍ଚିଲା ପରେ ସବୁକିଛି ଠିକ୍ ଠିକ୍ ସେମିତି ଖାଇବାକୁ ମିଳିଯାଏ । ସୁନୀତି ଦେବୀ ଟିକିଏ ମୁଚୁକି ହସି କହିଲେ, ଆଗୋ ସେତେବେଳେ ମୋବାଇଲ ନଥିଲା ସିନା କିନ୍ତୁ ସାରା ପରିବାରର ସମସ୍ତଙ୍କର ରୁଚି ଅରୁଚି ଆଉ ମନକଥା ଜାଣି ବୁଝି ହୋଇଯାଉଥିଲା ।

ତୁମର ମନେ ଅଛି, ପୁଅ ଜନ୍ମବେଳେ, ବାପା ମୋତେ ଡାକି ନେଇଥିଲେ, ମୁଁ ବାପଘରେ ଥିଲି, ଯେତେବେଳେ କଷ୍ଟ ଆରମ୍ଭହେଲା, ମନେମନେ ଭାବୁଥିଲି, ତୁମେ ମୋ ପାଖରେ ଥାଆନ୍ତକି ହେଲେ, ଥରଟିଏ ତୁମକୁ ଦେଖନ୍ତି । ମୋ ଡାକ ଭଗବାନ ଶୁଣିପାରିଲେ, ବଡ ଚମତ୍କାର ହୋଇଗଲା, ଅଧଘଣ୍ଟା ଭିତରେ ତୁମେ ମୋ ପାଖରେ ପହଞ୍ଚି ଯାଇଥିଲ, ମୋ ମଥାରେ ହାତରଖି ଟିକିଏ ହସିଦେଇ କହିଲ, କିଛି ଡରନାହିଁ ମୁଁ ତୁମ ପାଖେ ପାଖେ ଅଛି, ସବୁ କିଛି ଭଲରେ ଭଲରେ ହୋଇଯିବ । ଅନାଦିବାବୁ କହିଲେ ହଁ, କାହିଁକି କେଜାଣି, ସେଦିନ ତୁମକୁ ଥରେ ଦେଖିବାକୁ ମୋର ଭାରି ମନହେଉଥିଲା, ସବୁ କାମ ଧନ୍ଧା ଛାଡି, ତୁମପାଖରେ ଏ ଅଧମ ପତି ହାଜର ହୋଇ ଯାଇଥିଲା । ଏସବୁ ଅପୂର୍ବ ସଂଯୋଗ ଅବା ପରସ୍ପର ପ୍ରତି ପ୍ରେମର ପ୍ରତିଫଳନ ଜାଣି ହୁଏନା କିନ୍ତୁ ଏକଥା ସତ, ସମ୍ପର୍କର ଗଭୀରତା ଜଣେ ଆଉ ଜଣକୁ ଏମିତି ପାଖକୁ ଟାଣିନିଏ ।

ସୁନିତି ଦେବୀ ସେଇ ପୁରୁଣା ଦିନ ଭିତରେ ସତେ ଯେପରି ହଜି ହଜି ଯାଉଥିଲେ, ଅନାଦିବାବୁଙ୍କ ମୁହଁକୁ ଅନେଇ କହିଲେ, ତୁମର ମନେ ଅଛି, ଦିନେ ଦିପହର ରୋଷେଇ କରୁକରୁ ଗରମ ତେଲପଡି ମୋର ହାତ ଜଳିଯାଇଥିଲା, ଆଉ ସେଇଦିନ ସଂଧ୍ୟାରେ ତୁମେ ଯେତେବେଳେ ଅଫିସରୁ ଫେରିଲ, ତୁମ ହାତରେ ବର୍ଣ୍ଣଲର ଟ୍ୟୁବ ଥିଲା । ମୁଁ ଯେତେବେଳେ ପଚାରିଲି, ମୋ ହାତ ପୋଡିଗଲା ବୋଲି ତୁମେ କେମିତି ଜାଣିଲ ! ତୁମେ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁ ରହିଲ, ଆଉ କହିଲ ମୋ ହାତ ଜଳିଯିବାକଥା ତୁମେ ଜାଣିନ, କିନ୍ତୁ ତୁମକୁ ଲାଗିଲା, ଘରେ ବର୍ଣ୍ଣଲ ସରିଯାଇଥିବ, ପୁଣି କେତେବେଳେ ଏମରଜେନ୍ସିରେ କାଳେ ଦରକାର ପଡିଯିବ ! ସେକଥା ଭାବି ବଜାରରୁ କିଣି ଆଣିଥିଲ ।

