ଦୂରାନ୍ତ
ଦୂରାନ୍ତ
ଜୀବନର ବାସ୍ତବତା ଅତ୍ୟନ୍ତ କଠୋରତା ପୂର୍ଣ୍ଣ । ଆଜୀବନ ଅତିବାହିତ କରିବା ପାଇଁ ଥିବା ଜୀଵନ ସେ କ୍ଷଣିକ ପାଇଁ ମଧ୍ୟ ହୋଇଥାଏ । କ୍ଷଣିକ ଶୁଣିବା ପାଇଁ ସିନା ସମୟର କେଉଁ କ୍ଷୁଦ୍ର ସମୟକୁ ବୁଝାଉଛି । କିନ୍ତୁ କ୍ଷଣିକ ସମୟ ହିଁ ଜୀବନର ସମସ୍ତ ଦିନକୁ ବଦଳାଇ ଦିଏ । ଏଇ ଯେମିତି ମୁଁ କୋଉ କ୍ଷଣିକ ସମୟ ନେଇ ତ ଜନ୍ମ ଗ୍ରହଣ କରିଦେଇଛି । କିନ୍ତୁ ବିଶେଷ କଥା ଓ ଗୁରୁତ୍ୱପୂର୍ଣ୍ଣ କଥା ଏଇଟା କି ମୋର ସେହି କ୍ଷଣିକ ସମୟର ଜନ୍ମ ଆଜୀବନ ମୋତେ ନର୍କ ଯନ୍ତ୍ରଣା ସହିତ ସମାନତା ଆଣିଦେଲା । ଜନ୍ମ କରି ଥିବା ମୋର ମାଆ ମୋତେ କଣ ଛାଡି ଯାଇପରିଥିବ । ନା ପୁଣି ଯୌବନର ପିପାସା ମେଣ୍ଟାଇବାର ମୁଁ ଗୋଟେ ଅଭିଶପ୍ତ ସୃଜନ । ମୋତେ ତାଙ୍କ ନିଜଠୁ ଦୂରେଇ ଦବାରଅର୍ଥ କଣ ହୋଇ ପାରେ ....?? କଣ ମୁଁ ଦୋଷାଶିକ୍ତ ...? ମୁଁ ମୋ ନିଜ ଲୋକଙ୍କଠୁ ଏତେ ଦୂରରେ କାହିଁକି .....? କାହିଁକି ଏତେ ଦୂରାନ୍ତ ରହିଛି ...?ଯଦି ଏମିତି କଥା ମୁଁ ଏ ସ୍ଥାନରୁ ଅନେକ ଦୂରକୁ ଚାଲିଯିବି । ଏ ସ୍ଥାନରେ ରହିଲେ ମୋତେ ନିଜଠୁ ଦୂରକୁ ଫିଙ୍ଗି ଦେଇଥିବା ମଣିଷଟାଏ କେବେ କେବେ ମୁଁ ତା ଦୃଷ୍ଟିର ଶିକାର ହୋଇପାରେ । ତାହା ମୁଁ ଚାହୁଁନି । ମୁଁ ଚାହୁଁନି ଭୁଲ୍ ବଶତଃ ବି ସେ ମୋତେ ଦେଖନ୍ତୁ । ମୁଁ ଅଭାଗା ଭୁଲ୍ ବଶତଃ ତାଙ୍କୁ କିଛି ମାଗିବସେ । ତେବେ ମୋତେ ଏବେ ଏଠୁ ବାହାରିଯିବା ଉଚିତ୍ । ଏହା କହି ମୁଁ ଆଗକୁ ବଢ଼ିଲି । ଆଖିରେ ଆଖିଏ ବେଦନା କିନ୍ତୁ କାହିଁ କେଜାଣି ଲୁହ ଆସୁନି ।
ନିଷ୍କପଟତା ପୂର୍ଣ୍ଣ ଦୃଷ୍ଟି ସହିତ ଧୂଳି ଧୂସର ଅଙ୍ଗ । ସେଥିରେ ପୁଣି ନିର୍ଜନତାର ଅବସ୍ଥିତି । ବସନ ପରିଧାନ କରିଛି ସତ କିନ୍ତୁ ଅଙ୍ଗେ ଅଙ୍ଗେ ଛିଦ୍ରତାର ଚିତ୍ର । ଏମିତି କାହିଁ କେତେ ଦୂରାନ୍ତରୁ ଚାଲିଆସିଣି କିନ୍ତୁ ରାସ୍ତାର ଅନ୍ତ ହିଁ ଘଟୁନି । ତୃଷ୍ଣାରେ ଗଳା ଶୁଷ୍କ ହୋଇଯାଉଛି । କ୍ଷୁଧାରେ ଅନ୍ତ ଯେମିତି ପୋଡିଯାଉଛି । ମନେ ହେଉଛି ସେ ବିଶାଳ ବଟବୃକ୍ଷ କାୟା ତଳେ ଆଶ୍ରୟ ଟିକେ ନେଇଯିବି । କିଛି ବାଟ ଆଗକୁ ଯାଇ ଥକା ଶରୀରଟାକୁ ନେଇ ସେ ଛାୟା ତଳେ ନାଆଥୁ କି ବସିଗଲି । ଗମ ଗମ ଝାଳ ଯେମିତି ଝରଣା ପରି ବହି ଯାଉଥିଲା । ସେ ଟିକେ ମୃଦୁ ପବନର ଝୁଙ୍କରେ ଶୁଖି ଆସିଲା । ମନରେ ନିଶ୍ଚୟ ଭୟ ଖେଳୁଥିଲା । ଏତେ ଛୋଟ ବେଳୁ ସମୟ ମୋ ସହ ଏ.. କି....ଖେଳ ଖେଳୁଛି ...?? ମୋ ଘର , ମୋ ପରିବାର , ମୋ ନାଁ ଓ ମୋ ଗାଆଁ ସବୁ ଯେମିତି ଶୂନ୍ୟ । ଏମିତି ସ୍ୱଳ୍ପ କିଛି ଭାବନା ଭିତରେ ପବନର ଆଉଁସାରେ ଗଭୀର ନିଦ୍ରାକୁ ଆମନ୍ତ୍ରଣ କରି ନେଇଛି କେତେବେଳେ ମୁଁ ଜାଣି ପାରିନି । ଢୁ .... ଢୁ.... ଖରାରେ ଆଶ୍ରୟ ଉତ୍ସୁକ ହୋଇ ଶୋଇଛି ଯେ ଶୋଇଛି । କ୍ଷୁଧାରେ ପେଟ କିଛି ଶବ୍ଦ କରିବାକୁ ଲାଗିଲା, ଗଳା, ପାଟି ଯେମିତି ଅଠା ଅଠା ହୋଇଗଲା । ଅତି ଅସହାୟ ଲାଗିବାରୁ ହଠାତ୍ ନିଦ ଭାଙ୍ଗିଗଲା । ଆଁ...... ଏ ... କଣ ଏଇନେ ତ ସୁର୍ଯ୍ୟ ମୁଣ୍ଡ ଉପରେ ଥିଲେ । କଣ ଟିକେ ଆଖି ବୁଜି ଦେଲି ଯେ ସୂର୍ଯ୍ୟ କୁଆଡେ ଉଭେଇ ଗଲେଣି । ହଠାତ୍ ଉଠି ଛିଡ଼ା ହେଲି । ପୁଣି ନିଢ଼ଳ ଆଗକୁ ଚାଲିଲି । ଅନ୍ଧାର ହୋଇଯିବା ଭୟରେ ଭୋକ ବିକଳରେ ଆଗକୁ ଧାଁ ....ଧପଡ ହୋଇ ଚାଲିଲି । ସନ୍ଧ୍ୟାର ଆଗମନ ଧିରେ ଧିରେ ବଢିବାକୁ ଲାଗିଥାଏ । ଅନତି ଦୂରରେ କେତେକ ମିଞ୍ଜି ମିଞ୍ଜି ଆଲୁଅ ଦେଖିବାକୁ ମିଳିଲା । ମୁଁ ଆଗକୁ ଆଗେଇ ଚାଲିଲି । ଥକା ମରା ହୋଇ ପାଦ ଦୁଇ ଥରିବାକୁ ଲାଗିଲାଣି । ଆଉ ଆଗକୁ ଯିବା କଥା ଚିନ୍ତା ନ କରି ମୁଁ ସେ କ୍ଷୁଦ୍ର ଗ୍ରାମରେ ପାଦ ଦେଲି ।
ସନ୍ଧ୍ୟା ବେଳରେ ଗାଆଁରେ କୋଳାହଳ ଅଧିକ ଥାଏ । ମୋ ମନରେ ଛୋଟ ଡର ଟେ ଥିଲେ ମଧ୍ୟ , କୋଉଠି ନା କୋଉଠି କିଛି ମାଗି ଆଣି ଖାଇବା ପାଇଁ ମନ କହିଲା । ଗାଆଁରେ ପାଦ ଦଉ ଦଉ ନଳକୂପ ଦେଖି ପାଣିକୁ ଅମୃତ ପରି ପି ପକାଇଲି । ଗାଆଁ ମୁଣ୍ଡରେ ମାଆଙ୍କ ମନ୍ଦିର ଦେଖି ସେ ମନ୍ଦିର ବେଢ଼ାରେ ବସିବି ଭାବିଲି । କିନ୍ତୁ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଥିଲା । ମନ୍ଦିରର ପୂଜାରୀ ବାବା ଯଦି ମୋତେ ଗୋଡାଇବେ । ଯଦି ସେ ମୋ ଜାତି ଧର୍ମ ପଚାରିବେ ତେବେ ମୁଁ କି ଉତ୍ତର ଦେବି ...?? ମୋର ଜାତି, ଧର୍ମ ତ ଦୂରର କଥା ମୋତେ ତ ମୋ ବାପା ମାଆ , ମୋ ଘର-ଦ୍ଵାର ଜଣା ନାହିଁ । ତାଙ୍କ ପ୍ରଶ୍ନର ଉତ୍ତର ମୁଁ କଣ ବା ଦେବି । ଏମିତିରେ ମୁଁ ଯେତିକି ଜାଣିଛି ଏ ପଢା ଲେଖା ମୂର୍ଖ ସମାଜରେ ଜାତି ଧର୍ମର ବିଶେଷତା ଓ ଗୁରୁତ୍ୱପୂର୍ଣ୍ଣତା ଅଧିକ ରହିଛି । ମନରେ ଛୋଟ ଶଙ୍କା ରଖି ସେ ବେଢ଼ା ପାଖରେ ଛିଡ଼ା ହୋଇଗଲି । ଘଣ୍ଟ , ଘଣ୍ଟି , ଧୂପ , ଦୀପ ଓ କର୍ପୂର ଆଳତି ସହିତ କିଛି ଲୋକ ଭକ୍ତି ଭରେ ସେଠି ବସିଛନ୍ତି । ସନ୍ଧ୍ୟା ଦିଆ ସରିଲା ଯେବେ ସମସ୍ତେ ଘରକୁ ବାହାରିଲେ, ମୁଁ ପଛରେ ଛିଡ଼ା ହୋଇଥିବା ହତଭାଗାକୁ ସମସ୍ତେ କିଛି ନା କିଛି ପ୍ରଶ୍ନ କରିଲେ । କେହି କେହି ତ ମୋତେ ବ୍ୟାକୁଳ ଭର ହୋଇ ଚାହିଁ ରହିଥିଲେ । କିନ୍ତୁ ଦୟାର ଭାବ ନେଇ ଜଣେ ଆଗକୁ ଆସିଲେ ମୋ ମୁଣ୍ଡକୁ ଆଉଁସି ଦେଇ ପଚାରିଲେ । ଆରେ ପୁଅ ତୋ ଘର କୋଉଠି , ତୋ ନାଁ କଣ ...? ଏ ଶବ୍ଦ ଶୁଣି ମୁଁ ନିରୁଉତ୍ତର । ଆଖିରେ ଆଖିଏ ଡର । ଧିରେ ଧିରେ ସେ ଜାଗାରେ ଗହଳି ବଢିବାକୁ ଲାଗିଲା । ଏତେ ଜନ ଗହଳିରେ ମୋ କରୁଣ ଆଖିରେ ଭୟ ସାଙ୍ଗକୁ ଲୁହ ମଧ୍ୟ ଜକେଇ ଆସୁଥାଏ । କାନ୍ଦ ଆଉ ସମ୍ଭାଳି ନ ପାରି ଯେତେ ବେଳେ ମୁଁ କାନ୍ଦିବା ଆରମ୍ଭ କରିଲି । ମୁଣ୍ଡକୁ ଆଉଁସି ଦଉଥିବା ବ୍ୟକ୍ତି ଜଣକ ଗହଳି କରୁଥିବା ସମସ୍ତ ଲୋକଙ୍କୁ ବଡ଼ ପାଟି କରି ଗହଳି ଭାଙ୍ଗିବା ପାଇଁ କହିଲେ । ମୋତେ ଆଶ୍ଵାସନା ଦେଇ କିଛି ଖାଦ୍ୟ ନେଇ ଆସିଲେ । ମୋତେ ଆଦରର ସହ ସେ ବେଢାରେ ବସେଇ ଦେଲେ ମୁଁ ବିକଳରେ ଥିବା ମଣିଷ । ଅଣନିଃଶ୍ଵସୀ ହୋଇ ଖାଇ ପକାଇଲି । ସେ ବ୍ୟକ୍ତି ଜଣଙ୍କ ମୋତେ ଖାଇବା ଦେଇ କୁଆଡେ ଚାଲିଗଲେ କେଜାଣି !! ବୋଧ ହୁଏ ତାଙ୍କ ଘରକୁ ପଳେଇ ଯାଇଛନ୍ତି !! କିନ୍ତୁ ମୁଁ ଖାଇ ସାରି ସେଇ ବେଢ଼ା ଉପରେ ନିରନ୍ତର ବସି ରହିଥାଏ ।
