Prasant Kumar Nath

Others

2  

Prasant Kumar Nath

Others

ହଜି ଯାଇଥିବା ମୋବାଇଲ୍

ହଜି ଯାଇଥିବା ମୋବାଇଲ୍

4 mins
7.6K


ବାବୁ ଆଉ ମଧୁସ୍ମିତା ଗୋଟିଏ କମ୍ପାନୀରେ କାମ କରନ୍ତି । ବାବୁ କମ୍ପାନୀର ଆକାଉଣ୍ଟାଣ୍ଟ ଥିବା ବେଳେ ମଧୁସ୍ମିତା ଥିଲା ତାର ସହକର୍ମୀ । ବାବୁ ଥିଲା ବହୁତ ଖୁସି ମିଜାଜ୍ ର । କେହି କିଛି କହିଲେ ହସିଦେଇ ତାକୁ ଗ୍ରହଣ କରେ । ନିଜ ସ୍ମିତ ହସ ଦ୍ୱାରା ସେ ସମସ୍ତଙ୍କ ମନକୁ ଜିଣି ପରେ । କଥାରେ ମଧ୍ୟ ଥାଏ ଶାଳୀନତା । ମଜା ମସ୍ତିରେ କାମ କରୁଥିବାରୁ ଅନ୍ୟ କର୍ମଚାରୀ ମାନେ ମଧ୍ୟ ତାକୁ ଭଲ ପାଆନ୍ତି । ଯେହେତୁ ମଧୁସ୍ମିତା ଥିଲା ତାର ସହକର୍ମୀ । ତେଣୁ ସେମାନେ ବେଳେ ବେଳେ କୌଣସି କାର୍ଯ୍ୟକୁ ନେଇ ଫୋନ ଦ୍ୱାରା ମଧ୍ୟ କଥାବାର୍ତ୍ତା ହୁଅନ୍ତି । ଆଜିକାଲିର ଏହି ହ୍ଵାଟ୍ସଆପ ଯୁଗରେ ସେମାନଙ୍କ କମ୍ପାନୀର ମଧ୍ୟ ହ୍ଵାଟ୍ସଆପ ଗ୍ରୁପ ଥିଲା । ଆଉ ସେମାନେ "ଆମେ ସମସ୍ତେ ଦୋସ୍ତି,କରିବା ମଜାମସ୍ତି" ନାମରେ ଏକ ଗ୍ରୁପ ମଧ୍ୟ ଖୋଲିଥିଲେ । ଯେଉଁ ଗ୍ରୁପରେ ବାବୁ କେବେକେବେ ନିଜ ରଚିତ କବିତା ମଧ୍ୟ ପୋଷ୍ଟ କରିଥାଏ । ଆଉ ସେହି କବିତାକୁ ପଢି ସମସ୍ତେ ବା... ବା... କରନ୍ତି । ସମସ୍ତଙ୍କ ସହିତ ମଧୁସ୍ମିତା ମଧ୍ୟ । ଥରେ ମଧୁସ୍ମିତା କହିଥିଲା ସାର୍ ଆପଣ ମୋ ନାଁରେ ଗୋଟେ କବିତା ଲେଖି ଦିଅନ୍ତୁ ନା । ବାବୁ ମୁଣ୍ଡ ଟୁଙ୍ଗାରି ହଁ ଭରିଥିଲା । ଆଉ ସେଦିନ ସନ୍ଧ୍ୟାରେ ମଧୁସ୍ମିତା ନାମରେ କବିତାଟେ ଲେଖି ତାର ହ୍ଵାଟ୍ସଆପରେ ପଠେଇ ଦେଇଥିଲା । କବିତାଟି ଥିଲା ଏମିତି ।