ଜେଜେମାଆ ମୁରୁକି ହସିଲେ, ଲାଜେଇ ଲାଜେଇ ଜେଜେଙ୍କ ହାତକୁ ଧରିଲେ କହିଲେ- ହଁ, ଆମ ସମୟରେ ଖାଲି ପ୍ରେମ ଥିଲା ହେଲେ ମୋବାଇଲ ନଥିଲା । କେବଳ ତୁମେ ଥିଲ, ମୁଁ ଥିଲି ଆଉ ଆମ ଭିତରେ ଗଭୀର ପ୍ରେମ ଭରିଥିଲା । ଅନାଦି ବାବୁ ସୁନୀତି ଦେବୀଙ୍କ ଆଖିରେ ଆଖିମିଳେଇ କହିଲେ, ଆଜି ସମୟ ବହୁତ୍ ଆଧୂନିକ ହୋଇଯାଇଛି ସବୁକିଛି ବଦଳିଯାଇଛି । ଆମର ବୟସ ସରିସରି ଆସୁଛି, ଏବେ ଆମେ ଭାଇବ୍ରେସନ ମୋଡରେ ବଞ୍ଚିଛେ, ଜୀବନ ବ୍ୟାଟେରୀର ଚାର୍ଯ ସରି ସରି ଆସୁଛି ଜୀବନ ରେଖା ଗୋଟିଏ ଗାରରେ ଝୁଲୁଛି ।

ସୁନିତି ଦେବୀ କହିଲେ, ହେଇ ଦେଖିଲଣି, ଗପସପ କରୁକରୁ ରାତି ଶାଢେ ଦଶଟା ବାଜିଲାଣି, କଥା ଭୋଳରେ ମୁଁ ତୁମ ଖୀର କଥା ଭୂଲିଯାଇଛି । ରୁହ ତୁମପାଇ ଖୀର ଗରମକରି ନେଇ ଆସୁଛି, ଭାବୁଛି, ବିନା ଚିନିରେ ଖିର ପିଇ ପିଇ ତୁମେ ବୋର ହୋଇଯିବଣି, ଆଜି ଖୀରରେ ଟିକିଏ ମହୁ ମିଶେଇ ନେଇ ଆସିବି, ତୁମର ଟେଷ୍ଟ ଟିକିଏ ବଦଳିଯିବ । ଅନାଦି ବାବୁ ସୁନୀତି ଦେବୀଙ୍କ କଥା କଟି କହିଲେ ଆରେ, ତୁମେ କେମିତି ଜାଣିଲ, ମୁଁ ଏବେ ସେଇ କଥା ତୁମକୁ କହିଥାଆନ୍ତି, ବିନାମିଠାରେ ଖୀର ପିଇବାକୁ ଭଲ ଲାଗୁନି, ହେଲେ ତୁମେ ମୋର ମନକଥା କହିଦେଲ ।

ସୁନୀତି ଦେବୀ ପାକୁଆ ପାଟିରେ ଟିକିଏ ହସି ଦେଇ କହିଲେ, ଆମ ସମୟରେ ମୋବାଇଲ ନଥିଲା, ହେଲେ ମନ ପଢିବାକୁ ଉଚ୍ଚ ଶକ୍ତିଶାଳୀ ସିକ୍ସସେନ୍ଷ ଥିଲା । ବୁଢା ବୁଢିଦିହେଁ ପରସ୍ପର ମୁହଁକୁ ଚାହିଁ ହୋ ହୋ ହୋଇ ହସି ଉଠିଲେ । (ପ୍ରେରଣା-ହ୍ୱାସଟଆପର ଏକ ଅଜଣା କବିଙ୍କର କବିତା)

***05***


Rate this content
Log in