ରାତ୍ରି ହେବାକୁ ଲାଗିଲା ମୁଁ ସେ ବେଢ଼ାରେ ଯାକି ଯୁକି ହୋଇ ଗୋଟେ କୋଣରେ ଶୋଇପଡ଼ିଲି । ଏମିତି କିଛି ଗାଳି ଗୁଲଜ ଶୁଣି ଅଧ ରାତିରେ ନିଦ ଭାଙ୍ଗିଗଲା । ଟିକେ ଡର ଲାଗୁଥିଲେ ସତ । ସେହି ସମୟରେ ଗୋଟେ ମହିଳାଙ୍କ କରୁଣ କ୍ରନ୍ଦନ ବାରମ୍ବାର ଶୁଣିବାକୁ ପାଇଲି । ପ୍ରଥମେ ତ ମୁଁ ଭାବିଲି ଭୂତର କ୍ରନ୍ଦନ ଧ୍ଵନି ବୋଧେ । ଏମିତି ଏତେ ରାତିରେ କିଏ କାନ୍ଦିବ ଆଉ । ପୁଣି ଟିକେ ମୁଣ୍ଡ ଟେକି ଗାଆଁ ଭିତରକୁ ଚାହିଁଲି । ଯେଉଁ ଆଡୁ ଗାଳି ଗୁଲଜର ଶବ୍ଦ ଢେଉ ମାରୁଥିଲା । ନିଃଶବ୍ଦ ରାତ୍ରିରେ ପରିଷ୍କାର ଭାବରେ ବାରି ହେଉ ଯାଉଥିଲା ସେ କରୁଣ କ୍ରନ୍ଦନ ଧ୍ଵନି । ମୁଁ ଡରରେ ସେଇଠି ସେମିତି ଶବ ହୋଇ ପଡ଼ିରହିଲି । ଉଠି ଦେଖିବା ପାଇଁ ଟିକେ ଉତ୍ସୁକ ଥିଲେ ମଧ୍ୟ ଡରର ଭାର ଏତେ ଅଧିକ ଥିଲା ଯେ ଏକୁଟିଆ ଯିବା ସମ୍ଭବପର ହେଉନଥିଲା । ମୁଁ ମୁହଁ ତଳକୁ ମାଡ଼ି ଶୋଇପଡ଼ିଲି । କିନ୍ତୁ କ୍ରନ୍ଦନର ଧ୍ଵନି ଧିରେ ଧିରେ ପାଖ ରୁ ଅତି ପାଖରୁ ଶୁଣିବା ପାଇଁ ମିଳିଲା । ଶେଷରେ ବେଢ଼ା ପାଖରେ ସେ କାନ୍ଦୁଥିବା ମହିଳା ଆସି ବସିଲେ ।
ମୁଁ ଦେଖେଁ ତ ସେ ବୃଦ୍ଧା ମହିଳା ତାଙ୍କ ଆଶରା ବାଡିକୁ ଫିଙ୍ଗି ଦେଲେ ଦୂରକୁ ଆଉ ନିରୁପାୟ ହୋଇ ବସି ଗଲେ । ମୁଁ ଉଠି ଯାଇ ପଚାରିଲି ମାଆ ତୁମେ କାନ୍ଦୁଛ ଏ ବୃଦ୍ଧ ବୟସରେ ତୁମ ଆଖିରେ ଲୁହ କାହିଁକି ମାଆ । ତୁମେ କଣ ଦୁଃଖରେ ଅଛ କି ...? ମନ୍ଦିରରେ ଏତେ ରାତିରେ କଣ ପାଇଁ ଆସିଛ ....? କଣ ମାଆ ତାରିଣୀଙ୍କ ପାଖରେ କିଛି ମାଗିବା ପାଇଁ ଆସିଛ କି ...? ଏତେ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଥିଲା । ଥରଥର କଣ୍ଠରେ କହିବାକୁ ଲାଗିଲେ । ଯେହେତୁ ମୋର ସମସ୍ତେ ଥାଇ ମୁଁ ଅନାଥ । ମୁଁ ଅନାଥ .....