ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଗଧର ଜ୍ୟୋତିଷ

ଗଧର ଜ୍ୟୋତିଷ

3 mins
352



ସରୟୁ ନଦୀ କୂଳରେ ଏକ ଗ୍ରାମରେ ଜଣେ ଜ୍ୟୋତିଷ ଥାନ୍ତି । ଆଖପାଖ ଗାଁମାନଙ୍କରେ ତାଙ୍କ ପରି ଜ୍ୟୋତିଷରେ ବିଖ୍ୟାତ ପଣ୍ଡିତ କେହି ନ ଥାଏ । ଜାତକ ବା ଜନ୍ମକୋଷ୍ଠୀ ତିଆରି କରିବାରେ ତାଙ୍କ ପରି ସେ ଥିଲେ ଜଣେ । ଏମିତି ହେଉ ହେଉ ଜ୍ୟୋତିଷଙ୍କ ନାମଧାମ ରାଜଦରବାର ପର୍ଯ୍ୟନ୍ତ ପହଞ୍ଚିଲା । ରାଜକର୍ମଚାରୀମାନେ ଜ୍ୟୋତିଷଙ୍କୁ ରାଜବାଟିକୁ ଡକେଇଲେ । ତାଙ୍କୁ ରାଜାଙ୍କ ଡକରା ହେଲା ବୋଲି ଗାଁ ଗହଳିରେ ହୁରି ପଡିଗଲା । ତାଙ୍କୁ ମଧ୍ୟ ରାଜାଶ୍ରୟ ମିଳିଗଲା । ସଠିକ ଗଣିତ ସାଧନା ଫଳରେ ସେ ଯାହା କହନ୍ତି ତାହା ଘଟିଯାଏ ।


    କ୍ରମେ କ୍ରମେ ରାଜକର୍ମଚାରୀମାନେ ଜ୍ୟୋତିଷଙ୍କୁ ଉତ୍ସାହ ଦେଲେ, ଉପହାର ଦେଲେ । ତାଙ୍କର ଟଙ୍କା ପଇସାଗୁଡାଏ ଜମା ହୋଇଗଲା । କେତେଦିନ ପରେ ନିଜ ଗାଁ ନିକଟ ନଈ କୂଳରେ ସେ ଛ’କୋଡି ଏକର ଜମି କିଣିଲେ – ଧୋଇ ମରୁଡିରୁ ବାହାର । ଫସଲ ଅମଳ ବେଳେ ଜ୍ୟୋତିଷ ନିଜ ଗାଁ କୁ ଚାଲିଥାନ୍ତି ଏବଂ ବିହନ ବୋଝ ଥୁଆ ରଖା କରି ହଳିଆ ମୂଲିଆଙ୍କୁ ଦିଆନିଆ କରି ସେ ପୁଣି ରାଜଧାନୀକି ଫେରନ୍ତି ।


    ବର୍ଷେ ଏପରି ତାଙ୍କ ଗାଁକୁ ଯାଇଛନ୍ତି । ଧାନ ଫସଲ କଟାହୋଇ ବିହନମାନ ଶୁଖୁଛି । ମଧ୍ୟାନଭୋଜନ ପରେ ସେ ଦାଣ୍ଡପିଣ୍ଡାରେ ବସି ହଳିଆମୂଲିଆଙ୍କ କଥା ବୁଝୁଛନ୍ତି, ଏତିକିବେଳେ ଗାଁ ଧୋବା ଧୋବଲୁଗା ଗଧରେ ଲଦେଇ ତୁଠରୁ ଫେରୁଥିବା ଦେଖିଲେ । ଧୋବା ଜ୍ୟୋତିଷଙ୍କୁ ଦେଖି ଦଣ୍ଡବତ ହୋଇ ଜଣାଇଲା- ‘ଗୋଷେଇଁ ମହାପ୍ରଭୁ! ଭଲ ଖନ୍ଦ ହେଇଚି ଏ ବର୍ଷ । ଧାନ ଆପଣଙ୍କର ଛିନ୍ନଛିତ୍ର ହୋଇପଡିଛି । ଶୀଘ୍ର ଖଳାକୁ ନେଇଆସନ୍ତୁ ।’

    “ନେଇ ତ ଆସିବି: କିନ୍ତୁ ଏତେ ଶୀଘ୍ର କାହିଁକି, କହିଲୁ !”

“ଶୀଘ୍ର କାହିଁକି କହିଲି କି ଏହି ଦେଢଘଣ୍ଟା ଭିତରେ ବଡ ଭୀଷଣ ତୋଫାନ ଆସୁଛି” ଧୋବା କହିଲା

    ଜ୍ୟୋତିଷ କହିଲେ “ଯାବେ ତୋ ମୁଣ୍ଡ ଆସୁଛି । ତୋଫାନଟାଏ ପୁଣି କାହୁଁ ଆସିବ ? ଦେଖୁନ, ଆକାଶ କେଡେ ନିର୍ମଳ, ଖଣ୍ଡିଏ ବୋଲି ମେଘ ନାହିଁ । କି ସୁନ୍ଦର ଶୀତଳ ପବନ ବହୁଛି । ଏମିତି ମନଗଢା କଥା ଗୁଡାଏ ଆଉ କାହାକୁ କହନା ।”

“ମୁଁ ଆପଣଙ୍କ ଭଲ ପାଇଁ କହୁଛି । ମୁଁ ତିଥି, ବାର ଜାଣେ ନି । ଏହି କଥାଟା ଜାଣେ ଯେ ଆଜି ଏବେ ଏ ଘଣ୍ଟାଏ ଦୁଇ ଘଣ୍ଟା ଭିତରେ ଝଡତୋଫାନ ହେବ । ତୁରନ୍ତ ଗାଡିମାନଙ୍କରେ ଲଦେଇ ଯଦି ବିଲରୁ ଧାନତକ ନେଇ ନ ଆସ ତେବେ ଏହି ସୁନ୍ଦର ଫସଲ ନଷ୍ଟ ହୋଇଯିବ ।” ଏପରି କହି କହି ଧୋବା ତା’ ଗଧ ଅଡେଇ ଅଡେଇ ଚାଲିଗଲା ।


