Gayatri Singh

Others

3  

Gayatri Singh

Others

ହସ

ହସ

3 mins
288



ହସ ତା ଲକ୍ଷେ ଟଙ୍କା,କାନ୍ଦିଲେ ମୁହଁ ବଙ୍କା,ରାଗିଲେ ନାଲି ଲଙ୍କା,ଋଷିଲେ ଉଇହୁଙ୍କା......ସକାଳୁ ସକାଳୁ ଅକ୍ଷୟ ମହାନ୍ତିଙ୍କ ପୁରୁଣା ହିଟ ଗୀତ ଲଗାଇ ଦେଇ ଅରୁଣ ବାବୁ ଚାହା ସହିତ ସଂଗୀତର ମଜା ନେଉଛନ୍ତି । ଚାହା ଯେମିତି ହେଉଥାଉ ନା କାହିଁକି ଅକ୍ଷୟ ମହାନ୍ତିଙ୍କ ଗୀତ ଶୁଣିଦେଲେ ଚାହାର ସ୍ୱାଦ ଦ୍ୱିଗୁଣ ବଢିଯାଏ । ସୁଷମା ଦେବୀ ମୋବାଇଲରୁ ଗୀତକୁ ବନ୍ଦ କରିଦେଇ କହିଲେ ଆଜି ସେତିକି ଶୁଣିବା ହେଉ । ଘରେ କିଛି ନାହିଁ । ଗୀତରେ ପେଟ ପୁରିବ ନାହିଁ । ପ୍ରଥମେ ମାର୍କେଟିଂ କରି ଆସ, ତାପରେ ଖାଇପିଇ ମନ ମୁଣ୍ଡ ମସ୍ତିଷ୍କ ଥଣ୍ଡା କରି ଗୀତ ଶୁଣିବ । ହେ.. ସବୁବେଳେ ମଝିରେ ପଶିବା ତୁମର ପୁରୁଣା ଅଭ୍ୟାସ । ଗୀତଟାକୁ ଟିକେ ପୁରା ଶୁଣିବାକୁ ଦିଅ କହିଲେ ଅରୁଣବାବୁ । ସବୁ ଦିନ ସେଇ ଗୀତକୁ ସେଇ ଗୀତ କେତେ ଶୁଣୁଛ । କଣ ତୁମକୁ ଗୀତିକାର ହେବାର ଅଛି ନା ପ୍ରତିଯୋଗିତାରେ ଭାଗ ନେବାର ଅଛି କହି ସୁଷମା ଦେବୀ ଠାକୁର ଘର ଆଡକୁ ଚାଲିଗଲେ । ଅରୁଣବାବୁଙ୍କର ଆଜି ନୁହେଁ ପଢିବା ଦିନ ଠାରୁ ସାହିତ୍ୟ ସଂଗୀତ ପ୍ରତି ଅନୁରାଗ ବହୁତ । ଯେଉଁଠି ସାହିତ୍ୟ ଚର୍ଚ୍ଚା ହୁଏ ସେଠାରେ ଅରୁଣବାବୁଙ୍କୁ ଦେଖିବାକୁ ମିଳେ । ହେଲେ ପରିବାର ଜଞ୍ଜାଳ ଚାକିରୀର ବ୍ୟସ୍ତତା ଭିତରେ ସେ ସାହିତ୍ୟ ପ୍ରତି ସମୟ ଦେଇପାରୁନଥିଲେ । ସେକ୍ସନ ଅଫିସରରୁ ଅବସର ନେବା ପରେ ସାହିତ୍ୟ ପ୍ରୀତି ତାଙ୍କର ବଢିଯାଇଛି । ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ରହି କବିତା ପାଠ ସାହିତ୍ୟ ଆଲୋଚନାରେ ଭାଗ ନିଅନ୍ତି । କର୍ମମୟ ଜଞ୍ଜାଳରୁ ଟିକେ ଫୁରୁସତ ମିଳିଲେ ପୁରୁଣା ଓଡିଆ ହିନ୍ଦୀ ଲଗାଇ ବସି ପଡନ୍ତି । ତାଙ୍କର ଆଉ ଜଞ୍ଜାଳ କିଛି ନାହିଁ । ଝିଅ ଇଞ୍ଜିନିୟର ବାଙ୍ଗାଲୋରରେ । ତାର ପରିବାରରେ ସେ ବ୍ୟସ୍ତ । ପୁଅ ଏମ୍.ବି.