STORYMIRROR

Sachidananda Kar

Others

2  

Sachidananda Kar

Others

ଗୋଟେ ହସକୁରୀ ଝିଅର ଦୁଃଖ

ଗୋଟେ ହସକୁରୀ ଝିଅର ଦୁଃଖ

2 mins
340


       କିଷାନ୍ ଫେରିଛି।କାଲି ରାତିରେ.........

       ସକାଳର ଖରା ସାଙ୍ଗେ ଗାଆଁରେ ଖବର ଚହଟିଗଲା।

       ଦି ବର୍ଷ ତଳେ ଘରେ ନିଜର ସୁନ୍ଦରୀ, ହସକୁରୀ,ଯୁବତୀ ସ୍ତ୍ରୀ ଝୁମୁକିକୁ ଛାଡି ଲୁଚି ଲୁଚି ସହରକୁ ପଳେଇଥିଲା ସେ।

       - କିଏ ଆସିଲାରେ ବାବା !  

      ରାତିରେ ସେ ଯେତେବେଳେ ଜୋତା ଖଡଖଡ କରି ଘରେ ପହଞ୍ଚିଲା ସମସ୍ତେ ଡରି ଯାଇଥିଲେ।

        - ଝୁମୁକି ! ମୁଁ କିଷାନ୍।

        ଝୁମୁକି ଲାଜେଇ ଗଲା।

        କିଷାନ୍ ପ୍ରଥମଥର ପାଇଁ ତାକୁ ତାର ନାଁ ଧରି ଡାକିଥିଲା।

        ସହରକୁ ଯିବା ପରେ ଲୋକର ହାବଭାବ କଣ ଏମିତି ବଦଳିଯାଏ ! ସେ ଭାବିଲା।ମୁହଁ ବୁଲେଇ ହସିଦେଲା। ହସକୁରୀ ଝିଅଟା।

        ପରଦିନ ନାଲି ବ୍ରା ପିନ୍ଧି ସେ ପାଣି ଆଣିବାକୁ ଗଲା।

        - ଇ - ମା !!

        ଗାଆଁର ସ୍ତ୍ରୀଲୋକମାନେ ତାକୁ ଘେରିଯାଇ ନାନା ପ୍ରଶ୍ନ କଲେ।

        - ସିଏ ଆଣିଛନ୍ତି।ପିନ୍ଧିବାକୁ ବାଧ୍ୟ କଲେ।ପିନ୍ଧିଦେଲି। ସେ ଅଳ୍ପ ହସିଦେଇ କହିଲା।

       - ଶାଢ଼ୀ ବି ଆଣିଥିବ ?

       - ବାସନା ତେଲ ବି ଆଣିଥିବ ?

       - ଆଲୋ.....ବୋତାମ ନାହିଁ ତ .....ଖୋଲୁଛୁ ପିନ୍ଧୁଛୁ କେମିତି ବା ? ଏମିତି ରହୁଛି ସବୁବେଳେ ?

        ସେ ଲାଜ ଲାଜ ହସିଲା।ଉତ୍ତରରେ କିଛି ବି କହିଲାନି।

        କିଷାନ୍ ତା ସ୍ତ୍ରୀର ନାଁ ଧରି ଡାକୁଛି - ଏଇ ଝୁମୁକି।ଝୁମୁକି ନାଲି ବ୍ରା ପିନ୍ଧୁଛି। - ଏବେ ସାରା ଗାଆଁରେ ସ୍ତ୍ରୀ ଲୋକମାନଙ୍କର କେବଳ ଏହି ଚର୍ଚ୍ଚା ହିଁ ଚାଲିଥିଲା।

ଦି ପହରେ ପୁଣି ସେ ପାଣି ଆଣିବାକୁ ଗଲା ବେଳକୁ ତାର ଦି କାନରେ ଦିଟା କୁଣ୍ଡଳ ଝୁଲୁଥିଲା।ସତେ ଯେମିତି ଫିଟି ଫିଟି ଯାଉଥିଲା ତାର ରୂପ।ତାକୁ ଦେଖିବାକୁ ଗାଆଁର ସ୍ତ୍ରୀଲୋକ ଆଉ ଝିଅମାନଙ୍କର ଭିଡ ଜମିଗଲା।