ମୁହଁଟା ଅଟଇ ଚାନ୍ଦ ପରି ତୁମ

ରାଜହଂସୀ ପରି ଚାଲି

ଅନନ୍ୟ ସୁନ୍ଦରୀ ଲାଗୁଥାଅ ତୁମେ

ବାଳ ଯେବେ ଦିଅ ଖୋଲି ।

ହସିଦେଲେ ତୁମେ ମୁକ୍ତା ଝରି ପଡେ

କଥା ତ କୁହୁକ ଭରା

ତୁମେ ମଧୁସ୍ମିତା କବିର କବିତା

ଲକ୍ଷେରେ ଗୋଟିଏ ହୀରା ।

କବିତାଟି ପଢିଲା ପରେ ମଧୁସ୍ମିତା ଖୁସିରେ ପାଗଳ ହୋଇଯାଇଥିଲା । ଆଉ ଅନେକ ଗୁଡିଏ ସ୍ମାଇଲ ପଠେଇ ଦେଇଥିଲା ଯେଉଁଥିରେ ଚୁମ୍ବନ ସ୍ମାଇଲ ମଧ୍ୟ ସାମିଲ ଥିଲା । କେଜାଣି କାହିଁକି ସେହି ଦିନରୁ ମଧୁସ୍ମିତା ବାବୁ ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ । ଧୀରେ ଧୀରେ ବାବୁ ତାର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ଲାଗିଥିଲା । ଆଉ ମଧୁସ୍ମିତା ଲେଖିଥିଲା ...ସତରେ,ତୁମକୁ ଯିଏ ପାଇବ ନା ସେ ଲକ୍ଷେ ଶିବ ପୁଜିଥିବ । ତୁମ ପରି ମଣିଷ ମିଳିବା କାହା ଭାଗ୍ୟରେ ଅଛି କେଜାଣି ? ସେହି ଦିନରୁ ଦୁହେଁ ହ୍ଵାଟ୍ସଆପ ଜରିଆରେ ଏମିତି ଅନେକ ସମୟରେ ଚାଟିଙ୍ଗ କରନ୍ତି । ଆଉ ଏମିତି ହେଉ ହେଉ ତାହା ନିତି ଦିନଆ ପାଲଟିଗଲା । ବାବୁର ମାସେଜ ନଆସିଲେ ମଧୁସ୍ମିତା ରାଗୁଥିଲା । ଆଉ ମଧୁସ୍ମିତାର ମାସେଜ ନଆସିଲେ ବାବୁ । ମଧୁସ୍ମିତା ମନେ ମନେ ବାବୁକୁ ଭଲ ପାଇ ବସିଲା । ବହୁତ ଥର ଭାବିଛି ନିଜର ମନକଥା କହିଦେବ,କିନ୍ତୁ କହି ପାରିନି । ଅନେକ ଥର ହ୍ଵାଟ୍ସଆପରେ 'ଆଇ ଲଭ ୟୁ'ଲେଖିଛି ପୁଣି ଡିଲିଟ୍ କରି ଦେଇଛି । ଏଣିକି ଅଫିସରେ ମଧ୍ୟ ମଧୁସ୍ମିତା,ବାବୁ ସହିତ ନିକଟରୁ ଆହୁରି ନିକଟତର ହେବାକୁ ଚେଷ୍ଟା କଲା । ଅବଶ୍ୟ ସେତେବେଳେକୁ ବାବୁ ମଧ୍ୟ ପଢି ସାରିଥିଲା ମଧୁସ୍ମିତାର ହୃଦୟ ଭାଷାକୁ । ଆଉ ଏମିତି ଅଫିସରେ ଫିଲ୍ମ ବିଷୟରେ କଥା ହେଉ ହେଉ ମଧୁସ୍ମିତା ପଚାରିଥିଲା ତୁମ ପସନ୍ଦର ଓଡ଼ିଆ ଫିଲ୍ମର ନାମ ? ବାବୁ କହିଥିଲା ଆଇ ଲଭ ୟୁ । ଆଉ ମଧୁସ୍ମିତା କହିଥିଲା 'ମି ଠୁ'। କେହି କାହାରିକୁ ବୁଝିବାକୁ ଆଉ ବାକି ନଥିଲା ।