ଏ. ପରେ ଦିଲ୍ଲୀରେ ଅବସ୍ଥାପିତ । ବୋହୁ ପିଲାଙ୍କୁ ନେଇ ସେ ବର୍ଷକୁ ଦୁଇ ତିନି ଥର ଆସେ । ପ୍ରତିଦିନ ଫୋନରେ ପୁଅ ଝିଅ ନାତି ନାତୁଣୀଙ୍କ ସହ କଥାବାର୍ତା ଚାଲେ । ଯା ହେଉ ସୋସିଆଲ ମିଡିଆର ଦ୍ରୁତ ଉନ୍ନତି ପାଇଁ ଭିଡିଓ କଲରେ ସାରା ପରିବାର ମିଶି ପାରନ୍ତି । ଆରେ ତମେ ସେତେବେଳୁ ଏଠି ବସି ରହିଛ କଣ ? ମାର୍କେଟ ଯିବ ପରା କହି ସୁଷମା ଦେବୀ ଚଉରାମୂଳ ଆଡକୁ ଚାଲିଗଲେ । ଚଉରାମୂଳେ ମୁରୁଜ ଦେଉ ଦେଉ କହିଲେ କାର୍ତ୍ତିକ ମାସ ବଜାର ଭିଡ ଥିବ । ଭଲ ଭଲ ପରିବା ସବୁ ସରିଯିବ ଯାହା ବଳକା ପରିବା ସବୁ ନେଇକି ଆସିବ । ପବିତ୍ର କାର୍ତ୍ତିକ ମାସ । ସୁଷମା ଦେବୀ ଭୋରରୁ ଉଠି ପୂଜା ଧର୍ମ କାର୍ଯ୍ୟରେ ବ୍ୟସ୍ତ । ଅରୁଣବାବୁ ଉଠିବା ବେଳକୁ ଚଉରା ମୂଳେ ମୁରୁଜ ପଡି ସାରିଥିବ । ତିନି ଠାକୁର, ରାଧେ କୃଷ୍ଣ, ରାଇ ଦାମୋଦର ଏମିତି କେତେ ଧର୍ମ କର୍ମ ନୀତି କାନ୍ତି ତାଙ୍କର ଚାଲିଥିବ । ତା ଉପରେ ପୁଣି ମନ୍ଦିର ଯିବା ପାଇଁ ସକାଳୁ ସକାଳୁ ଶୀଘ୍ର ଗାଧେଇବାର ତାଗିଦ ଥିବ ସୁଷମା ଦେବୀଙ୍କର ପୂର୍ବଦିନ ରାତିରୁ । କେତେବେଳେ ଅରୁଣ ବାବୁଙ୍କର ସାହିତ୍ୟ ଚର୍ଚ୍ଚା ତ କତେବେଳେ ସୁଷମା ଦେବୀଙ୍କର ଧର୍ମ ଚର୍ଚ୍ଚାରେ ସମୟ କେତେ ଶୀଘ୍ର ଚାଲିଯାଏ ଜଣାପଡେନାହିଁ । ପିଲାମାନେ ଛୋଟ ଥିବା ବେଳେ ଏତେ ବ୍ୟସ୍ତତା ଭିତରେ କେତେବେଳେ ଯେ ତାଙ୍କର ଅବସର ସମୟ ଆସିଗଲା ସେ ଜାଣି ପାରିଲେନି । ଅରୁଣ ବାବୁ ଆଉ ସୁଷମା ଦେବୀ ଉଭୟ ଉଭୟଙ୍କୁ ଭଲ ଭାବରେ ବୁଝି ପାରିଛନ୍ତି । ରାଗ ଅଭିମାନ ହସ ଖୁସିରେ ସମୟ ବିତି ଚାଲିଛି । ଆଜି ଗୋଟିଏ ଅନଲାଇନ କବିତା ପାଠୋତ୍ସବ ପାଇଁ ଅରୁଣ ବାବୁ ସକାଳୁ ସକାଳୁ ବସି ପଡିଛନ୍ତି ଲେଖାରେ । ସୁଷମା ଦେବୀ ପାଖକୁ ଆସି କହିଲେ ତମର କିଛି ଚିନ୍ତା ଅଛି ନା ନାହିଁ । ସକାଳ ପାହିଲେ ଖାଲି ସାହିତ୍ୟ ସଂଗୀତ । ମୋର ମନ୍ଦିର ଯିବାର ଅଛି, ମାର୍କେଟରୁ ଜିନିଷ ଆସିବାର ଅଛି । ଏସବୁ କେତେବେଳେ ହେବ । ଅରୁଣ ବାବୁ ପେନକୁ ଡାଏରୀ ଉପରେ ଥୋଇ ଦେଇ ମୋବାଇଲ ଅପରେଟ କରୁ କରୁ କହିଲେ ବ୍ୟସ୍ତ ନାଇଁ ସବୁ କାମ ହବ । ସୁଷମା ଦେବୀ ସୋଫାରୁ ଉଠି ଦୁମ ଦୁମ ହୋଇ ଚାଲିଗଲେ । ସେତିକି ବେଳକୁ ଅରୁଣ ବାବୁଙ୍କ ମୋବାଇଲରୁ ଗୀତ ଶୁଭୁଥିଲା ଚାଲିରେ ତୋର ପଦ୍ମ ଫୁଟେ ହସରେ ଝରେ ମହୁ........ ।



Rate this content
Log in