        ସେଦିନ ସେ ଗାଧେଇବା ବେଳେ ଦେହରେ ଦାମୀକା ଡୋଭ୍ ସାବୁନ ମାଖି ଗାଧୋଇଲା।ଆଃ ! କି ବାସ୍ନା ସେ ସାବୁନର ! - ଝୁମୁକି ଏଣିକି ନିତି ସାବୁନ ଲଗେଇ ଗାଧେଇବ।ତା ହେଲେ ତ ଏକଦମ ମେମ୍ - ବଙ୍ଗାଳୁଣୀ ପରି ଦେଖାଯିବ।ଗୋରୀ ହେଇଯିବ।ନା କଣ ? ସମସ୍ତେ କୁହାକୁହି ହେଲେ।

        ଉପରଓଳି ଦୋକାନକୁ ଗଲା ଝୁମୁକି - କପାଳରେ ଚକମକିଆ ବିନ୍ଦି ଲଗେଇ।ରାସ୍ତାରେ ତାକୁ ଦେଖିବାକୁ ଲୋକ ଠିଆ ହୋଇଗଲେ।ପଡିଶା ଘରର ଦିଅର ଟୋକା ତାକୁ ଦେଖି ଶିହରି ଉଠି କହିଲା - ଆଃ ! କଣ ହେଇଛି ମ !ଏଣିକି ସମ୍ଭାଳିବା ଭାରି କଷ୍ଟ।ଜୀବନ ଧରିବି କେମିତି !

        - ଧେତ୍ ! ରାସ୍ତାରେ ଏମିତି ଥଟ୍ଟା ତାମସା ମୋତେ ଭଲ ଲାଗେନି। ଝୁମୁକି କହିଦେଇ ଚାଲିଗଲା।

        ପରଦିନ ଦି ପହରେ ବଉଳ ଆସି ତା ପାଖରେ ପହଞ୍ଚିଲା।

        ସେଇ ଗାଆଁରେ ବି ତାର ଶାଶୂଘର। ଅନେକ ସମୟରେ ଦୁହେଁ ଏକାଠି ବସନ୍ତି।ମନଖୋଲା କଥା ହୁଅନ୍ତି।ନିଜର ସବୁ ସୁଖ ଦୁଃଖ ତା ଆଗରେ କହିବାକୁ ପଛାଏ ନାହିଁ ସେ।

        କଥା ହେଲାବେଳେ ବଉଳ ତାକୁ ଚୁପିଚୁପି ପଚାରିଲା - ହେଲେ ତୁ ତ କହୁଥିଲୁ ତୋ ସ୍ବାମୀ ତୋ ସାଙ୍ଗରେ ମିଶି ପାରେନାହିଁ ବୋଲି।ସହରକୁ ଗଲେ ଲୋକର ହାବଭାବ ଖାଲି ବଦଳିଯାଏ ନା ଆଉ .....? ତାର ମୁହଁଟା ଶୁଖିଗଲା।

        ଏବେ ବଉଳର ଦୀର୍ଘଶ୍ବାସ ପରେ ଦୀର୍ଘଶ୍ବାସ ଉତୁରିଗଲା।

        ହସକୁରୀ ଝିଅଟା ସିନା, ହେଲେ ଦୁଃଖ ତାର ଅନେକ।

        ତାର କାନର କୁଣ୍ଡଳ,ନାଲି ବ୍ରା,ଚକମକିଆ ବିନ୍ଦି,ଦିହର ମହମହ ମହକ,ଆଉ ହସ - ସବୁକିଛି ଏବେ ଫିକାଫିକା ଲାଗୁଥିଲା।ଖୁବ୍ ଫିକାଫିକା ଲାଗୁଥିଲା।

        ଗୋଟେ ହସକୁରୀ ଝିଅର ଦୁଃଖ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