ନୂଆ ନୂଆ ଡେଣା ଲାଗିଥିବା ଦୁଇ ପକ୍ଷୀ ଯେମିତି ପ୍ରେମର ଏକ ବସା ବାନ୍ଧିବା ପାଇଁ ଆଗେଇ ଆସିଥିଲେ । ଦୁହେଁ ପ୍ରେମର ଏକ ମହଲ ତୋଳିବା ପାଇଁ ସ୍ୱପ୍ନ ଦେଖିଥିଲେ । ଧୀରେ ଧୀରେ ଚାଟିଙ୍ଗରୁ ସେମାନେ ଖୋଲା ଆକାଶର ପକ୍ଷୀ ପରି ବାହାରେ ମିଳାମିଶା କରୁଥିଲେ ।

ସେଦିନ ସେମାନଙ୍କର ଅଫିସ ନଥିଲା । ବାବୁ ଫୋନ କରି ମଧୁସ୍ମିତାକୁ କହିଥିଲା ପାର୍କ ଯିବା ପାଇଁ । ମଧୁସ୍ମିତା ମଧ୍ୟ ଏମିତି ଏକ ସୁଯୋଗକୁ ଅପେକ୍ଷା କରିଥିଲା । କେମିତି ବା ମନା କରିଥାନ୍ତା । ହଁ ଭରିଥିଲା । ଆଉ ଦୁହେଁ ମିଶି ଯାଇଥିଲେ ପାର୍କକୁ । ଅବଶ୍ୟ ସେମାଙ୍କର ପାର୍କ ଯିବା ନୂଆ ନଥିଲା । କାହିଁକିନା ଆଗରୁ ମଧ୍ୟ ଦୁହେଁ ପାର୍କ ଯାଇଥିଲେ । ଅନେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଗୁଡିକ ମଧୁସ୍ମିତା ମୋବାଇଲ୍ ନିଜର ବକ୍ଷରେ କୋଳେଇ ଧରିଛି।

ଆଜିକାଲି ଯେମିତି ପ୍ରେମିକ ପ୍ରେମିକା ମାନଙ୍କ ଏପରି ମିଳାମିଶା ଏକ ସାଧାରଣ କଥା ପାଲଟି ଗଲାଣି । କିନ୍ତୁ ବେଳେବେଳେ ଏମିତି ସାଧାରଣ ଭାବୁଥିବା କଥା ଗୁଡିକ କେତେ ଯେ ଭୟଙ୍କର ହୋଇ ପାରେ ତାହା ଅନୁଭବୀ ହିଁ ଅନୁଭବ କରି ପାରିବ । ନିଜର ଅସାବଧାନତା କେମିତି ବିପଦ ମୁହଁକୁ ଠେଲି ଦେଇ ପାରେ ତାହା ପ୍ରେମରେ ଉବୁଡୁବୁ ହେଉଥିବା ସମସ୍ତ ପ୍ରେମୀ ଯୁଗଳ ହୃଦୟଙ୍ଗମ କରି ପାରନ୍ତିନି । ଆଉ ସେ ସବୁକୁ ବୁଝିଲା ବେଳକୁ ନେଡି ଗୂଡ଼ କହୁଣିକୁ ବୋହି ଯାଇଥାଏ ।