ମୋର ଯେହେତୁ , ପୁଅ- ବୋହୂ, ନାତି-ନାତୁଣୀ ସମସ୍ତେ ଅଛନ୍ତି ତଥାପି ଅସହାୟ ଅବସ୍ଥାରେ ମୁଁ ଏଠି ତେବେ ମୁଁ କଣ ପାରିବାରିକ ସଦସ୍ୟ ହୋଇଥିବି .....? ଯେହେତୁ ଅନାଥ , ମୁଁ ମାଆକୁ ମାଗିବି ବି କଣ ...? ମୁଁ କିଛି ସମୟ ଚୁପ୍ ରହି ଉତ୍ତର ଦେଲି, ବୁଢୀ ମାଆ ତୁମେ ଦୁଃଖ କରନି କାରଣ ଏଠି ମୁଁ ବି ଅନାଥ । ମୋର ମଧ୍ୟ କେହି ନାହାନ୍ତି । ମୁଁ ଏତେ ବଡ଼ ଦୁନିଆରେ ମଧ୍ୟ ଏକୁଟିଆ । ବୁଢୀ ମାଆ ଆଖିରୁ ଅଜସ୍ର ଲୋତକ ଝରାଇ କହିଲେ, ଯେତେବଳ ଯାଏ ମାଆ ପୁଅର ଦରକାରରେ ଲାଗୁଥାଏ ସେ ଯାଏ ମାଆ ଲୋଡା । ଯେତେ ବେଳେ ମା ବାପା ବୃଦ୍ଧ ବୟସକୁ ଆସିଯାନ୍ତି । ମାଆ, ପୁଅର ସାହାରା ଲୋଡେ ସେତେବେଳେ ପୁଅ ନିଜସ୍ଵ କାମରେ ବ୍ୟସ୍ତ । ମୁଣ୍ଡକୁ ହାତ ପାଇଗଲେ ସେ ମହାନ୍ ମଣେ ନିଜକୁ । ଆଉ ପୁଣି ବିବାହ ପରେ ସ୍ତ୍ରୀର କଥା ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ଯେ । ମାର ଦରକାର ମଧ୍ୟ ଭୁଲି ଯାଏ । ମାଆର ବଳିଦାନ ଭୁଲି ଯାଏ । କେହି କେହି ପୁତ୍ର ସମାଜରେ ଏତେ ନୀଚ୍ଚ ସ୍ତରରେ ରହନ୍ତି ଯେ । ତାଙ୍କୁ ମଣିଷ ହିସାବରେ ଗଣା ଯାଇପରେନାରେ ବାପା । ମୋର ସମସ୍ତେ ଥାଇକି କେହି ନାହାନ୍ତି ଆଉ ତୋର ନଥାଇ ମଧ୍ୟ କେହି ନାହାନ୍ତି । କେଡେ ଦୁର୍ଭାଗ୍ୟ ଆଦରି ଜନମ ନେଇଥିଲେ ଆମେ ଦୁହେଁ । ସମାନ ପରିମାଣର ଦୁଃଖ ଭୋଗୁଛେ । ଆମ ଭିତରେ କେତେ ସମାନତା ରହିଛି ଦେଖୁଛୁ । ମୋର କାଳ ତ ସରିଆସିଲାଣି ବାପା । ତୁ ଏତେ ବଡ଼ ଦୁନିଆକୁ ଆଦରି କେମିତି ଜିଇଁବୁ ...? କିଛି ଭଲ ଲୋକ ମିଳିବେ କିଛି ଦୁଷ୍ଟ ଲୋକ ମିଳିବେ । ତୁ ବାସ୍ ଧର୍ଯ୍ୟର ସହ ଦୃଢ଼ ଭାବରେ ଛିଡ଼ା ରହିବୁ । ଏମିତି ଅନେକ ଅନେକ ଦୁଃଖ ସୁଖ ଗପରେ ଆକାଶ ଫର୍ଚ୍ଚା ହୋଇ ଆସିଲା ଆମ୍ଭେ ଦୁହେଁ ଅନାଥ , ଦୂରାନ୍ତକୁ ବାହାରି ପଡିଲୁ । ବୁଢୀ ମାଆକୁ ଧରି ମୁଁ ଆଗକୁ ଚାଲିଲି । ଜାଣିନି କୁଆଡେ ଯିବୁ । କିନ୍ତୁ ଏତିକି ଜାଣିଛୁ ଆମକୁ ନିଜଠୁ ଦୂର କରିବା ପାଇଁ ଇଚ୍ଛା ରଖିଥିବା ମଣିଷ ଠୁ ଦୂର ବହୁ ଦୂରକୁ ଚାଲିଯିବୁ । କାହିଁ କେତେ ଦୂରାନ୍ତକୁ ।