    ଜ୍ୟୋତିଷ ଧୋବା କଥାରେ ହସିଦେଇ ଆକାଶ ଆଡକୁ ଚାହିଁଲେ । ପଶ୍ଚିମ ଆକାଶରୁ ମେଘ ବିଜୁଳି ମାଡି ଆସିବାର ଦିଶିଲା । ଦେଖୁ ଦେଖୁ ବଣ ହାତୀ ପରି ଲେହେପି ଲେହେପି ଗର୍ଜନ କରି ମେଘ ଚାଲି ଆସିଲା ଆକାଶ ଘୋଡେଇ । ସୂର୍ଯ୍ୟ ଦେବତା ଲୁଚିଗଲେ । ଘନ ଅନ୍ଧାର ଘୋଟି ଆସିଲା । ଭୀଷଣ ଝଡ ତୋଫାନ ଦେଖାଦେଲା । ବତାସରେ ବଡ ବଡ ଗଛ ଉପୁଡିଗଲା । ମେଘ ଗର୍ଜିଲା । ବିଜୁଳି ଚମକିଲା । ବରକୋଳିଆ ଥୋପାମାନ ଅଜାଡି ଦେଇଗଲା ।

  

  ଜ୍ୟୋତିଷଙ୍କୁ କିଛି ବୁଦ୍ଧି ଦେଖାଗଲା ନାହିଁ । ଧୋବା କହିଲା ପରି ସାଙ୍ଗେସାଙ୍ଗେ ଶଗଡ ଯୋଚେଇ ବିଲରୁ କଳେଇତକ ନେଇ ଆସିଥିଲେ ଚିନ୍ତା ନଥାନ୍ତା । କିନ୍ତୁ ପାଞ୍ଜି ଅନୁସାରେ ସେ ଦିନ ବର୍ଷାଯୋଗ ନ ଥିବାରୁ ଜ୍ୟୋତିଷ ଧୋବା କଥାରେ ପରତେ ଗଲେନାହିଁ ।


“ଏ-ଧୋବା କେମିତି ଜାଣିଲା ଦେଢଘଣ୍ଟା ଭିତରେ ତୋଫାନ ଆସିବ ।” ଏ ଭାବନା ଜ୍ୟୋତିଷକୁ ବିସ୍ମିତ କରେଇ ଦେଲା । ତୋଫାନ ଟିକିଏ କମି ଆସିଲାରୁ ସେ ଧୋବା ଘରକୁ ଯାଇ ଧୋବାକୁ ବଡ ଉଦବେଗରେ ପଚାରିଲେ – “ହଇରେ ସେଠୀ ! ତୋ କଥା ଅନୁସାରେ ଝଡ ବର୍ଷା ଆସିଗଲାରେ । ବଡ ଆଶ୍ଚର୍ଯ୍ୟ । ତତେ ଅବଶ୍ୟ ଜ୍ୟୋତିଷ ଜଣା । କାହା ପାଖରୁ ଶିଖିଲୁ କିରେ ?”


ଆଉ କାହାଠୁ ଶିଖିବି ଗୋସେଇଁ ମହାପ୍ରଭୁ ! ମୋ ଗଧ ହିଁ ମତେ ଜ୍ୟୋତିଷ ଶିଖେଇଛି । ତା’ ଆଗରେ ଆପଣଙ୍କ ପାଞ୍ଜି ଫାଞ୍ଜି ଆଦୌ କାମକୁ ଆସିବ ନାହିଁ । ବର୍ଷା ଆସିବାର କିଛି ସମୟ ପୂର୍ବରୁ ଗଧର ଦେହଟାଯାକ ବାଳ ଟାଙ୍କୁରୀ ଉଠେ । ସେ ତା’ର ଆଖିତରାଟି କାନ ଠିଆକରି ବର୍ଷାକୁ ଅପେକ୍ଷା କରେ । ତା’ ଆଖିକି ଦୂର ମେଘ ଦିଶିଯାଏ । ତା’ କାନକୁ ଦୂର ବର୍ଷା ଶୁଭିଯାଏ । ତା’ପରେ ସେ ଏଣେ ତେଣେ ଡେଇଁ ବୁଲେ । ତା’ର ଜ୍ୟୋତିଷୀ କେବେ ଭୁଲ ହୁଏନି ।


    ଜ୍ୟୋତିଷ କହିଲେ –“ଆଜି ଯେଉଁସବୁ କଥା ଘଟିଗଲା ତୁ କାହାକୁ କହନା, ତୋର ମଙ୍ଗଳ ହେବ । ମୋର ବଡ ଦୁର୍ନାମ ହେବ ।” ସେ ଧୋବାକୁ ଏପରି କହିଲେ ।

କିନ୍ତୁ ପଣ୍ଡା ତୁଣ୍ଡରୁ କୁହାଯିବା ନ୍ୟାୟ ତୁଣ୍ଡରୁ ତୁଣ୍ଡ ହୋଇ ଗାଁଟା ଯାକ ଖବର ହୋଇଗଲା ସେ ଯାହା ହେଉ ଭବିଷ୍ୟତ କଥା ଜାଣିବାକୁ ଜ୍ୟୋତିଷ ଅନେକ ସମୟରେ ଗାଁ ଧୋବାକୁ ପଚରା ଉଚୁରା କରନ୍ତି ।


Rate this content
Log in