ସେଦିନ ପାର୍କରେ ପହଞ୍ଚିବା ପରେ ବାବୁ ମଧୁସ୍ମିତା ସହିତ କଥା ହେଉଥାଏ ସତ କିନ୍ତୁ ତାର ଧ୍ୟାନ ଥାଏ ନିଜର ମୋବାଇଲ୍ ଉପରେ । ସେଲଫି ନେବା ପାଇଁ କ୍ୟାମେରା ଅନ କରୁଥିଲା ବୋଧେ । ମଧୁସ୍ମିତା ରାଗିଯାଇ ତାକୁ କହିଲା "ତୁମେ ସେ ମୋବାଇଲଟା ବନ୍ଦ କର ତା ପରେ କଥାବାର୍ତ୍ତା । ଜଦି ମୋବାଇଲରେ ଲାଗିବାର ଥିଲା ତ ମୋତେ କାହିଁକି ଡାକୁଥିଲ । ଦେଖ ମୁଁ ଖୋଲାଖୋଲି କହି ଦେଉଛି ତମର ବ୍ୟବହାର ମୋତେ ଜମା ଭଲ ଲାଗୁନି । ଆଉ ହଁ, ଶୁଣ ମୁଁ ତମ ପାଖରେ ଥିବା ବେଳେ ତମେ ମୋବାଇଲରେ ହାତ ଦେବନି କି ମୋର ଫଟୋ ନବନି । ତୁମେ ପୁଅ ପିଲାଙ୍କ ଉପରେ ବିଶ୍ୱାସ ନାହିଁ ।କେଜାଣି କେତେବେଳେ କେଉଁ ଅବସ୍ଥାରେ ତମେ ଫଟୋ ନେଇଯିବ । ସତ କହୁଛି ସେ ମୋବାଇଲ୍ ଯଦି ଆଉ ଥରେ ଦେଖିବିନା,ମୁଁ ସିଧା ଫେରିଯିବ ।

ନିଜ ମୋବାଇଲଟା ହଜାଇଦେବା ପରେ ମଧୁସ୍ମିତା ମନେ ପକାଉଥିଲା ବାବୁ କଥା । ସେ କେତେ କଥା କହି ବାବୁକୁ ତାଗିଦ କରୁଥିଲା,ଏବେ ତା ନିଜ ମୋବାଇଲ୍ ସେ ଖୋଜି ପାଉନି । ଗତ ସନ୍ଧ୍ୟାରେ ମାର୍କେଟ ଯାଇଥିଲା । ସେଇଠି କୋଉଠି ଛାଡି ଦେଇ ଆସିଲାକି ? ମୋବାଇଲରେ ଯେଉଁ ସବୁ ଛବି ଥିଲା,ତାହା ଯଦି କାହା ହାତରେ ପଡେ ! ! !"

ମୋବାଇଲ୍ ହଜିବାର ଦୁଇ ମାସ ବିତି ଗଲାଣି । କିନ୍ତୁ ମଧୁସ୍ମିତା ମନରେ ଭୟ ଆଜିବି ସେମିତି ଉଜ୍ଜୀବିତ ହୋଇ ରହିଛି । ସେହି ହଜି ଯାଇଥିବା ମୋବାଇଲ୍ ତାକୁ ପ୍ରତି ଘଡିସନ୍ଧି ମୁହୂର୍ତ୍ତରେ ଜଳେଇ ଜଳେଇ ମାରୁଛି । ଯଦି କିଏ ସେହି ସବୁ ଛବିର ଅପବ୍ୟବହାର କରେ ତାହାଲେ ସେ ସମାଜ ଆଗରେ ମୁଣ୍ଡ ଟେକି ବାଟ ଚାଲି ପରିବତ ? ତାଙ୍କ ବାପାଙ୍କର ଥିବା ସବୁ ମାନ୍ ସମ୍ମାନ ରହିବ ତ । ସତ ଚେଷ୍ଟା ପରେବି ଆଜି ସେ ଆଜି ହସି ପାରୁନି । ନା ସିଏ ମନ ଖୋଲି କାହା ସହିତ କଥା ହୋଇ ପାରୁଛି ନା ଖୁସିରେ ମିଶି ପାରୁଛି । ଖାଲି ଗୋଟିଏ କଥା ଭାବି ହେଉଛି କିଛି ସମୟର ଅନ୍ତରଙ୍ଗ ମୁହୂର୍ତ୍ତ, ବା ସ୍ବଳ୍ପ ସମୟର ଖୁସି ସତେ ଯେମିତି ତାର ହସ ଖୁସିର ଜୀବନକୁ ନଷ୍ଟ କରି ଦେଇଛି । ଆଉ ଅନୁତାପ କରୁଛି ମୁଁ କାହିଁକି ଏମିତି କଲି,ଯେଉଁଥି ପାଇଁ ପ୍ରତି ମୁହୂର୍ତ୍ତରେ ମୁଁ ଜଳି ଜଳି ମରୁଛି ।


Rate this content
Log in